ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

ସେଠାରୁ ଅର୍ଜୁନ ମଣିପୁର ଫେରିଆସି ଚିତ୍ରାଙ୍ଗଦାଙ୍କ ନିକଟରେ କିଛିଦିନ ରହିଲେ । ପରେ ଚିତ୍ରାଙ୍ଗଦାଙ୍କର ଏକ ପୁତ୍ର ହେଲା । ତା’ର ନାମ ବବ୍ରୁବାହନ ରହିଲା । ଚିତ୍ରାଙ୍ଗଦା ସେହି ପୁତ୍ରକୁ ପିତାଙ୍କର ବଂଶ ଉଦ୍ଧାର କରିବା ପାଇଁ ନିଜ ପିତାଙ୍କୁ ସମର୍ପଣ କଲେ । ସେଠାରୁ ଯାଇ ଅର୍ଜୁନ ପ୍ରଭାସ ତୀର୍ଥରେ ସ୍ନାନ କଲେ । ସେଠାରେ ଥିବା ସମୟରେ ଗରୁଡ ନାମକ ଜଣେ ଯାଦବଙ୍କ ସହିତ ଅର୍ଜୁନଙ୍କର ଦେଖା ହେଲା । ଯାଦବ ବଂଶ ଅର୍ଜୁନଙ୍କର ମାମୁଁଘର ବଂଶ ଥିଲେ । ତେଣୁ ଅତିଶୀଘ୍ର ସେ ଦୁହେଁ ବନ୍ଧୁ ହୋଇଗଲେ ଓ ଗରୁଡ ଯାଦବବଂଶ ବିଷୟରେ ଅନେକ ଖବର ସବୁ ଶୁଣାଇଲେ । ଅର୍ଜୁନ ଭାବିଲେ “ଦ୍ୱାରକା ତ ଏଠାରୁ ମୋଟେ ବେଶିଦୂର ନୁହେଁ । ବରଂ ଯାଏ ମାମୁଁଘର ଲୋକଙ୍କୁ ଦେଖାକରି ବୁଲି ଆସେ ।” ସେ ଜାଣନ୍ତି ମୁନିଋଷିଙ୍କୁ ଯାଦବମାନେ ବଡ ସମ୍ମାନ କରନ୍ତି । ତେଣୁ ଅର୍ଜୁନ ଜଣେ ମୁନିଙ୍କର ଛଦ୍ମବେଶ ନେଇ ସେଠାକୁ ଗଲେ । ପ୍ରଧାନ କଥା ତାଙ୍କର ପ୍ରିୟ ଭାଇ ଭଗବାନ୍ ଶ୍ରୀକୃଷ୍ଣଙ୍କ ସହିତ ଦେଖା ହେବ ।

ଶ୍ରୀକୃଷ୍ଣ ନିଜେ ଏହି ଖବର ପାଇ ସେଠାକୁ ଆସିଲେ ଓ ରୈବତକ ପର୍ବତ ଉପରେ ନେଇ ତାଙ୍କୁ ରଖିଲେ । ତା’ପରେ ରୈବତକ ପର୍ବତ ଉପରେ ନାନା ପ୍ରକାର ଉତ୍ସବ ହେବାର ଥିଲା । ସେଥିପାଇଁ ଯାଦବବଂଶର ବୀରମାନେ ଓ ସ୍ତ୍ରୀମାନେ ମଧ୍ୟ ସେଠାକୁ ଆସିଥିଲେ । ଅର୍ଜୁନ ସୁଭଦ୍ରାଙ୍କୁ ଦେଖି ବଡ ସନ୍ତୁଷ୍ଟ ହେଲେ ।

