ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାରାଜାଙ୍କ କଳା

ସେହି ଅନୁସାରେ କାମ ହେଲା । ରାଜଧାନୀର ବଡ ବଡ ତିନି ଚାରିଗୋଟି ଦୋକାନରେ ସେସବୁ ଚିତ୍ର ବିକ୍ରି ହେବାର ବ୍ୟବସ୍ଥା ହେଲା ।

ରାଜା ଦିନ ରାତି ଚିତ୍ର ଅଙ୍କାରେ ବ୍ୟସ୍ତ ରହିଲେ । ପ୍ରାକୃତିକ ଦୃଶ୍ୟ, ରାଜପରିବାରର ଲୋକମାନଙ୍କ ଚେହେରା ଓ ରାଜାଙ୍କ ପ୍ରିୟ ପାତ୍ରମିତ୍ରଙ୍କ ମୁହଁ ସବୁ ଗୋଟାଏ ପରେ ଗୋଟାଏ ଅଙ୍କା ହେଲା । ପଶୁପକ୍ଷୀ ବି ସେଥିରୁ ବାଦ୍ ଗଲେ ନାହିଁ । ନିଯୁକ୍ତି ପାଇଥିବା ଯୁବକ କଳାକାରମାନେ ସେସବୁର ଅବିକଳ ନକଲ ପ୍ରସ୍ତୁତ କରି ଚାଲିଥାନ୍ତି । ଅମାତ୍ୟ ସୁଜନଚନ୍ଦ୍ର କାଠପଟା, ରଙ୍ଗ ଓ କନା ସବୁ ଯୋଗାଇବାର ଦାୟିତ୍ୱ ନେଇଥାନ୍ତି । ଏଣୁ ସେ ରାଜକୋଷରୁ ପ୍ରଚୁର ଟଙ୍କା ନେଉଥାନ୍ତି ।

ବର୍ଷକ ପରେ ରାଜା ଦିନେ ତାଙ୍କ ମନ୍ତ୍ରୀଙ୍କୁ ପଚାରିଲେ, “ମନ୍ତ୍ରୀବର! ଆମର ନୂଆ ଯୋଜନା କିପରି ଚାଲିଛି?” ମନ୍ତ୍ରୀ ଟିକିଏ ଇତସ୍ତତଃ କରି କହିଲେ, “ମହାରାଜ! ଭଲ ଚାଲିଥିବ ପରା! ସୁଜନଚନ୍ଦ୍ର ଲକ୍ଷ ଲକ୍ଷ ଟଙ୍କା ରାଜକୋଷରୁ ନେଇ ବିଭାଗଟି ଚଳାଇଛନ୍ତି । ବହୁତ ଶସ୍ତାରେ ଆପଣଙ୍କ ଚିତ୍ର ସବୁର ନକଲମାନ ବିକ୍ରି ହେଉଛି । ୟାଭିତରେ ସୁଜନଚନ୍ଦ୍ର ନିଜ ପାଇଁ ଗୋଟାଏ କୋଠା ବନାଇ ସାରିଲେଣି । ତେଣୁ ସବୁ ଭଲ ଚାଲିଛି ବୋଲିବାକୁ ହେବ ।”

ରାଜା ପଚାରିଲେ “ଲୋକଙ୍କ ଭିତରେ ଏହା କଳାଜ୍ଞାନର ଉଦ୍ରେକ କରିଛି କି?”

ମନ୍ତ୍ରୀ ଇତସ୍ତତଃ କଲେ । ରାଜା ପ୍ରଶ୍ନଟିର ପୁରୋବୃତି କରି ଅପେକ୍ଷା କଲେ ।

“ମଣିମା! ସେକଥା ଜାଣିବାକୁ ହେଲେ ଆମକୁ ଛଦ୍ମବେଶରେ ଯାଇ ରାଜଧାନୀ ବୁଲିବାକୁ ହେବ ।”

ରାଜା ଏଥିରେ ସମ୍ମତ ହେଲେ । ଦୁହେଁ ଛଦ୍ମବେଶରେ ବାହାରି ପଡିଲେ । ସେମାନେ ଯାଇ ସହରର ପ୍ରଧାନ ଦୋକାନରେ ପହଁଚିଲେ । ସେଠାରେ ଗୋଟିଏ କୋଠରୀରେ ରାଜାଙ୍କ ଚିତ୍ରର ନକଲମାନ ସବୁ ମିଳୁଥାଏ । ରାଜା ଓ ମନ୍ତ୍ରୀ ଶୁଣିଲେ, ଜଣେ ବାଳକ ତା’ ବଡ ଭାଇକୁ ପଚାରୁଛି, “ଭାଇ, ଚିତ୍ରରେ ସେ ଜୀବଟି କ’ଣ, ଘୋଡା ନା ମଇଁଷୀ?”

