ଅଗ୍ନିହୋତ୍ରୀ ଖାଣ୍ଡବବନ ଦହନ କରିବାକୁ କହିବା ପଛରେ ଏକ କାରଣ ରହିଛି ।
ଅନେକ ପୂର୍ବେ ଶ୍ୱେତକୀ ନାମକ ଜଣେ ରାଜା ଥିଲେ । ସେ ବହୁତ ଯାଗଯଜ୍ଞ କରୁଥିଲେ ଅନେକ ଦିନ ଧରି ଯଜ୍ଞ କରିବାରୁ ଯଜ୍ଞର ଧୁଆଁରେ ବ୍ରାହ୍ମଣମାନଙ୍କ ଚକ୍ଷୁ ନଷ୍ଟ ହେଲା । ତା’ପରେ ଅନ୍ୟ ବ୍ରାହ୍ମଣ ଅଣାଇ ରାଜା ତାଙ୍କ ଯଜ୍ଞ ଶେଷ କଲେ ।
ପରେ ଯେତେବେଳେ ଯଜ୍ଞ କରିବାକୁ ସେ ବ୍ରାହ୍ମଣମାନଙ୍କୁ ଡକାନ୍ତି, ସେତେବେଳେ ସେମାନେ ମନା କରି ଦେଇ କହିଲେ, “ମହାରାଜ, ଆପଣଙ୍କ ଯଜ୍ଞରେ କେବଳ ମହାଦେବହିଁ ରତ୍ୱିକ ହୋଇ ପାରିବେ ତାଙ୍କ ଛଡା ଆଉ କେହି ନୁହେଁ । ରାଜା ହିମାଳୟ ଯାଇ ତପସ୍ୟା କରି ଶିବଙ୍କୁ ସନ୍ତୁଷ୍ଟ କଲେ ଶିବ ଦର୍ଶନ ଦେବାରୁ ସେ କହିଲେ, “ଆପଣ ମୋ ଯଜ୍ଞର ରତ୍ୱିକ ହୁଅନ୍ତୁ ।”
ଶିବ କହିଲେ “କିନ୍ତୁ ରତ୍ୱିକ ତ ବ୍ରାହ୍ମଣମାନେ ହୁଅନ୍ତି । ପୁଣି ତମେ ଯେବେ ବାର ବର୍ଷ ଧରି ଅଗ୍ନିଙ୍କୁ ପ୍ରାର୍ଥନା କରିବ ତ ଏହା ସମ୍ଭବ ହୋଇ ପାରେ ।”
ଶିବଙ୍କ କହିବା ଅନୁସାରେ ଶ୍ୱେତକୀ ଅଗ୍ନିଙ୍କୁ ପ୍ରାର୍ଥନା କଲେ । ତା’ପରେ ଶିବ କହିଲେ, “ଆରମ୍ଭରୁ ମୁଁ କହିଛି ଯଜ୍ଞ କେବଳ ବ୍ରାହ୍ମଣ କରନ୍ତି । ମୁଁ ତ ଏଥିପାଇଁ ଯୋଗ୍ୟ ନୁହେଁ । କିନ୍ତୁ ମୋର ପ୍ରତିନିଧି ହୋଇ ମହାମୁନି ଦୁର୍ବାସା ତୁମ ଯଜ୍ଞରେ ରତ୍ୱିକ ହେବେ । ଯଜ୍ଞର ବନ୍ଦୋବସ୍ତ କର ।”
ଯଜ୍ଞ ହେଲା । ଦୁର୍ବାସା ରତ୍ୱିକ ହୋଇ ଯଜ୍ଞ କରି ଦକ୍ଷିଣା ନେଇ ଚାଲିଗଲେ । ଅଗ୍ନିଦେବ ଯଜ୍ଞର ସମସ୍ତ ଘିଅ ଖାଇବା ଦ୍ୱାରା ତାଙ୍କୁ ଅଜୀର୍ଣ୍ଣ ରୋଗ ହେଲା । ତାଙ୍କର ଶିଖା ମଳିନ ହେଲା । ସେ ଥରେ ବ୍ରହ୍ମାଙ୍କ ପାଖକୁ ଯାଇ ନିଜର ଦୁଃଖ ତାଙ୍କୁ ଜଣାଇଲେ ।
ବ୍ରହ୍ମା କହିଲେ, “ତୁମର ଅଜୀର୍ଣ୍ଣ ରୋଗ ହୋଇଛି; ଏବେ ଏକ ଉପାୟ ଅଛି । ତୁମେ ଖାଣ୍ଡବ ବନକୁ ଖାଇ ଯାଅ, ଅର୍ଥାତ୍ ତୁମେ ସେ ଖାଣ୍ଡବବନକୁ ଦଗ୍ଧ କର । ସେଥିରେ ଅନେକ ଔଷଧିଅବୃକ୍ଷ ଅଛି । ତଦ୍ୱାରା ତୁମେ ତୁମର ପୂର୍ବସ୍ୱାସ୍ଥ୍ୟ ପୁଣିଥରେ ଫେରିପାଇବା ସଙ୍ଗେସଙ୍ଗେ ଶିଖାମାନେ ପୁଣି ପ୍ରଜ୍ଜ୍ୱଳିତ ହୋଇ ଉଠିବେ । ତଦ୍ୱାରା ତୁମର ରୋଗ ସମ୍ପୂର୍ଣ୍ଣ ରୂପେ ଦୂର ହେବ ।”
ଅଗ୍ନି ତା’ପରେ ଖାଣ୍ଡବବନ ଦହନ କରିବାକୁ ବାରମ୍ବାର ଚେଷ୍ଟା କଲେ । କିନ୍ତୁ ଅଗ୍ନି ଜଳିବା ମାତ୍ରେ ଇନ୍ଦ୍ର ବର୍ଷା କରି ତାକୁ ଲିଭାଇ ଦିଅନ୍ତି । ନିଜ ଚେଷ୍ଟାରେ ବିଫଳ ହୋଇ ସେ ବ୍ରହ୍ମାଙ୍କ ନିକଟକୁ ଫେରି ଆସି ସମସ୍ତ କଥା କହିଲେ । ସେ କହିଲେ, “ଇନ୍ଦ୍ରଙ୍କ ହସ୍ତକ୍ଷେପ ଫଳରେ ମୁଁ ମୋର ପ୍ରଚେଷ୍ଟାରେ ବାରମ୍ବାର ବିଫଳ ହେଲି । ଏବେ ମଧ୍ୟ ମୁଁ ସେହି ଅଜୀର୍ଣ୍ଣ ରୋଗ ଭୋଗୁଛି । ଏଥର ଆଉ କିଛି ପ୍ରତିକାର କରିବାପାଇଁ ଆପଣ ମୋତେ ଆଦେଶ ଦିଅନ୍ତୁ ।”