ବିରାଟ ସନ୍ଦେହ ପ୍ରକାଶ କରି କହିଲେ “ତୁମକୁ ଦେଖି ମୋର କାହିଁ ବିଶ୍ୱାସ ହେଉନାହିଁ ଯେ, ତୁମେ ଜଣେ ରନ୍ଧନକାର ହୋଇଥିବ ବୋଲି ।”
ତହୁଁ ଭୀମ କହିଲେ “ମୁଁ ଏହି ବିଦ୍ୟାରେ କେତେ ନିପୁଣ, ତାହା ତ ଧର୍ମରାଜ ଜାଣିଛନ୍ତି । ବଳରେ ମଧ୍ୟ ମୋର ସମକକ୍ଷ ଆଉ କେହି ବି ନାହାଁନ୍ତି । ଆପଣ ମନୋରଞ୍ଜନ ପାଇଁ, ହାତୀ, ସିଂହ ଯେ କୌଣସି ଜନ୍ତୁ ସହିତ ମୋତେ ଲଢେଇ କରିବା ପାଇଁ ଆଦେଶ ଦେଲେ, ତାହା କରି ମୁଁ ମୋର ବଳଶାଳୀତାର ପ୍ରମାଣ ଦେଇ ପାରିବି ।”
“ଠିକ୍ ଅଛି, ତୁମେ ଆମ ରନ୍ଧନଶାଳାର ମୁଖ୍ୟ ରନ୍ଧନକାର ରୂପେ କାମ କର ।” ଏପରି କହି ବିରାଟ ଭୀମଙ୍କୁ ରନ୍ଧନଶାଳାକୁ ପଠାଇଦେଲେ ।
ଦ୍ରୌପଦୀ ପୁରୁଣା ବସ୍ତ୍ର ପରିଧାନ କରି, କେଶକୁ ଉନ୍ମୁକ୍ତ ରଖି ସୈରିନ୍ଧ୍ରୀ ବେଶରେ ନଗରର ଗଳି ମାନଙ୍କରେ ଘୁରି ବୁଲିଲେ । ତାଙ୍କୁ ଦେଖି ନଗରବାସୀ ପ୍ରଶ୍ନ କଲେ, “ଦେବୀ, ତୁମେ କିଏ? ଏଠି ତୁମର କାମ କ’ଣ?”
ଏକଥା ଶୁଣି ଦ୍ରୌପଦୀ ସେମାନଙ୍କୁ କହିଲେ, “ମୁଁ ସୈରିନ୍ଧ୍ରୀ ଅଟେ । ମୋର ଭରଣ ପୋଷଣର ଦାୟିତ୍ୱ ଯିଏ ବହନ କରିବା ପାଇଁ ପ୍ରସ୍ତୁତ ହେବେ, ମୁଁ ତାଙ୍କର ସେବା କରିବି ।”
ରାଜଭବନର ଉପର ମହଲାରେ ବିଚରଣ କରୁଥିବା ରାଣୀ ସୁଦେଷ୍ଣା ଦ୍ରୌପଦୀଙ୍କୁ ଦେଖି ତାଙ୍କପ୍ରତି ଆକର୍ଷିତ ହେଲେ । ତେଣୁ ସେ ତାଙ୍କୁ ନିଜ ନିକଟକୁ ଡକାଇ ପଚାରିଲେ, “ତୁମର ପରିଚୟ? ଆଉ ତୁମେ ଏଠାରେ କ’ଣ କରୁଛ?”
