କର୍ଣ୍ଣ ଏକଥା ଶୁଣି କହିଲେ, “ତୁମର ସମସ୍ତ ଯୋଜନା ବ୍ୟର୍ଥ । ସେହି ଯୋଜନା ଦ୍ୱାରା ଆମେ ନିଜର ଲକ୍ଷ କଦାପି ପ୍ରାପ୍ତ କରିପାରିବା ନାହିଁ । ତଦ୍ୱାରା ପାଣ୍ଡବଙ୍କର କିଛି ବି ହାନୀ ହେବ ନାହିଁ । ନିଜର ଏଡେ ବଡ ବୀର ଜାମାତାମାନଙ୍କୁ ଦ୍ରୁପଦ କେବେ ହେଲେ ବି ଛାଡିବେ ନାହିଁ । ତୁମେ କ’ଣ ଭାବୁଛ କୌଣସି ପ୍ରଲୋଭନରେ ପଡି ଦ୍ରୁପଦ ଏପରି କଥା କେବେବି କରିବେ? ତାଛଡା ସେ ତାଙ୍କ ନିଜ କନ୍ୟା ପ୍ରତି କିପରି ଦ୍ରୋହ ଆଚରଣ କରିବେ ବୋଲି ତୁମେ ଭାବୁଛ? ଦ୍ରୌପଦୀ ପାଣ୍ଡବମାନଙ୍କୁ ବିବାହ କଲେ ଯେତେବେଳେ ସେମାନେ ଦରିଦ୍ର ଅବସ୍ଥାରେ ଥିଲେ । କିନ୍ତୁ ଆଜିର ଅବସ୍ଥା ତ ପୁରାପୁରି ଭିନ୍ନ ।
ଏବେ ତ ସେମାନେ ଖୁବ୍ ଭଲ ଅବସ୍ଥାରେ ଅଛନ୍ତି । ସେ ସେମାନଙ୍କ ଶ୍ରଦ୍ଧା ଓ ସମ୍ମାନ କରୁଛନ୍ତି । ଦ୍ରୌପଦୀଙ୍କ ପ୍ରତି ସେମାନଙ୍କର ଆଦର ଭାବ ରହିଛି । ସେମାନଙ୍କର ସେବା କରିବାରେ ହିଁ ଦ୍ରୌପଦୀ ନିଜକୁ ବଡ ଭାଗ୍ୟବତୀ ମଣୁଥିବେ । ସେଭଳି ପରିସ୍ଥିତିରେ ଦ୍ରୌପଦୀ ବା କାହିଁକି ସେମାନଙ୍କୁ ଛାଡିଦେବେ? ତୁମର ଯୋଜନା ତ୍ରୁଟିପୂର୍ଣ୍ଣ ଓ ସମ୍ପୂର୍ଣ୍ଣ ଆଧାରହୀନ । ଭୀମକୁ ମରାଇବାକୁ ଯୋଜନା କରିଛ । ସେପରି କେତେ ଯୋଜନା ତ ତୁମେ ଆଗରୁ କାର୍ଯ୍ୟକାରୀ କରାଇଥିଲ, ହେଲେ ତା’ର ଫଳ କ’ଣ ହେଲା? ଆଉ ଯଦି ଆମ ଗୁପ୍ତଚର ଯାଇ କହିବ ଯେ ହସ୍ତିନାପୁରର ଅବସ୍ଥା ଖରାପ, ତେବେ କ’ଣ ସେମାନେ ସେକଥା କେବେବି ବିଶ୍ୱାସ କରିବେ? ସେମାନଙ୍କୁ ମୂର୍ଖ ବୋଲି କଦାପି ଭାବ ନାହିଁ । ବର୍ତ୍ତମାନ ପରିସ୍ଥିତିରେ ଆମର ଗୋଟିଏ ମାତ୍ର ମାର୍ଗ ରହିଛି; ତାହା ହେଲା ଯୁଦ୍ଧ । ଆମ ସୈନ୍ୟବାହିନୀ ତ ସେମାନଙ୍କ ସୈନ୍ୟବାହିନୀଠାରୁ ଯଥେଷ୍ଟ ବଡ । ତାଙ୍କୁ ପଛେ ଯେତେ ସୈନ୍ୟ ଓ ରାଜା ସହାୟତା କରନ୍ତୁ ନା କାହିଁକି ଆମେ ଯଦି ପ୍ରଥମେ ଆକ୍ରମଣ କରି ସୈନ୍ୟ ମାରିପକାଇବା ତେବେ ସେମାନେ ନିର୍ବଳ ହୋଇଯିବେ । ସେଥିରେ ତ କୌଣସି ଅଧର୍ମ ବା ଅନ୍ୟାୟ ନାହିଁ ।”
