ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

                ବିଦୂରଙ୍କଠାରୁ କୁମ୍ଭୀରବଧ ବୃତ୍ତାନ୍ତ ଶ୍ରବଣକରି ଧୃତରାଷ୍ଟ୍ର ଦୀର୍ଘଶ୍ୱାସ ତ୍ୟାଗ କଲେ । ତତ୍ପରେ ମସ୍ତକ ଅବନତ କରି ସେ ଗଭୀର ଚିନ୍ତାଗ୍ରସ୍ତ ହୋଇ ପଡିଲେ ।

                କପଟପଶାରେ ପରାଜୟ ହେତୁ ପାଣ୍ଡବଗଣ ବନବାସୀ ହୋଇଛନ୍ତି । ଏହି ସମ୍ବାଦ ଯାଦବ ଓ ପାଂଚାଳଙ୍କ ନିକଟରେ ଯାଇ ପହଁଚିଗଲା । ଶ୍ରୀକୃଷ୍ଣଙ୍କ ସମେତ ସେମାନେ ପାଣ୍ଡବଙ୍କୁ ଭେଟିବା ପାଇଁ ବାହାରିଲେ । ଅଶ୍ରୁଛଳଛଳ ନୟନରେ କ୍ରୋଧ ପରବଶ ହୋଇ ଶ୍ରୀକୃଷ୍ଣ କହିଲେ, “ଏପରି ଧର୍ମହୀନ ମାନଙ୍କୁ ବଧ କରିବାହିଁ ଉତ୍ତମଧର୍ମ । ପାପୀ ଦୁର୍ଯ୍ୟୋଧନ, ଦୁଃଶାସନ, ଶକୁନି, କର୍ଣ୍ଣ ଆଦି ସମସ୍ତଙ୍କର ରକ୍ତରେ ଏ ଧରା ଦିନେ ନା ଦିନେ ନିଶ୍ଚୟ ପ୍ଳାବିତ ହେବ । ଏହି ପାପୀ ମାନଙ୍କର ସମୂଳ ବିନାଶରେ ହିଁ ଧର୍ମରାଜଙ୍କ ରାଜ୍ୟାଭିଷେକ ଅନୁଷ୍ଠିତ ହେବ ।”

                ଧୃଷ୍ଟଦ୍ୟୁମ୍ନ ଓ ଅନ୍ୟାନ୍ୟ ପାଂଚାଳଙ୍କ ଦ୍ୱାରା ପରିବେଷ୍ଟିତା ହୋଇ ଦ୍ରୌପଦୀ ଶ୍ରୀକୃଷ୍ଣଙ୍କ ସମ୍ମୁଖକୁ ଆସିଲେ । କୌରବ ମାନଙ୍କର ତାଙ୍କ ପ୍ରତି ଏଭଳି ଅପମାନ, ଅନ୍ୟର ଆଚରଣ ବର୍ଣ୍ଣନା କରୁକରୁ, ସେ ଉଚ୍ଚସ୍ୱରରେ ଆକୁଳ ପ୍ରାର୍ଥନା କରୁଥାନ୍ତି । ଶ୍ରୀକୃଷ୍ଣ ତାଙ୍କୁ ସାନ୍ତ୍ୱନା ପ୍ରଦାନ କରି କହିଲେ, “ଦ୍ରୌପଦୀ ତୁମର ଅପମାନକାରୀ ଏହି ଅଧମ ମାନଙ୍କର ଦିନେ ନା ଦିନେ ତ ଅବଶ୍ୟ ବିନାଶ ହେବ । ତାଙ୍କର ପତ୍ନୀମାନେ ଶୋକ ସାଗରରେ ନିମଜ୍ଜିତ ରହି ତୁମଠାରୁ ମଧ୍ୟ ସେମାନେ ଅଧିକ ଦୁଃଖରେ କାଳାତିପାତ କରିବେ । ଭବିଷ୍ୟତରେ କେବଳ ତୁମେହିଁ ମହାରାଣୀ ହେବ ଓ ପାଣ୍ଡବ ମାନେ ହେବେ ରାଜାଧିରାଜ ।”

