“ତୁମେ ଭୟ କରୁଛ କି ମୁଁ ଓ ମୋ ଭାଇ କଠୋର ବ୍ରତ କରି, ଆଜି ଯେଉଁ ଯଜ୍ଞଫଳ ପାଇଛୁ ସେଥିରେ ତୁମ ଇଚ୍ଛା ପୂର୍ଣ୍ଣ ହେବ ନାହିଁ? ଠିକ୍ ଅଛି, ଗ୍ରହଣ ନ କର ।” ଏତିକି କହି ସେ ଭୀଷଣ କ୍ରୋଧରେ ସେ ଯଜ୍ଞଫଳ ସବୁ ସେହି ଯଜ୍ଞରେହିଁ ନିକ୍ଷେପ କଲେ ।
ତତ୍କ୍ଷଣାତ୍ ସେହି ଯଜ୍ଞକୁଣ୍ଡରୁ ବୀରବେଶଧାରୀ ଏକ ଯୁବକ ଉତ୍ଥିତ ହେଲେ । ତାଙ୍କର ଶିରରେ ମଣିରତ୍ନ ଖଚିତ୍ତ ଏକ ମୁକୁଟ ଥିଲା । ତାଙ୍କ ପରେ ସେହି ଯଜ୍ଞରୁ ଏକ ତେଜସ୍ୱୀ କନ୍ୟା ମଧ୍ୟ ଉତ୍ଥିତ ହେଲେ । ଏହି ପରି ଭାବରେ ଦ୍ରୁପଦ ପୁତ୍ରକନ୍ୟା ଲାଭ କରିଥିଲେ । ଏ ଶୁଭସମ୍ବାଦ ପାଇବା ପରେ ସମଗ୍ର ପାଂଚାଳ ଦେଶର ଆନନ୍ଦ କହିଲେ ଆଉ ନସରେ ।
ଇତିମଧ୍ୟରେ କୋକିଳାଦେବୀ ସ୍ନାନ କରି ଆସି ଦେଖିଲେ ପୁତ୍ରକନ୍ୟା ଯଜ୍ଞାନଳରୁ ବାହାରି ସାରିଲେଣି । ଯାଜ ଓ ଉପଯାଜ କହିଲେ, “ଆମେ ତୁମକୁ ଏହି ବର ଦେଉଛୁ ଯେ ତୁମେହିଁ ଏମାନଙ୍କର ମା’ ବୋଲି ପରିଚିତା ହେବ ।” ବ୍ରାହ୍ମଣମାନେ ସେହି ପୁତ୍ରର ନାମ ଧୃଷ୍ଟଦ୍ୟୁମ୍ନ ରଖିଲେ । କନ୍ୟାର ଦେହର ବର୍ଣ୍ଣ ଶ୍ୟାମଳ ଥିଲା । ତେଣୁ ତାଙ୍କ ନାମ କୃଷ୍ଣା ରଖା ହେଲା । ଦ୍ରୁପଦ ଯାଜ ଓ ଉପଯାଜଙ୍କୁ ଅସଂଖ୍ୟ ଗାଈ ଓ ଧନରତ୍ନ ଦେଲେ । ବ୍ରାହ୍ମଣମାନଙ୍କୁ ମଧ୍ୟ ସେ ବହୁତ ଧନରତ୍ନ ଦାନ ଦେଲେ ।
କ୍ରମେ ସେ ଦ୍ରୌପଦୀଙ୍କର ବିବାହ ବୟସ ହେଲା । ପୂର୍ବରୁ ଦ୍ରୁପଦଙ୍କର ଭାରି ଇଚ୍ଛା ଥିଲା ଯେ ଦ୍ରୌପଦୀଙ୍କୁ ସେ ଅର୍ଜୁନଙ୍କ ସହିତ ବିବାହ ଦେଇଥାନ୍ତେ । କିନ୍ତୁ ଜତୁଗୃହ ଦହନ ଖବର ପାଇବା ପରେ ସେ ବଡ ନିରାଶ ହୋଇ ମନ୍ତ୍ରୀମାନଙ୍କୁ ଏବିଷୟରେ ପରାମର୍ଶ ମାଗିଲେ ।
