ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

ବନବାସ ସମୟରେ ପାଣ୍ଡବମାନେ ଆଗାମୀ ଯୁଦ୍ଧର ପରିକଳ୍ପନା କରୁଥାନ୍ତି । ଦିନେ ଧର୍ମରାଜ ଅର୍ଜ୍ଜୁନଙ୍କୁ କହିଲେ, “ବହୁଦିନ ପୂର୍ବେ, ବୃତାସୁରର ଅତ୍ୟାଚାରରେ ଭୟଭୀତ ହୋଇ ସକଳ ଦେବତାଗଣ ସେମାନଙ୍କର ଅସ୍ତ୍ରଶସ୍ତ୍ର ସୁରକ୍ଷିତ ରହିବା ପାଇଁ ଇନ୍ଦ୍ରଙ୍କ ନିକଟରେ ରଖିଥିଲେ । ବ୍ୟାସମୁନିଙ୍କଠାରୁ ମୁଁ ପ୍ରତିସୁତି ନାମକ ଏକ ବିଦ୍ୟା ଶିକ୍ଷାଲାଭ କରିଛି । ଏହି ବିଦ୍ୟାରେ ତୁମେ ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରାଅ ଓ ସେହି ଅସ୍ତ୍ରଶସ୍ତ୍ର ଗୁଡିକ ଆପଣାର କରିନିଅ । ଆଗାମୀ ଯୁଦ୍ଧରେ ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଆଦି ମହାବୀର କୌରବଙ୍କ ପକ୍ଷରେ ରହି ଲଢିବେ । ଏହି ବୀର ମାନଙ୍କର ଆମେ କିପରି ସମ୍ମୁଖୀନ ହେବା ଏହି ବିଷୟରେ ମୁଁ ଚିନ୍ତାରେ ମଗ୍ନଥିବା ସମୟରେ ଅକସ୍ମାତ୍ ମହାମୁନି ବ୍ୟାସ ଆର୍ବିଭୂତ ହେଲେ । ସେ ମତେ ଏହି ପ୍ରତିସୁତି ନାମକ ବିଦ୍ୟା ଶିକ୍ଷାଦାନ କରି ଇଚ୍ଛାପ୍ରକଟ କଲେ, ମୁଁ ଯେପରି ତୁମକୁ ଏହା ପ୍ରଦାନ କରିବି । ତୁମେ ମୋଠାରୁ ଏହା ଗ୍ରହଣ କର ଏବଂ ଆଜି ହିଁ ଯଥାଶୀଘ୍ର ତୁମେ ଉତ୍ତରଦିଗ ଅଭିମୁଖେ ଯାତ୍ରା କର ।”

ଅର୍ଜ୍ଜୁନ, ଧର୍ମରାଜଙ୍କ ଠାରୁ ପ୍ରତିସୁତି ବିଦ୍ୟାଗ୍ରହଣ କରି ଅଗ୍ନିଙ୍କର ଆରାଧନା ଓ ପ୍ରଦକ୍ଷିଣ କଲେ । କବଚ, ଗାଣ୍ଡିବ, ତୁଣୀର ଧାରଣ କରି, ଧୌମ୍ୟ ଧର୍ମରାଜଙ୍କୁ ପ୍ରଣାମ କଲେ ।

ବିଦାୟ ସମୟରେ, ଦ୍ରୌପଦୀ ଅର୍ଜ୍ଜୁନଙ୍କସହ ଅନତି ଦୂରକୁ ଆସି କହିଲେ, “ପ୍ରିୟେ ତୁମର ଅଭିଯାନ ସଫଳ ହେଉ । ତୁମର ଅନୁପସ୍ଥିତି ଜନିତ ଦୁଃଖ ମୁଁ ତ ନିବିଡ ଭାବେ ଅନୁଭବ କରିବି । ଆମ୍ଭମାନଙ୍କର ସମସ୍ତ ଦୁଃଖ, କଷ୍ଟ କେବଳ ତୁମର ସଫଳତା ଉପରେ ହିଁ ଆଧାରିତ । ନିର୍ବିଘ୍ନରେ ଲକ୍ଷ୍ୟ ପ୍ରାପ୍ତ କରି, ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ତୁମର କଲ୍ୟାଣ କାମନା କରି ମୁଁ ଏଠାରେ ପ୍ରତୀକ୍ଷା କରି ଥିବି ।”

ଅର୍ଜ୍ଜୁନ ଅରଣ୍ୟାନୀ ମଧ୍ୟଦେଇ ଅଗ୍ରସର ହେଲେ । ହିମାଳୟ, ଗନ୍ଧମାର୍ଦ୍ଧନ ପର୍ବତ ଅତିକ୍ରମ କରି ପରିଶେଷରେ ସେ ଯାଇ ଇନ୍ଦ୍ର କିଳାଚ୍ରିଠାରେ ପହଁଚିଲେ । ଅର୍ଜ୍ଜୁନ ଦ୍ରୁତଗତିରେ ଯାଉଥାନ୍ତି । ଏହି ସମୟରେ ସେ ଶୁଣିଲେ, “ଠିଆ ହୁଅ ।”

