ସେଦିନ ଆମେ ଯେତେବେଳେ ବସ୍ରୁ ଅବତରଣ କଲୁ ରଣପୁର ବଜାର ଉପରେ, ସମୟ ସେତେବେଳକୁ ପ୍ରାୟ ସାଢେ ପାଂଚଟା ହେବ । ଶୀତୁଆ ସଂନ୍ଧ୍ୟା ସୂର୍ଯ୍ୟ ଦେବଙ୍କ ନାଲିଆ କିରଣ ଚାରି ଆଡେ ବିଛାଡି ହୋଇ ପଡି ଥାଏ । ରଣପୁର ଥାନା ସାମ୍ନାରେ ଠିଆ ହୋଇ ମୁଁ ସୂର୍ଯ୍ୟ ଦେବଙ୍କୁ ଲକ୍ଷ୍ୟ କଲି । ସତେ ଅବା ମଣିନାଗ ପାହାଡ ଉପରେ ସିନ୍ଦୁର ଟୋପାଏ କିଏ ଲଗାଇ ଦେଇଛି । ସେହି ସମୟରେ ପ୍ରକୃତିର ବିଚିତ୍ର ଶୋଭା ଦେଖି ମୁଁ ଆତ୍ମହରା ହୋଇ ପଡିଲି । ମାଆ ନାଗମଣିଙ୍କ ମନ୍ଦିରଟିର ଶୁଭ୍ରରଂଗ ଲାଲ୍ ସୂର୍ଯ୍ୟ କିରଣରେ ବିଚିତ୍ର ଆଭା ପରିଦର୍ଶିତ ହେଉ ଥିଲା । ମୁଁ ନିଜକୁ ବିଶ୍ୱାସ କରି ପାରୁ ନଥିଲି ଯେ ମୁଁ କେଉଁଠାରେ ଅଛି । ସତେ ଯେପରି ପ୍ରକୃତି ତାର ସୌନ୍ଦର୍ଯ୍ୟକୁ ଉପସ୍ଥାପିତ କରୁ ଥିଲା । ଜନମାନସରେ ଧୀରେ ଧୀରେ ସୂର୍ଯ୍ୟ ବୁଡି ଗଲେ ନାଗ ମଣୀ ପାହାଡର ପଛ ଦେଶରେ । ନାଗମଣୀ ପାହାଡ ସତେ ଯେପରି ତାଙ୍କ ଶାଢୀ ବଦଳାଇ କଳା ଶାଢୀ ପିନ୍ଧି ବିଦ୍ୟମାନ ହେଲେ । ଅପୂର୍ବ ସେ ପ୍ରକୃତିର ଶୋଭା । ଯିଏ ଦେଖିଛି କେବଳ ସେ ହିଁ ବୁଝିଛି । ଅନ୍ଧାରକୁ ଆଲୋକିତ କରି ସହରରେ ଜଳି ଉଠିଲା ଷ୍ଟ୍ରିଟ ଲାଇଟ୍ ସତେ ଯେପରି ହଜି ଗଲା ସେ ମଣିନାଗ ପାହାଡ ।
ପର ଦିନ ସକାଳେ ଆମେ ଚାରି ଜଣ ବାହାରି ଗଲୁ ମଣିନାଗ ପାହାଡ ଆଡେ । କାରଣ ମଣିନାଗ ପାହାଡର ପାଦ ଦେଶରେ ଥିବା ଗୋଟିଏ ନୂତନ ନିର୍ମାଣ ଗୃହରେ ଆମେ ରହୁ ଥିଲୁ । ହଠାତ୍ କାହାକୁ କିଛି ନକହି ରମାକାନ୍ତ ନାୟକ, ପାଣ୍ଡବ ସାହୁ, ବିପିନ୍ ଆଉ ମୁଁ । ଆମ ଭିତରେ ସମସ୍ତଙ୍କ ଠାରୁ ବେଶୀ ଉତ୍ସାହିତ ଥିଲା ରମାକାନ୍ତ । ସେ ଚାହୁଁ ଥିଲା ପାହାଡ ଉପରକୁ ଯାଇ ମାଆ ମଣି ନାଗଙ୍କୁ ଦର୍ଶନ କରିବ । ଶୀତୁଆ ସକାଳ ମର୍ଣ୍ଣିଂୱାକ୍ କରିବା କଥା । ତେବେ ପାହାଡ ନ ଉଠିବା କାହିଁକି? ପାହାଡ ବିଷୟରେ କାହାର କିଛି ଅଭିଜ୍ଞତା ମଧ୍ୟ ନଥିଲା । କିନ୍ତୁ ସମସ୍ତେ ଜାଣନ୍ତି ତା’ର ଅଭିଜ୍ଞତା ଥିବ । ଅନ୍ୟ ଜଣେ ଜାଣେ ଅନ୍ୟ କାହାର ଅଭିଜ୍ଞତା ଥିବ । ମୁଁ ସେମାନଙ୍କ ଠାରୁ ବୟସରେ ଖୁବ୍ ବଡ । ହେଲେ ମୋର ଅଂଟା ଖରାପ୍ ଥାଏ । ପାଣ୍ଡବ ସାହୁର ଗୋଟେ ଗୋଡ ମଧ୍ୟ ଖରାପ୍ ଥାଏ ।