ଏଣେ ନିଶା ଗରଜୁଥାଏ । ତେଣେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ସେତେବେଳେ ତା’ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନର ଶବ୍ଦ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ଶୁଭୁଥାଏ । ଭୟାବହ ମୁହଁଟିମାନ ଘନଘନ ବିଜୁଳି ଆଲୁଅରେ ଦିଶିଯାଉଥାଏ ।
କିନ୍ତୁ ସେ ରାଜା ବିକ୍ରମାର୍କ ତିଳେ ବି ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତା’ପରେ ସେ ତାକୁ କାନ୍ଧରେ ପକାଇ ସେହି ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜନ୍, ଅର୍ଦ୍ଧରାତ୍ରିରେ ତୁମେ ଏତେ କଷ୍ଟ କରି ଶ୍ମଶାନରେ ବୁଲୁଛ । ମୁଁ ବୁଝି ପାରୁନି ଏ କଷ୍ଟର ଫଳ ତୁମେ ପାଇବ କି ନାହିଁ । କିନ୍ତୁ ସାଫଲ୍ୟ ପ୍ରତି ବିଶ୍ୱାସ ରହିବା ଆବଶ୍ୟକ । କାରଣ ସାଧାରଣତଃ କଳାକାରମାନେ, ସୁରବୀରମାନେ ଓ ବିଦ୍ୱାନ ମାନେ ସମସ୍ତ ସମସ୍ୟାକୁ ନିଜର ଭାବି ସମାଧାନ କରିବାକୁ ଚେଷ୍ଟା କରନ୍ତି ନାହିଁ । ତେଣୁ ବେଳେବେଳେ ସେମାନେ ସାଫଲ୍ୟ ଲାଭ କରିବାକୁ ଯାଉଥିବାବେଳେ ଛୋଟ କିଛିର ଅଭାବ ଯୋଗୁଁ ସେମାନେ ସବୁ ହରାଇ ବସନ୍ତି । ମୁଁ ଏବେ ତୁମକୁ ମହାଶିଳ୍ପୀ ଅମରେନ୍ଦ୍ର ବିଷୟରେ କହୁଛି, ମନ ଦେଇ ଶୁଣ । ଶୁଣିଲେ ତୁମ ଶ୍ରମଭାର ଲାଘବ ହେବ । ବେତାଳ ଏଥର ଗପିଲା –
ଚନ୍ଦ୍ରଗିରିର ରାଜା କୀର୍ତ୍ତିଚନ୍ଦ୍ର କଳାପ୍ରିୟ ଥିଲେ; ତାଙ୍କ ଦରବାରରେ ସଦା ସର୍ବଦା କବିସମ୍ମିଳନୀ ଅନୁଷ୍ଠିତ ହୁଏ । କବିମାନେ ପୁରସ୍କାର ପାଆନ୍ତି । ସେଥିରେ ନୃତ୍ୟ ଗୀତର କାର୍ଯ୍ୟକ୍ରମ ମଧ୍ୟ ଥାଏ ।”
ରାଜା ସବୁପ୍ରକାରର କଳାକୁ ଭଲ ପାଉଥିଲେ । କିନ୍ତୁ ଶିଳ୍ପକଳାକୁ ସେ ଟିକେ ସବୁଠୁ ଅଧିକ ପସନ୍ଦ କରୁଥିଲେ । ସେ ଚାହୁଁଥିଲେ ଏକ ଅଦ୍ଭୁତ ନୃତ୍ୟଶାଳା ନିର୍ମାଣ କରିବେ ଯେଉଁଥିରେ କି ସୁନ୍ଦରୀ ଝିଅମାନଙ୍କର ପ୍ରତିକୃତି ଥିବ ଓ ଦେବୀ ଏବଂ ଦେବତାଙ୍କ ମୂର୍ତ୍ତିମାନ ରହିବ ।
ରାଜାଙ୍କ ମନରେ ଏହିକଥା ଥାଏ । ହଠାତ୍ ଦିନେ ରାଜାଙ୍କ ସହ ଅମରେନ୍ଦ୍ର ନାମକ ଏକ ଶିଳ୍ପୀଙ୍କର ଦେଖା ହେଲା । ସେ ଦୂର ଗ୍ରାମରେ ରହୁଥିଲେ ଓ ଶିଳ୍ପକଳାରେ ଅଦ୍ୱିତୀୟ ଥିଲେ । କିନ୍ତୁ ସେ ତାଙ୍କ ଶିଳ୍ପର ପ୍ରଚାର କରୁ ନଥିଲେ; ପୁଣି ଧନ ପ୍ରତି ମଧ୍ୟ ତାଙ୍କର କୌଣସି ଆସକ୍ତି ନ ଥିଲା । ତେଣୁ ସେ ଯାହା ଶିଳ୍ପ କରନ୍ତି, ତାହା ନିଜ ସନ୍ତୋଷ ଓ ଆନନ୍ଦ ପାଇଁ । ତାଙ୍କର ହାତ ଲାଗିଲେହିଁ କଠୋର ଶିଳା ମଧ୍ୟ ମୃଦୁ ହୋଇଯାଏ ।
ଅମରେନ୍ଦ୍ରଙ୍କର ଶିଳ୍ପକୃତି ଦେଖି ରାଜା ମନେମନେ ସ୍ଥିର କଲେ କି ତାଙ୍କୁହିଁ ସେ ରାଜଶିଳ୍ପୀ ପଦରେ ସମ୍ମାନିତ କରିବେ । କାରଣ ତାଙ୍କରି ଦ୍ୱାରାହିଁ ରାଜା ତାଙ୍କର ବହୁ ଦିନର ଇପ୍ସିତ ନୃତ୍ୟଶାଳା ତିଆରି କରାଇବେ । ରାଜା ଅମରେନ୍ଦ୍ରଙ୍କ ପାଖକୁ କେତେକ କର୍ମଚାରୀଙ୍କୁ ପଠାଇଲେ । ସେମାନେ ତାଙ୍କୁ ରାଜାଙ୍କ ଇଚ୍ଛା ବିଷୟ କହି ତାଙ୍କୁ ରାଜଧାନୀକୁ ନେଇ ଆସିବା ପ୍ରସ୍ତାବ କଲେ ।