ଏକଥା ଶୁଣି ତାଙ୍କର ଜଣେ ହିତୈଷୀ ପୁରୋହିତ କହିଲେ, “ମହାରାଜ, ମୋର କାହିଁ ମନେହୁଏ ପାଣ୍ଡବମାନେ ଆଦୌ ମରିନାହାଁନ୍ତି । ସଙ୍କେତ ଯାହା ମିଳୁଛି, ସେଥିରୁ ଜଣାଯାଏ ଯେ ସେମାନେ ଏବେ ମଧ୍ୟ ଜୀବିତ ଓ ସୁଖୀ ହୋଇ ଅଛନ୍ତି । ସେମାନଙ୍କ ବିଷୟରେ ଆପଣ ନିଶ୍ଚିନ୍ତ ରହନ୍ତୁ । ଆପଣ ରାଜକୁମାରୀଙ୍କର ସ୍ୱୟମ୍ବର କରାନ୍ତୁ । ଦେଖିବେ ସେମାନେ ନିଶ୍ଚୟ ଆସିବେ ।”
ତିନି ମାସ ପରେ ଶୁଭମୁହୂର୍ତ୍ତ ସ୍ଥିର କରାଗଲା । ଶୂନ୍ୟରୁ ଝୁଲୁଥିବା ସୁବର୍ଣ୍ଣ ମତ୍ସ୍ୟର ଚକ୍ଷୁ ମଧ୍ୟକୁ ତୀର ଯିଏ ତାହାର ପ୍ରତିବିମ୍ବ ଦେଖି ମାରିବ, କେବଳ ସେହିଁ ଦ୍ରୌପଦୀଙ୍କୁ ବିବାହ କରିବ । ଏହା ସର୍ତ୍ତ ଥିଲା ।
ଏକଚକ୍ରପୁରର ଗୃହସ୍ଥବ୍ରାହ୍ମଣ ଦ୍ରୌପଦୀଙ୍କ ଜନ୍ମ ଓ ସ୍ୱୟମ୍ବର ବିଷୟରେ ସବୁକିଛି ପାଣ୍ଡବମାନଙ୍କୁ ଅବଗତ କରାଇଲେ । ପାଣ୍ଡବମାନେ ଶୁଣି ଦୁଃଖିତ ହେଲେ ଯେ ଗୁରୁ ଦ୍ରୋଣଙ୍କୁ ମାରିବା ପାଇଁ ଜଣେ ପୁରୁଷ ଯଜ୍ଞରୁ ଉତ୍ଥିତ ହୋଇଛନ୍ତି । କିନ୍ତୁ ଦ୍ରୌପଦୀ ସ୍ୱୟମ୍ବର କଥା ଶୁଣି ଘଟଣା କ’ଣ ଜାଣିବା ପାଇଁ ସେମାନେ ବ୍ରାହ୍ମଣର ଛଦ୍ମବେଶରେ ପାଂଚାଳ ଦେଶକୁ ଗଲେ ।
କୁନ୍ତୀ ମଧ୍ୟ ଯୁଧିଷ୍ଠିରଙ୍କୁ କହିଲେ, “ପୁତ୍ର, ଆମ୍ଭେମାନେ ତ ଏଠାରେ ଆସି ଅନେକ ଦିନ ରହିଲେଣି, ବରଂ ଏବେ ଆମେ ପାଂଚାଳ ଦେଶକୁ ଯିବା । ତାହା ଧନ ଐଶ୍ୱର୍ଯ୍ୟରେ ପୂର୍ଣ୍ଣ, ଶୁଣାଯାଏ ସେଠାକାର ରାଜା ଦୃପଦ କୁଆଡେ ବ୍ରାହ୍ମଣମାନଙ୍କୁ ବହୁତ ଦାନ ଦିଅନ୍ତି । ଆମ୍ଭେମାନେ ସେହି ନଗରୀରେ କିଛିଦିନ ପାଇଁ ବସବାସ କରିବା ।”
