ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହାସାଗର ଜାତକ

       ଏ କଥା ଶୁଣି ରାଜା ସେଠ୍କୁ ଡକାଇ ଆଣିଲେ । ତାକୁ ପଚାରିଲେ – “ଏ ଲୋକ ତୁମକୁ ଗୋଟିଏ ମୁକ୍ତାହାର ଦେଇଚି ବୋଲି କହୁଚି । ସେଇ ହାର ଦିଅ । ନୋହିଲେ ଶୂଳୀରେ ବସିବ ।”

       ସେଠ୍ ମନେମନେ ଭାବିଲେ – ରାଜା ମତେ ଚୋର ବୋଲି ଭାବି ନେଲେଣି । ମୁଁ ମନାକଲେ ସେ ମୋକଥା ଶୁଣିବେନି, ମତେ ଶୂଳୀରେ ବସାଇଦେବେ- ବରଂ ହାର ନେଇଚି ବୋଲି ମାନିଯିବା ଭଲ ହବ । ତେବେ ଶୂଳୀରୁ ବଂଚଯିବି – ପରେ ଯାହାହେବ ଦେଖାଯିବ । ଏପରି ଭାବି ସେଠ୍ କହିଲେ – “ହଁ ମଣିମା ! ମୁଁ ହାରଟି ନେଇ ଆପଣଙ୍କ ପୁରୋହିତଙ୍କୁ ଦେଇଚି । ଆପଣ ତାଙ୍କୁ ପଚାରନ୍ତୁ ।”

       ରାଜା ପୁରୋହିତଙ୍କୁ ଡକାଇଆଣିଲେ ଓ ତାଙ୍କୁ ହାରକଥା ପଚାରିଲେ । ସେ ବି ଦଣ୍ଡ ଭୟରେ କହିଲେ – “ମଣିମା ! ମୁଁ ସେଇ ହାରଟିକୁ ଗାୟକଙ୍କୁ ଦେଇଚି । ଆପଣ ତାଙ୍କୁ ପଚାରନ୍ତୁ ।”

       ଗାୟକ ଡକାହୋଇ ଆସିଲେ । ରାଜା ତାଙ୍କୁ ଚୋରୀ ହାର କଥା ପଚାରିବାରୁ ସେ ସେମିତି ଦଣ୍ଡ ଭୟରେ ମିଛରେ କହିଲେ – “ମୁଁ ତାକୁ ନାଚବାଲୀକୁ ଦେଇଚି । ଆପଣ ତାକୁ ପଚାରନ୍ତୁ ।”

       ରାଜା ନାଚବାଲୀକୁ ଡକାଇଆଣିଲେ ଓ କହିଲେ – “ଗାୟକ ତୋତେ ରାଣୀଙ୍କର ଚୋରୀ ଯାଇଥିବା ମୁକ୍ତାହାର ଦେଇଚନ୍ତି ବୋଲି କହୁଚନ୍ତି । ତୁ ସେଇ ହାର ଜଲ୍ଦି ଆଣିଦେ – ନୋହିଲେ ଦଣ୍ଡ ପାଇବୁ ।”

        ନାଚବାଲୀ କହିଲା – “ମଣିମା ! ଆପଣ ଏ କ’ଣ କହୁଛନ୍ତି? କେହି ମତେ ହାର ଦେଇନାହାଁନ୍ତି । ମୁଁ ହାର ପାଇବି କେଉଁଠୁ? ଗାୟକ ମିଛ କହୁଚନ୍ତି । ମୁଁ ତାଙ୍କୁ ଚିହ୍ନେନାହିଁ ।”

       ରାଜା ହୁକୁମ୍ ଦେଲେ – “ସେ ଲୋକ, ସେଠ୍, ପୁରୋହିତ, ଗାୟକ ଓ ନାଚବାଲୀକୁ ବନ୍ଦୀକରି ରଖ । ମନ୍ତ୍ରୀଙ୍କ ଜିମାରେ ସେମାନେ ରହନ୍ତୁ । ପରେ ଏମାନଙ୍କ କଥା ବୁଝାଯିବ ।”

       ମନ୍ତ୍ରୀ ବୋଧିସତ୍ୱ ଏ ସବୁ ଘଟଣା ଶୁଣିଲେ । ସେ ଭାବିଲେ – ରାଜାଙ୍କ ତମ୍ବୁ ଚାରିପାଖେ ତ ସିପାହୀମାନେ ଥିଲେ, ବାହାରୁ କିଏ କିପରି ଆସି ହାର ନେଇଯାଇପାରିବ? ସିପାହୀମାନେ ତ ଏଇ ଗରିବଲୋକଟାକୁ ବାହାରୁ ଧରିଚନ୍ତି – ସେ କଦାପି ଚୋର ହୋଇନପାରେ । ଦଣ୍ଡପାଇବା ଡରରେ ସେ ଚୋରି କରିଚି ବୋଲି ମିଛରେ କହିଚି । ସେଠ୍, ପୁରୋହିତ, ଗାୟକ, ନାଚବାଲୀ ଚୋରନୁହଁନ୍ତି । କେବଳ ଦଣ୍ଡ ଭୟରେ ସମସ୍ତେ ମିଛକଥା କହିଚନ୍ତି । ସେ ଅନୁମାନ କଲେ – ତମ୍ବୁ ପାଖରେ ଗଛଉପରେ ବହୁତ ମାଙ୍କଡ ବସିଥିଲେ । ସେଇ ମାଙ୍କଡମାନଙ୍କ ଭିତରୁ କେହି ହାରଟା ନେଇଯାଇଥିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