                ଅର୍ଜ୍ଜୁନ, ଧୃଷ୍ଟଦ୍ୟୁମ୍ନଙ୍କ ସମେତ ଅନ୍ୟ ମାନେ ଦ୍ରୌପଦୀଙ୍କୁ ସାନ୍ତ୍ୱନା ପ୍ରଦାନ କଲେ । କୃଷ୍ଣ ଧର୍ମରାଜଙ୍କୁ କହିଲେ, “ମୁଁ ଯଦି ସେହି ସମୟରେ ଦ୍ୱାରକାରେ ଉପସ୍ଥିତ ଥାନ୍ତି, ତେବେ ବିନା ଆମନ୍ତ୍ରଣରେ ମଧ୍ୟ ସେହି କପଟ ଦ୍ୟୁତକ୍ରୀଡା ଦେଖିବା ପାଇଁ ମୁଁ ନିଶ୍ଚୟ ହସ୍ତିନା ଯାଇଥାନ୍ତି । ତଥା ତୁମମାନଙ୍କର ସହାୟତା ବି କରିଥାନ୍ତି । ଅବଶ୍ୟ ମୋର ଉପସ୍ଥିତି ଏପରି ଏକ ଦ୍ୟୁତକ୍ରୀଡାକୁ ଅନୁଷ୍ଠିତ ହେବାକୁହିଁ କେବେବି ସୁଯୋଗ ଦେଇ ନଥାନ୍ତା । ଦୁର୍ଯ୍ୟୋଧନ ମୋର ଆଦେଶ ମାନିନଥିଲେ, ମୁଁ ତାକୁ ଉତ୍ତମ ଶିକ୍ଷା ପ୍ରଦାନ କରି ଥାନ୍ତି । ଦ୍ୱାରକାରୁ ପ୍ରସ୍ଥାନ ପରେ ପଶୁଧାନ ମୋତେ ଏ ସମସ୍ତ ବିଷୟ ଅବଗତ କରାଇଲେ । ତତ୍କ୍ଷଣାତ୍, ମୁଁ ଆପଣମାନଙ୍କୁ ସାକ୍ଷାତ୍ କରିବାପାଇଁ ଆସିଛି ।”

                ଏହା ଶୁଣି ଧର୍ମରାଜ ପଚାରିଲେ, “ତୁମର ସେହି ସମୟରେ ଦ୍ୱାରକାରେ ଅନୁପସ୍ଥିତିର କାରଣ କ’ଣ?”

                କୃଷ୍ଣ କହିଲେ “ରାଜସୂୟ ଯଜ୍ଞକାଳରେ ମୁଁ ତ ଶିଶୁପାଳ ବଧ କରିଥିଲି । ଏହାଦ୍ୱାରା ତା’ର ଭାଇ ସାଲ୍ୱ ପ୍ରତିଶୋଧ ପରାୟଣ ହୋଇ ଉଠିଲା । ସୌଭନଗର, ଉପରେ ଆକ୍ରମଣ ଓ ଯୁଦ୍ଧ ଉଦ୍ଧେଶ୍ୟରେ ମୁଁ ସେଠାକୁ ଯାତ୍ରା କରିଥିଲି ।

