ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମହା ପଣ୍ଡିତ

                ଡଙ୍ଗା ଯାଇ କିଛି ସମୟ ପରେ ସହରରେ ପହଁଚିଲା ଜମିଦାରଙ୍କ ଦେବାନ୍ କେତେ ଆଗରୁ ପଣ୍ଡିତଙ୍କୁ ପାଛୋଟି ନେବା ପାଇଁ ଘାଟରେ ଆସି ବସିଥା’ନ୍ତି । ଡଙ୍ଗା ଘାଟରେ ଲାଗୁ ଲାଗୁ ସେ ଦୌଡି ଆସି କହିଲେ, “ପଣ୍ଡିତ ମହାଶୟ, ଜମିଦାର ନିଜେ ଆପଣଙ୍କୁ ସ୍ୱାଗତ କରିବାକୁ ଘାଟକୁ ଆସିଥାନ୍ତେ; କିନ୍ତୁ ହଠାତ୍ କିଛି କାମ ପଡିଯିବାରୁ ସେ ଆଉ ଆସିପାରିଲେ ନାହିଁ । ଆପଣଙ୍କର ସବୁକିଛି ବୁଝିବା ପାଇଁ ସେ ମୋ ଉପରେ ଦାୟିତ୍ୱ ଦେଇଛନ୍ତି । ଆପଣଙ୍କୁ ପ୍ରଣାମ କରିଛନ୍ତି ଓ ଆପଣଙ୍କ ଆଶୀର୍ବାଦ ପ୍ରାର୍ଥନା କରିଛନ୍ତି ।” ଦେବାନଙ୍କ କଥା ଶୁଣି ପଣ୍ଡିତ ହସିଦେଲେ ଓ କହିଲେ, “ଦେଖନ୍ତୁ, ଦେବାନବାବୁ, ମୋ ସ୍ଥାନରେ ଯଦି ରାଜାବି ଏଠାକୁ ଆସିଥା’ନ୍ତେ ତ ଜମିଦାରବାବୁ ସବୁକାମ ଛାଡି ତାଙ୍କୁ ସ୍ୱାଗତ କରିବାକୁ ଆସିଥାନ୍ତେ । ଏସବୁ କଥା କାହିଁକି କହୁଛନ୍ତି ଦେବାନ୍ବାବୁ? ପଣ୍ଡିତ ଓ ବିଦ୍ୱାନ୍ଙ୍କୁ ଆଦର କରିବା ବା ଗୁଣକୁ ଆଦର କରିବା ରାଜା ବିକ୍ରମଙ୍କ ଶାସନବେଳେ ହୁଏତ ଥିଲା । ଏବେ ସେସବୁ ସ୍ୱପ୍ନ । ବାଘଛାଲ ଘୋଡି ହୋଇ ପଡିଲେ କ’ଣ ଘୁସୁରୀ କେବେବି ବାଘ ହୋଇଯିବ କି? ମୁଁ ଜାଣେ ଜମିଦାର ଅତର ବୋଳି ହୋଇ ଘରେ ବସିଥିବେ । ଆଉ ମୋ ପରି ଜଣେ ଗରୀବ ବ୍ରାହ୍ମଣକୁ ସ୍ୱାଗତ କରିବାକୁ କାହିଁ ଏଠାକୁ ଆସନ୍ତେ? କିନ୍ତୁ ଆପଣ ଏକଥା ମଧ୍ୟ ତାଙ୍କୁ କହିଦେବେ ଯେ ମୋର ଆଶୀର୍ବାଦ ସେ ଯଦି ଲୋଡନ୍ତି ତେବେ ସେ ମୋ ପାଖକୁ ଆସିବେ ।”

                ପଣ୍ଡିତଙ୍କ କଥା ଶୁଣି ଦେବାନ୍ଙ୍କ ମୁହଁ ବିକଳ ହୋଇଗଲା, ବିଦ୍ୟାଧର ସବୁ ଶୁଣିବା ପରେ ପଣ୍ଡିତଙ୍କ ଏଭଳି ସାହସ ଦେଖି ଚମକି ପଡିଲେ । ସେ ତ ତାଙ୍କ ସ୍ୱପ୍ନରେ ସୁଦ୍ଧା ଏହା ଭାବି ନଥିଲେ କି ବିଷ୍ଣୁ ଶର୍ମାଙ୍କର ଅହଂର କିଛି ମାତ୍ରା ଅଛି । ଏସବୁ ଦେଖି ସେ ବ୍ୟସ୍ତ ହୋଇ ପଡିଲେ କାଳେ ଜମିଦାର ରାଗ ରଖି କ’ଣ କିଛି କରିଦେବେ । ଦେବାନ୍ ସବୁକଥା ନୀରବରେ ଶୁଣିଲେ; ପୁଣି ଏମାନଙ୍କର ରହିବା ବ୍ୟବସ୍ଥା କରିଦେଇ ଖବର ଦେବାକୁ ଜମିଦାରଙ୍କ ପାଖକୁ ପଳାଇଲେ । କିଛି ସମୟ ପରେ ନିଜେ ଜମିଦାର ଆସିଲେ ଓ ପଣ୍ଡିତଙ୍କ ପାଖରେ କ୍ଷମା ମାଗିଲେ ।