ତା’ପରେ ସମସ୍ତେ ମିଶି ଦ୍ୱାରକାକୁ ଫେରିବା ପରେ ମୁନିରୂପୀ ଅର୍ଜୁନଙ୍କୁ ରାଜବଂଶର ସମସ୍ତେ ବଡ ସମ୍ମାନ ସହକାରେ ଉଦ୍ୟାନ ମଧ୍ୟରେ ଥିବା ଲତାଗୃହ ମଧ୍ୟରେ ନେଇ ରଖାଇଲେ । ଏଣେ ଶ୍ରୀକୃଷ୍ଣ ସମସ୍ତ କଥା ରୁକ୍ମିଣୀ ଓ ସତ୍ୟଭାମାଙ୍କୁ କହି ଦେଇଥାନ୍ତି । ସେମାନେ ସୁଭଦ୍ରାଙ୍କୁ କହିଲେ, “ଭଉଣୀ ସୁଭଦ୍ରା । ଆମ ଘରକୁ ଜଣେ ମୁନି ଆସିଛନ୍ତି ଏବଂ ସେ ଚାତୁର୍ମାସ୍ୟା ବ୍ରତ କରି ବୋଧ ହୁଏ ଚାରିମାସ ଏଠାରେ ଅବସ୍ଥାନ କରିବେ । ଯାଦବ ରାଜକନ୍ୟାମାନେ ବରାବର ମୁନିଋଷିଙ୍କର ପୂଜା କରନ୍ତି, ଯତ୍ନ ନିଅନ୍ତି ଓ ଯଥାର୍ଥ ସତ୍କାର କରନ୍ତି । ତେଣୁ ଆଜି ଏହି ମୁନିଙ୍କୁ ସ୍ୱାଗତ କରି ତାଙ୍କର ସେବା କରିବାର ଭାର ତୁମ ଉପରେ ଦିଆଯାଉଛି । ତୁମର ପିଇସି କୁନ୍ତୀ ମଧ୍ୟ ଦୁର୍ବାସାଙ୍କୁ ସେବା କରି ସନ୍ତୁଷ୍ଟ କରି ବରଲାଭ କରିଥିଲେ । ସେହିପରି ନବାଗତ ମୁନିଙ୍କର ଦାଇତ୍ତ୍ଵ ତୁମକୁ ଦିଆଗଲା । ସୁଭଦ୍ରା ଖୁସି ହୋଇ ତାଙ୍କ ଦାଇତ୍ତ୍ଵ ତୁଲାଇଲେ ।”

ଅର୍ଜୁନ ସୁଭଦ୍ରାଙ୍କର ସୌନ୍ଦର୍ଯ୍ୟ ଓ ବ୍ୟବହାରରେ ଅତ୍ୟନ୍ତ ମୁଗ୍ଧ ହୋଇଗଲେ । ତୀର୍ଥ ଭ୍ରମଣର ସମୟ କେବେଠାରୁ ଶେଷ ହେଲେ ମଧ୍ୟ ଘରକୁ ଫେରିବାକୁ ତାଙ୍କର ମୋଟେ ଇଚ୍ଛା ହେଉ ନଥାଏ । ଏଣେ ଶ୍ରୀକୃଷ୍ଣ ଓ ତାଙ୍କର ଦୁଇରାଣୀ ସୁଭଦ୍ରାଙ୍କୁ ସଦାବେଳେ ଅର୍ଜୁନଙ୍କର ପ୍ରଶଂସା ଶୁଣାଉଥାନ୍ତି । ସୁଭଦ୍ରାଙ୍କ ମନ ମଧ୍ୟରେ ସ୍ୱତଃ ଅର୍ଜୁନଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ବର୍ଦ୍ଧିତ ହେଉଥାଏ । ଯାଦବଗଣ ତାଙ୍କ ବଂଶର ସାନପିଲାକୁ ଆଶିର୍ବାଦ କରି କହନ୍ତି, “ବଡ ହେଲେ ଅର୍ଜୁନଙ୍କ ପରି ବୀର ହୁଅ ।” ଏସବୁ ସୁଭଦ୍ରାଙ୍କ ମନରେ ଥାଏ; ଅର୍ଜୁନଙ୍କୁ ଥରେ ଦେଖିବାକୁ ସେ ବଡ ବ୍ୟାକୁଳ ହୁଅନ୍ତି ।

