ଧର୍ମରାଜ କେଉଁ ପଥରେ ଯାଇ ଜଙ୍ଗଲ ଅତିକ୍ରମ କରିବେ, ତାହା ନିର୍ଣ୍ଣୟ କଲେ । ସେ ଅର୍ଜ୍ଜୁନଙ୍କୁ ଦ୍ରୌପଦୀଙ୍କୁ ବହନ କରି ଆଣିବା ପାଇଁ ନିର୍ଦ୍ଧେଶ ଦେଲେ । ଏହି ପରି ଭାବେ ସେମାନେ ବିରାଟନଗରୀର ସୀମାନ୍ତରେ ଯାଇ ଉପସ୍ଥିତ ହେଲେ । ଧର୍ମରାଜ ସେମାନଙ୍କ ନିକଟରେ ଥିବା ଅସ୍ତ୍ରଶସ୍ତ୍ର ବିଷୟରେ ଚିନ୍ତା କଲେ । କାହିଁକିନା ଏସବୁ ସାଙ୍ଗରେ ନେଇ ସେ ନଗର ମଧ୍ୟରେ ପ୍ରବେଶ କରିବା ପାଇଁ ଚାହୁଁ ନ ଥିଲେ । ଅର୍ଜ୍ଜୁନଙ୍କର ଗାଣ୍ଡୀବ ଧନୁ ଜଗତ ବିଖ୍ୟାତ ଅଟେ । ପାଣ୍ଡବମାନଙ୍କୁ ଚିହ୍ନିବା ପାଇଁ ତ ଏହି ଗୋଟିଏ ଅସ୍ତ୍ର ଯଥେଷ୍ଟ । ତେଣୁ ଧର୍ମରାଜ ଅସ୍ତ୍ରଶସ୍ତ୍ର ସୁରକ୍ଷିତ ତଥା ଗୁପ୍ତ ରୂପେ ରଖିବା ପାଇଁ, ଏକ ସ୍ଥାନ ନିରୂପଣ କରିବା ପାଇଁ ଅର୍ଜ୍ଜୁନଙ୍କୁ କହିଲେ ।
ଅର୍ଜ୍ଜୁନ ଚତୁର୍ଦ୍ଦିଗକୁ ଦୃଷ୍ଟି ନିକ୍ଷେପ କରି ଅଦୂରରେ ସେ ଏକ ଶ୍ମଶାନ ଦେଖିବାକୁ ପାଇଲେ । ସେଠାରେ ସେ ଏକ ବିରାଟକାୟ ଶମୀବୃକ୍ଷ ଦେଖିଲେ । ସାଧାରଣତଃ ସେହି ଅଂଚଳକୁ କେହି ବି ଯାଆନ୍ତି ନାହିଁ । କେହି ସେଠାକୁ ଗଲେ ମଧ୍ୟ ଶମୀ ବୃକ୍ଷର ଉପରିଭାଗ ତା’କୁ ଆଦୌ ଦୃଶ୍ୟ ହେବ ନାହିଁ । ତେଣୁ ଅର୍ଜ୍ଜୁନ ସ୍ଥିର କଲେ, ସମସ୍ତ ଅସ୍ତ୍ର ଶସ୍ତ୍ର ଏହି ବୃକ୍ଷର ଘଂଚଡାଳରେ ଲୁଚାଇ ରଖାଯାଇପାରିବ ।
ପାଣ୍ଡବଗଣ ସେମାନଙ୍କର ଧନୁର ଡୋରୀ ଫିଟାଇ ସେଗୁଡିକୁ ଭୂମି ଉପରେ ରଖିଦେଲେ । ଖଡ୍ଗ ମଧ୍ୟ ତ୍ୟାଗ କଲେ । ଧର୍ମରାଜଙ୍କ ଆଦେଶ ଅନୁସାରେ ନକୁଳ ସେ ଶମୀବୃକ୍ଷ ଉପରକୁ ଚଢି, ବୃକ୍ଷର ଗହନପତ୍ର ମଧ୍ୟରେ ସମସ୍ତ ଅସ୍ତ୍ରଶସ୍ତ୍ର ଲୁଚାଇ ଦେଲେ । ବର୍ଷା ହେଲେ ସେହି ଅସ୍ତ୍ରଶସ୍ତ୍ରଗୁଡିକ ଓଦା ନ ହେବା ପାଇଁ, ସେ ତା’ଉପରେ ଏକ ଶବକୁ ଢାଙ୍କିଦେଲେ ।
