ଶିଷ୍ୟଗଣ-ଆମ୍ଭେମାନେ ଗୋରସର ବ୍ୟବସ୍ଥା ନିଶ୍ଚୟ କରିବୁ ଗୁରୁଦେବ ।
ଗୁରୁଦେବ-ମୁଁ ଜାଣେ ଶିଷ୍ୟଗଣ! ଏଥିପାଇଁ ଗୁରୁଜୀ ତୁମମାନଙ୍କୁ ଉଚିତ୍ ଶିକ୍ଷା ଦେଇଥିବେ ।
ହଁ ଆଉ ଗୋଟିଏ କଥା-ଗୁରୁଜୀ ତୁମମାନଙ୍କୁ ରୋଷେଇ କରି ଦଉଥିଲେ; ମାତ୍ର ମୋତେ ରୋଷେଇ ଆସେନି ।
ଶିଷ୍ୟଗଣ-ଗୁରୁଦେବ! ଆମ୍ଭେମାନେ ଚଳେଇ ନବୁ ।
ଗୁରୁଦେବ-କହିବାକୁ ଲାଜ । କଥାଟା କ’ଣ କି ଶିଷ୍ୟଗଣ! ମୋର ଗୋଟାଏ ବଦଭ୍ୟାସ ରହିଯାଇଛି । ଯଦି ତୁମେମାନେ କିଛି ଖରାପ ନ ଭାବିବ, ତେବେ ମୁଁ-
ଶିଷ୍ୟଗଣ-ପ୍ରକାଶ କରନ୍ତୁ ଗୁରୁଦେବ?
ଗୁରୁଦେବ-ସଂନ୍ଧ୍ୟା ସମୟରେ ମୁଁ ଟିକେ ଗଞ୍ଜେଇ ଟାଣେ, କୋଉଠି ମିଳେ?
ଶିଷ୍ୟଗଣ-ସେ କ’ଣ ଗୁରୁଦେବ? ଦେଖିବାକୁ ସେ କେମିତିକା? ଏ ନାଁଟା ତ ଆମେ ପ୍ରଥମକରି ଶୁଣୁଚୁ । ଏ ଗଞ୍ଜେଇ କୋଉଠୁ ମିଳେ? ଆଦେଶ କରନ୍ତୁ ଗୁରୁଦେବ, ଏହା କୋଉଠୁ ମିଳେ? ଆମ୍ଭେମାନେ ତତ୍କ୍ଷଣାତ୍ ନେଇ ଆସିବୁ ।
ଗୁରୁଦେବ-ତୁମ୍ଭମାନଙ୍କ କଥାରେ ମୁଁ ଅତୀବ ପ୍ରୀତ ହେଲି । ଯାଅ ବତ୍ସମାନେ, ଏଥର ବିଶ୍ରାମ ନେବ ଯାଅ । ମାତ୍ର ଦୁଇଜଣ ମୋ’ ପାଦ ଚିପିଦେଲେ, ମୁଁ ଟିକେ ସୁଖନିଦ୍ରା ଯାଆନ୍ତି ।
ଶିଷ୍ୟମାନେ ଭିକ୍ଷା ବୃତି କରି ଦୁଧିଆଳୀ ଗାଈଟିଏ ନେଇ ଆସିଲେ । ଆଉ ଗୁରୁଙ୍କ ଗଞ୍ଜେଇ ନିଶା ପାଇଁ ଗଛଟିଏ ଲଗାଇଲେ । ଏମିତିକି ଗୁରୁଙ୍କୁ ରୋଷେଇ କରି ବି ଖାଇବାକୁ ଦେଲେ । ସଞ୍ଜ ସକାଳେ ତାଙ୍କ ପାଦ ମଧ୍ୟ ଚିପିଦେଲେ ।
ଏମିତି କିଛିଦିନ ଗଲା । ଶିଷ୍ୟମାନେ ଦେଖିଲେ ଗୁରୁଙ୍କ ବ୍ୟବହାର ଦିନକୁ ଦିନ କଠୋର ହେଇ ଆସୁଚି । କଥାକଥାକେ ଏଣୁ ତେଣୁ ଗାଳିଗୁଲଜ କରୁଛନ୍ତି । ଗୋରୁ ଗାଈଙ୍କୁ ପିଟିଲା ଭଳି ଶିଷ୍ୟଙ୍କୁ ବି ପିଟୁଛନ୍ତି ।
ଗୁରୁଦେବ-ତୁମେମାନେ ସବୁ ଗୋଟାଏ ଗୋଟାଏ ଗଧ । ତୁମମାନଙ୍କୁ ଏହାଠୁ ଆହୁରି କଠିନ ଦଣ୍ଡ ଭୋଗିବାକୁ ହବ ।
ଶିଷ୍ୟଗଣ-ଗୁରୁଦେବ! ହରି, ସୁଦାମ ଘାସଗୁଡା ସଫା କରୁକରୁ ଗଞ୍ଜେଇ ଗଛଟାକୁ କାଟି ଦେଇଛନ୍ତି । ସେଥିପାଇଁ ଆପଣ ସେମାନଙ୍କୁ କ୍ଷମା କରନ୍ତୁ । ଏପରି ଆଘାତ ପାଇବାଦ୍ୱାରା ଆମମାନଙ୍କ ମନୋବଳ ବି ଭାଙ୍ଗି ଯାଉଚି ।