ବିଦୁର ସେଠାରୁ ଚାଲିଯିବା ପରେ ଦୁର୍ଯ୍ୟୋଧନ ତାଙ୍କ ପିତାଙ୍କ ନିକଟକୁ ଆସି କହିଲେ, “ବାବା, ଏହି ବିଦୁର ସର୍ବଦା ଆପଣଙ୍କ ପାଖରେ ରହୁଛି ବୋଲି ମୁଁ ମୋର ମନକଥା କେବେ କିଛିବି ଖୋଲିକି କହିପାରୁ ନାହିଁ । ଯେତେବେଳେ ଦେଖିବ, ଏହି ବିଦୁରଟା ଖାଲି ପାଣ୍ଡବମାନଙ୍କର ପ୍ରଶଂସା ଗାଇ ଚାଲିଥିବ । କିନ୍ତୁ ମୁଁ ଚାହେଁ ପାଣ୍ଡବମାନଙ୍କ ପତନ, ସେଥିପାଇଁ ଅନ୍ୟ ଏକ ଉପାୟ ବାହାର କରିବାକୁ ପଡିବ ।”
ଧୃତରାଷ୍ଟ୍ର କହିଲେ, “ସେ ବିଷୟରେ ମୁଁ ମଧ୍ୟ ତୁମ ସହିତ ବରାବର ଏକମତ । ବିଦୁର ଯେତେବେଳେ ବି ସେ ପାଣ୍ଡବମାନଙ୍କର ପ୍ରଶଂସା କରି ଚାଲିଥାଏ, ମୋତେ ବି ତ ସେସବୁ ଶୁଣିବାକୁ ହେଉଛି ନା । ମାତ୍ର କି କଷ୍ଟ । ତେଣୁ ତୁମେ ଓ କର୍ଣ୍ଣ ରାଜ୍ୟ ସଂକ୍ରାନ୍ତରେ ବିଚାର କରି, ଶେଷକୁ କ’ଣ ଠିକ୍ କଲ ସେକଥା ମୋତେ କୁହ ।”
ଦୁର୍ଯ୍ୟୋଧନ କହିଲେ “ଦ୍ରୁପଦଙ୍କ ଜ୍ୱାଇଁ ହେବା ପରେ ପାଣ୍ଡବମାନେ ଅଧିକ ବଳଶାଳୀ ହେଲେ । ସେମାନଙ୍କୁ ପରସ୍ପରଠାରୁ ବିଚ୍ଛିନ୍ନ କରିବାକୁ ହେବ । ଏମିତି କିଛି କରିବାକୁ ହେବ ଯାହାଦ୍ୱାରା କି ସେମାନେ ପରସ୍ପରର ଶତ୍ରୁ ହୋଇଯିବେ । ସେଥିପାଇଁ ଆମେ କୌଣସି ତାନ୍ତ୍ରିକକୁ ଡାକିବା । ତନ୍ତ୍ର ପ୍ରୟୋଗ ଦ୍ୱାରା ଦ୍ରୁପଦଙ୍କୁ ପାଣ୍ଡବମାନଙ୍କର ଶତ୍ରୁ କରିବାକୁ ହେବ । ତାହେଲେ ଯାଇ ଦ୍ରୁପଦ ସେମାନଙ୍କୁ ପାଂଚାଳ ଦେଶରୁ ତଡି ଦେବେ ।”
ଦୁର୍ଯ୍ୟୋଧନଙ୍କ ମନକୁ ଆହୁରି ଏକ ଉପାୟ ଆସିଲା । ଦ୍ରୌପଦୀଙ୍କର ପାଂଚଜଣ ସ୍ୱାମୀ । ଯଦି ସେମାନଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରାଯାଇପାରେ ତ ସବୁଠାରୁ ତାହାହିଁ ଉତ୍ତମ ହେବ । ସେଥିପାଇଁ କପଟୀ ପରିଚାରିକାଙ୍କୁ ନିଯୁକ୍ତ କରିବାକୁ ହେବ, ସିଏ ସ୍ୱାମୀମାନଙ୍କ ମଧ୍ୟରେ ଘୃଣାର ବୀଜ ରୋପଣ କରିପାରିବ, ପୁଣି ଦ୍ରୌପଦୀଙ୍କ ମସ୍ତିଷ୍କ କଳୁଷିତ କରିଦେଇପାରିବ । ଯେବେ ସେମାନେ ହସ୍ତିନାପୁର ଆସିବାକୁ ଚାହିଁବେ । ସେଠାକୁ ଦୂତ ପେଶି କହି ଦିଆଯିବ ଯେ ହସ୍ତିନାପୁରର ଅବସ୍ଥା ବହୁତ ଖରାପ, ତେଣୁ ବରଂ ଏଠାକୁ ନ ଆସିଲେ ଭଲ ।
ତା’ପରେ କର୍ଣ୍ଣ ମଧ୍ୟ ସେଠାକୁ ଆସିଲେ । ଏହାପରେ ସେ ତିନିଜଣ ମିଶି ନାନା ବିଷୟରେ ସବୁ ଆଲୋଚନା କଲେ । ଦୁର୍ଯ୍ୟୋଧନ ଏବେ ତାଙ୍କର ଅନ୍ୟ ଏକ କୁଟିଳ ଯୋଜନା ବିଷୟରେ କହିଲେ, “ପାଣ୍ଡବଙ୍କ ମଧ୍ୟରେ ଭୀମହିଁ ସର୍ବୋକୃଷ୍ଟ ପରାକ୍ରମୀ । ତାକୁ ଆଗେ କୌଣସି ମତେ, କୌଶଳକ୍ରମେ ମାରିଦେବାକୁ ହେବ । କାହିଁକିନା ଭୀମ ଓ ଅର୍ଜୁନ ବାୟୁ ଓ ଅଗ୍ନି ଦେବତାଙ୍କ ପରି ଖୁବ୍ ବଳଶାଳୀ । ସେମାନେ ଏକାଠି ରହିଲେ ମନେ ହୁଏ ଯେପରି ପ୍ରଳୟ ଅନିବାର୍ଯ୍ୟ । ଯଦି ଆମ ଯୋଜନା ଅନୁସାରେ ଭୀମ ମରିଯାଏ ତ ତେବେ ଅର୍ଜୁନ ଏକଲା ଆଉ କିଛି ବି କରିପାରିବ ନାହିଁ । ତାଛଡା ଅର୍ଜୁନ ତ ଆମ କର୍ଣ୍ଣ ତୁଳନାରେ ବହୁ ନିକୃଷ୍ଟ । ଏଣୁ ମୁଁ ନିଃସନ୍ଦେହରେ କହିପାରେ ଯେ ଭୀମ ବିନା ତା’ର ଅନ୍ୟ ଚାରି ଭାଇ ଆମର ଦାସ ବନିଯିବେ । ସେମାନେ ଚିରଦିନ ଆମର ସେବା କରି ଏହିଠାରେହିଁ ରହିବେ ।”