ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

ମୂଳ ମହାଭାରତ ବ୍ୟାସଙ୍କ ଦ୍ୱାରା ଲିଖିତ ହେଲେ ମଧ୍ୟ ସେଥିରେ ଅନେକ ବିଷୟ ଅନ୍ୟମାନଙ୍କ ଦ୍ୱାରା ଲିଖିତ ହୋଇଥାଏ । ଏଠାରେ ଥିବା ବିଷୟ ମଧ୍ୟ ଠିକ୍ ସେହିପରି ପ୍ରକ୍ଷିପ୍ତ ବିଷୟମାନଙ୍କ ମଧ୍ୟରୁ ଗୋଟିଏ ।

                ସମସ୍ତ ଯାଦବ ଅନ୍ତର୍ଦୀପରେ ମହୋତ୍ସବ କରିବାକୁ ଚାଲିଯିବା ପରେ ଅର୍ଜୁନଙ୍କର ସୁଭଦ୍ରାଙ୍କ ସହ ବିବାହ ଶ୍ରୀକୃଷ୍ଣ ବଡ ଗୁପ୍ତରେ କରାଇଥିଲେ । ପ୍ରଥମେ ଅର୍ଜୁନ ସୁଭଦ୍ରାଙ୍କୁ ବିବାହ ପ୍ରସ୍ତାବ ଦେବାରୁ ସୁଭଦ୍ରା କହିଲେ, “ପିତାମାତା ବନ୍ଧୁବାନ୍ଧବ, ଭ୍ରାତାଭଗ୍ନୀ ସମସ୍ତିଙ୍କ ଉପସ୍ଥିତିରେ ଅଗ୍ନିକୁ ସାକ୍ଷୀରଖି ଯେଉଁ ବିବାହ ହୁଏ ତାହାହିଁ ଯଥାର୍ଥ ବିବାହ । ମୁଁ ମୋ ପିତାମାତାଙ୍କର ଏକମାତ୍ର କଡ୍ୟ । ତାଛଡା ଏପରି ଲୁଚିଛପି ବିବାହ କରିବାକୁ ମୁଁ ଆଦୌ ପସନ୍ଦ କରେ ନାହିଁ । ସାରା ଯାଦବବଂଶ ଓ ଦ୍ୱାରକା ମୋ ବିବାହ ଉତ୍ସବରେ କେତେ ଆନନ୍ଦ କରିବେ । ସେପରି ନ ହୋଇ ମୁଁ ପାପ କରିବା ଭଳି ଲୁଚି ଛପି କାହିଁକି ବିବାହ କରିବି?” ଏହି କଥା କହିଲାବେଳେ ତାଙ୍କ ଚକ୍ଷୁରେ ଅଶ୍ରୁ ଭରି ଉଠିଲା ।

                ଅର୍ଜୁନ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, “ସୁଭଦ୍ରା, ଆମର ବିବାହ ପ୍ରଥମେ ଗାନ୍ଧର୍ବ ମତରେ ହେଉ । କ୍ଷତ୍ରିୟକନ୍ୟା ଓ ରାଜପୁତ୍ରମାନେ ସେପରି ବିବାହ କରିବାର ପ୍ରଥା ଅଛି । ପରେ ଭଲଭାବରେ ହେବ । ତୁମେ କ’ଣ ବୁଝିପାରୁନାହଁ କି ଏ ସମସ୍ତ ଯାହାବି କିଛି ଘଟୁଛି କାହାର ଆଜ୍ଞାରେ । ତୁମେ ତୁମର ଜ୍ୟେଷ୍ଠ ଭ୍ରାତା ଭଗବାନ୍ ଶ୍ରୀକୃଷ୍ଣଙ୍କୁ ସ୍ମରଣ କର, ମୁଁ ମଧ୍ୟ କରୁଛି । ଆଉ ଦୁଃଖ କରନାହିଁ । ଏସବୁ ସମସ୍ୟାର ସମାଧାନ କେବଳ ସେହିଁ କରିବେ । କାରଣ ସମସ୍ୟା ଉପୁଜାଇବାରେ ସେ ମଧ୍ୟ ବଡ ଧୁରନ୍ଧର; ଯାହାକୁକି ଅନ୍ୟ କେହି ମଧ୍ୟ ସମାଧାନ କରିପାରିବେ ନାହିଁ । ଏହାପରେ ସେ ଦୁହେଁ ବସି ଶ୍ରୀକୃଷ୍ଣଙ୍କୁ ଧ୍ୟାନ କଲେ । ପୂର୍ବୋକ୍ତ ଉତ୍ସବରୁ ଗୋପନରେ ଶ୍ରୀକୃଷ୍ଣ ତାଙ୍କର କେତେଜଣ ବିଶ୍ୱସ୍ତ ଯାଦବଙ୍କୁ ଧରି ଦ୍ୱାରକା ଚାଲିଆସିଲେ । ସେଠାରେ ରୁକ୍ମୁଣୀ ଓ ଦେବକୀ ମଧ୍ୟ ଥିଲେ । ଅର୍ଜୁନଙ୍କ ପ୍ରାର୍ଥନାରେ ସ୍ୱୟଂ ଇନ୍ଦ୍ର ତାଙ୍କର ଦଳବଳ ଧରି ସେଠାକୁ ଆସିଲେ ଓ ଶାସ୍ତ୍ରମତେ ସେ ଦୁହିଁଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେଲା ।”

