ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଭାରତ

                ଭାଇଙ୍କ କଥା ଶୁଣି ଶ୍ରୀକୃଷ୍ଣ ଅଳ୍ପ ହସି କହିଲେ, “ଅର୍ଜୁନ କ’ଣ ଏପରି ଅପରାଧ କଲା? ସୁଭଦ୍ରା ଆମର ଗୋଟିଏ ବୋଲି ଭଉଣୀ । ତା’ପାଇଁ ସାରାଭାରତବର୍ଷରେ ଅର୍ଜୁନ ବ୍ୟତୀତ ଦ୍ୱିତୀୟ ଯୋଗ୍ୟ ବର ଆଉ କ’ଣ କେହି ଅଛି କି? ଏଥିରେ ଆନନ୍ଦିତ ନହୋଇ ଆପଣ କାହିଁକି ରାଗୁଛନ୍ତି? ଏହି ଯାଦବ ସୈନ୍ୟମାନେ ବୀର ଅର୍ଜୁନ ହାତରେ ହାରି ଫେରି ଆସିଲେ କ’ଣ ତାହା ସୁନ୍ଦର ହେବ? ଆହୁରି ମଧ୍ୟ ଶୁଣନ୍ତୁ ସେ ଅପହରଣ କରିନାହିଁ । ସେମାନଙ୍କର ବିବାହ ତ ମୋରି ଉପସ୍ଥିତିରେହିଁ ହୋଇଛି ଏବଂ ଶାସ୍ତ୍ର ମତେ, ସେଥିରେ ସ୍ୱୟଂ ଇନ୍ଦ୍ରଦେବ ଓ ଅନ୍ୟାନ୍ୟ ଦେବଦେବୀମାନେ, ରୁକ୍ମିଣୀ, ମାତା ଦେବକୀ ଓ ପିତା ବସୁଦେବ ମଧ୍ୟ ଥିଲେ ହଠାତ୍ ଉପରେ ହୋଇଗଲା ଯେ ଆପଣଙ୍କୁ ଖବର ଦେଇ ଆଣିବା ମଧ୍ୟରେ ଲଗ୍ନ ଗଡି ଯାଇଥା’ନ୍ତା । ତେଣୁ ଆପଣ ଖୁସି ହୁଅନ୍ତୁ ଯେ ସୁଭଦ୍ରାର ସମସ୍ତ କିଛି କୁଶଳରେ ତଥା ମଙ୍ଗଳ ମଧ୍ୟରେ ହୋଇଛି । ଯାହା ବିଧିର ଇଚ୍ଛା ।”

                “ବିଧିର ଇଚ୍ଛା ନା ତୁମର ଇଚ୍ଛା? ଏତକ ଆଗରୁ କହିଥିଲେ ତ ସରିଥାନ୍ତା । ଖାଲିଟାରେ ଯାଦବ ସୈନ୍ୟମାନେ ନଅର ବାହାରେ ଏକତ୍ରିତ ହେଉଛନ୍ତି ଇନ୍ଦ୍ରପ୍ରସ୍ଥକୁ ଯୁଦ୍ଧଯାତ୍ରା କରିବେ ବୋଲି । ଯାଅ ଏହି ସୁସମ୍ବାଦଟି ସେମାନଙ୍କୁ ଦେଇ ସେମାନଙ୍କ କର୍ଣ୍ଣ ମନ, ପ୍ରାଣ ଓ ଶରୀରରେ ଅମୃତ ସଂଚାର କର । ମୁଁ ଆଉ ସେମାନଙ୍କୁ ମୁହଁ ଦେଖାଇବାକୁ ଯାଉନାହିଁ ।”

                “ଆପଣଙ୍କୁ ସେଠାକୁ କିଏ ଯିବାକୁ କହୁଛି? ଏଇତ ମୁଁ ଗଲି ।” ଏତିକି କହି ଶ୍ରୀକୃଷ୍ଣ ତାଙ୍କ ଯାଦବବୀରମାନଙ୍କୁ ଘଟଣାଟି ବୁଝାଇବାକୁ ସେଠାରୁ ପ୍ରସ୍ଥାନ କଲେ ।

                ଏଣେ ଅର୍ଜୁନ ସୁଭଦ୍ରାଙ୍କୁ ନେଇ ଇନ୍ଦ୍ରପ୍ରସ୍ଥରେ ପହଁଚି ସମସ୍ତ ଘଟଣା ବିବୃତ କଲେ । ଦ୍ରୌପଦୀଙ୍କ ମନ କିଛିଟା ଆନ୍ଦୋଳିତ ହେଲା । କିନ୍ତୁ ସୁଭଦ୍ରା ସାନ ଭଉଣୀ ପରି ଯାଇ ତାଙ୍କର ପାଦବନ୍ଦନା କରିବାରୁ ସେ ତାଙ୍କ ଉପରେ ଖୁସି ହେଲେ । କୁନ୍ତୀଙ୍କର ତ ସେ ଭାଇର ଝିଅ । ତେଣୁ ତାଙ୍କ ଆନନ୍ଦର କୌଣସି ସୀମା ନାହିଁ । ବଂଶସାରା ଅତି ଆନନ୍ଦରେ କିଛି ଦିନ ରହିଲେ । ତା’ପରେ କୃଷ୍ଣ ଓ ବଳରାମ, ଯାଦବ ମୁଖ୍ୟମାନଙ୍କୁ ସାଥିରେ ଧରି ସୁଭଦ୍ରାଙ୍କର ଯୌତୁକସବୁ ଅନେକ ଧନରତ୍ନ, ଘୋଡାହାତୀ, ପରିଚାରକ, ସୈନ୍ୟ ନେଇ ଆସି ସବୁ ଯୁଧିଷ୍ଠିରଙ୍କୁ ସମର୍ପଣ କଲେ । ହସ୍ତୀନାପୁରରେ କିଛିଦିନ ଆନନ୍ଦରେ ରହି ସେମାନେ ପୁଣି ଦ୍ୱାରକା ପ୍ରତ୍ୟାବର୍ତ୍ତନ କଲେ ।