ଦିନେ ଉଦ୍ୟାନ ମଣ୍ଡପରେ ଅର୍ଜୁନ ଏକା ଥିଲେ । ସୁଭଦ୍ରା ତାଙ୍କର ସେବା ପରିଚାର୍ଯ୍ୟ କରିବା ପରେ ତାଙ୍କୁ ପଚାରିଲେ, “ଆପଣ କେଉଁ କେଉଁ ଦେଶ ଓ ତୀର୍ଥ ପର୍ଯ୍ୟଟନ କରିଛନ୍ତି? କ’ଣ ଆପଣ ଇନ୍ଦ୍ରପ୍ରସ୍ଥ ଦେଖିଛନ୍ତି? ସେଠାରେ ମୋର ପିଇସୀ କୁନ୍ତୀଦେବୀ ଓ ତାଙ୍କର ବିଖ୍ୟାତ ପୁତ୍ରମାନେ ଅଛନ୍ତି । ଆପଣ ସେମାନଙ୍କୁ ଦେଖିଛନ୍ତି କି? ମୁଁ ସେମାନଙ୍କ ବିଷୟରେ ଶୁଣିବାକୁ ବଡ ବ୍ୟାକୁଳ । ସେ ବିଷୟରେ କିଛି କୁହନ୍ତୁ ତ?”

ଅର୍ଜୁନ କହିଲେ, “ଇନ୍ଦ୍ରପ୍ରସ୍ଥରେ କୁନ୍ତୀଦେବୀ, ପାଣ୍ଡବମାନେ ଓ ଦ୍ରୌପଦୀ କୁଶଳରେ ଅଛନ୍ତି । କିନ୍ତୁ ଅର୍ଜୁନଙ୍କର ଏବେ ଏକବର୍ଷ ପାଇଁ ତୀର୍ଥ କରିବାର ଥିଲା । ସେ ତୀର୍ଥ ସାରି ଏପର୍ଯ୍ୟନ୍ତ ଇନ୍ଦ୍ରପ୍ରସ୍ଥ ଫେରି ନାହାଁନ୍ତି ।”

ସୁଭଦ୍ରା ଉକ୍ରଣ୍ଠିତ ହୋଇ ପଚାରିଲେ “କାହିଁକି ଫେରିନାହାଁନ୍ତି? ତାଙ୍କ ବିନା ତାଙ୍କ ପରିବାର ତ ବଡ ବ୍ୟାକୁଳ ହେଉଥିବେ । ନଫେରିବାର କାରଣ କ’ଣ? ଆଉ କୌଣସି କିଛି ବିପଦ ହୋଇ ନାହିଁ ତ?”

ଅର୍ଜୁନ କହିଲେ “ଅର୍ଜୁନଙ୍କୁ ପୁଣି ବିପଦ? ତାଙ୍କର ବହୁତ ବିପଦ ପଡେ । କିନ୍ତୁ ଯାହାଙ୍କୁ ଭଗବାନ ଶ୍ରୀକୃଷ୍ଣ ନିଜେ ରକ୍ଷା କରୁଛନ୍ତି ତାଙ୍କର ପୁଣି କ’ଣ ବିପଦ? ତୁମ ଜ୍ୟେଷ୍ଠଭ୍ରାତା ଶ୍ରୀକୃଷ୍ଣ ତ ସାକ୍ଷାତ ଭଗବାନ ତା’ଛଡା ଅର୍ଜୁନ ତାଙ୍କର ଅତି ପ୍ରିୟ ସଖା । ତାଙ୍କ ପାଇଁ ଉତ୍କଣ୍ଠା ପ୍ରକାଶ କରିବାର କିଛି ମାନେ ହୁଏ ନାହିଁ ।”