                ତା’ପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ “ଯତିବର, ଏବେ ତ ଚାତୁର୍ମାସ୍ୟାବ୍ରତ ବଡ ଭଲରୂପେ ପାଳନ ହେଲା । ତୁମେ ଏଠାରେ କୋଡିଏ ଦିନ ରହିବା ପରେ ସୁଭଦ୍ରାକୁ ନେଇ ଇନ୍ଦ୍ରପ୍ରସ୍ଥକୁ ଚାଲିଯାଅ । ନଚେତ ବଡ ଭୟଙ୍କର ଅବସ୍ଥା ଉପୁଜିବ । ଆମେ ପରେ ଯାଇ ସେଠାରେ ପହଁଚିବୁ ନାହିଁ କି? ବଳରାମଙ୍କୁ ଶାନ୍ତ କରାଇବାର ଦାଇତ୍ତ୍ଵ ମୋର ।”

                “ଯେ ଆଜ୍ଞା” ଏହା କହି ଅର୍ଜୁନ ଶ୍ରୀକୃଷ୍ଣଙ୍କ କଥାକୁ ସ୍ୱୀକାରକଲେ । ତା’ପରେ କୋଡିଏ ଦିନ ରୁକ୍ମିଣୀ ଓ ଦେବକୀଙ୍କ ସେବା, ଆତିଥ୍ୟ ଓ ସ୍ନେହଶ୍ରଦ୍ଧା ମଧ୍ୟରେ ଅତି ଶୀଘ୍ର ଶେଷ ହୋଇଗଲା । ଦିନେ ପ୍ରଭାତରେ ଅର୍ଜୁନ ସୁଭଦ୍ରାଙ୍କୁ ଧରି ଶ୍ରୀକୃଷ୍ଣଙ୍କ ଦ୍ୱାରା ନିର୍ଦ୍ଧାରିତ ରଥରେ ଇନ୍ଦ୍ରପ୍ରସ୍ଥକୁ ଗଲେ ।

                ଅନ୍ୟ ଯାଦବମାନେ ତ ଏହି ବିବାହ ବିଷୟରେ ଯମାରୁ ଅବଗତ ନଥିଲେ । ତେଣୁ ସେମାନେ ଯାଇ ବଳରାମଙ୍କୁ କହିଲେ, “ପ୍ରଭୂ, ମନେହେଉଛି ଅର୍ଜୁନ ସୁଭଦ୍ରାଙ୍କୁ ଅପହରଣ କରି ନେଇଗଲେ । ଆମେ କ’ଣ ଏମିତି ସହିଯିବା?”

                ବଳରାମ କହିଲେ “କ’ଣ ହେଲା? ଅର୍ଜୁନ ସୁଭଦ୍ରାକୁ ଅପହରଣ କରି ନେଲା? ଇଏ କିପରି ସମ୍ଭବ ହେଲା? କୃଷ୍ଣ କାହିଁ । ସେ କ’ଣ ଏସବୁ ବିଷୟରେ ଅବଗତ ହୋଇନାହିଁ । ଯଦୁବଂଶ ପ୍ରତି ଏହା ଏକ ଘୋର ଅପମାନ । ଚାଲ ଏବେ ଦ୍ୱାରକା ଲେଉଟି ଯିବା ସେଠାରେ ଯାହା କିଛି ବନ୍ଦୋବସ୍ତ କରାଯିବ ।” ଏହାପରେ ସେ ରାଗରେ ଥରି ଥରି ଦ୍ୱାରକା ଫେରିଲେ ।

                ଦ୍ୱାରକାରେ ପହଁଚି ସେ ପ୍ରଥମେ ଶ୍ରୀକୃଷ୍ଣଙ୍କୁ ଦେଖିଲେ । ସେ ରାଗରେ ଓ ଅପମାନରେ ଜଳିଯାଇ କହିଲେ, “କୃଷ୍ଣ, ଇଏ କି କଥା, ଯେଉଁ ଭୟଙ୍କର ଘଟଣା ଘଟିଲା, ତୁମେ କ’ଣ ଏବିଷୟରେ ଅବଗତ ହୋଇନାହଁ? ଚୁପ୍ କାହିଁକି? ଏବେ ଆଦେଶ ଦିଅ, ମୁଁ ସୈନ୍ୟବାହିନୀଙ୍କୁ ନେଇ ସମଗ୍ର କୌରବବଂଶକୁ ନିପାତ କରି ଫେରିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