ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାମନ୍ତ୍ରୀଙ୍କ କୁଡିଆ ଘର

ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ଶାସନକାଳରେ ଜଣେ ସୁଶାସକ ଭାବରେ ତାଙ୍କର ଖ୍ୟାତି ବହୁତ ବଢିଯାଇଥିଲା । ଏଥିପାଇଁ ତାଙ୍କୁ ବିଶେଷ ଭାବରେ ସହାୟତା ପ୍ରଦାନ କରୁଥିବା ମହାମନ୍ତ୍ରୀ ଚାଣକ୍ୟ ଚର୍ଚ୍ଚାକୁ ଆସିଯାଇଥିଲେ ।

ଏକଦା ଚୀନ ପରିବ୍ରାଜକ ହୁଏନ୍ସାଂ ଇଣ୍ଡିଆ ଭ୍ରମଣରେ ଆସିଥାନ୍ତି । ସେ ବୁଲୁବୁଲୁ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସାମ୍ରାଜ୍ୟରେ ପଶିଗଲେ । ସେଠାକାର ଶାସନ ବ୍ୟବସ୍ଥା ଦେଖି ସେ ଆଚମ୍ବିତ ହୋଇଗଲେ । ଶେଷରେ ସେ ମହାମନ୍ତ୍ରୀ ଚାଣକ୍ୟଙ୍କୁ ସାକ୍ଷାତ୍ କରି ତାଙ୍କ ସହିତ ଦି’ପଦ କଥା ହେବାଲାଗି ମନ ବଳାଇଲେ ଯଦିଓ ପୂର୍ବରୁ ସେ ଚାଣକ୍ୟଙ୍କର ବୁଦ୍ଧିମତା ଓ ପ୍ରଖର ଧୀଶକ୍ତି ବିଷୟରେ ଜାଣିଥିଲେ ।

ଦିନକର କଥା । ସକାଳୁ ସକାଳୁ ପରିବ୍ରାଜକ ଗଙ୍ଗାନଦୀ କୂଳେ କୂଳେ ବୁଲୁଥାନ୍ତି । ସେଠାରେ ଜଣେ ବୃଦ୍ଧଙ୍କ ସହିତ ତାଙ୍କର ଅଚାନକ ଦେଖାହେଲା । ସେତେବେଳେ ସେ ବୃଦ୍ଧ ଜଣକ ସ୍ନାନକର୍ମ ଶେଷ କରି ଘରକୁ ଫେରିବା ଅବସ୍ଥାରେ ଥିଲେ ।

ଠିକ୍ ଏତିକିବେଳେ ପରିବ୍ରାଜକ ବୃଦ୍ଧଙ୍କ ନିକଟରେ ପହଁଚି ତାଙ୍କୁ ସମ୍ମାନ ଜଣାଇ କହିଲେ, ମହାଶୟ! ମୁଁ ଚୀନଦେଶରୁ ଆସିଥିବା ଜଣେ ପରିବ୍ରାଜକ । ଇଣ୍ଡିଆର ଅନେକ ସ୍ଥାନ ମୁଁ ବୁଲିଲିଣି । ମୌର୍ଯ୍ୟ ଶାସକ ଚନ୍ଦ୍ରଗୁପ୍ତଙ୍କ ଦରବାରରେ ଥିବା ତାଙ୍କ ମହାମନ୍ତ୍ରୀ ଚାଣକ୍ୟଙ୍କୁ ମୁଁ ଭେଟିବାକୁ ଚାହୁଁଛି । ଦୟାକରି ଆପଣ ମୋତେ ତାଙ୍କର ଠିକଣା କହିପାରିବେ?”

ବୃଦ୍ଧ ଜଣକ ଏହା ଶୁଣି ହସି ହସି କହିଲେ, “ଅତିଥିଙ୍କୁ ସହାୟତା ଦେବାହିଁ ମାନବ ଧର୍ମ । ଏଭଳି ସୁଯୋଗ କେବେ ମୋତେ ମିଳିଲେ ମୁଁ ନିଜକୁ ଧନ୍ୟ ମନେକରେ । ସୁତରାଂ ମୁଁ ନିଶ୍ଚୟ ସାହାର୍ଯ୍ୟ କରିବି, ଆପଣ ମୋ ସାଥୀରେ ଆସନ୍ତୁ । ମୁଁ ଆପଣଙ୍କୁ ତାଙ୍କ ନିକଟକୁ ନେଇଯିବି ।”