ଶବକୁ ବୃକ୍ଷ ଉପରକୁ ଉଠାଉଥିବା ସମୟରେ କେତେକ ପଶୁପାଳକ ଏହା ଦେଖି ପାରିଲେ । ପାଣ୍ଡବ ସେମାନଙ୍କୁ କହିଲେ, “ତାଙ୍କର ଏକଶହ ଆଠ ବର୍ଷିୟା ବୃଦ୍ଧମାତାଙ୍କର ଦେହାନ୍ତ ଘଟିଲା । ନିଜର ସଂସ୍କାର ଅନୁସାରେ, ସେମାନେ ତାଙ୍କର ଶବକୁ ବୃକ୍ଷ ଉପରେ ସ୍ଥାପନ କରୁଛନ୍ତି ।”
ବିରାଟନଗର ମଧ୍ୟକୁ ପ୍ରବେଶ କରିବା ସମୟରେ ଧର୍ମରାଜ ଅଚାନକ ଭାବେ ଏକ ସ୍ଥାନରେ ଅଟକିଲେ । ସେ ମା’ଦୁର୍ଗାଙ୍କୁ ସ୍ମରଣ କରି ପ୍ରାର୍ଥନା କଲେ, “ମା ଆମେ ତୁମର ଶରଣାପନ୍ନ ହେଉଛୁ । ଏବେ ଆମକୁ ରକ୍ଷା କର ।”
ଦେବୀ ଦୁର୍ଗା, ସ୍ୱୟଂ ଦିବ୍ୟରୂପରେ ପ୍ରକଟିତ ହୋଇ ସେମାନଙ୍କୁ ଆଶ୍ୱାସନା ଦେଲେ, “ମୁଁ ତୁମକୁ ଏହି ଆଶୀର୍ବାଦ ପ୍ରଦାନ କରୁଛି ଯେ, ନିକଟ ଭବିଷ୍ୟତରେ ତୁମେ ଯୁଦ୍ଧରେ ଜୟଲାଭ କରିବ ।” ଏହାପରେ ଦେବୀ ଦୁର୍ଗା ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ । ତା’ପରେ ଧର୍ମରାଜ ନଦୀରେ ସ୍ନାନ କରି ହାତ ଯୋଡି ଧର୍ମ ଦେବତାଙ୍କୁ ପ୍ରାର୍ଥନା କଲେ, “ଯକ୍ଷରୂପରେ ଆପଣ ଯେଉଁ ବରଦାନର ପ୍ରତିଶୃତି ଦେଇଥିଲେ, ମୁଁ ଏବେ ତାହା ପ୍ରାପ୍ତ ହେବା ପାଇଁ ପ୍ରାର୍ଥନା କରୁଛି ।”
ତତ୍କ୍ଷଣାତ୍ ଏକ ବିଚିତ୍ର ଘଟଣା ଘଟିଲା । ଧର୍ମରାଜ ଗୈରିକ ବସ୍ତ୍ର ଧାରଣ କରି ଯତି ବେଶରେ ପରିଣତ ହୋଇଗଲେ । ତାଙ୍କ ହାତରେ କମଣ୍ଡଳୁ ଥାଏ । ସେହିପରି ଅନ୍ୟ ପାଣ୍ଡବଗଣ ନିଜ ନିଜର ଇଚ୍ଛାମୁତାବକ ବେଶଧାରଣ ପାଇଁ ଆବଶ୍ୟକ ସାମଗ୍ରୀ ପ୍ରାପ୍ତ ହୋଇଗଲେ ।
