ଲୋକଟି କହିଲା- ମଣି ନାଗଙ୍କ ପାଖରେ କେତେକ ତନ୍ତ୍ର ସାଧକ ନରବଳୀ ଦେଇ ଥାଆନ୍ତି । ଥରେ କୁଆଡେ ଦୁଇ ଜଣ ସାଙ୍ଗ ଯାଇ ଥିଲେ ମଣିନାଗଙ୍କ ଦର୍ଶନ କରିବା ପାଇଁ । ସାହାସୀ ଦୁଇ ଯୁବକ ଦୁହେଁ ଦୁହିଁଙ୍କୁ ବଳି ଚେହେରା । ଗୋରା ତକ ତକ ସାଙ୍ଗକୁ ବୟସ ସେମାନଙ୍କର ମାତ୍ର ପଂଚତିରିଶ ହେବ । ବାହାରୁ କୁଆଡେ ଆସିଥିଲେ ସେମାନେ । ଦିନ ଦଶଟା ହେବ ତଳ ମଣିନାଗଙ୍କ ଦର୍ଶନ ସାରି ଉପରକୁ ଦୁହେଁ ଚଢିଲେ । ନିଜ ନିଜ ଭିତରେ କଥାବାର୍ତ୍ତା ହୋଇ ଚାଲିଥିଲେ ସେମାନେ । ଆଗ ପଛ ହୋଇ ସେମାନେ ଯାଉଥିଲେ । ଜଣେ ସାମାନ୍ୟ ପଛରେ ଗଲା ଏକ କରିବା ପାଇଁ । ଆଉ ଜଣେ କିଛି ବାଟ ଆଗେଇ ଗଲା କିଛି ସମୟ ପରେ ପଛ ଯୁବକଟି ଆଉ ଆଗ ଯୁବକର ପତା ବି ପାଇଲା ନାହିଁ । କାହାକୁ କହିବ ତା ନାଁ ଧରି ଅନେକ ଡାକିଲା । ତାର ଡାକ କେବଳ ମଣିନାଗ ପଥର ଦେହରେ ବାଜି ପ୍ରତିଧ୍ୱନିତ ହେଲା । କିନ୍ତୁ ଉତ୍ତର କିଛି ମିଳିଲାନି ।
ପଛ ଯୁବକ ଜଣକ ଭାବିଲା କାଳେ ଉପରକୁ ଆଗ ଚଢି ଯାଇଥିବ ଅନ୍ୟ ଯୁବକ ଜଣକ । ତେଣୁ ଧୀରେ ଧୀରେ ଉପରକୁ ଉଠିଲା ସିଏ । ଯୋର୍ରେ ଯାଉ ଯାଉ ତାକୁ ଏକ ଚିତ୍କାର ଶୁଭିଲା । ଆର ଯୁବକ ଜଣଙ୍କର ଚିତ୍କାର ନୁହେଁ ତ ଗଁ ଗଁ ଆର୍ତ୍ତନାଦ । ସଚେତନ ହୋଇ ଗଲା ପଛ ଯୁବକଟା ଭୟ ହେଲେ ଚୁପ୍ଚାପ୍ ବାଟରେ ନ ଯାଇ ଅବାଟରେ ଉପରକୁ ଉଠିଲା । ଧୀରେ ଧୀରେ ଯାଇ ସେ ଯାହା ଦେଖିଲା ଭୟରେ ତାର ସର୍ବାଙ୍ଗ ହୃଦୟ ଥରି ଉଠିଲା । କାଳେ ତାଙ୍କ ପାଟିରୁ କିଛି ଶବ୍ଦ ବାହାରି ପଡିବ ସେଥି ପାଇଁ ସେ ତା ନିଜ ହାତରେ ନିଜ ପାଟିକୁ ଚାପି ଧରି ଥିଲା । ଦୁଇ ଜଣ ଦାଢୀ ନିଶ ବାଲା ତାନ୍ତ୍ରିକ ଦୁଇ ପଟେ । ତାନ୍ତ୍ରିକ ମାନେ ଯୁବକଟିର ହାତ ଗୋଡ ବାନ୍ଧି ତା ବେକକୁ କାଟି ଦେଇଛନ୍ତି । ଦୁଇ ଗୋଡ ଉପରକୁ ଟେକି ତାକୁ ଗଛରେ ବାନ୍ଧି ଦେଇଛନ୍ତି । ରକ୍ତ ଯାହା ଝରୁଛି ନୂତନ ଧଳା ବସ୍ତ୍ରରେ ତାହା ଭିଜା ଯାଉଛି । ତା ମଧ୍ୟରୁ ଜଣେ ତନ୍ତ୍ର ସାଧକ ପାଟି କରି ଆଞ୍ଜୁଳା ଆଞ୍ଜୁଳା ରକ୍ତ ନେଇ ମନ୍ତ୍ର ପଢି ଚାରି ଆଡକୁ ଫୋପାଡୁଛି ।