ଦ୍ରୌପଦୀ ନିଜର ପରିଚୟ ଦେବାକୁ ଯାଇ ବିନୟତାର ସହ କହିଲେ “ଦେବୀ, ମୁଁ ଜଣେ ସୈରିନ୍ଧ୍ରୀ, କେଶ-ବିନ୍ୟାସ କଳାରେ ମୁଁ ନିପୁଣା । କେଶରେ ପୁଷ୍ପ ସଜାଇବା ଓ ପୁଷ୍ପମାଳା ପ୍ରସ୍ତୁତ କରିବାରେ ମୋ ସମତୁଲ ଆଉ କେହିବି ନାହାଁନ୍ତି । କୃଷ୍ଣ-ପତ୍ନୀ ସତ୍ୟଭାମା ଓ ପାଣ୍ଡବ-ଘରଣୀ ଦ୍ରୌପଦୀ ମୋର ଏହି ବିଦ୍ୟାର ଖୁବ୍ ପ୍ରଶଂସା କରନ୍ତି । ଦ୍ରୌପଦୀ ମୋତେ ଶ୍ରଦ୍ଧାରେ ମାଳିନୀ ବୋଲି ଡାକୁଥିଲେ ।”
“ତୁମର ଅସାଧାରଣ ରୂପଶୋଭା, ପୁରୁଷ କ’ଣ, ସ୍ତ୍ରୀ ମାନଙ୍କୁ ମଧ୍ୟ ଆକର୍ଷିତ କରୁଛି । ମୋର ଆଶଙ୍କା ହେଉଛି, ଯେବେ ମହାରାଜ ଥରଟିଏ ତୁମକୁ ଦେଖିବେ, ତେବେ ମୋତେ ଆଉ ସେ କେବେବି ଆଡଆଖିରେ ମଧ୍ୟ ଚାହିଁବେ ନାହିଁ । ଯଦି ମୁଁ ତୁମକୁ ଅନ୍ତଃପୁରରେ ରଖିବି, ତେବେ ସେ ଆଉ ତୁମର ଦାସ ହୋଇଯିବେ ନାହିଁ ତ?” ରାଣୀ ସୁଦେଷ୍ଣା ନିଜ ମନରେ ଭୟ ପ୍ରକାଶ କରି ଏଭଳି କହିଲେ ।
ଦ୍ରୌପଦୀ ନିଜର ଦମ୍ଭୋକ୍ତି ସହ କହିଲେ “ମହାରାଣୀ, ବିରାଟ ରାଜା ବା ଅନ୍ୟ କେହି ମୋର ଆଦୌ କିଛି ବି କ୍ଷତି କରିପାରିବେ ନାହିଁ । କାହିଁକିନା ପାଂଚଜଣ ମହାବଳଶାଳୀ ଗନ୍ଧର୍ବ ହେଉଛନ୍ତି ମୋର ପତି । ସେମାନଙ୍କର ଦୃଷ୍ଟି ସଦା ସର୍ବଦା ମୋ ଉପରେ ହିଁ କେନ୍ଦ୍ରିତ ହୋଇଥାଏ । କାହାର ଉଚ୍ଛିଷ୍ଟ ଭକ୍ଷଣ କରିବା, କିମ୍ବା ପାଦଧୌତ କରିବା କାର୍ଯ୍ୟକୁ ବାଦ୍ ଦେଇ, ଅନ୍ୟ ଯେ କୌଣସି କାମକୁ ମୁଁ ନିଷ୍ଠାର ସହିତ କରିପାରିବି । ମୋତେ ଏକ ସାଧାରଣ ସ୍ତ୍ରୀ ମନେ କରି, ମୋ ସାଥିରେ କେହି ର୍ଦୁବ୍ୟବହାର କରିବା ପାଇଁ ଚାହିଁଲେ, କେହି ଜାଣିବା ପୂର୍ବରୁ ମୋର ପତିମାନେ ସେହି ଦୁର୍ବୃତକୁ ସେହିଦିନ ରାତ୍ରୀରେ ହିଁ ଶେଷ କରିଦେବେ ।”
