ଅର୍ଜ୍ଜୁନଙ୍କ ସମସ୍ୟା ତ ବହୁ ପୂର୍ବରୁ ସମାଧାନ ହୋଇ ସାରିଥିଲା । ଯେହେତୁ ଉର୍ବଶୀ ତାଙ୍କୁ ନପୁଂସକ ହେବା ପାଇଁ ଅଭିଶାପ ଦେଇଥିଲେ । ସେତେବେଳେ ଇନ୍ଦ୍ର ଦୟାପରବଶ ହୋଇ ଅର୍ଜ୍ଜୁନଙ୍କୁ ଏଇ ଆଶ୍ୱସନା ଦେଇଥିଲେ ଯେ, ଏହି ଶାପ ଅବଶ୍ୟ ତାଙ୍କର ଅଜ୍ଞାତ-ବାସ ସମୟରେ କାର୍ଯ୍ୟରେ ଲାଗିବ ।
“ମୋର ନାମ ହେବ ବୃହନ୍ନଳା । ହାତର କହୁଣୀ ଯାଏଁ ମୁଁ କଙ୍କଣ ପରିଧାନ କରିବି । ଏହାଦ୍ୱାରା ଲୋକମାନେ ଜାଣିପାରିବେ ନାହିଁ ଯେ, ମୁଁ ସ୍ତ୍ରୀ ନା ପୁରୁଷ । ଏହି ଦେଶରେ ମୁଁ ବିରାଟଙ୍କ ଅନ୍ତଃପୁରର ରମଣୀମାନଙ୍କର ମନୋରଞ୍ଜନ କରିବି । ମୁଁ ଆଗରୁ କେଉଁଠାରେ ଥିଲି, ଏହି ପ୍ରଶ୍ନ ମୋତେ କେହି କଲେ, ମୁଁ କହିବି, ମୁଁ ଦ୍ରୌପଦୀଙ୍କର ପରିଚର୍ଯ୍ୟାରେ ନିଯୁକ୍ତ ଥିଲି ।” ଏହିଭଳି ଭାବେ ଅର୍ଜ୍ଜୁନ ନିଜର ପ୍ରସ୍ତାବ ଦେଲେ ।
ନକୁଳ ନିଜ ମତ ରଖିବାକୁ ଯାଇ କହିଲେ “ମୋର ନାମ ଦାମଗ୍ରନ୍ଧି ହେବ । ମୁଁ ବିରାଟଙ୍କର ଅଶ୍ୱପ୍ରଶିକ୍ଷକ ଭାବେ ଯୋଗ ଦେବି । ଅଶ୍ୱଙ୍କର ରୋଗର ଚିକିତ୍ସା କରିବି । ସେଠାରେ ମୋତେ କେହି ପ୍ରଶ୍ନ କଲେ ମୁଁ କହିବି ପୂର୍ବରୁ ଧର୍ମରାଜଙ୍କର ଅଶ୍ୱ -ଅଧିକାରୀ ରୂପେ ମୁଁ କାମ କରୁଥିଲି ।”
ସହଦେବ ତାଙ୍କର ବେଶ ଧାରଣ ବିଷୟରେ କହିଲେ “ତନ୍ତୀପାଳ ନାମରେ ବିରାଟଙ୍କର ଗୋପାଳନ କାର୍ଯ୍ୟ ମୁଁ କରିବି । ଆପଣଙ୍କ ଆଦେଶ ପାଳନ କରି ଏହି କାମ ତ ମୁଁ ଆଗରୁ ବି କରୁଥିଲି । ତେଣୁ ଏ ବିଷୟରେ ମୋର ଯଥେଷ୍ଟ ଅଭିଜ୍ଞତା ରହିଛି ।”
ଧର୍ମରାଜ, ଦ୍ରୌପଦୀଙ୍କ ସମ୍ବନ୍ଧରେ ଖୁବ୍ ଚିନ୍ତିତ ଥିଲେ । ସେ ତ ଅତ୍ୟନ୍ତ ସୁକୁମାରୀ । ପତିବ୍ରତା ନାରୀ ରୂପରେ ପତିମାନଙ୍କର ସେବାରେ ସେ ସର୍ବଦା ନିୟୋଜିତା । କେବେ ତ କାହାର ସେ ସେବା ଆଦୌ କରି ନାହାଁନ୍ତି । ଏବେ ସେ କେଉଁ କାମ ବା କରିପାରିବେ?