ଏଥର ଆଗେ ଆଗେ ଚାଲିଲେ ବୃଦ୍ଧ ଆଉ ତାଙ୍କ ପଛେ ପଛେ ପରିବ୍ରାଜକ । ସେମାନେ ଯେଉଁ ରାସ୍ତାଦେଇ ଚାଲୁଥିଲେ ତାହା ଜଙ୍ଗଲିଆ ରାସ୍ତାଥିଲା । ପରିବ୍ରାଜକ ମନେ ମନେ ବିଚାରୁଥାନ୍ତି ଚାଣକ୍ୟ ମହାମନ୍ତ୍ରୀ ନିଶ୍ଚୟ ରାଜଉଆସ ପାଶ୍ୱର୍ବର୍ତୀ ଅଂଚଳରେ ସୁରମ୍ୟ ଅଟ୍ଟାଳିକା ଭିତରେ ରହୁଥିବେ । ହେଲେ ଏ ବୃଦ୍ଧ ମୋତେ ଜଙ୍ଗଲଆଡକୁ ନେଇଯିବାର କାରଣ କ’ଣ? ଇଏ ଆଉ ମୋତେ କୌଣସି ଅସୁବିଧାରେ ପକାଇବା ପାଇଁ ନେଉ ନାହିଁ ତ?

କିଛିବାଟ ଗଲାପରେ ସେ ବୃଦ୍ଧ ଏକ ଆଶ୍ରମ ନିକଟରେ ଯାଇ ପହଁଚିଲେ । ସେହି ଆଶ୍ରମର ଚତୁର୍ଦ୍ଦିଗରେ ନିରବତା ଓ ଶାନ୍ତି ବିରାଜମାନ କରୁଥିଲା । ବିଭିନ୍ନ ପ୍ରକାରର ଫୁଲଗଛରେ ଶୋଭିତ ସେ ଆଶ୍ରମର ଦ୍ୱାରଦେଶରେ ପହଁଚି ବୃଦ୍ଧ କହିଲେ, “ମହାମନ୍ତ୍ରୀ ଚାଣକ୍ୟ, ଆପଣା ଅତିଥିଙ୍କୁ ସ୍ୱାଗତ କରୁଛନ୍ତି । ଦୟାପୂର୍ବକ ଭିତରକୁ ଆସନ୍ତୁ ମହାଶୟ ।”

ପରିବ୍ରାଜକ ଏଭଳି ଏକ ଅଭାବନୀୟ ତଥା ଅବିଶ୍ୱାସନୀୟ ଦୃଶ୍ୟଦେଖି ଅବାକ୍ ହୋଇଗଲେ । ଏତେବଡ ଧନଶାଳୀ ସାମ୍ରାଜ୍ୟର ଜଣେ ଖ୍ୟାତନାମା ସମ୍ରାଟଙ୍କର ମହାମନ୍ତ୍ରୀଙ୍କ ଜୀବନଶୈଳୀ ଯେ ଏତେ ସାଧାସିଧା ହୋଇପାରେ, ଏହା ତ ତାଙ୍କର କଳ୍ପନାର ବାହାରେ ଥିଲା ।

ସେଦିନ ଚାଣକ୍ୟ ଆଗନ୍ତୁକ ପରିବ୍ରାଜକଙ୍କୁ ଦେଶୀମାନଙ୍କର ଜୀବନଶୈଳୀ ସଂପର୍କରେ ବୁଝାଇଦେଲେ । ଏକଦା ସରଳଜୀବନ ଯାପନ, ଉଚ୍ଚଚିନ୍ତା ଓ ଆଦର୍ଶକୁ ନେଇ ଜୀବନନିର୍ବାହ ଇଣ୍ଡିଆନ ସଂସ୍କୃତିର ମୂଳମନ୍ତ୍ର ଥିଲା । ଏକଥା ଚାଣକ୍ୟଙ୍କଠାରୁ ଶୁଣିବାପରେ ପରିବ୍ରାଜକଙ୍କର ଚାଣକ୍ୟଙ୍କ ପ୍ରତି ଶ୍ରଦ୍ଧା ସମ୍ମାନ ବହୁତ ବଢିଗଲା ।

ସତରେ ଜଣେ ମହାମନ୍ତ୍ରୀ ଏକ ସାଧାରଣ ଗରିବ ଲୋକ ରହୁଥିବା କୁଡିଆ ଘରେ ରହନ୍ତି ଦେଖିଲାପରେ ପରିବ୍ରାଜକ ସେଦିନ ଠିକ୍ କରି ନେଇଥିଲେ ଏଭଳି ସାଧାରଣ ଜୀବନ ଯାପନ କରୁଥିବା ମହାମନ୍ତ୍ରୀ ନିଶ୍ଚୟ ତାଙ୍କର ସାମ୍ରାଜ୍ୟକୁ ସ୍ୱଚ୍ଛ ଶାସନ ଦେଇପାରିବେ ।

ବିଶେଷ ଦ୍ରଷ୍ଟବ୍ୟ: ଏହା କାଳ୍ପନିକ ହୋଇଥାଇପାରେ, କାରଣ ଚାଣକ୍ୟ ଏବଂ ହୁଏନ୍ସାଂ ଏକ ସମୟ ଆବଧିରେ ଅବସ୍ଥାପନ କରୁନଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