ସୁଭଦ୍ରା ପଚାରିଲେ “ଆପଣ ତାଙ୍କୁ ଦେଖିଛନ୍ତି? ତାଙ୍କ ବିଷୟରେ ଅଧିକ କିଛି ଜାଣନ୍ତି? ଦେବୀ ଦ୍ରୌପଦୀ ତ ପାଂଚଜଣଙ୍କର ସ୍ତ୍ରୀ । ତେବେ କ’ଣ ଅର୍ଜୁନଙ୍କର ମନ ଅନ୍ୟ କେଉଁ ଆଡେ ଆକୃଷ୍ଟ ହୁଏ ନାହିଁ?”

                ଅର୍ଜୁନ ସ୍ମିତ ହସି କହିଲେ, “ଦ୍ରୌପଦୀଙ୍କ ସହ ତାଙ୍କର ବିବାହ ମନର ମିଳନରେ ନୁହେଁ, ବରଂ ପଣ ଜିତି ସେ ତାଙ୍କୁ ବିବାହ କରିଛନ୍ତି । ତେଣୁ ସେ ଚାହାଁନ୍ତି ଏପରି କାହାକୁ ବିବାହ କରିବେ ଯିଏ କି କେବଳ ତାଙ୍କ ପ୍ରତି ସମର୍ପିତା ହୋଇଥିବ । ମନ ପ୍ରାଣ ଶରୀର ସବୁ ତାଙ୍କରି ପାଇଁ ହିଁ ଉତ୍ସର୍ଗ କରିବାକୁ ସେ ପ୍ରସ୍ତୁତ ଥିବ ।”

                ସୁଭଦ୍ରା କହିଲେ “ସେପରି ତ ଅନେକ ରାଜକୁମାରୀ ବାହାରିବେ । କିନ୍ତୁ ସେ ନିଜେ ଯାହାକୁ ଚାହିଁବେ ତାକୁହିଁ ତ ବିବାହ କରିବେ ନା? ସେ ଆମ ରାଜ୍ୟକୁ ଥରେ ଆସନ୍ତେ ନାହିଁ । ମାମୁଁଘର କ’ଣ ତାଙ୍କର ମନେ ପଡେ ନାହିଁ? ନିଜର ଘନିଷ୍ଠ ବନ୍ଧୁ, ସଖା, ଶ୍ରୀକୃଷ୍ଣଙ୍କୁ ଥରେ ଦେଖିବାକୁ ତାଙ୍କର ଇଚ୍ଛା ହୁଏ ନାହିଁ?”

                “ଶ୍ରୀକୃଷ୍ଣଙ୍କର ଥରେ ମାତ୍ର ଦର୍ଶନ ପାଇବାକୁ, ମୁହୂର୍ତ୍ତେମାତ୍ର ସଙ୍ଗଲାଭ କରିବାକୁ କେତେ ମୁନିଋଷି ତପସ୍ୟା କରି ଜନ୍ମ ଜନ୍ମ ବିତାଇ ଦେଉଛନ୍ତି ତଥାପି ମଧ୍ୟ କଦବା କ୍ୱଚିତ୍ କିଏ ପାଉଛି । ଆଉ ଅର୍ଜୁନ; ଶ୍ରୀକୃଷ୍ଣଙ୍କୁ ଛାଡି ସେ ଯେତେବେଳେ ରହନ୍ତି ତାଙ୍କର ଅତି କଷ୍ଟ ହୁଏ । ସେ କଷ୍ଟ ବର୍ଣ୍ଣନାତୀତ । ସେଇଥିପାଇଁ ତ ସାରା ଭାରତରେ ତୀର୍ଥସ୍ଥାନ ବୁଲି ବୁଲି ମଧ୍ୟ ଥରେ ମାତ୍ର ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିବାକୁ ଆକୁଳ ହୋଇ ଅର୍ଜୁନ ଧାଇଁ ଆସିଛି ଦ୍ୱାରକା ପୁରୀକୁ । ଆଉ ଏଠାରେ ତୁମର ସେବାଯତ୍ନ ଓ ସଖାଙ୍କର ସ୍ନେହ ପ୍ରେମରେ ଅର୍ଜୁନ ସ୍ୱର୍ଗସୁଖ ତୁଚ୍ଛ ମଣୁଛି ।” ଅର୍ଜୁନ ସ୍ୱର୍ଗୀୟ ପ୍ରେମରେ ମଗ୍ନ ହୋଇ କହୁ କହୁ ସବୁ କହିପକାଇଲେ ।

