ଅନେକ ଦିନ ତଳେ ଉଜ୍ଜ୍ୱଳ ନଗରରେ ଜଣେ ଖୁବ୍ ନାମଯାଦା ରାଜା ରାଜୁତି କରୁଥିଲେ, ତାଙ୍କର ନାମ ହେଉଛି ବିକ୍ରମାଦିତ୍ୟ । କେତେକ ବିଦ୍ୱାନ କହନ୍ତି, ବିକ୍ରମାଦିତ୍ୟ ତାଙ୍କର ଅସଲ ନାମ ନୁହେଁ, ସେ ହେଉଛି ତାଙ୍କର ଉପାଧି । ସେ ଯାହା ବି ହେଉ, ସେହି ବିକ୍ରମାଦିତ୍ୟ ନାମରେ ସେ ସବୁଠି ମାନ ମର୍ଯ୍ୟାଦା ପାଉଥିଲେ । ସେ ନିଜର ସାଧନା ବଳରେ ଢେର ଢେର ଅସାଧ୍ୟ ବିଦ୍ୟା ସାଧିଥିଲେ । ଶାସ୍ତ୍ର, ସଂହିତା, ସ୍ମୃତି ଇତ୍ୟାଦିରେ ଯେମିତି ସେ ଧୁରନ୍ଧର ଥିଲେ, ଯୁଦ୍ଧବିଦ୍ୟା, ଚିକିତ୍ସା ବିଦ୍ୟା, ଜ୍ୟୋତିଷ ବିଦ୍ୟା, କାରିଗରୀ ବିଦ୍ୟା, ମନ୍ତ୍ର, ଯନ୍ତ୍ର, ତନ୍ତ୍ର ବିଦ୍ୟା, ବେତାଳ ସାଧନା, ନାଗାକ୍ତ ବିଦ୍ୟା, ପଶୁପକ୍ଷୀଙ୍କ ଭାଷାଜ୍ଞାନ, ଧର୍ମନୀତି, ଯୁଦ୍ଧନୀତି, ନ୍ୟାୟନୀତି, ଏପରିକି କିଛି କିଛି ଭୋଜବିଦ୍ୟା ବି ସେ ଜାଣିଥିଲେ । ସେ ନିଜେ ବହୁ ପ୍ରକାର ବିଦ୍ୟାରେ ଖୁବ୍ ଯୋଗ୍ୟର ଥିବାରୁ ତାଙ୍କର ରାଜସଭାରେ ବାଛି ବାଛି ନଅ ଜଣ ଦିଗ୍ବିଜୟୀ ବିଦ୍ୱାନଙ୍କୁ ରଖିଥିଲେ, ସେମାନଙ୍କୁ ନବରତ୍ନ କହନ୍ତି ।
କୌଣସି ଗୋଟିଏ ଅଲୌକିକ ଘଟଣା ଜଣେ ମାମୁଲି ଗରିବ ପ୍ରଜାଠୁ ଶୁଣିଲେ ବି ସେ ନିଜେ ସେହି ଆଡକୁ ଯାଇ ତାହାର ପ୍ରତିକାର କରୁଥିଲେ । ଦୁଃଖୀରଙ୍କି, ଅତିଥି, ଅଭ୍ୟାଗତ, ଏମିତି କେହି ବି ତାଙ୍କର ଦୁଆରରୁ ନିରାଶ ହୋଇ ଫେରୁ ନଥିଲେ । ସେଥିପାଇଁ ଚାରିଆଡେ ଲୋକେ ତାହାଙ୍କୁ ଧନ୍ୟ ଧନ୍ୟ ବୋଲି କହୁଥିଲେ । ମହାରାଜା ବିକ୍ରମାଦିତ୍ୟ ତାଙ୍କର ଅମଳରେ ଇମିତି ସବୁ ଅନେକ ଅଦ୍ଭୁତ ଘଟଣାରେ ତାହାଙ୍କ ପାଖରେ ଗୁହାରୀ କଲା ଲୋକମାନଙ୍କୁ ସାହାଯ୍ୟ କରିଥିଲେ । ତାଙ୍କର ଜନ୍ମ ରହସ୍ୟ ବି ଏକ ଅଲୌକିକ ଘଟଣାରେ ଭାରି କଉତୁକିଆ । ବିକ୍ରମାଦିତ୍ୟଙ୍କ ବାପା ଜଣେ କର୍ମଯୋଗୀ ଥିଲେ ।
ଦିନେ ସେ ଭୁଲ୍ କରିବାରୁ ଈଶ୍ୱର ତାହାଙ୍କୁ ଗଧ କରିଦେଲେ ଏବଂ ତୁ ଦିନରେ ଗଧ ହୋଇ ବୁଲିବୁ ଏବଂ ରାତିରେ ନିଜ ରୂପ ଫେରି ପାଇବୁ; ଯେଉଁଦିନ କିଏ ତୋର ଗଧ ଖୋଳଟି ପୋଡିଦେବ, ସେହିଦିନ ହିଁ ତୁ ପୁଣି ତୋରୋ ପୂର୍ବ ରୂପ ଫେରି ପାଇବୁ ।
ଦିନେ ମନ ଦୁଃଖ ମନରେ ମାରି ଗଧଟିଏ ହୋଇ ସେ ଗୋଟିଏ ପୋଖରୀ କୂଳରେ ଚାରୁଥାନ୍ତି । ରାତି ହେଲେ ତାହାର ନିଜ ରୂପ ଧରି ସେ ଚାରିଆଡେ ବୁଲୁଥାଏ । ଇମିତି କେତେଦିନ ବିତିଗଲା ।