                ବିଷ୍ଣୁ ଶର୍ମା ଚୁପ୍ ରହିଲେ । ଖାଲି ମୁଣ୍ଡ ହଲାଇ ଉତ୍ତର ଦେଲେ । ଜମିଦାର ଯିବା ପରେ ବିଦ୍ୟାଧର ଆଶ୍ଚର୍ଯ୍ୟ ହୋଇ ପଣ୍ଡିତଙ୍କୁ କହିଲେ, “ଯେଉଁ ସାଧାରଣ ଲୋକ ଆପଣଙ୍କର ପ୍ରଶଂସା କଲା, ଆପଣ ମଧ୍ୟ ସେମାନଙ୍କୁ ପ୍ରଶଂସା କଲେ । ଜଣେ ଶ୍ରମିକ ଆପଣଙ୍କ ସହିତ ବାଜେ ବ୍ୟବହାର କଲା; ଆପଣ ସେଥିରେ ନ ରାଗି ତାକୁ ଓଲଟା କ୍ଷମା ମାଗି ପକାଇଲେ । ତେବେ ଜମିଦାରଙ୍କ ପ୍ରତି ଆପଣଙ୍କ ବ୍ୟବହାର ଏପରି କାହିଁକି ହେଲା? ଏଠାରେ ଯେଉଁ ପ୍ରତିଯୋଗିତା ହେବ ସେଥିରେ ତ ଆପଣ ହାରିଯିବେ, ବୋଧହୁଏ ସେଥିପାଇଁ ଆପଣ ଏପରି ବ୍ୟବହାର କଲେ ।”

                ଏକଥା ଶୁଣି ପଣ୍ଡିତ ଟିକିଏ ମୁଣ୍ଡ ହଲାଇ କହିଲେ, “ଯିଏ ପ୍ରକୃତ ପଣ୍ଡିତ, ସିଏ ନିଜଠାରୁ ଦୁର୍ବଳ ଲୋକକୁ ସମ୍ମାନ କରିବା ଉଚିତ୍ । କିନ୍ତୁ ଯିଏ ବଡ ତା’ରି ଆଗରେ ଅହଂକାର ଦେଖାଇଲେ କିଛିବି କ୍ଷତି ନାହିଁ । ତଦ୍ୱାରା ସେମାନେ ତୁମ କଥା ଶୁଣିବେ ।”

                ବିଦ୍ୟାଧର କହିଲେ “ମୁଁ ଏକଥା ସ୍ପଷ୍ଟ ବୁଝିପାରିଲି ନାହିଁ । ଭଲକରି ବୁଝାନ୍ତୁ ।”

                ପଣ୍ଡିତ ପ୍ରଶ୍ନ କଲେ “ନିଜର ବିଦ୍ବତା ଯୋଗୁଁ ଯଦି କୌଣସି ପଣ୍ଡିତକୁ ଆୟତରେ ରଖିପାର ତେବେ ଜାଣିବ ସେ ଜଣେ ମହାନ୍ ପଣ୍ଡିତ । ଏହି ପ୍ରତିଯୋଗିତାରେ ମୁଁ ବିନୟ ଦ୍ୱାରା ନୁହେଁ ବିଦ୍ବତାର ଶକ୍ତି ଯୋଗୁଁ ଜିତିବାକୁ ଚାହେଁ । ଜମିଦାରଙ୍କ ପ୍ରତି ମୁଁ ଯଦି ବିନୟ ଭାବ ଦେଖାଏ ଓ ପ୍ରତିଯୋଗିତାରେ ଜିତିଯାଏ ତେବେ ମୋର ସନ୍ତୋଷ ହେବନାହିଁ, କ’ଣ କହୁଛ?”

                ପଣ୍ଡିତଙ୍କ କଥା ଶୁଣି ବିଦ୍ୟାଧରଙ୍କର ପ୍ରଥମ କଥା ମନେ ପଡିଲା ଓ ସେ ନିଜେ ଲଜ୍ଜିତ ହେଲେ । ସେତେବେଳେ ସେ ବୁଝିଲେ ଦୁର୍ବଳ, ମୂର୍ଖ ବା ଅପାଠୁଆ ଲୋକଙ୍କ ପ୍ରତି ସମ୍ମାନ ଦେବ, ବିନୟୀ ହେବ; କିନ୍ତୁ ପ୍ରତିଯୋଗୀତାରେ ବିଦ୍ୱାନ ଲୋକଙ୍କ ସହିତ ସାମ୍ନା କରିବ । ବିଷ୍ଣୁଶର୍ମା ବିଦ୍ୟାଧରଙ୍କୁ ବହୁତ ସମ୍ମାନ କରିଛନ୍ତି । ଏହାର ଅର୍ଥ ସେ ତାଙ୍କୁ ସଦାବେଳେ ଛୋଟ ଜ୍ଞାନ କରିଛନ୍ତି ।

ଏବେ ବିଦ୍ୟାଧରଙ୍କର ପ୍ରତିଯୋଗିତାରେ ଭାଗ ନେବାକୁ ଆଉ ସାହସ ନଥିଲା । ସେ ଚୁପ୍ଚାପ୍ ବିଷ୍ଣୁଶର୍ମାଙ୍କଠାରୁ ଅନୁମତି ନେଇ ନିଜ ଘରକୁ ଫେରିଗଲେ । ଏବେ ତାଙ୍କର ବ୍ୟବହାର ଓ ଚାଳିଚଳଣ ସମ୍ପୂର୍ଣ୍ଣ ଭିନ୍ନ ।

ଏଣିକି ଧୀରେ ଧୀରେ ତାଙ୍କର ଖ୍ୟାତି ବଢି ଚାଲିଲା । ତାଙ୍କୁ ସମସ୍ତେ ମହା ପଣ୍ଡିତ ବୋଲି କହିଲେ । ତା’ପରେ ଥରେ ଜମିଦାର ତାଙ୍କୁ ମଧ୍ୟ ପ୍ରତିଯୋଗୀତାରେ ଭାଗ ନେବାକୁ ନିମନ୍ତ୍ରଣ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