ତାଙ୍କର ଏହି ଆଶ୍ୱାସନାରେ ସନ୍ତୁଷ୍ଟ ହୋଇ ରାଣୀ ସୁଦେଷ୍ଣା ଦ୍ରୌପଦୀଙ୍କୁ ନିଜ ଅନ୍ତଃପୁରରେ ସ୍ଥାନ ଦେଲେ । ଏହାପରେ ନପୁଂସକ ବେଶରେ ଅର୍ଜ୍ଜୁନ ବିରାଟଙ୍କ ପାଖରେ ଆସି ପହଁଚିଲେ । ସେତେବେଳେ ତାଙ୍କର ପରିଧାନ ଗାଢ ଲୋହିତ ବର୍ଣ୍ଣର ବସ୍ତ୍ର ଥାଏ । ସେ ପୂର୍ଣ୍ଣ ରାଜସଭାରେ ବିରାଟଙ୍କୁ ସମ୍ଭାଷଣ ଜଣାଇ କହିଲେ, “ରାଜନ୍, ମୋର ନାମ ବୃହନ୍ନଳା । ନାଟ୍ୟକଳାରେ ମୁଁ ଅସାମାନ୍ୟ ଦକ୍ଷତାଧାରୀ । ଠିକ୍ ସେହିପରି କେଶ ସଜ୍ଜା ଓ ଫୁଲ ସଜ୍ଜାରେ ମଧ୍ୟ ମୋର କୌଣସି ତୁଳନା ନାହିଁ ।”
ଏଭଳି କଥା ଶୁଣି ବିରାଟ ତାଙ୍କ କଥାରେ ବିଶ୍ୱାସ କଲେ ନାହିଁ । ସେ କହିଲେ, “ତୁମର ଏହି ପ୍ରଲମ୍ବିତ ବାହୁ, ସୁଗଠିତ ଅଙ୍ଗସୌଷ୍ଠବ ଦେଖି ମୋର ତ କାହିଁ ପ୍ରତ୍ୟୟ ହେଉଛି ଯେ, ତୁମେ ଜଣେ ଧନୁର୍ଧାରୀ ।”
“ନା’ ମହାରାଜ, ମୁଁ ଧନୁର୍ବାଣ କହିଲେ କ’ଣ ବୁଝାଏ ତାହା ମଧ୍ୟ ଜାଣେ ନାହିଁ । ହଁ, ସଂଗୀତ ବିଦ୍ୟା, ବୀଣା, ମୃଦଙ୍ଗ ବାଦନ, ନୃତ୍ୟ ଏସବୁ, ତ ମୋତେ ଖୁବ୍ ଭଲ ରୂପେ ଜଣା ।”
ବିରାଟ ତାଙ୍କ ପୁତ୍ରୀ ଉତରାକୁ ଡକାଇ କହିଲେ, “ପୁତ୍ରୀ, ଏହି ବ୍ୟକ୍ତିଙ୍କର ନାମ ବୃହନ୍ନଳା! ତୁମେ ତାଙ୍କଠାରୁ ନୃତ୍ୟବିଦ୍ୟା ଶିକ୍ଷା କରିପାର ।” ଏହାପରେ ଅର୍ଜ୍ଜୁନ ଉତରାଙ୍କ ସହିତ ତାଙ୍କ ଅନ୍ତଃପୁରକୁ ଚାଲିଗଲେ ।
କିଛି ସମୟ ପରେ ବିରାଟ ତାଙ୍କ ଅଶ୍ୱ ପର୍ଯ୍ୟବେକ୍ଷଣ ପାଇଁ ଅଶ୍ୱଶାଳାକୁ ଗଲେ । ସେଠାରେ ନକୁଳ ଅଶ୍ୱମାନଙ୍କୁ ତନ୍ନତନ୍ନ କରି ଦେଖୁଥିଲେ । ଏହା ଦେଖି ସେ ନିଜର ସେବକମାନଙ୍କୁ କହିଲେ, “ମନେ ହେଉଛି, ଏହି ଯୁବକର ଅଶ୍ୱମାନଙ୍କ ଉପରେ ଗଭୀର ଜ୍ଞାନ ଅଛି, ଏହାଙ୍କୁ ତୁରନ୍ତ ସଭାସ୍ଥଳକୁ ପ୍ରେରଣ କର ।”