ବଡ ଭାଇ କହିଲା “ଘୋଡା ନୁହେଁ କି ମଇଁଷୀ ନୁହେଁ, ବୋଧହୁଏ ଏଇଟା ଗୋଟେ ବରାହ । ଏହା ରାଜାଙ୍କ ମୂଳ ଚିତ୍ରର ଅବିକଳ ନକଲ, ଏକଥା ମନେ ରଖି ଜୀବଟି କିଏ ତାହା ବୁଝିବାକୁ ଚେଷ୍ଟା କରିବୁ ।” ଏହାପରେ ସେ ଦୁଇଭାଇ ହସିଲେ ।

“ଏ ଦୁଇ ପିଲା କେଡେ ଅରସିକ!” ଏହା କହି ରାଜା ମନ୍ତ୍ରୀଙ୍କୁ ଧରି ଅନ୍ୟ ଗୋଟାଏ ଦୋକାନକୁ ଗଲେ । ସେତିକିବେଳେ ଜଣେ ଜଣାଶୁଣା କଳା ଶିକ୍ଷକ ପଶି ଆସି ଦୋକାନୀକୁ କହିଲେ, “ମୋତେ ଜଲ୍ଦି ରାଜାଙ୍କ ଛବିରୁ ବାରଟି ଦେଲ!”

ଦୋକାନୀ ପଚାରିଲା “ଏକାବେଳେ ବାର?”

କଳା ଶିକ୍ଷକ କହିଲେ “ଆରେ ଭାଇ, ମୋ ନୂଆ କଳା-ଛାତ୍ରମାନେ କିଛିବି ଶିଖି ନାହାଁନ୍ତି । ଏଇସବୁ କଂଚା ଚିତ୍ରକୁ କିପରି ଉନ୍ନତ କରାଯାଇ ପାରେ, ସେମାନଙ୍କୁ ସେଇ ଅଭ୍ୟାସ କରାଇବି । ଏଗୁଡିକ ଶସ୍ତା ବୋଲି ମୋ ପକ୍ଷରେ କିଣିବା ଭାରି ସହଜ ।”

ଏକଥା ଶୁଣିବା ମାତ୍ରେ ରାଜାଙ୍କ ମୁହଁ ଫିକା ପଡିଗଲା । ସେ ତରତରରେ ବାହାରିଗଲେ । ତା’ପରେ ସେ ଓ ମନ୍ତ୍ରୀ ତୃତୀୟ ଦୋକାନରେ ଯାଇ ପହଁଚିଲେ । ଗୋଟିଏ ଗରୀବ ବୁଢୀ ରାଜାଙ୍କ ଚିତ୍ରର ଯୋଡିଏ ନକଲ୍ କିଣୁଥିବାର ସେମାନେ ଦେଖିଲେ । ରାଜାଙ୍କ ମୁହଁରେ ହସ ଫୁଟିଲା । ସେ ଯାଇ ବୁଢୀକୁ ପଚାରିଲେ, “ତମକୁ ଏ କଳା ଖୁବ୍ ଭଲଲାଗେ ପରା!”

ବୁଢୀ ଉତ୍ତର ଦେଲା “ଆରେ ପୁଅ, ଏ କାଠପଟାରୁ ମୁଁ ଏ ଚିତ୍ର ଉଠାଇ ଦେଇ ସେଠି ଶିବ ଦୂର୍ଗାଙ୍କ ଚିତ୍ର ରଖିବି । ମୁଁ ଯଦି ଖାଲି କାଠପଟା କିଣିବି, ତେବେ ବେଶି ପଇସା ପଡିବ ।”

ରାଜାଙ୍କ ମୁହଁ ଏଥର କଳା ପଡିଗଲା । ସେ ନଅରକୁ ଫେରି ଆସି ମନ୍ତ୍ରୀଙ୍କୁ କହିଲେ, “ମନ୍ତ୍ରୀ, ସେ ବିଭାଗ ବନ୍ଦ କରିଦିଅ ।”

ମନ୍ତ୍ରୀ ପ୍ରସ୍ତାବ ଦେଲେ “ମହାରାଜ! ବିଭାଗ ବନ୍ଦ କରିବା ନାହିଁ । ଯେଉଁ ଯୁବକ ଶିଳ୍ପୀମାନେ ନିଯୁକ୍ତି ପାଇଛନ୍ତି, ଏଣିକି ସେମାନଙ୍କୁ ମଧ୍ୟ ଚିତ୍ର ଆଙ୍କିବାର ସୁଯୋଗ ଦିଆଯାଉ । ପ୍ରତି ଦୁଇ ବର୍ଷରେ ଆମେ ନୂଆ ଶିଳ୍ପୀମାନଙ୍କୁ ଗ୍ରହଣ କରିବୁ ଓ ପୁରୁଣାମାନେ ବିଦାୟ ନେବେ । ଫଳରେ ଅନେକ ଶିଳ୍ପୀ ଉତ୍ସାହ ପାଇବେ ।”

ରାଜା କହିଲେ “ତାହାହିଁ ହେଉ, ମନ୍ତ୍ରୀବର!”


ଗପ ସାରଣୀ

ତାଲିକାଭୁକ୍ତ ଗପ