ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାଶିଳ୍ପୀ

ରାଜକର୍ମଚାରୀମାନେ ପାଲିଙ୍କି ନେଇ ଅମରେନ୍ଦ୍ରଙ୍କ ପାଖରେ ପହଁଚିବାର ଦେଖି ଅମରେନ୍ଦ୍ର କହିଲେ, “ମୋର ସେସବୁ ପ୍ରତି ଆଦୌ ଲାଳସା ନାହିଁ । ଆପଣମାନେ ଯାଇ ମହାରାଜାଙ୍କୁ କହିଦେବେ ଯେ ମୁଁ ତାଙ୍କ ପ୍ରସ୍ତାବ ସ୍ୱୀକାର କରୁ ନଥିବା ଯୋଗୁଁ ମୋତେ ସେ ଯେପରି କ୍ଷମା ଦିଅନ୍ତି ।”

ରାଜକର୍ମଚାରୀମାନେ ଫେରିଯିବାପରେ ରାଜା ନିଜେ ଆସି ଅମରେନ୍ଦ୍ରଙ୍କୁ କହିଲେ, “ତମେ ଜଣେ ମହାନ୍ ଶିଳ୍ପୀ, କିନ୍ତୁ, ତୁମେ ତାହା ନିଜ ଭିତରେ ସୀମିତ ରଖୁଛ କାହିଁକି? ଏଥିରୁ ସମସ୍ତେ ଲାଭବାନ୍ ହେଲେହିଁ କଳାର ସାର୍ଥକତା ।”

ଏକଥା ଶୁଣି ଅମରେନ୍ଦ୍ର କହିଲେ, “ଆପଣ ଯାହା ବି କହୁଛନ୍ତି ସେକଥା ସତ । ସାଧାରଣତଃ ରାଜାମହାରାଜାମାନେ ନିଜର ଯଶକୀର୍ତ୍ତି ପାଇଁ କଳାକାର ବା ଶିଳ୍ପୀମାନଙ୍କୁ ଯଥେଷ୍ଟ ଧନ ଦେଇ ରଖାଇଥା’ନ୍ତି ।”

ଏପରି ଉତ୍ତର ପାଇ ରାଜା ଅତ୍ୟନ୍ତ ଦୁଃଖିତ ହୋଇ କହିଲେ, “ଅମରେନ୍ଦ୍ର, ତୁମେ ମୋତେ ଆଜିଯାଏଁ ବି ଠିକ୍ ଭାବରେ ବୁଝିନାହଁ । ପ୍ରକୃତରେ ତୁମପରି କଳାକାର, ମୋପରି ରାଜାମହାରାଜାଙ୍କ ଠାରୁ ନିଶ୍ଚୟ ଶ୍ରେଷ୍ଠ । ଦୟାକରି ମୋ କଥା ମାନ । ଏକ ସୁନ୍ଦର ନୃତ୍ୟଶାଳାର କଳ୍ପନା ମୋ ମନରେ ବହୁଦିନରୁ ଅଛି । କେବଳ ତୁମେହିଁ ମୋର ସେ କଳ୍ପନାକୁ ସାକାର ରୂପ ଦେବ ।”

ଅମରେନ୍ଦ୍ର କିଛି ସମୟ ଧରି ଭାବିବା ପରେ କହିଲେ, “ଆଚ୍ଛା ମହାରାଜ, ଆପଣଙ୍କ କଳ୍ପନାର ନୃତ୍ୟଶାଳାକୁ ସାକାର ରୂପ ଦେବାର ଦାୟିତ୍ୱ ମୁଁ ନେଉଛି ।”