ଏହାପରେ କୃଷ୍ଣ ତତ୍ସମ୍ବଳିତ ଘଟଣାବଳୀ ବର୍ଣ୍ଣନା କଲେ ।

ରାଜସୂୟ ଯଜ୍ଞ କାଳରେ ଚକ୍ରାୟୁଧରେ ଶ୍ରୀକୃଷ୍ଣ ଶିଶୁପାଳକୁ ବଧ କଲେ । ସାଲ୍ୱ ଏହା ଜାଣି ପ୍ରତିଶୋଧ ମନୋଭାବ ପୋଷଣକରି ସୌଭନାମକ ବିମାନ ଆହୋରଣ କରି ଦ୍ୱାରକା ଆକ୍ରମଣ କଲେ । କୃଷ୍ଣ ସେ ସମୟରେ ଇନ୍ଦ୍ରପ୍ରସ୍ଥରେ ରହୁ ଥିଲେ । ଏଣୁ ଉଗ୍ରସେନ ସାଲ୍ୱଙ୍କ କବଳରୁ ସ୍ୱନଗରକୁ ରକ୍ଷା କରିବା ପାଇଁ ପ୍ରତି ଯୁଦ୍ଧର ଆୟୋଜନ କଲେ । ଦୁର୍ଗରକ୍ଷା ପାଇଁ ଶୂରମାନଙ୍କୁ ସେ ନିଯୁକ୍ତି ଦେଲେ । ଗଦ, ସାମ୍ବ ଆଦି ମହାବୀରଙ୍କୁ ସେ ଯୁଦ୍ଧକ୍ଷେତ୍ରକୁ ପ୍ରେରଣ କଲେ । ଏହି ଯୁଦ୍ଧରେ ପ୍ରଦ୍ୟୁମ୍ନ ଅଦ୍ଭୁତ ପରାକ୍ରମ ସବୁ ପ୍ରକାଶ କରି ସାଲ୍ୱଙ୍କ ସେନାକୁ ଛିନ୍ନଭିନ୍ନ କରିଦେଲେ ।

ଇତିମଧ୍ୟରେ ଶ୍ରୀକୃଷ୍ଣ ଇନ୍ଦ୍ରପ୍ରସ୍ଥରୁ ଦ୍ୱାରକା ଫେରି ଆସିଲେ । ସମସ୍ତ ବୃତ୍ତାନ୍ତ ଅବଗତ ହେବାପରେ ସାଲ୍ୱଙ୍କୁ ବଧକରିବାର ପ୍ରତିଜ୍ଞା ସେ ନେଲେ । ଏହାପରେ ସେ ଦ୍ୱାରକା ପରିତ୍ୟାଗ କରି ସୌଭନଗରୀ ଅଭିମୁଖେ ଯାତ୍ରାକଲେ । ସାଲ୍ୱ ଯେତେବେଳେ ଏହା ଜାଣିବାକୁ ପାଇଲେ, ନିଜର ସୌଭ ନାମକ ବିମାନ ଆରୋହଣ କରି ସେ ସମୁଦ୍ରତଟ ଦିଗକୁ ପଳାୟନ କଲେ । କୃଷ୍ଣ ତାଙ୍କର ପଶ୍ଚାତ୍ଧାବନ କଲେ ।”

ସାଲ୍ୱ ତାଙ୍କ ବିମାନଟିକୁ ସମୁଦ୍ର ଉପର ପାର୍ଶ୍ୱ ଆକାଶରେ ଶୂନ୍ୟରେ ଦଣ୍ଡାୟମାନ କରି ହସିହସି କୃଷ୍ଣଙ୍କୁ ଯୁଦ୍ଧ କରିବାକୁ ଆହ୍ୱାନ କଲେ ।

କୃଷ୍ଣ ଅଗଣିତ ଶର ନିକ୍ଷେପ କରୁଥାନ୍ତି । କିନ୍ତୁ ତାଙ୍କର ଗୋଟିଏ ହେଲେବି ଶର ସାଲ୍ୱଙ୍କୁ ଆଦୌ ସ୍ପର୍ଶ କରିପାରୁ ନଥାଏ । ଅପରପକ୍ଷରେ ସାଲ୍ୱଙ୍କ ଶର କୃଷ୍ଣଙ୍କ ଉପରେ ବାରିଧାରା ପରି ଅଜାଡି ହୋଇ ପଡୁଥାଏ । ଏହାଦେଖି ବିମାନସ୍ଥ ସାଲ୍ୱଙ୍କ ଅନୁଚରଗଣ ଉତଫୁଲ୍ଲିତ ହୋଇ କରତାଳି ମାରୁଥାନ୍ତି । ଏହି ତାଳିର ଧ୍ୱନିକୁ ଅନୁସରଣ କରି କୃଷ୍ଣ ତାଙ୍କ ଶର ନିକ୍ଷେପ କରି କିଛିଲୋକଙ୍କୁ ବଧ କରିବାରେ ସଫଳ ହେଲେ । କିନ୍ତୁ ଏହି ମାୟାଯୁଦ୍ଧରେ, ସୌଭ ବିମାନ ସହାୟତାରେ ସାଲ୍ୱ ବିଜୟୀ ହେଉଥାନ୍ତି । ଏପରିକି କୃଷ୍ଣଙ୍କ ସାରଥୀ ଦାରୁକ ମଧ୍ୟ ଅନୁଭବ କଲେ, ହୁଏତ କୃଷ୍ଣଙ୍କର ପରାଜୟ ନିଶ୍ଚୟ ଘଟିପାରେ ।

