କିଛି ସମୟ ଚିନ୍ତା କରିବା ପରେ ଧୃତରାଷ୍ଟ୍ର, ଭୀଷ୍ମ ଓ ଦ୍ରୋଣକୁ କହିଲେ, “ଆପଣମାନଙ୍କର କଥା ଉଚିତ୍ କଥା । ମୋ ଦୃଷ୍ଟିରେ ବି ପାଣ୍ଡବ ଓ କୌରବ ଉଭୟେ ସମାନ । ବିଦୁର, ତୁମେ ଯାଅ, କୁନ୍ତୀଙ୍କୁ, ପାଣ୍ଡବମାନଙ୍କୁ ଓ ଦ୍ରୌପଦୀଙ୍କୁ ହସ୍ତିନାପୁରକୁ ନେଇ ଆସ । ସୌଭାଗ୍ୟବଶତଃ ଲାକ୍ଷାଗୃହରେ ସେମାନଙ୍କର ମୃତ୍ୟୁ ହୋଇ ନାହିଁ । ଦ୍ରୌପଦୀଙ୍କୁ ସେମାନେ ପତ୍ନୀ ଭାବରେ ପାଇଛନ୍ତି । ସେମାନେ କ୍ରମେ ସୌଭାଗ୍ୟଶାଳୀ ହେଉଛନ୍ତି ।”
ଅସଂଖ୍ୟ ରତ୍ନାଭରଣ, ମୂଲ୍ୟବାନ୍ ବସ୍ତ୍ର ଓ ନାନାଦି ଉପହାର ନେଇ ବିଦୁର କାମ୍ପିଲ୍ୟ ନଗରୀରେ ଯାଇ ପହଁଚିଲେ । କୁଶଳ ସମାଚାର ଆଦାନପ୍ରଦାନ ପରେ ସେ ପାଣ୍ଡବମାନଙ୍କୁ ହସ୍ତିନାପୁରର ସମସ୍ତ ସମ୍ବାଦ ଦେଲେ ।
ଦ୍ରୁପଦଙ୍କର ଦରବାର ସଭାରେ ବିଦୁର କହିଲେ, “ମହାରାଜ ଧୃତରାଷ୍ଟ୍ର ଓ ଭୀଷ୍ମ, ଆପଣଙ୍କୁ ବନ୍ଧୁ ଭାବରେ ପାଇ ବଡ ଆନନ୍ଦିତ । ଆପଣଙ୍କ ବନ୍ଧୁ ଦ୍ରୋଣ ଆପଣଙ୍କୁ ଅଶେଷ ଅଶେଷ ସ୍ନେହ ଶ୍ରଦ୍ଧା ଜଣାଇଛନ୍ତି । ଆପଣଙ୍କର ଝିଅ ପାଣ୍ଡବମାନଙ୍କର ସ୍ତ୍ରୀ ହେବାର ସମାଚାରରେ ସମସ୍ତେ ବେଶ୍ ଆନନ୍ଦିତ । ଆମ ରାଜନଅରର ସ୍ତ୍ରୀମାନେ ନବବଧୂ ଦ୍ରୌପଦୀଙ୍କୁ ଦେଖିବାକୁ ବଡ ଉତ୍ସୁକ । ଧୃତରାଷ୍ଟ୍ର ମୋତେ ପଠାଇଛନ୍ତି ଯେ, ମୁଁ ଯେପରି ଏଠାରୁ ମୋ ସଙ୍ଗରେ ପାଣ୍ଡବମାନଙ୍କୁ, ଦ୍ରୌପଦୀ ଓ କୁନ୍ତୀଙ୍କୁ ହସ୍ତିନାପୁରକୁ ନେଇ ଫେରିବି ।”