ଦ୍ରୌପଦୀ ଧର୍ମରାଜଙ୍କ ମନର ସମସ୍ତ ଶଙ୍କା ଦୂର କରି କହିଲେ, “ମୋ ପାଇଁ ଆପଣ ଯମା ଚିନ୍ତିତ ହୁଅନ୍ତୁ ନାହିଁ । ସୈରିନ୍ଧ୍ରୀ-ବୃତ୍ତି ଏକ ଆଦରଣୀୟ ବୃତ୍ତି ଅଟେ । ଅନ୍ୟଦାସୀ ମାନଙ୍କ ପରି ଏମାନଙ୍କ ସହିତ ବ୍ୟବହାର କରାଯାଏ ନାହିଁ । ଏହି ବୃତ୍ତି ଧାରଣ କରି ମୁଁ ଅନ୍ତଃପୁର ରମଣୀ ମାନଙ୍କର କେଶ ବିନ୍ୟାସ କାର୍ଯ୍ୟ କରିବି ଏବଂ ବିରାଟଙ୍କ ପତ୍ନୀ ସୁଦେଷ୍ଣାଙ୍କ ନିକଟରେ ରହସ୍ୟଜନକ ଭାବେ ବାସ କରିବି ।”
ଦ୍ରୌପଦୀ ତଥା ଭାଇମାନଙ୍କର ନିର୍ଣ୍ଣୟ ଶୁଣି ଧର୍ମରାଜ ଏଥର ସନ୍ତୁଷ୍ଟ ହେଲେ । ସେ ଧୌମ୍ୟ, ସୁତଗୁଣ ଓ ଅନ୍ୟ ସେବାକାରୀ ମାନଙ୍କୁ ଦ୍ରୁପଦଙ୍କ ରାଜ୍ୟରେ ବାସ କରିବା ପାଇଁ ତଥା ଇନ୍ଦ୍ରସେନ ଓ ଅନ୍ୟ ମନ୍ତ୍ରୀଗଣଙ୍କୁ ଖାଲି ରଥ ନେଇ ଦ୍ୱାରକା ଫେରିଯିବା ପାଇଁ କହିଲେ । ମାତ୍ର ସେଠୁ ଯିବା ପୂର୍ବରୁ ସମସ୍ତଙ୍କୁ ସେ ସାବଧାନ କରାଇଦେଲେ ଯେ, ପାଣ୍ଡବମାନଙ୍କ ସମ୍ବନ୍ଧରେ ସେମାନେ ଯେପରି କେଉଁଠାରେ କିଛିବି ପ୍ରକାଶ କରିବେ ନାହିଁ ।
ଧୌମ୍ୟ ପାଣ୍ଡବମାନଙ୍କୁ ବୁଝାଇ ଦେଲେ ଯେ, ରାଜସେବାର ଅର୍ଥ କ’ଣ ଓ ରାଜସେବାରେ ନିୟୋଜିତ ଥିବା ବ୍ୟକ୍ତିକୁ କେଉଁ ସବୁ ନିୟମ ପାଳନ କରିବାକୁ ହେବ । ଯିଏ ଯାହାର ଗନ୍ତବ୍ୟ ପଥରେ ବାହାରିଯିବା ପରେ ପାଣ୍ଡବମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ସହିତ ଦ୍ୱେତବନରୁ ବାହାରିଲେ । ଅନେକ ବଣ, ପର୍ବତ, ନଦୀ ପାର ହୋଇ ସେମାନେ ଯାଇ ମତ୍ସ୍ୟଦେଶରେ ପ୍ରବେଶ କଲେ । ଦଶାର୍ଣ୍ଣ ଦେଶର ଉତ୍ତର, ପାଂଚାଳ ଦେଶର ଦକ୍ଷିଣ ଓ ଶୁରସେନ ଦେଶର ମଧ୍ୟରେ ମତ୍ସ୍ୟ ଦେଶ ଅବସ୍ଥିତ ।
ପଥଶ୍ରମରେ କ୍ଳାନ୍ତ ହୋଇ ଦ୍ରୌପଦୀ କହିଲେ, “ମନେ ହେଉଛି, ବିରାଟ ନଗରୀ ବହୁତ ଦୂରରେ ଅବସ୍ଥିତ । ମୁଁ କିନ୍ତୁ ଏଥର ଆଉ ଚାଲିପାରିବି ନାହିଁ । ଏହିଠାରେ ମୁଁ ପ୍ରଭାତ ସମୟ ପର୍ଯ୍ୟନ୍ତ ବିଶ୍ରାମ ଗ୍ରହଣ କରିବି ।”