ଆଉ ଦୁଇ ଜଣ ତାନ୍ତ୍ରିକ ଚାରି ଆଡକୁ ଚାହିଁ କିଏ କାଳେ ଆସିବ ନଜର ରଖି ଛନ୍ତି । ପଛ ଯୁବକ ଜଣକ ପାହାଡର ଗୋଟାଏ ପଥର ଖୋଲ ଆଉ ଗଛକୁ ଏମିତି ଛପି ରହିଛି ତାକୁ ଦେଖିବା ବଡ ଅସମ୍ଭବ । ତାଙ୍କ କଥାରୁ ପଛ ଯୁବକ ଜାଣି ପାରିଲା ଯେ ସେମାନେ କୁଆଡେ ସେହି ରକ୍ତ ଭିଜା ବସ୍ତ୍ରକୁ ସଳିତା କରି ବର୍ଷ ସାରା ତାଙ୍କ ପାଖରେ ଦୀପ ଜାଳିବେ । ତାହା ସହିତ ତନ୍ତ୍ର ସାଧନା କରି ଅନେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବେ । ଦୁଃଖ ଆଉ ଭୟ ମିଶ୍ରିତ ଅବସ୍ଥାରେ ପଛ ଯୁବକ ତାଙ୍କ ଈଶ୍ୱରଙ୍କୁ ସ୍ମରଣ କରି କେମିତି ଆସିଲା ସେ କଥା ସେ ନିଜେ ମଧ୍ୟ ଜାଣିନି । ତଳ ମଣି ନାଗ ମନ୍ଦିର ନିକଟରେ ତାକୁ ରକ୍ତାକ୍ତ ଅବସ୍ଥାରେ ପଡି ଥିବାର ସମସ୍ତେ ଦେଖିଲେ । ତାକୁ ସାଷ୍ଟାଙ୍ଗ କରିବା ପରେ ସେ ଲୋକ ମାନଙ୍କୁ ଏ କଥା କହିଲା । ଲୋକ ମାନେ କୁହା କୁହି ହେଲେ ତେବେ ଏହା ହେଉଛି ମଝିରେ ମଝିରେ ଯାତ୍ରୀ ମାନଙ୍କ ମଧ୍ୟରୁ କିଏ ନା କିଏ ନିଖୋଜ ହେବାର ପ୍ରକୃତ ଅସଲ କାରଣ । କଥାଟା ଏ କାନରୁ ସେକାନକୁ ସବୁ ଆଡେ ଖେଳି ଗଲା । ପୋଲିସ୍ ମଧ୍ୟ ଏ ବିଷୟରେ ଜାଣିଲା ତେଣୁ ସେ ମଧ୍ୟ ଛାନଭିନ୍ନ କଲା । କିନ୍ତୁ ପୋଲିସ୍ କିଛି ପତାବି ପାଇଲାନି । ସେହି ଦିନୁ ସଙ୍ଘ ବଦ୍ଧ ହୋଇ ମାଆଙ୍କ ଦର୍ଶନ କରିବାକୁ ଯାତ୍ରୀ ମାନେ ଯାଆନ୍ତି । ଏକୁଟିଆ ଏଠି କେହି କେବେ କୁଆଡେ ମଧ୍ୟ ଯାଆନ୍ତି ନାହିଁ ।
ଲୋକଟି ଏତିକି କଥାଟି କହି ସାରି ନିରବ ହେଲା । ରମା କିନ୍ତୁ ମନ୍ତବ୍ୟ ଦେଲା । ଏ ଖାଲି କାହାଣୀ ଛଡା ଆଉ କିଛି ନୁହେଁ । ପ୍ରକୃତରେ ମୁଁ ମଧ୍ୟ କହିଲି ଜଣେ ମାଆ କେଭେଁ ତା ସନ୍ତାନ ରକ୍ତକୁ ଖାଇବାକୁ ଚାହେଁ ନାହିଁ । କେତେ ଜଣ ମଣିଷ ମାନସିକ ବିକୃତ ଗ୍ରସ୍ତ ହୋଇ ମନ୍ତ୍ର ଯନ୍ତ୍ର କାପାଳିକ ହୋଇ ଯାଆନ୍ତି । ନିରୀହ ମଣିଷକୁ ବଳୀ ଚଢାଇ କ’ଣ ବା ସେମାନେ ପାଆନ୍ତି କେବଳ ତାକୁ ଜଣା କେତେ ଜଣ ତାନ୍ତ୍ରିକକୁ ପୋଲିସ୍ ଧରି ଆଜୀବନ କାରାଦଣ୍ଡରେ ଜେଲ୍ରେ ନିକ୍ଷେପ କରନ୍ତି । ଯଦି ତାଙ୍କ ତନ୍ତ୍ର ବିଦ୍ୟା ବଳୀ ପରେ କାର୍ଯ୍ୟ କରନ୍ତା, ତେବେ ସେମାନେ ସଶ୍ରମ କାରାଦଣ୍ଡରେ ଅନ୍ଧକାର କୋଠରୀରେ ସଢନ୍ତେ ବା କାହିଁକି? ସେମାନେ ତ ତାଙ୍କ ମନ୍ତ୍ର ଶକ୍ତି ଦ୍ୱାରା କାରାଗୃହରେ ଅଦୃଶ୍ୟ ହୋଇ ଯାଆନ୍ତେ? ମୋ ମତରେ ଏ ସବୁ ମଣିଷର ମାନସିକ ବିକୃତି ଛଡା ଆଉ କିଛି ନୁହେଁ । ତେବେ ସେ ଯାହା ହେଉ ଆମେ ଜଣଙ୍କର ମାଆଙ୍କ ଉଦ୍ଧେଶ୍ୟରେ ପ୍ରଣାମ କରି ସେଠାରୁ ଫେରି ଆସିଲୁ ।