ନିଜ ବିଚାର ମନରେ ରଖି ମନ୍ତ୍ରୀ ବୋଧିସତ୍ୱ ରାଜାଙ୍କୁ କହିଲେ – “ମଣିମା! ଏଇ ବନ୍ଦୀମାନେ ମୋ ପାଖରେ ରହିଥାନ୍ତୁ । ମୁଁ ସେମାନଙ୍କୁ ପରୀକ୍ଷାକରି ଦେଖିବି । ତା ପରେ କିଏ ଚୋରି କରିଚି ତା କହିଦେବି ।”
ମନ୍ତ୍ରୀଙ୍କ କଥାରେ ରାଜା ରାଜିହେଲେ । ମନ୍ତ୍ରୀ ସେ ସବୁ ଲୋକଙ୍କୁ ଗୋଟିଏ ଘରେ ବନ୍ଦକରିରଖିଲେ । ଘର ଚାରିପଟେ ପ୍ରହରୀମାନଙ୍କୁ ଜଗାଇଦେଲେ । ସେମାନଙ୍କୁ କହିଲେ – “ତୁମେ ସବୁ ଲୁଚିକରି ରହିଥିବ । ଏମାନେ ରାତିରେ କ’ଣ କଥାବାର୍ତ୍ତା ହେଉଚନ୍ତି ତା ଶୁଣୁଥିବ, କାଲି ସକାଳେ ମତେ କହିବ ।”
ସେଇ ରାତିରେ ସେଠ୍ ଗରିବ ଲୋକଟିକୁ କହିଲେ – “ ତୁ ଟା ଗୋଟାଏ ବଡ ବଦ୍ମାସ ଓ ମିଛୁଆ । ତୋ ସାଙ୍ଗରେ ମୋର ଆଗରୁ କେବେ ଦେଖାସାକ୍ଷାତ୍ ନଥିଲା । ତୁ କିମିତି କହିଲୁ ଯେ ହାରଟା ମତେ ଦେଇଚୁ? ମତେ କେତେବେଳେ ଦେଲୁ?”
ସେ ଲୋକଟି କହିଲା – “ଆଜ୍ଞା, ମୋ ଘରେ ପିତଳର ମୁଦିଟିଏ ବି ନାହିଁ । ମୁଁ କେବେ ମୁକ୍ତାହାର ଦେଖିନି । ମୁଁ ମୁକ୍ତାହାର ନେଇନି । ମତେ ଚୋର ଭାବି ସିପାହୀ ମାନେ ମାଡଦେଲେ । ମୁଁ ମାଡରୁ ବଂଚିଯିବାକୁ ମିଛ କହିଲି । ତାହା ନକହିଥିଲେ ସିପାହୀ ମାନେ ମତେ ପିଟି ପିଟି ମାରିଦେଇଥାନ୍ତେ ।”
ଏହା ଶୁଣି ପୁରୋହିତ ସେଠ୍କୁ ପଚାରିଲେ – “କିଓ, ତୁମକୁ ତ ସେ ଲୋକଟା ହାର ଦେଇନଥିଲା ବୋଲି କହୁଚି । ତେବେ ତୁମେ ମତେ ହାର ଦେଇଚ ବୋଲି କିପରି ମିଛରେ କହିଦେଲ?”