ଚତୁର୍ଦ୍ଦିଗକୁ ଦୃଷ୍ଟି ନିକ୍ଷେପ କରି ଅର୍ଜ୍ଜୁନ ଜାଣିବାକୁ ଚାହିଁଲେ ଏହି ନିର୍ଜନ ପ୍ରଦେଶରେ, ଏପରି ଧ୍ୱନି କେଉଁଠାରୁ ଦୃଷ୍ଟିଗୋଚର ହେଲା । ସେ ଦେଖିଲେ, ଏକ ବୃକ୍ଷମୂଳରେ ଜଣେ ପିଙ୍ଗଳବର୍ଣ୍ଣ ଶରୀରଧାରୀ ତପସ୍ୱୀ ଉପବେଶନ କରିଛନ୍ତି । ତାଙ୍କ ଶରୀର ଜର୍ଜରିତ, ଶିଥିଳ ମାତ୍ର ତାଙ୍କ ମୁଖାରବିନ୍ଦରୁ ବ୍ରହ୍ମତେଜ ବିକିରିତ ହେଉଛି । ଅର୍ଜ୍ଜୁନ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ହେଲେ ।

ତପସ୍ୱୀ ପ୍ରଶ୍ନକଲେ “ପୁତ୍ର, ତୁମର ପରିଚୟ? ଯୁଦ୍ଧରେ ଅଂଶଗ୍ରହଣ କରିବାକୁ ଯାଉଥିବା ଏକ ଯୋଦ୍ଧା ପରି କବଚ, ଆୟୁଧ ପରିହିତ ହୋଇ ଏହି ଅରଣ୍ୟରେ କାହିଁକି ଭ୍ରମଣ କରୁଛ? ଏହି ସ୍ଥାନ ମହାନ୍ ଜିତେନ୍ଦ୍ରିୟ ମୁନି ମାନଙ୍କର ନିବାସ ସ୍ଥଳୀ ।” ତପସ୍ୱୀଙ୍କର ପରାମର୍ଶ ତାଙ୍କ ଉପରେ କୌଣସି ପ୍ରଭାବ ପକାଉନଥାଏ । ଏହା ଦେଖି ତପସ୍ୱୀ କହିଲେ, “ପୁତ୍ର ମୁଁ ତୁମର ଦୃଢ ସଂକଳ୍ପର ପ୍ରଶଂସା କରୁଛି । ମୁଁ ସ୍ୱୟଂ ଇନ୍ଦ୍ର । ଏଥର ତୁମେ ତୁମର ମନସ୍ଥ ଅଭିଳାଷ ପ୍ରକଟ କର ।”

ଅର୍ଜ୍ଜୁନ ଇନ୍ଦ୍ରଙ୍କୁ ପ୍ରଣାମ କରି ବିନୟତାର ସହିତ କହିଲେ, “ଦେବରାଜ ମତେ ଦିବ୍ୟାସ୍ତ୍ର ପ୍ରଦାନ କରନ୍ତୁ ।”

ଏହାଶୁଣି ଇନ୍ଦ୍ର କହିଲେ, “ଉଦ୍ଭ୍ରାନ୍ତ ଯୁବକ, ଏବେ ତୁମର ଅସ୍ତ୍ରର ଆବଶ୍ୟକତା କ’ଣ? ମୁଁ ତୁମକୁ ପୁଣ୍ୟଲୋକ ପ୍ରଦାନ କରିବି । ନିଶ୍ଚିନ୍ତରେ ପ୍ରଶାନ୍ତ ଜୀବନ ଯାପନ କର ।”

ଇନ୍ଦ୍ରଙ୍କ ଏଭଳି କଥା ଶୁଣି ଅର୍ଜ୍ଜୁନ ନିଜ ଅଭିଳାଷ ପ୍ରକାଶ କରିବାକୁ ଯାଇ କହିଲେ “ମୋର ଭ୍ରାତାଗଣ ସେଠି ଅରଣ୍ୟରେ ନାନାଦି ଦୁଃଖ କଷ୍ଟରେ କାଳ ଯାପନ କରିବେ, ଆଉ ମୁଁ ଏଠାରେ ନିଶ୍ଚିନ୍ତ ହୋଇ ରହିବି? ମୁଁ ଜାତିରେ କ୍ଷତ୍ରିୟ । ମୃତ୍ୟୁ ପରେ ମୋର ଯଶ, କୀର୍ତ୍ତି ଶାଶ୍ୱତ ହୋଇ ରହୁ । ଏହା ହିଁ ମୁଁ କାମନା କରେ । ଆତ୍ମସୁଖ ପାଇଁ ମୋର ଏହି ଜୀବନକୁ କଳଙ୍କିତ କରିବାକୁ ମୁଁ ଆଦୌ ଚାହେଁ ନାହିଁ ।”

ଏହି କଥାରେ ଇନ୍ଦ୍ର ଅର୍ଜ୍ଜୁନଙ୍କର ଆଦର୍ଶର ପ୍ରଶସ୍ତିଗାନ କଲେ । ସନ୍ତୋଷ ଭାବ ପ୍ରକାଶ କରି ସେ କହିଲେ, “ପୁତ୍ର ତୁମର ଅଭିଳାଷ ପୂରଣ ହେବା ପାଇଁ ପ୍ରଥମେ ତୁମକୁ ଭଗବାନ ଶଙ୍କରଙ୍କର ଦର୍ଶନ କରିବା ଆବଶ୍ୟକ । ଯାଅ ଆଗେ ତାଙ୍କର ଦର୍ଶନ ପ୍ରାପ୍ତି କର ।” ଏହା କହି ଇନ୍ଦ୍ର ସେଠାରୁ ହଠାତ୍ କୁଆଡେ ଅଦୃଶ୍ୟ ହୋଇ ଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