ସେଠାରେ ପହଁଚି ସେ ଯେପରି ଶତ୍ରୁତା ସହ କଥା ଆରମ୍ଭ କଲେ ବିଷ୍ଣୁ ଶର୍ମା ସେପରି ନୁହଁନ୍ତି । ସେ ସବୁକଥା ବଡ ସ୍ନେହରେ କହୁଥା’ନ୍ତି । ଶେଷକୁ କହିଲେ, “ବାଃ ତୁମ ଚେହେରା ଏତେ ସୁନ୍ଦର ଓ ଚାହାଣୀ ବୁଦ୍ଧିମାନ ବ୍ୟକ୍ତି ପରି । ଦେଖିଲେ ଜଣାଯାଏ ତୁମେ ଜଣେ ବଡ ବିଦ୍ୱାନ । କୁହ ତୁମେ ସବୁ କି ପ୍ରକାର ବିଷୟ ଓ କି କି ପୁସ୍ତକ ସବୁ ପଢିଛ? ତାହେଲେ ମୁଁ ମଧ୍ୟ ତୁମ ସଂସ୍ପର୍ଶରେ ଆସି ଲାଭବାନ୍ ହେବି ।”
ବିଦ୍ୟାଧର କେତୋଟି ଗ୍ରନ୍ଥର ନାମ କହିଲେ । ପଣ୍ଡିତ ବିନୟ ସହକାରେ କହିଲେ, “ଆରେ ଏତେ ବହି ପଢିଛ? ତେବେ ତ ତୁମକୁ ବିଦ୍ୟାବୁଦ୍ଧିରେ କେହିବି ପରାସ୍ତ କରିପାରିବେ ନାହିଁ । ମୁଁ ନିଜେ ମଧ୍ୟ ନୁହେଁ । ମୁଁ ଏହା ମାନୁଛି ଯେ ତୁମେ ମହାନ୍ । ତୁମେ ଏଠାରେ କିଛିଦିନ ରୁହ । ମୁଁ ତୁମଠାରୁ କିଛି ଶିଖି ପାରିବି ।”
ବିଦ୍ୟାଧର କହିଲେ “ନା, ମୁଁ ଆପଣଙ୍କ କଥାରେ ସହମତ ନୁହେଁ । କୌଣସି ପ୍ରତିଯୋଗିତା ବା ଆଳାପ ଆଲୋଚନା ବିନା ଏପରି ଜିତିବାରେ କୌଣସି ଆନନ୍ଦ ନାହିଁ । ବରଂ ଆପଣଙ୍କ ସହ ପ୍ରତିଯୋଗିତା କରି ହାରିଗଲେ ଆନନ୍ଦ ଅଛି । ତେଣୁ ଆମେ ଦୁହେଁ ଏକାଠି ବସି ଶାସ୍ତ୍ର ଆଲୋଚନା କରିବା ।”
ବିଷ୍ଣୁ ଶର୍ମା କହିଲେ “ଠିକ୍ ଅଛି । ତୁମର ଯାହା ଇଚ୍ଛା । ତୁମେ ମୋ ଘରେ ଚାରିଦିନ ରୁହ । ପଂଚମ ଦିନ ଆମେ ସହରକୁ ଯିବା । ସେଠାରେ ଜମିଦାରଙ୍କ ଘରେ ପଣ୍ଡିତମାନଙ୍କର ପ୍ରତିଯୋଗିତା ହେବ । ସେମାନେ ସେଠାକୁ ମୋତେ ନିମନ୍ତ୍ରଣ କରିଛନ୍ତି । ତୁମେ ମଧ୍ୟ ମୋ ସହିତ ଯିବ ଓ ପ୍ରତିଯୋଗିତାରେ ଭାଗ ନେବ । ତଦ୍ୱାରା ତୁମର ବିଦ୍ୟାର ପିପାସା ମଧ୍ୟ ଶାନ୍ତ ହୋଇଯିବ ।”
ବିଷ୍ଣୁ ଶର୍ମାଙ୍କଠାରୁ ଉଚିତ୍ ଉତ୍ତର ପାଇ ସେ ଖୁବ୍ ଖୁସି ହୋଇଗଲେ । ସେ ଭାବିଲେ “ଏହା ତ ଏକ ସୁବର୍ଣ୍ଣ ସୁଯୋଗ ।” “ବିଷ୍ଣୁ ଶର୍ମାଙ୍କୁ ତ ହରାଇବି, ଅନ୍ୟମାନଙ୍କୁ ମଧ୍ୟ ହରାଇ ଦେବି ।”
