ଗୁରୁଦେବ-ତୁମେ ଚୁପ୍କର । ହରି…ସୁଦାମ… ।
ହରି ସୁଦାମ-ଆଦେଶ କରନ୍ତୁ ଗୁରୁଦେବ ।
ଗୁରୁଦେବ-ମୋ ପାଖକୁ ଆସ । ନିଅ ଏ ଫଳକ ଦୁଇଟି, ବେକରେ ଝୁଲାଇ ସବୁ ଶିଷ୍ୟମାନଙ୍କ ଆଗକୁ ଯାଅ ।
ହରି ସୁଦାମ -ଯେ ଆଜ୍ଞା ଗୁରୁଦେବ ।
ତା’ପରେ ହରି ଆଉ ସୁଦାମ ଗୁରୁଙ୍କ ନିକଟକୁ ଆସିଲେ । ତାଙ୍କ ଗଳାରେ ଗୁରୁ ଦି’ଟା ଫଳକ ଝୁଲାଇ ଦେଲେ । ଆଉ ସେଥିରେ ଲେଖା ଥିଲା ‘ମୁଁ ଗୋଟାଏ ଗଧ’ । ଏହାପରେ ଗୁରୁ ଚାଲିଗଲେ ଭୋଜନ କରିବାକୁ । ଏଣେ ଶିଷ୍ୟମାନଙ୍କ ଗହଣରେ ଭାଳେଣି ପଡିଗଲା ।
-ମୁଁ ତ ଏ ଆଶ୍ରମରେ ପ୍ରାୟ ପାଂଚ ବର୍ଷରୁ ଅଧିକ ରହିଲିଣି । କାହିଁ ସ୍ୱାମୀ ନିତ୍ୟାନନ୍ଦ ତ କୌଣସି ଦିନ ବାଧିଲା ଭଳି କାହାକୁ ବ୍ୟବହାର କରି ନ ଥିଲେ ।
-ଯଦି ଏ ଗୁରୁ ଏମିତି ବ୍ୟବହାର କରନ୍ତି, ତାହାହେଲେ ଏଠି ରହିବା କ’ଣ ଆଉ ସମ୍ଭବ?
-ସ୍ୱାମୀ ଥରେ କହିଥିଲେ, ଅପମାନ କରିବା ଲୋକଙ୍କ ଠାରୁ ଅପମାନ ସହିବା ଲୋକ ବଡ ଅପରାଧି ।
-ତା’ର ମାନେ କ’ଣ ଆମ୍ଭେମାନେ ଏ ଗୁରୁଜୀଙ୍କୁ ବିରୋଧ କରିବା?
ଏହା ତ ମହାପାପ…ଅପରାଧ ।
-ଯଦି ଗୁରୁଜୀଙ୍କୁ ବିରୋଧ କରିବା ପାପ, ତେବେ ଗୁରୁଜୀଙ୍କ ଅତ୍ୟାଚାର ସହି ଚୁପ୍ ରହିବା ତା’ଠୁ ବି ବଡ ପାପ…ଅପରାଧ ।
ନାଁ, ଆମକୁ ଆହୁରି ଅନେକ ଚିନ୍ତା କରିବାକୁ ହବ । କିପରି ଆମେ ତାଙ୍କୁ ପରିବର୍ତ୍ତନ କରାଇବା ।
-ଆମେ ଏପରି ଏକ କାମ କରିବା ଯେ, ଯାହାଦ୍ୱାରା କି ଗୁରୁଜୀ ଆଭାସ ପାଇଯିବେ ଆମ୍ଭେମାନେ ତାଙ୍କୁ ବିରୋଧ କରିବାକୁ ଯାଉଚୁ । ଏହାପରେ ହୁଏତ ସେ ପରିବର୍ତ୍ତନ ହେଇ ପାରନ୍ତି ।
-କିନ୍ତୁ ଆମେ କ’ଣ କରିବା?
-ତୁମେମାନେ କିଛି କରିବା ଦରକାର ନାହିଁ । ବଡ ଗୁରୁଜୀ କ’ଣ ଆମକୁ କାମ ବରାଦ କରୁଥିଲେ? ଯାହାର କର୍ତ୍ତବ୍ୟ ଯାହା ସେ ତାହା କରୁଥିଲେ । ଆମ୍ଭେମାନେ ଏତେଦିନ ରହିଲେ, ଆମ୍ଭମାନଙ୍କ ଭିତରେ ଅସନ୍ତୋଷ ଥିଲା କି?