ଦ୍ରୁପଦ କହିଲେ, “କୌରବମାନଙ୍କୁ ବନ୍ଧୁ ଭାବରେ ପାଇ ମୋର ମଧ୍ୟ ଅପାର ଆନନ୍ଦ । ଧୃତରାଷ୍ଟ୍ରଙ୍କର ଆଜ୍ଞା ଆମର ଶିରୋଧାର୍ଯ୍ୟ । ସ୍ୱୟଂ ଆପଣ ଯେତେବେଳେ ସେମାନଙ୍କୁ ନେବାକୁ ଆସିଛନ୍ତି ମୁଁ ପୁଣି କିପରି ବା ଅନୁମତି ଦେବି ନାହିଁ? କିନ୍ତୁ ବଳରାମ ଓ ଶ୍ରୀକୃଷ୍ଣଙ୍କର ଇଚ୍ଛା କ’ଣ ତାହା ଜାଣିବା ପରେ ଯାହା କିଛି ସ୍ଥିର କରାଯିବ । କାରଣ ସେମାନେ ପାଣ୍ଡବମାନଙ୍କର ସଦାମଙ୍ଗଳକାରୀ । ପୁଣି ପାଣ୍ଡବମାନେ ନିଜେ କ’ଣ ଚାହାଁନ୍ତି ତାହା ମଧ୍ୟ ଜାଣିବା ଆମର ଆବଶ୍ୟକ ।”
ଦ୍ରୁପଦଙ୍କ କଥା ଶୁଣି ଯୁଧିଷ୍ଠିର କହିଲେ, “ମହାରାଜ, ଆପଣ ଆମର ଗୁରୁଜନ, ତେଣୁ ଆପଣ ଯାହା ବି କିଛି କହିବେ ତାହା ହିଁ ଆମର ସ୍ୱୀକାର୍ଯ୍ୟ ।”
ତା’ପରେ ଶ୍ରୀକୃଷ୍ଣ କହିଲେ, “ବିଦୁରଙ୍କର ଇଚ୍ଛା ଅନୁସାରେ ପାଣ୍ଡବମାନେ ହସ୍ତିନାପୁର ଯିବା ଉଚିତ୍ । କିନ୍ତୁ ଦ୍ରୁପଦ ନିଜେ କ’ଣ ଚାହାଁନ୍ତି ତାହା କୁହନ୍ତୁ ।”
ଦ୍ରୁପଦ କହିଲେ, “ପାଣ୍ଡବ ଏବେ ସିନା ଆମ ସହିତ ସମ୍ପର୍କ ସ୍ଥାପନ କରିଛନ୍ତି । ମାତ୍ର ସେମାନେ ତ ଆପଣଙ୍କର ନିଜ ଲୋକ । ତେଣୁ ଆପଣ ଯାହା ବି କହିବେ ତାହାହିଁ ଶ୍ରେୟ ।”
ଏବେ ଦୃପଦଙ୍କର ଅନୁମତି ମିଳିଗଲା । ପାଣ୍ଡବମାନେ ମାତାକୁନ୍ତୀ ଓ ଦ୍ରୌପଦୀଙ୍କୁ ନେଇ ବିଦୁରଙ୍କ ସହ ହସ୍ତିନାପୁର ଗଲେ । ଶ୍ରୀକୃଷ୍ଣ ଓ ବଳରାମ ମଧ୍ୟ ସେମାନଙ୍କ ସହିତ ଗଲେ । ସେମାନେ ହସ୍ତିନାପୁରରେ ପହଁଚିବା ପୂର୍ବରୁ ଜଣେ ଦୂତକୁ ସେଠାକୁ ପଠାଗଲା । ଏହି ଖବର ଶୁଣିବାମାତ୍ରେ ଧୃତରାଷ୍ଟ୍ର ସେମାନଙ୍କୁ ପାଛୋଟି ଆଣିବା ପାଇଁ ଦ୍ରୋଣ, କୃପାଚାର୍ଯ୍ୟ, ବିକର୍ଣ୍ଣ ଓ ଚିତ୍ରସେନକୁ ତୁରନ୍ତ ପଠାଇଲେ । ପାଣ୍ଡବମାନେ ହସ୍ତିନାପୁରରେ ପହଁଚି ଦେଖିଲେ କି ସାରାନଗରୀ ସାଜସଜ୍ଜା ହୋଇଛି ଓ ପ୍ରଜାମାନେ ଆନନ୍ଦ ଉତ୍ସବରେ ମାତିଛନ୍ତି । ରାଜଭବନରେ ପହଁଚି ସେମାନେ ଭୀଷ୍ମ ଓ ଧୃତରାଷ୍ଟ୍ରଙ୍କର ଆଶୀର୍ବାଦ ନେଲେ ।