ଏପରି ସଙ୍କଟ ସମୟରେ କୃତବର୍ମାଙ୍କ ପ୍ରେରିତ ଦୂତ ସେଠାରେ ଆସି ପହଁଚିଲା । ତା’ର ସମାଚାର ଅତ୍ୟନ୍ତ ଦୁଃଖଦ ଥିଲା । ତାହା ଥିଲା – ସାଲ୍ୱ ଅପ୍ରକାଶ୍ୟ ଭାବେ ଦ୍ୱାରକାରେ ପ୍ରବେଶ କରି କୃଷ୍ଣଙ୍କ ପିତା ତଥା ବସୁଦେବଙ୍କୁ ହତ୍ୟା କରିଛି । ଏହି ସମାଚାର ବିଶ୍ୱାସ ଯୋଗ୍ୟ କି ନୁହେଁ ଏପରି ଦ୍ୱିଧାଗ୍ରସ୍ତ ଅବସ୍ଥାରେ କୃଷ୍ଣ ଚିନ୍ତା କରୁଛନ୍ତି ତ ହଠାତ୍ ସେ ଦେଖିଲେ ବସୁଦେବଙ୍କ ଶବ ଆକାଶରୁ ନିମ୍ନକୁ ନିଃପିତିତ ହେଉଛି । ଏସବୁ ଘଟଣା ଦେଖି ଅତ୍ୟନ୍ତ ନିରାଶ ହୋଇ କୃଷ୍ଣ ତାଙ୍କ ରଥର ଗୋଟିଏ ପାଶ୍ୱର୍ରେ ବସିପଡିଲେ । ତାଙ୍କର ହାତରୁ ଧନୁ ତଳେ ଖସିପଡିଲା । ଏଣେ କୃଷ୍ଣଙ୍କ ସେନାଙ୍କ ମଧ୍ୟରେ ହାହାକାର ବ୍ୟାପିଗଲା ।

ମାତ୍ର ସାଲ୍ୱଙ୍କର ଏହି ଚତୁରତାର ସ୍ୱଳ୍ପ ମାତ୍ର ସମୟ ବ୍ୟବଧାନରେ, ସାଲ୍ୱ ବିରଚିତ ମାୟାଯୁଦ୍ଧର ଅବସାନ ପାଇଁ, କୃଷ୍ଣ ତାଙ୍କର ଚକ୍ରାୟୁଧ ପ୍ରୟୋଗ କଲେ । ତାହା ସାଲ୍ୱ ବିମାନ ଓ ତନ୍ମଧ୍ୟସ୍ଥ ସମସ୍ତ ଅନୁଚରଙ୍କୁ ଅବିଳମ୍ବେ ନାଶକଲା । ଏହି ବିଜୟ ପରେ ଦ୍ୱାରକା ପ୍ରସ୍ଥାନ କରନ୍ତେ, ପାଣ୍ଡବ ମାନଙ୍କର ବନବାସ ଘଟଣା ବିଷୟରେ ସେ ଜାଣିବାକୁ ପାଇଲେ । ତତ୍କ୍ଷଣାତ୍ ସେମାନଙ୍କୁ ଭେଟିବା ପାଇଁ ସେ କାମ୍ୟକବନରେ ଯାଇ ପହଁଚିଲେ ।

ଯାଦବ, ପାଂଚାଳ, ସମସ୍ତେ ପାଣ୍ଡବଙ୍କୁ ଭେଟି ନିଜନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