ଗୁରୁଦେବ ସ୍ୱାମୀ ନିତ୍ୟାନନ୍ଦ ସରସ୍ୱତୀ କେବଳ ମହିମାଗଡ ନୁହଁ, ବରଂ ତା’ଆଖପାଖ ଦଶଖଣ୍ଡ ରାଜ୍ୟର ପୂଜ୍ୟ ଗୁରୁଦେବ । ତାଙ୍କର ମଧୁର ବ୍ୟବହାର, ଶାନ୍ତ ସ୍ୱଭାବ, ବଳିଷ୍ଠ ବ୍ୟକ୍ତିତ୍ୱପାଇଁ ରାଜାଙ୍କଠାରୁ ପ୍ରଜା ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଅତୀବ ଭକ୍ତି କରୁଥିଲେ, ପ୍ରେମ ବି କରୁଥିଲେ । ତେଣୁ ସବୁଠି ଖାଲି ସ୍ୱାମୀ ନିତ୍ୟାନନ୍ଦଙ୍କର ଭୁରି ଭୁରି ପ୍ରଶଂସା ।
ସ୍ୱାମୀ ସବୁବେଳେ କହୁଥିଲେ-ଶିକ୍ଷା ମଣିଷକୁ ସୁଖଶାନ୍ତିରେ ରହିବାକୁ ଶକ୍ତିଦିଏ । ଶିକ୍ଷା ହିଁ ଜ୍ଞାନର ଭଣ୍ଡାର । ଶିକ୍ଷା ବିନା ମଣିଷ ପଶୁଠାରୁ ବି ହୀନ ବୋଲି ପଣ୍ଡିତମାନେ ବିଚାର କରିଛନ୍ତି । ହେ ମୋର ପ୍ରିୟ ଶିଷ୍ୟ! ତୁମ୍ଭେମାନେ ବହୁତ ଦୂରରୁ ବହୁତ କଷ୍ଟ ସ୍ୱୀକାର କରି ମୋ ଆଶ୍ରମକୁ ଆସିଚ । ଗୁରୁଦକ୍ଷିଣା ବାବଦରେ ମୋତେ କିଛି ବି ଦବା ମୋଟେ ଆବଶ୍ୟକ ନାହିଁ । ତୁମେମାନେ ଶିକ୍ଷା ସମାପ୍ତି କରି ଭଲ ମଣିଷ ହେଲେ ଯାଇ, ମୁଁ ସବୁଠୁ ବେଶି ଖୁସି ହେବି । ସେହି ଖୁସିହିଁ ମୋ’ ପାଇଁ ହବ ଶ୍ରେଷ୍ଠ ଗୁରୁ ଦକ୍ଷିଣା ।
ଗୁରୁଦେବ-ମୋର ପ୍ରିୟ ଶିଷ୍ୟମାନେ ! ଅନେକ ସମୟରେ ଆଶ୍ରମମାନଙ୍କରେ ଜାତିଭେଦର ପ୍ରାଚୀର ଛିଡାହୁଏ । ତୁମେମାନେ ଏତିକି ମନେରଖିବା ଉଚିତ୍, ଶିକ୍ଷାଶ୍ରମରେ ଜାତି ନ ଥାଏ । ସମସ୍ତେ ଗୋଟିଏ ଜାତି ‘ଶିକ୍ଷାର୍ଥୀ’ । ତେଣୁ ମୋର ତମମାନଙ୍କୁ ଉପଦେଶ, ଯେମିତିକି କେବେ କୌଣସି ଦିନ ଜାତିଗତ ପାର୍ଥକ୍ୟର ପ୍ରଶ୍ନ ନ ଉଠେ । ଯୋଉଠି ଜାତିଗତ ସମସ୍ୟା ଯେତେ ଅଧିକ ସେଠି ଉନ୍ନତି ସେତିକି ପଛୁଆ । ଯେଉଁ ଦେଶରେ ଶିକ୍ଷା ସଂସ୍କୃତି ଉନ୍ନତ, ସେ ଦେଶ ପ୍ରଗତିରେ ସେତିକି ଉନ୍ନତ । ଏବେ ତ ଭୋଜନର ସମୟ ହେଇ ଯାଇଚି, ତେଣୁ ଯାଅ ଭୋଜନକରି ବିଶ୍ରାମ ନେବ ।
ସ୍ୱାମୀ ନିତ୍ୟାନନ୍ଦଙ୍କ ଆଶ୍ରମର ନୀତି ନିୟମ ଅନ୍ୟ ଆଶ୍ରମଠାରୁ ସ୍ୱତନ୍ତ୍ର । ଶିଷ୍ୟମାନେ ଭିକ୍ଷାକରି ଯାହା ଆଣନ୍ତି, ଗୁରୁ ସେ ସବୁକୁ ନିଜେ ରୋଷେଇ କରନ୍ତି । ଆଉ ଶିଷ୍ୟମାନଙ୍କୁ ଆଗେ ଖାଇବାକୁ ଦିଅନ୍ତି । ଶେଷରେ ଯାହା ବଳକା ହୁଏ, ତାକୁ ଗୁରୁ ନିଜେ ଭୋଜନ କରନ୍ତି ।