                କାଳକ୍ରମେ ସୁଭଦ୍ରାଙ୍କର ପୁତ୍ର ଅଭିମନ୍ୟୁ ଜନ୍ମ ହେଲେ ଓ ଦ୍ରୌପଦୀଙ୍କର ପାଂଚ ପୁତ୍ର ଜନ୍ମ ହେଲେ । ସେମାନେ ପିଲାଦିନରୁ ଅର୍ଜୁନଙ୍କ ପାଖରେ ଧନୁର୍ବିଦ୍ୟା ଶିକ୍ଷା କଲେ ।

ଥରେ ଶ୍ରୀକୃଷ୍ଣ ଯେତେବେଳେ ଇନ୍ଦ୍ରପ୍ରସ୍ଥରେ ଥିଲେ ଗ୍ରୀଷ୍ମକାଳ ବଡ ଭୟଙ୍କର ହୋଇଥିଲା । ସେତେବେଳେ ଅର୍ଜୁନ କହିଲେ “ଗ୍ରୀଷ୍ମସମୟରେ ଯମୁନା ନଦୀ ନିକଟରେ ଯାଇ କିଛିଦିନ ରହିବା, ଶିକାର କରିବା ଓ ଆନନ୍ଦରେ କାଳ କଟାଇବା । ଏଠାରେ ଗ୍ରୀଷ୍ମ ଅସହ୍ୟ ।”

ଏହାପରେ ସେମାନେ ଖାଣ୍ଡବବନ ସମୀପରେ ଛୋଟ ଘରକରି ଯମୁନାକୂଳରେ ଯାଇ ରହିଲେ । ସେଠାରେ ସେମାନେ ଦୁହେଁ ବଡ ଶାନ୍ତିରେ ଥା’ନ୍ତି । ଚନ୍ଦନ ସବୁ ଦେହରେ ବୋଳି ଦେହକୁ ଶୀତଳ କରିଛନ୍ତି । ଯମୁନାରେ ସ୍ନାନ କରନ୍ତି । ଏହିପରି ଭାବେ ସେମାନେ ଗ୍ରୀଷ୍ମ କଷ୍ଟ ଭୁଲିଗଲେ ।

ସେହି ସମୟର କଥା । ଥରେ ଜଣେ ବୃଦ୍ଧ ବ୍ରାହ୍ମଣ ସେଠାକୁ ଆସି ପହଁଚିଲେ । ତାଙ୍କର ବଡ ଲମ୍ବା ଶରୀର । କିନ୍ତୁ ସେ ଅତ୍ୟନ୍ତ କାନ୍ତି ଯୁକ୍ତ । ସେ ଆସି ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କୁ କହିଲେ, “ମହାଶୟ, ମୁଁ ଜଣେ ଭୋଜନପ୍ରିୟ ବ୍ରାହ୍ମଣ । ମୋତେ କିଛି ଖୁଆଇ ପାରିବେ?” ଏମାନେ କହିଲେ, “ନିଶ୍ଚୟ, କିନ୍ତୁ କୁହନ୍ତୁ କିପ୍ରକାରର ଖାଦ୍ୟରେ ଆପଣଙ୍କ ଅଭିରୁଚି? ଆମେ ଯଦି ତାହା ଦେଇପାରିବୁ ନାହିଁ?”

“ମୁଁ ଅଗ୍ନିହୋତ୍ରୀ ବ୍ରାହ୍ମଣ । ମୋର ଅନ୍ୟକୌଣସି ଭୋଜନର ଆବଶ୍ୟକତା ନାହିଁ । ମୁଁ ଏହି ସାରା ଖାଣ୍ଡବବନଟିକୁ ଖାଇବାକୁ ଚାହେଁ । ମୁଁ କେତେଥର ଖାଇବାକୁ ଚେଷ୍ଟା କରିଛି । କିନ୍ତୁ ଠିକ୍ ଖାଇବାକୁ ଆରମ୍ଭ କରିବା ମାତ୍ରେ ଇନ୍ଦ୍ରଦେବ ମୁଷଳ ଧାରାରେ ବର୍ଷା କରନ୍ତି । ତେଣୁ ମୋ ଇଚ୍ଛା ପୂରଣ ହୋଇପାରେ ନାହିଁ । ଆପଣମାନେ ସହାୟତା କଲେ ମୋର ଅନେକ ଦିନର ଇଚ୍ଛା ଅବଶ୍ୟ ପୂର୍ତ୍ତି ହେବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