ଧୃତରାଷ୍ଟ୍ର କର୍ଣ୍ଣଙ୍କୁ ସମର୍ଥନ କରି କହିଲେ ଯେ, “କର୍ଣ୍ଣଙ୍କର ଉକ୍ତି ନ୍ୟାୟସଙ୍ଗତ ବୋଲି ମୋର ମନେ ହେଉଛି । ଭୀଷ୍ମ, ଦ୍ରୋଣ ଓ ବିଦୁରଙ୍କର ମତ ନେଇ ଯାହା କରିବାର କଥା କର ।”
ଭୀଷ୍ମ, ଦ୍ରୋଣ ଓ ବିଦୁରଙ୍କୁ ଏହି ସମାଚାର ଶୁଣାଇ ଦିଆଗଲା । ସେମାନେ ଆସି ଧୃତରାଷ୍ଟ୍ରଙ୍କ ମୁଖରୁହିଁ ସବୁକଥା ଶୁଣିଲେ । ଭୀଷ୍ମ କହିଲେ, “ମୋ ଦୃଷ୍ଟିରେ ପାଣ୍ଡବ ଓ କୌରବ ଉଭୟେ ସମାନ । ପିତୃପିତାମହ ସମୟରୁ ଯେଉଁ ନିୟମ ଚଳିଆସୁଛି ତାହା ଭଙ୍ଗ ନକରି ପାଣ୍ଡବଙ୍କୁ ଅଧେ ରାଜ୍ୟ ଦେଇ ଦେବା ଉଚିତ୍ । ସେପରି ନକଲେ ଆପଣଙ୍କର ଅପକୀର୍ତ୍ତି ହେବ । ରାଜାଙ୍କ ପାଇଁ ଅପକୀର୍ତ୍ତିଠାରୁ ମୃତ୍ୟୁ ଶ୍ରେୟସ୍କର । ଦୁର୍ଯ୍ୟୋଧନ, ତୁମେ ପାଣ୍ଡବମାନଙ୍କ ପ୍ରତି ବହୁତ ଅନ୍ୟାୟ କରିଛ । ସେମାନଙ୍କ ସହିତ ତୁମର ବ୍ୟବହାର ଅତି ନୀଚ୍ଚ ଓ ନିକୃଷ୍ଟ । କିନ୍ତୁ ତୁମେ ସେମାନଙ୍କର କିଛି ବି କ୍ଷତି କରିପାରିଲ ନାହିଁ । ଲାକ୍ଷାଗୃହରେ ସମସ୍ତଙ୍କର ମୃତ୍ୟୁ ସମ୍ବାଦ ପରେ ଆଉ କାହା ମୁହଁ ଚାହିଁବାକୁ ବି ମୋର ଇଚ୍ଛା ହେଉ ନ ଥିଲା । ସେମାନେ ବଂଚିଛନ୍ତି ଏହି ଖବର ଶୁଣିବା ପରେ ତମେ ବରଂ ଅନାଦାରରୁ ବଂଚିଗଲ । ଏଣିକି ଭଲ କାମ କର ଓ ସତମାର୍ଗ ଅନୁସରଣ କରି ସୁଖୀ ରୁହ ।”
ଦ୍ରୋଣ କହିଲେ, “ଗଙ୍ଗାପୁତ୍ର ଭୀଷ୍ମ ଯାହାସବୁ କିଛି କହିଲେ ମୁଁ ମଧ୍ୟ ସେଥିରେ ସହମତ । ପାଣ୍ଡବମାନଙ୍କୁ ଡାକି ସେମାନଙ୍କୁ ଏ ରାଜ୍ୟରୁ ଅଧେ ଦେଇଦେବା ଉଚିତ୍ । ସେମାନଙ୍କ ନିକଟକୁ ବସ୍ତ୍ର ଓ ଆଭୂଷଣ ସବୁ ପଠାଇ ସମ୍ମାନର ସହିତ ସେମାନଙ୍କୁ ଆମ ରାଜ୍ୟକୁ ଫେରାଇ ଆଣନ୍ତୁ । ସେଠାକୁ ଯିଏ ଯିବ ସେ ଶ୍ରଦ୍ଧାର ସହିତ ବ୍ୟବହାର କରିବ ଓ ସେମାନଙ୍କୁ ନିମନ୍ତ୍ରଣ କରି ଆଣିବ । ସେମାନଙ୍କୁ ହସ୍ତିନାପୁରକୁ ସାଥିରେ ନେଇ ଆସିବ । ତଦ୍ୱାରା ଦ୍ରୁପଦ ମଧ୍ୟ ଶାନ୍ତ ରହିବେ ଓ ଆମସହିତ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବେ ।”