କିଛିଦିନ ଆନନ୍ଦ ଉତ୍ସବ ପରେ ଧୃତରାଷ୍ଟ୍ର, ପାଣ୍ଡବ ଓ ଶ୍ରୀକୃଷ୍ଣଙ୍କୁ ଡାକି କହିଲେ, “ପାଣ୍ଡବ ଓ କୌରବଙ୍କ ମଧ୍ୟରେ ଶତ୍ରୁତା ରହୁ ବୋଲି ମୁଁ କେବେ ମଧ୍ୟ ଚାହେଁ ନାହିଁ । ତେଣୁ ଏବେ ମୁଁ ତୁମକୁ ଅଧା ରାଜ୍ୟ ସମର୍ପଣ କରୁଛି । ଆଜିଠାରୁ ତୁମେମାନେ ଖାଣ୍ଡବପ୍ରସ୍ଥ ଯାଇ ସେହିଠାରେ ବସବାସ କର ଓ ଆନନ୍ଦରେ ରାଜ୍ୟ ଶାସନ କର ।”
ଯୁଧିଷ୍ଠିର ମଥା ନତ କରି ତାଙ୍କ କଥାକୁ ସ୍ୱୀକାର କଲେ । ତା’ପରେ ସେ ନିଜ ପରିବାରଙ୍କୁ ନେଇ ଖାଣ୍ଡବପ୍ରସ୍ଥ ଗଲେ । ଭୟଙ୍କର ଜଙ୍ଗଲରେ ତାହାର ଏକଅଂଶ ପୂର୍ଣ୍ଣ ଥିଲା ଓ ତା’ର ଅନ୍ୟପଟରେ ଉଷର ଭୂମି ଥିଲା । ଶ୍ରୀକୃଷ୍ଣ ବିଶ୍ୱକର୍ମାଙ୍କୁ ସ୍ମରଣ କଲେ । ସେ ଆସି ଅଳ୍ପ ସମୟ ମଧ୍ୟରେ ସବୁକିଛି ବ୍ୟବସ୍ଥା କରିଦେଲେ ।
ଜଣେ ରାଜାର ନଅର ଯେପରି ହେବା କଥା ଠିକ୍ ସେହିପରି ସେ ଅତି ଚମତ୍କାର ଭାବରେ ତାହା ବନାଇ ଦେଲେ । କେଉଁଠି ପଦ୍ମ ପୁଷ୍କରିଣୀ ତ, ଆଉ କେଉଁଠି ବା ନଭଶ୍ଚୁମ୍ବୀ ପ୍ରାସାଦ । ସେ ବିଶ୍ୱକର୍ମା ଥିଲେ ଦେବକାରିଗର । ତେଣୁ ତାଙ୍କ ହାତରେ ଯେଉଁ ନଅର ନିର୍ମାଣ ହେଲା ତାହା ସୌନ୍ଦର୍ଯ୍ୟରେ ଅତୁଳନୀୟ ଥିଲା । ସବୁ କିଛି ନିର୍ମାଣ ହେବା ପରେ ବଳରାମ ଓ ଶ୍ରୀକୃଷ୍ଣ ସେଠାରେ ଅଳ୍ପ କିଛିଦିନ ଅବସ୍ଥାନ କରି ପରେ ଦ୍ୱାରକାକୁ ଲେଉଟି ଗଲେ ।