କିଛି ସମୟ ଗଲା । ଦାସୀଟିର ନିଦ ଭାଙ୍ଗିଗଲା । ସେ ଦେଖିଲା ଯେ ରାଣୀଙ୍କର ହାରଟା ନାହିଁ । ଦାସୀ ଶୋଇପଡିଥିବାରୁ ମାଙ୍କଡ ହାର ନେଇଥିବା ଦେଖିନଥିଲା । ସେ ଭାବିଲା – ହାର ଚୋରୀ ପାଇଁ ରାଣୀ ତାକୁ ଦଣ୍ଡ ଦେବେ । ଦାସୀ ଏକ କୌଶଳକରି ମିଛରେ ପାଟିକଲା – “ରାଣୀଙ୍କ ହାର ଚୋର ନେଇ ପଳାଇଯାଉଚି – ତାକୁ ଧର ଧର ।”
ତାର ପାଟି ଶୁଣି ରାଜାଙ୍କ ସିପାହୀ ମାନେ ଧାଇଁ ଆସିଲେ । ଚୋରକୁ ଧରିବା ପାଇଁ ସେମାନେ ଚାରିଆଡକୁ ଖେଦିଗଲେ । ରାଜାବି ଆସି ପହଁଚିଗଲେ । ସେ ଆଦେଶଦେଲେ – “ଚୋରକୁ ଧରିଆଣ – ସେ ଦଣ୍ଡ ପାଇବ ।” ସିପାହୀମାନେ ବଣସାରା ଖୋଜିଲେ – ହେଲେ ଚୋରକୁ ପାଇଲେନାହିଁ । ହାରର ସନ୍ଧାନ ମଧ୍ୟ ମିଳିଲାନାହିଁ ।
ଏତିକି ବେଳେ ଜଣେ ଗାଉଁଲି ଲୋକ ବଣ ଭିତର ଦେଇ କୁଆଡେ ଯାଉଥିଲା । ରାଜାଙ୍କ ସିପାହୀମାନଙ୍କୁ ଦେଖି ସେ ଭୟରେ ଦୌଡିବାକୁ ଲାଗିଲା । ସିପାହୀମାନେ ଭାବିଲେ – ଏଇ ଲୋକଟା ଚୋର ହବ, ନୋହିଲେ ଆମକୁ ଦେଖି ଧାଇଁ ପଳାଇଯାଆନ୍ତା କାହିଁକି? ସିପାହୀମାନେ ସେଇ ଲୋକଟାକୁ ଧରି ପକାଇଲେ । ତାକୁ ଖୁବ୍ ମାଡଦେଲେ ଓ ତାକୁ ବନ୍ଦୀକରି ରାଜାଙ୍କ ପାଖକୁ ନେଇଗଲେ । ଲୋକଟା ଭାବିଲା – ମୁଁ ହାର ନେଇନାହିଁ ବୋଲି କହିଲେ ମୋ କଥା ବିଶ୍ୱାସ ନକରି ମତେ ଆହୁରି ମାଡଦେବେ । ମୁଁ ଯଦି ହାର ନେଇଚି ବୋଲି କହିଦେବି, ତେବେ ମାଡରୁ ବଂଚିଯିବି । ଏପରି ଭାବି ସେ ରାଜାଙ୍କ ଆଗରେ କହିଲା – “ମଣିମା! ମୁଁ ରାଣୀଙ୍କ ହାର ନେଇଚି ।”
ରାଜା ପଚାରିଲେ – “ହାର ନେଇ କ’ଣ କଲୁ?” ଲୋକଟି କହିଲା – “ମଣିମା ! ମୁଁ ଗରିବ ଲୋକ । ମୁକ୍ତାହାର ମୋର କ’ଣ ହେବ? ସେଠ୍ ମତେ ହାର ଚୋରାଇବାକୁ ପଠେଇଥିଲେ । ମୁଁ ହାରଟା ନେଇ ତାଙ୍କୁ ଦେଇଚି ।”