ମଝିରେ ହଠାତ୍ କର୍ଣ୍ଣ, ଦୁର୍ଯ୍ୟୋଧନଙ୍କ ତରଫରୁ କହିଲେ, “ଏହି ଦୁଇଜଣ ବୃଦ୍ଧ ତ ସଦା ସର୍ବଦା ଶତ୍ରୁମାନଙ୍କ ପ୍ରଶଂସାହିଁ କରନ୍ତି ଓ ତୁମର ଉନ୍ନତିରେ ସର୍ବଦା ବିଘ୍ନ ସୃଷ୍ଟି କରନ୍ତି । ତେଣୁ ତୁମେ ଏମାନଙ୍କ କଥା ଉପରେ ମୂଲ୍ୟ ଦିଅ ନାହିଁ ।”
କର୍ଣ୍ଣଙ୍କଠାରୁ ଏଭଳି କଠୋର ବାକ୍ୟ ଶୁଣି, ଦ୍ରୋଣ କହିଲେ, “ତୁମମାନଙ୍କର ପାଣ୍ଡବଙ୍କ ଉପରେ ଏତେ କ୍ରୋଧ କାହିଁକି? ଆମେ ଦୁଇପକ୍ଷର ମଙ୍ଗଳ ହେବା ପାଇଁ କହିଲୁ, ମାତ୍ର ତାହା ତୁମକୁ ପିତା ଲାଗିଲା । ଆଚ୍ଛା, କହିଲ ଭଲା ଅର୍ଜୁନ ଓ ଭୀମକୁ ଯୁଦ୍ଧରେ କିଏ ହରାଇବ? ଯୁଦ୍ଧ ଅର୍ଥ ଲକ୍ଷଲକ୍ଷ ନିରୀହ ପ୍ରାଣପାତ, ପୁଣି ସେସବୁ କେବଳ ଆମର ଯିଦି ଓ ଶତ୍ରୁତା ଯୋଗୁଁ । ଆମ କଥାରେ ଏବେ କୌଣସି ମୂଲ୍ୟ ନ ଦିଅ । କିନ୍ତୁ ଏହାର ଫଳ ବଡ ଭୀଷଣ ହେବ ।”
ସମସ୍ତଙ୍କ କଥା ଶୁଣି ବିଦୁର କହିଲେ, “ରାଜନ୍, ଆମେ ଆପଣଙ୍କର ମଙ୍ଗଳ ଚାହୁଁଛୁ । କେବଳ ଆପଣଙ୍କୁ କହି ପାରୁଛୁ, କିନ୍ତୁ କାର୍ଯ୍ୟକାରୀ କରିବାର ଅଧିକାର ତ ଆଉ ଆମର ନାହିଁ । ସମସ୍ତଙ୍କର ମଙ୍ଗଳ ପାଇଁ ଯାହା ସର୍ବୋତ୍ତମ ଭୀଷ୍ମ ଓ ଦ୍ରୋଣ ତାହାହିଁ କହିଲେ । ଏମାନଙ୍କ ଅପେକ୍ଷା ଆପଣଙ୍କ ମଙ୍ଗଳ ଚାହୁଁଥିବା ବ୍ୟକ୍ତି ଅଧିକ ଆଉ କିଏ ବା ଅଛି? ଆପଣଙ୍କ ପୁତ୍ରକୁ ଆପଣ ବହୁତ ଭଲପା’ନ୍ତି । ତେଣୁ ଆପଣଙ୍କୁ ମଧୁର କଥା କହିଲେ ଭାରି ଭଲ ଲାଗିବ, ହେଲେ ସେସବୁର ପରିଣାମ ଅତ୍ୟନ୍ତ ଭୟଙ୍କର ହେବ । ରାଜକୁଳ ଉଚ୍ଛନ୍ନ ହୋଇଯିବ, ହେଲେ ଆପଣ ଥରେ ବି ଚିନ୍ତା କରୁ ନାହାଁନ୍ତି ଯେ ପାଣ୍ଡବମାନଙ୍କୁ କିଏ ସହାୟତା କରୁଛନ୍ତି । ସଦା ସର୍ବଦା ତାଙ୍କୁ ଭଗବାନ ଶ୍ରୀକୃଷ୍ଣ ହିଁ ରକ୍ଷା କରୁଛନ୍ତି । ଆଉ ପୁଣି ଏମାନେ ତାଙ୍କୁ କିପରି ଜିତିବେ ବୋଲି ଭାବୁଛନ୍ତି? ଶାନ୍ତି ଓ ଶ୍ରଦ୍ଧାର ସହିତ ଯାହା ଅତି ସହଜରେ କରାଯାଇପାରିବ, ତାହା କ’ଣ ଏ ଅସ୍ତ୍ରଶସ୍ତ୍ର ଦ୍ୱାରା ସମ୍ଭବ? ହସ୍ତିନାପୁରବାସୀ ପ୍ରଜାଗଣ ପାଣ୍ଡବମାନଙ୍କୁ ଥରେ ଦେଖିବା ପାଇଁ ଉଦ୍ଗ୍ରୀବ୍, ତେଣୁ ପାଣ୍ଡବମାନଙ୍କୁ ଡକାଇ ସେମାନଙ୍କୁ ପ୍ରସନ୍ନ କରାନ୍ତୁ ।”