ନକୁଳ ରାଜସଭାରେ ବିରାଟଙ୍କୁ ସାକ୍ଷାତ କରି କହିଲେ, “ମହାରାଜ, ଜୀବିକା ଉଦ୍ଧେଶ୍ୟରେ ମୁଁ ଆପଣଙ୍କ ଦେଶକୁ ଆସିଛି । ମୋତେ ଆପଣଙ୍କ ଅଶ୍ୱଶାଳାର ଅଶ୍ୱପତି ପଦରେ ନିଯୁକ୍ତ କରନ୍ତୁ । ପୋଷା ମାନୁ ନ ଥିବା ଅଶ୍ୱକୁ ବାଗକୁ ଆଣିବା, ଅସୁସ୍ଥ ଅଶ୍ୱର ଚିକିତ୍ସା କରିବା, ଏସବୁ ମୋର ବାମହାତର ଖେଳ । ଏହା ପୂର୍ବରୁ ମୁଁ ଧର୍ମରାଜଙ୍କ ଅଶ୍ୱଶାଳାର ଦେଖାଶୁଣା କରୁଥିଲି । ମୋର ନାମ ଦାମଗ୍ରନ୍ଧି ।”
ବିରାଟ ତାଙ୍କ କଥାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଅଶ୍ୱ ଓ ରଥର ଅଧିପତି ପଦରେ ନିଯୁକ୍ତି ଦେଲେ ।
ଏହାର ଆଉ କିଛି ସମୟ ପରେ ସହଦେବ ରାଜସଭାରେ ଆସି ପହଁଚିଲେ । ତାଙ୍କ ବେଶଭୂଷାରୁ ସେ ଜଣେ ଗୋରକ୍ଷକ ବୋଲି ମନେ ହେଉଥାଆନ୍ତି । ତାଙ୍କ ଗଳାରେ ବନମାଳା ଥାଏ । ସେ ତାଙ୍କ ହାତରେ ରସି ଓ ଏକ ଲମ୍ବା ବଂଶୀ ଧରି ରାଜସଭାରେ ପ୍ରବେଶ କରି ମହାରାଜଙ୍କୁ କହିଲେ, “ମହାରାଜ, ମୁଁ ଆପଣଙ୍କର ଗୋଶାଳାକୁ ରୋଗ ଓ ଚୋର ଦାଉରୁ ରକ୍ଷା କରିପାରିବି । ଗାଈମାନେ ଯେପରି ଅଧିକ ଦୁଗ୍ଧ ଦେବେ, ମୁଁ ତା’ର ସମସ୍ତ ପ୍ରକାର ପ୍ରଯତ୍ନ କରିବି । ମୋର ନାମ ବୈଶ୍ୟ ଅରିଷ୍ଟନେମି । ଧର୍ମରାଜଙ୍କର ଏକ କୋଟି ଗାଈ ମୋର ତତ୍ତ୍ୱାବଧାନରେ ଥିଲେ । ଏହି କାରଣରୁ କେହି କେହି ମୋତେ ତନ୍ତୀପାଳ ନାମରେ ମଧ୍ୟ ସମ୍ବୋଧନ କରନ୍ତି ।”
ବିରାଟ ତାଙ୍କ କଥାରେ ବିଶ୍ୱାସ କଲେ ଓ ତାଙ୍କୁ ନିଜ ଗୋଶାଳାର ଦାୟିତ୍ୱ ଦେଇ ଗୋପାଳକ ପଦବୀରେ ନିଯୁକ୍ତ କଲେ ।
ଏହିପରି ଭାବେ ସେ ପାଂଚ ପାଣ୍ଡବ ବିରାଟଙ୍କ ରାଜଦରବାରରେ ନିଯୁକ୍ତି ଯୋଗାଡ କରି, ଅଜ୍ଞାତବାସର ଶୁଭାରମ୍ଭ କଲେ ।