                ସୁଭଦ୍ରା କହିଲେ “ମୁନିବର । ଆପଣ ଏ କ’ଣ କହୁଛନ୍ତି? ଅର୍ଜୁନ କାହାଁନ୍ତି? ସେ ତ କାହିଁ ଏଠାକୁ ଆସି ନାହାଁନ୍ତି? ଥରେ ତାଙ୍କୁ ଦେଖିବା ପାଇଁ ମୋ ମନ କେତେ ବ୍ୟାକୁଳ ଅଥଚ ଆପଣ ଏ କି କଥା କହୁଛନ୍ତି? ମୁଁ ତ କାହିଁ ଏଥିରୁ କିଛିବି ବୁଝିପାରୁ ନାହିଁ ।”

                ତା’ପରେ ଅର୍ଜୁନ ସ୍ମିତ ହସି କହିଲେ, “ସୁଭଦ୍ରା, ଦିନ ପରେ ଦିନ ତୁମର ସେବା ଲାଭ କରି, ତୁମର ସ୍ନେହ ଶ୍ରଦ୍ଧାରେ ବାନ୍ଧି ହୋଇ ଯତିବେଶ ଧାରଣ କରି ଯିଏ ତୁମ ସମ୍ମୁଖରେ ବସିଛି, ସେ ଅର୍ଜୁନ ବ୍ୟତୀତ ଆଉ କିଏ ବା ହୋଇ ପାରେ?”

ବିସ୍ମୟ ଓ ଆନନ୍ଦରେ ସୁଭଦ୍ରାଙ୍କର ବାକ୍ସ୍ଫୁର୍ତି ଆଉ ହେଲା ନାହିଁ । ଲଜ୍ଜାରେ ତାଙ୍କର ମୁଖ ଅରୁଣିମା ବର୍ଣ୍ଣ ଧାରଣ କଲା । ସେ ଧୀରେ ଧୀରେ ସେ ସ୍ଥାନ ଛାଡି ନିଜ କକ୍ଷକୁ ପ୍ରତ୍ୟାବର୍ତ୍ତନ କଲେ । କିନ୍ତୁ ତାଙ୍କର ସମଗ୍ର ସତା ଅର୍ଜୁନଙ୍କ ଭାବରେ ଭାବରେ ମଗ୍ନ ରହିଲା । ଏସବୁ ଲକ୍ଷ୍ୟ କରି ଭାଉଜମାନେ ଓ ମା’ ଏହି ଅବସ୍ଥାର ନିରାକରଣ ପାଇଁ ଯତ୍ନ କଲେ ।

ସେଥିପାଇଁ ଶ୍ରୀକୃଷ୍ଣ, ରୁକ୍ମିଣୀ ଓ ସତ୍ୟଭାମା ନାନା ପ୍ରକାର ଉପାୟ ଚିନ୍ତା କରିବାକୁ ଲାଗିଲେ । ତାହା ଯେପରି କାର୍ଯ୍ୟକାରୀ ହୋଇ ଶେଷରେ ସେ ଦୁହିଁଙ୍କର ବିବାହ ହେବ ତାହାହିଁ ସ୍ଥିର କଲେ । କିନ୍ତୁ ଏସବୁ କଥା ବଳରାମ ଓ ଅନ୍ୟମାନଙ୍କଠାରୁ ଗୋପନ ରଖାଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