ଧର୍ମରାଜ ପଶାପାଲିକୁ ନିଜର କାନିରେ ବାନ୍ଧି ବିରାଟ ରାଜସଭା ଅଭିମୁଖେ ଆଗେଇଲେ । ଯଦ୍ୟପି ଧର୍ମରାଜ ଯତି ବେଶରେ ଥାଆନ୍ତି, ତେବେ ମଧ୍ୟ ତାଙ୍କର ମୁଖମଣ୍ଡଳର ଦିବ୍ୟପ୍ରକାଶ ବାରି ହୋଇ ପଡୁଥାଏ । ବିରାଟ ରାଜା ତାଙ୍କୁ ଦେଖୁ ଦେଖୁ ମନେ କଲେ, ଏହି ଯତି ନିଜର ପରିବାର ସହିତ ରହୁଥିଲେ, ନିଶ୍ଚୟ ଜଣେ ରାଜ ଚକ୍ରବର୍ତ୍ତୀ ହୋଇଥାଆନ୍ତେ ।
ଧର୍ମରାଜ ବିରାଟଙ୍କୁ କହିଲେ, “ରାଜନ୍, ମୁଁ ମୋର ସକଳ ସାଧନ ହରେଇ ବସିଛି । ଆପଣଙ୍କ ରାଜସଭାରେ କିଛିଦିନ ଅବସ୍ଥାପିତ ହେବା ପାଇଁ ଇଚ୍ଛା କରୁଛି । ମୋର ନାମ କଙ୍କ, ଗୋତ୍ର ବୈୟାଧୃପଦ । ମୁଁ ଏହା ପୂର୍ବରୁ ଧର୍ମରାଜଙ୍କର ଜଣେ ବିଶ୍ୱସ୍ତ ବ୍ୟକ୍ତି ଭାବେ, ତାଙ୍କ ନିକଟରେ ରହୁଥିଲି । ମୁଁ କେବେ ପଶାରେ ହାରିଗଲେ, ଧର୍ମରାଜ ମୋ ଠାରୁ କେବେ ହେଲେ ବି ଧନ ଗ୍ରହଣ କରନ୍ତି ନାହିଁ । ମୁଁ ଆଶା କରୁଛି ଆପଣ ମଧ୍ୟ ମୋ ସହିତ ଠିକ୍ ସେହିପରିହିଁ ବ୍ୟବହାର କରିବେ ।”
ଯତି କଥା ଶୁଣି ବିରାଟ ନିର୍ଭରଯୋଗ୍ୟ ପ୍ରତିଶୃତି ଦେଇ କହିଲେ, “ମୋ ପରିବାରର କେହି ହେଲେ ମଧ୍ୟ, ତୁମର ଅନିଷ୍ଟ କରିବାକୁ ଚାହିଁଲେ, ମୁଁ ତା’ର ଉପଯୁକ୍ତ ଦଣ୍ଡ ବିଧାନ କରିବି । ତୁମର ଧନ-ଧାନ୍ୟ ଆବଶ୍ୟକ ଥିଲେ ନିଃସଙ୍କୋଚରେ ତାହା ପ୍ରକାଶ କର । ମୁଁ ତାହା ତୁମକୁ ଅବଶ୍ୟ ପ୍ରଦାନ କରିବି । ମୋ ସହିତ ଅନ୍ୟମାନେ ଯେପରି ଆଚରଣ କରନ୍ତି, ତୁମ ସହିତ ମଧ୍ୟ ଠିକ୍ ସେହିପରି ବ୍ୟବହାର ସମସ୍ତେ କରିବେ ।”
କିଛି ସମୟ ପରେ କୃଷ୍ଣ ବର୍ଣ୍ଣର ବସ୍ତ୍ର ପରିଧାନ କରି ଭୀମ ସେଠାରେ ଆସି ଉପସ୍ଥିତ ହେଲେ । ତାଙ୍କର ଗୋଟିଏ ହସ୍ତରେ ଏକ କରଚୁଲୀ ଥାଏ ଓ ଅନ୍ୟ ହସ୍ତରେ ତରବାରୀ ଥାଏ । ସେ ରାଜା ବିରାଟଙ୍କୁ ପ୍ରଣାମ କରି କହିଲେ, “ରାଜନ୍, ମୋର ନାମ ବଲ୍ଲଭ । ମୋତେ ଆପଣ ନିଯୁକ୍ତି ଦେଲେ, ମୁଁ ବହୁ ପ୍ରକାରର ରୁଚିକର ଖାଦ୍ୟ ରନ୍ଧନ କରି ଆପଣଙ୍କୁ ସନ୍ତୁଷ୍ଟ କରିବି ।”