ବିଦ୍ୟାଧର ବିଷ୍ଣୁ ଶର୍ମାଙ୍କ ଘରେ ଚାରିଦିନ ରହିଲେ, ବିଷ୍ଣୁ ଶର୍ମାଙ୍କ ପତ୍ନୀ ତାଙ୍କୁ ବହୁତ ସ୍ନେହ ଶ୍ରଦ୍ଧା ଦେଖାଇଲେ । ପଣ୍ଡିତଙ୍କର ଦୁଇପୁଅ ତାଙ୍କର ବହୁତ ସେବା କଲେ । ପ୍ରତିଦିନ ସେ ଦୁହେଁ ସାହିତ୍ୟ ଉପରେ ଚର୍ଚ୍ଚା କରୁଥା’ନ୍ତି ।
ଏବେ ବିଦ୍ୟାଧର ଧୀରେ ଧୀରେ ବୁଝିବାକୁ ଲାଗିଲେ ଯେ ବିଷ୍ଣୁ ଶର୍ମା ବିଦ୍ୟାଧରଙ୍କର କୌଣସି ଯୁକ୍ତି ଖଣ୍ଡନ କରୁନାହାଁନ୍ତି । ସେଥିରେ ତା’ର ଗର୍ବ ଆହୁରି ବଢିଗଲା । ସେ ଭାବିଲେ ପଣ୍ଡିତଙ୍କର ଯଥେଷ୍ଟ ଜ୍ଞାନ ନାହିଁ ବୋଲି ଜ୍ଞାନଚର୍ଚ୍ଚା କରିବାକୁ ବୋଧହୁଏ ସେ ସଦାବେଳେ ପଛଉଛନ୍ତି ।
କିନ୍ତୁ ପଣ୍ଡିତଙ୍କର ଗୋଟାଏ କଥା ସେ ଆଦୌ ବୁଝିପାରିଲେ ନାହିଁ । ଦିନେ ବିଷ୍ଣୁ ଶର୍ମାଙ୍କ ପାଖକୁ ଜଣେ ଚାଷୀ ଆସିଲା । ହାତରେ ଅନେକ ପରିବା, ଫଳ ନେଇ ସେ ଆସିଥାଏ । ସେସବୁ ପଣ୍ଡିତଙ୍କୁ ଦେଇ ସେ କହିଲା, “ଏଗୁଡିକ ଆପଣ ଭୋଜନ କଲେ ମୁଁ ଧନ୍ୟ ହେବି ।”
ଚାଷୀଟିର ଏଭଳି କଥା ଶୁଣି ପଣ୍ଡିତ ହସି ପକାଇ କହିଲେ, “ବିଦ୍ୟାରେ ପେଟ ପୁରେନାହିଁ । ତୁମପରି ଖାଦ୍ୟ ପାଇଁ ଫସଲ କରିବା ଲୋକଙ୍କ ଯୋଗୁଁ ମଣିଷର ଜୀବନ ରହୁଛି । ତୁମେ ମହାନ୍ । ସମସ୍ତ ପ୍ରାଣୀଙ୍କର ସୃଜନକର୍ତ୍ତା ହେଲେ ଈଶ୍ୱର । ଅନ୍ନଦାତା ସୁଖୀ ଭବ ।” ଏହିପରି ପ୍ରଶଂସା କରି କରି ତାକୁ ସେ ସେଠାରୁ ବିଦାୟ ଦେଲେ ।
ପଣ୍ଡିତଙ୍କ ପାଖକୁ ଆହୁରି କେତେକ ଲୋକ ଆସିଲେ । ଦେଖିଲେ ମନେହୁଏ ସେମାନେ ମଧ୍ୟ ଗାଉଁଲି ଲୋକ । ସେମାନଙ୍କୁ ବହୁତ ସମ୍ମାନ ଦେଖାଇ ବିଦାୟ ଦେଲେ । ହେଲେ ଏସବୁ ବିଦ୍ୟାଧରକୁ ମୋଟେ ଭଲ ଲାଗୁ ନଥାଏ ।
ଏହିପରି ଭାବେ ଚାରିଦିନ ବିତିଗଲା ଓ ସହର ଯିବା ପାଇଁ ସମୟ ଆସିଗଲା । ଦୁହିଁଙ୍କର ଦୁଇଟି ଗଣ୍ଠିଲି ବନ୍ଧା ହେଲା । ଏବେ ନଦୀକୂଳ ପର୍ଯ୍ୟନ୍ତ ପହଁଚିଲେ ପାରିହେବା କଥା । ଯେଉଁ ଶ୍ରମିକଟି ଏସବୁରେ ସାହାଯ୍ୟ କରେ ତା’ର ଦେହ ଖରାପ ଥାଏ ବୋଲି ସେ ଅନ୍ୟ ଜଣକୁ ପଠାଇ ଦେଇଥାଏ । ଏହି ନୂଆ ଶ୍ରମିକଟି ଟିକିଏ ଚିଡିଚିଡା ସ୍ୱଭାବର । ଦୁଇଟି ଗଣ୍ଠିଲି ଦେଖି ସେ ଆଗ କୁନ୍ଥେଇଲା । ଶେଷକୁ ଚିଡିମିଡି ହୋଇ ସେ ଗଣ୍ଠିଲି ଦୁଇଟି ଧରି ଚାଲିଲା । ଚାଲି ଅତି ମନ୍ଥର । ପଣ୍ଡିତ ଭାବିଲେ ଯଦି ଥରେ ନାବ ସେ କୂଳକୁ ଯାଏ ତେବେ ଫେରିବାକୁ ଡେରି ହେବ । ତେଣୁ ସେ ଶ୍ରମିକକୁ ଟିକିଏ ଜୋର୍ରେ ଚାଲିବାକୁ କହିଲେ । ତା’ର ସ୍ୱଭାବ ତ ଚିଡିଚିଡା ଥିଲା । ଏକଥା ଶୁଣି ସେ ରାଗିଯାଇ କହିଲା, “ଦେଖିପାରୁ ନା କି ଖରା କେତେ ଟାଣ ହୋଇଛି? ଥରେ ଯଦି ନିଜେ ଗଣ୍ଠିଲି ଧରି ଚାଲନ୍ତ ତେବେ ଜାଣନ୍ତ କେତେ କଷ୍ଟ ।”
ବିଦ୍ୟାଧର କହିଲେ “କଥା ତ କହୁଛୁ ଯେପରି ପଇସା ନ ନେଇ କାମ କରୁଛୁ? ବୋଝଟା ଓଜନ ହୋଇଛି ବୋଲି ଏତେ କଥା କହୁଛୁ? ଦୁଇପଇସାର ମଣିଷ ହୋଇ କଥା କହୁଛି ଦଶହଜାରୀ ।”
ପଣ୍ଡିତେ ଦେଖିଲେ ପରିସ୍ଥିତି ଅସମ୍ଭାଳ ହେବାକୁ ଯାଉଛି । ତେଣୁ ସେ ତାକୁ ଶାନ୍ତ କରିବାକୁ ଯାଇ କହିଲେ, “ଭାଇ, ଏ କାମ ତ ନିଶ୍ଚୟ କଷ୍ଟ । ତେବେ ଡଙ୍ଗା କାଳେ ଚାଲିଯିବ ବୋଲି ମୋର ଭୟ । ତା’ପରେ ତୁମର ଓ ଆମର ପରିଶ୍ରମ ସବୁ ବୃଥା ହୋଇଯିବ । ଯଦି ଆମ କଥା ତୁମକୁ ଖରାପ ଲାଗୁଛି ତେବେ କ୍ଷମା କରିଦିଅ ଆଉ ତୁମେ ତୁମ ସୁବିଧା ଅନୁସାରେ ଚାଲ ଯେପରି ତୁମକୁ ଭଲ ଲାଗୁଛି । ଯଦି ଭାଗ୍ୟରେ ଥାଏ ତ ଡଙ୍ଗା ମିଳିବ ।”
ଏକଥା ଶୁଣି ସେହି ଶ୍ରମିକଟି ବେଶ୍ ଜୋର୍ରେ ଚାଲିବାକୁ ଲାଗିଲା । ନାବିକଟି ପଣ୍ଡିତଙ୍କୁ ଦେଖି ହାତଯୋଡି କହିଲା, “ମୁଁ କାଲିଠାରୁ ଖବର ପାଇଥିଲି କି ଆଜି ଆପଣ ଆସୁଛନ୍ତି । ତେଣୁ ମୁଁ ଡଙ୍ଗାକୁ ବନ୍ଦ କରି ରଖିଛି । ଆପଣ ଆସିଲେ ଡଙ୍ଗା ଛାଡିବ । ଠିକ୍ ଯେପରି ଶ୍ରୀରାମଙ୍କ ପାଇଁ କେଉଟ ପ୍ରତୀକ୍ଷା କରିଥିଲା ।”
“ଏଡେବଡ କଥାଟି କହି ମୋତେ ଆଉ ଅଧିକ ଲଜ୍ଜିତ କରନାହିଁ । ମୋ ବିଦ୍ୟା ତୁମ ବିଦ୍ୟା ଆଗରେ କିଛିବି ନୁହେଁ ।” ତା’ପରେ ସେ ନାବିକକୁ ବହୁତ ପ୍ରଶଂସା କଲେ ।
ପଣ୍ଡିତଙ୍କର ସେ ନାବିକକୁ ଏଭଳି ପ୍ରଶଂସା କରିବାଟା ବିଦ୍ୟାଧରଙ୍କର ଆଦୌ ପସନ୍ଦ ହେଲାନାହିଁ । ଡଙ୍ଗାରେ ବସିବା ପରେ ପଣ୍ଡିତ ଅନ୍ୟ ଲୋକମାନଙ୍କ ଆଗରେ ବିଦ୍ୟାଧରଙ୍କର ପ୍ରଶଂସା କରି କହିଲେ, “ଏହି ଯୁବକଟି ଜଣେ ବଡ ପଣ୍ଡିତ । ମୋଠାରୁ ମଧ୍ୟ ବଡ ।”