ତା’ପରେ ଅମରେନ୍ଦ୍ର ରାଜଧାନୀକୁ ଆସିଗଲେ ଓ ନୃତ୍ୟଶାଳା ନିର୍ମାଣପାଇଁ ରାତି ଦିନ ସେଥିରେ ସେ ଲାଗି ପଡିଲେ । ଦିନେ ରାଜକୁମାରୀ ବିଜୟମାଳା ନୃତ୍ୟଶାଳା ଦେଖିବାକୁ ଆସିଲେ । ଅମରେନ୍ଦ୍ରଙ୍କର କଳାକୃତିସବୁ ଏତେ ସଜୀବ ଥିଲେ ଯେ ସେସବୁକୁ ଦେଖି ରାଜକୁମାରୀ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ । ତା’ପରେ ହାତୁଡି ଧରି କାମ କରୁଥିବା ଅମରେନ୍ଦ୍ରଙ୍କୁ ସେ ଦେଖିଲେ । ଅମରେନ୍ଦ୍ର ରୂପବାନ ଥିଲେ । ସେ ଗମ୍ଭୀର ପ୍ରକୃତିର ଓ ଏକାଗ୍ର ଭାବରେ କାମ କରୁଥିଲେ । ତାଙ୍କ ମୁହଁରେ ଏକ ସ୍ୱର୍ଗୀୟ ଆଭା ଥିଲା । ଏପରି ଅଦ୍ଭୁତ ବ୍ୟକ୍ତିଙ୍କୁ ସେ ରାଜକୁମାରୀ ଆଗରୁ କେବେବି ଦେଖି ନ ଥିଲେ । ଅମରେନ୍ଦ୍ରଙ୍କୁ ଦେଖିବା ମାତ୍ରେ ତାଙ୍କ ମନରେ ଶ୍ରଦ୍ଧା ଓ ସମ୍ମାନ ଜାଗ୍ରତ ହେଲା । କ୍ରମେ ତାଙ୍କର ଏହି ଶ୍ରଦ୍ଧା ଓ ସମ୍ମାନ ମଧ୍ୟରେ ସ୍ନେହ ଓ ପ୍ରେମ ମଧ୍ୟ ଜାତ ହେଲା । କିନ୍ତୁ ତାହା କେବଳ ତାଙ୍କ ମନ ମଧ୍ୟରେହିଁ ରହିଲା ।

ଏଣିକି ରାଜକୁମାରୀ ପ୍ରାୟ ପ୍ରତିଦିନ ନୃତ୍ୟଶାଳାକୁ ଯିବାକୁ ଲାଗିଲେ ଓ ଅମରେନ୍ଦ୍ରଙ୍କ ସହିତ ଶିଳ୍ପକଳା ଉପରେ ବହୁ ସମୟ ଧରି ଆଳାପ ଆଲୋଚନା କରିବାକୁ ଲାଗିଲେ । କିନ୍ତୁ ଲଜ୍ଜାବଶତଃ ନିଜର ମନ କଥା ସେ ବ୍ୟକ୍ତ କରିପାରୁ ନଥିଲେ ।

କିଛିଦିନ ପରେ ନୃତ୍ୟଶାଳା ନିର୍ମାଣ କାର୍ଯ୍ୟ ଶେଷ ହେଲା । ରାଜା, ମନ୍ତ୍ରୀ ଓ ଅନ୍ୟାନ୍ୟ ସଭାସଦ୍ଗଣ ଆସି ଶିଳ୍ପକଳାର ଭୁରିଭୁରି ପ୍ରଶଂସା କଲେ । ଏହାର ଏକ ସପ୍ତାହ ପରେ ନୃତ୍ୟଶାଳା ଉଦ୍ଘାଟନ କରାହେବା କଥା ।

ଇତିମଧ୍ୟରେ ରାଜକୁମାରୀ ଦିନେ ଅମରେନ୍ଦ୍ରଙ୍କୁ ନିଜ ମନକଥା ଖୋଲି କହିଲେ । ଏକଥା ଶୁଣି ଅମରେନ୍ଦ୍ର ଚମକି ଉଠିଲେ । ତା’ପରେ ଟିକିଏ ଚିନ୍ତାକରି ସେ କହିଲେ, “ତୁମେ ରାଜକୁମାରୀ, ମୁଁ ଜଣେ ସାଧାରଣ ନାଗରିକ, କୌଣସି ରାଜବଂଶରେ ମୋର ଜନ୍ମ ନୁହେଁ । ତେଣୁ ଏହା କିପରି ସମ୍ଭବ ହେବ?”

ଅମରେନ୍ଦ୍ରଙ୍କ ଏଭଳି କଥା ଶୁଣି ବିଜୟମାଳା ହସିଦେଲେ ଓ କହିଲେ, “ଏସବୁ ବଂଶ ମର୍ଯ୍ୟାଦା ବିଷୟରେ ଆପଣ କିଛି ଚିନ୍ତା କରନ୍ତୁ ନାହିଁ । ଆପଣ ଜଣେ ମହାନ୍ ଶିଳ୍ପୀ, ତାହାହିଁ ଆପଣଙ୍କର ପରିଚୟ । ତାହାହିଁ ସର୍ବାପେକ୍ଷା ମହାନ୍ ବଂଶ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