ଘରର ମାଲିକ ବ୍ରାହ୍ମଣଙ୍କଠାରୁ ବିଦାୟ ନେବା ପରେ ସେମାନେ ପାଂଚାଳ ଅଭିମୁଖେ ବାହାରି ପଡିଲେ । ରାତିଦିନ ଯାତ୍ରା କରି ସେ ଦିନେ ଅର୍ଦ୍ଧରାତ୍ରି ସମୟରେ ଗଙ୍ଗାତଟରେ ଯାଇ ପହଁଚିଲେ । ଅର୍ଜୁନ ମଶାଲ ଧରି ଆଗରେ ଚାଲିଥାନ୍ତି । ସେ ନଦୀରେ ସ୍ନାନ କରି ବିଶ୍ରାମ କରିବାକୁ ଚାହୁଁଥିଲେ । ତେଣୁ ସେମାନେ ନଦୀତଟକୁ ଓହ୍ଲାଇ ଗଲେ । ସେତେବେଳେ ଗଙ୍ଗାରେ ଅଙ୍ଗାରପର୍ଣ୍ଣ ନାମକ ଏକ ଗନ୍ଧର୍ବ ତାଙ୍କ ପତ୍ନୀମାନଙ୍କ ସହିତ ଜଳକ୍ରୀଡା କରୁଥିଲେ । ମଣିଷମାନଙ୍କର ପାଦଶବ୍ଦ ଶୁଣି ସେ ଚିତ୍କାର କଲେ, “ତୁମେସବୁ ଏତେ ରାତିରେ କୁଆଡୁ ଆସିଲ? ଏହି ସମଗ୍ର ବନ ମୋର ଅଧୀନ । ଏଠାରୁ ଦୂରକୁ ଚାଲିଯାଅ । ମୁଁ ଅଙ୍ଗାରପର୍ଣ୍ଣ ନାମକ ଜଣେ ଗନ୍ଧର୍ବ । ଏହି ସମୟ ତ କେବଳ ଯକ୍ଷ, ରାକ୍ଷସ ଓ ଗନ୍ଧର୍ବଙ୍କ ପାଇଁ ଉଦ୍ଦିଷ୍ଟ । ମନୁଷ୍ୟଙ୍କ ପାଇଁ ଏହି ସମୟରେ ସଂଚାର କରିବା ନିଷିଦ୍ଧ ।”
ଅର୍ଜୁନ ତାଙ୍କର ଏହି କଥା ଶୁଣି କହିଲେ, “ରେ ଦୁଷ୍ଟ, ହିମାଳୟ ଓ ଗଙ୍ଗା କେବେବି କାହାର ନିଜସ୍ୱ ସମ୍ପତ୍ତି ହୋଇ ନପାରେ । ସମୟ ପଛେ ଯାହା ହେଉନା କାହିଁକି, ଗଙ୍ଗାଙ୍କୁ ଦର୍ଶନ କରିବା ମାତ୍ରେ ତ ତହିଁରେ ସ୍ନାନ କରିବାକୁ ଇଚ୍ଛା ହୁଏ ଓ ଏହା ଏକ ପୁଣ୍ୟ କାର୍ଯ୍ୟ ମଧ୍ୟ । ତେଣୁ ସ୍ନାନ ନ କରି ଏଠାରୁ ଫେରିବାର କୌଣସି ପ୍ରଶ୍ନ ଉଠୁ ନାହିଁ । ଆମେ ତୁମ କାର୍ଯ୍ୟରେ କୌଣସି ପ୍ରକାର ବାଧା ସୃଷ୍ଟି କରୁନାହୁଁ । ତେଣୁ ତୁମେ ମଧ୍ୟ ଆମ କାର୍ଯ୍ୟରେ ଆଦୌ ବାଧା ସୃଷ୍ଟି କରନାହିଁ, କଲେ ପଶ୍ଚାତାପ କରିବ । ତେଣିକି ତୁମର ଇଚ୍ଛା ।”
ଏଣେ ଅଙ୍ଗାରପର୍ଣ୍ଣ କ୍ରୋଧବଶତଃ ବାଣବର୍ଷଣ କରିବାକୁ ଲାଗିଲେ । ସେ ଜାଣିନଥିଲେ କି ପାଣ୍ଡବଗଣ କେତେଦୂର ଶକ୍ତିଶାଳୀ । ଅର୍ଜୁନ ନିଜ ମଶାଲରେ ଗନ୍ଧର୍ବଙ୍କ ବାଣସବୁକୁ ନଷ୍ଟ କଲେ । ପରେ ସେ ଆଗ୍ନେୟାସ୍ତ୍ର ମାରି ତାଙ୍କର ବିରାଟ ରଥକୁ ଜାଳି ଦେଲେ ଓ ଗନ୍ଧର୍ବ ଅଗ୍ନିଧାସରେ ନିମ୍ନରେ ପତିତ ହୋଇ ମୂର୍ଚ୍ଛା ଗଲେ ।