ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହା ଗଧ

ତାପରେ ଗୁରୁଜୀଙ୍କ ଆଜ୍ଞା ପାଇ ଶିଷ୍ୟଗଣ ‘ଗଧ’ ଫଳକୁ ଗଳାରେ ଝୁଲାଇ କୁକୁଡାପରି ଆଣ୍ଠେଇଲେ । ପଛରେ ଥାଏ ଗୋପୀ । ଅତ୍ୟନ୍ତ କ୍ରୋଧରେ ସେ ଖାଲି ରକ୍ତଚାଉଳ ଚୋବାଉଥାଏ । ଗୁରୁଜୀଙ୍କୁ ସମ୍ମାନ କରିବାକୁ ଶିଷ୍ୟଗଣ ତ ବସିଗଲେଣି । ସେ କେତେବେଳେ ଯେ ଉଠିବେ, ତାର ବି କିଛି ଠିକ୍ ଠିକଣା ନାହିଁ । ସେ ପର୍ଯ୍ୟନ୍ତ କୁକୁଡା ଭଳି ଆଣ୍ଠେଇବାକୁ ପଡିବ ।

ନା, ଏହା ତ ଅନ୍ୟାୟ… । ଅନ୍ୟାୟ ପରେ ଆହୁରି ଅନ୍ୟାୟକୁ ଆଉ ମୋଟେ ସହ୍ୟକରି ହବନି । ତେଣୁ ସେ ଗୋପୀ ଏକ ଉପାୟ ଚିନ୍ତାକଲା । ମାତ୍ର ସେ କୌଣସି ସିଦ୍ଧାନ୍ତରେ ପହଁଚି ପାରିଲାନି ।

ଏହି ସମୟରେ ହଠାତ୍ ତା’ର ଆଖିରେ ପଡିଲା, ଗୁରୁଜୀ ଯୋଉ ଗଛମୂଳେ ଧ୍ୟାନ କରୁଛନ୍ତି, ସେଇ ଗଛରେ ଠିକ୍ ଗୁରୁଜୀଙ୍କ ମୁଣ୍ଡ ଉପର ଡାଳରେ ମହୁ ଫେଣାଟିଏ ଅଛି । ଏଥର ସେ ଗୋପୀ ଚୁପ୍ଚାପ୍ ଉଠି ନିଜ କୋଠରୀକୁ ଚାଲିଗଲା ଏବଂ ବାଟୁଳିଖଡାଟି ନେଇ ଆସିଲା । ସେତେବେଳେ ସମସ୍ତେ ତ ତଳକୁ ମୁହଁକରି କୁକୁଡାଭଳି ଆଣ୍ଠେଇଥାନ୍ତି ।

ଏଣେ ଗୋପୀ ଲକ୍ଷ୍ୟକରି ମାରିଲା ଗୋଲି । ସେ ମହୁଫେଣାଟି ତ ଖୁବ୍ ବଡ ଓ ମଜ୍ଭୁତ୍ ଥିଲା । ତେଣୁ ତାହା ଭାଙ୍ଗିଲାନି, କିନ୍ତୁ ଥପଥପ ହେଇ ମହୁ ଗୁରୁଜୀଙ୍କ ଚନ୍ଦା ମୁଣ୍ଡରେ ପଡି ତାଙ୍କ ଓଠଆଡକୁ ବୋହିବାକୁ ଲାଗିଲା । ଗୁରୁଜୀ ଧ୍ୟାନରେ ବସି ମହୁକୁ ଚାଟି ପକେଇଲେ । ତା’ପରେ ଗୋପୀ ଆଉ ଗୋଟାଏ ଗୋଲି ମାରିଲା । ଏଥର ସେ ମହୁଫେଣାଟି ସିଧା ଛିଡିପଡିଲା ଗୁରୁଜୀଙ୍କ ଚନ୍ଦା ମୁଣ୍ଡ ଉପରେ ।

ବିରକ୍ତ ହେଇଗଲେ ମହୁମାଛିଗୁଡା । ଗୁରୁଜୀଙ୍କୁ କାମୁଡି କାମୁଡି ନାକେଦମ୍ କରିଦେଲେ ।

ଗୁରୁଜୀ, ରକ୍ଷା କର…ରକ୍ଷା କର… କହି ଏଣେ ତେଣେ ଦୌଡିଲେ । ଶେଷରେ ସେ ଗୁରୁଜୀ ଚେତା ହରେଇ ପଡିଗଲେ ।

ଗୋପୀ-ବାସ୍… ଏଥର ଆମ କାମ ଶେଷ ହେଲା । ମହୁମାଛି ଗୁଡାଙ୍କୁ ହଟାଅ । ଗୁରୁଜୀଙ୍କୁ ନେଇ ତାଙ୍କ ବଖରାରେ ଶୁଆଇ ଦିଅ ।

ଦୁଇଦିନ ପରେ ଗୁରୁଜୀଙ୍କ ଚେତା ଫେରିଲା । ସେତେବେଳକୁ ତ ତାଙ୍କ ଦେହ, ହାତ, ଗୋଡ, ମୁହଁ ଫୁଲି ଯାଇଥାଏ । ତା’ ସହିତ ପୁଣି ଯନ୍ତ୍ରଣା । ତଥାପି ବି ସେ ଗୁରୁଜୀ ଭୀଷଣ ରାଗୀଉଠି କହିଲେ-ତୁମମାନଙ୍କୁ ମୁଁ କଦାପି କ୍ଷମା ଦେବିନି ।

ଶିଷ୍ୟଗଣ-ଗୁରୁଜୀ, ମହୁମାଛି ଆପଣଙ୍କୁ ଆକ୍ରମଣ କଲେ, ଏଥିରେ ଆମ ଦୋଷ କ’ଣ?

ଗୁରୁଜୀ-ତୁମମାନଙ୍କ ଦୋଷ ଏଇଆ ଯେ, ତୁମେମାନେ ଗୋଟାଏ ଗୋଟାଏ ଗଧ ।

ସଞ୍ଜରେ ଗୋପୀ ତା’ର ସାଥି ଶିଷ୍ୟ ଭାଇମାନଙ୍କୁ ନେଇ ଚୁପ୍ଚାପ୍ ସଭାଟିଏ କଲା ।

ଗୋପୀ-ଭାଇମାନେ! ମୋର ଯାହା ମନେହୁଏ ଗୁରୁଜୀ ଗତ ଜନ୍ମରେ ଜଣେ ଗଧ ମାଲିକ ଥିଲେ । ଜିନିଷ ବୋହିବାପାଇଁ ସେ ବହୁତ ଗଧ ପାଳିଥିବେ ନିଶ୍ଚୟ । ଏବେ ତାଙ୍କର ପୂର୍ବଜନ୍ମ କଥା କିଂଚିତ ମନେପଡୁଛି । ତେଣୁ ଆମେ ସବୁ ତାଙ୍କ ଆଖିରେ ଗଧଭଳି ଦିଶୁଚେ, ନା’ କଣ…?

ଶିଷ୍ୟଗଣ-ତୁମେ ଠିକ୍ କହିଚ ଗୋପୀ ।

ଗୋପୀ-ଏଇଥିରେ ମୋ ମନ ଶାନ୍ତି ହେଇନି ଭାଇମାନେ । ଗୁରୁଜୀଙ୍କୁ ଆଉ ପାନେ ଚଖେଇବାକୁ ମୋର ଇଚ୍ଛା ।


ଗପ ସାରଣୀ

ତାଲିକାଭୁକ୍ତ ଗପ