ସୁଖପାଳ ଗାଁର ପ୍ରଭାକରର ନିଜର ବୋଲି କେହିବି ନଥାନ୍ତି । ଘର ଛଣ୍ଡିକ ଛଡା ତା’ର ଆଉ କୌଣସି ସମ୍ପତ୍ତି ମଧ୍ୟ ନଥିଲା । ତେବେ ଲୋକେ ତାକୁ ଖୁବ୍ ଭଲ ପାଊଥାନ୍ତି । କାରଣ, ସେ ସାଧୁ ଓ ପରୋପକାରୀ ।
ପ୍ରଭାକର ପ୍ରାୟ ମୂଲ ଲାଗି ଚଳେ ବୋଲି କହିବାକୁ ହେବ । ସେ ଚାହାଳିରେ ଦୁଇ ଅକ୍ଷର ପାଠ ପଢିଥିଲା । ତା’ପରେ ନିଜେ ଅଭ୍ୟାସ କରି ଲେଖିପଢି ସେ ଶିଖିଥିଲା । ତେଣୁ ମଧ୍ୟେ ମଧ୍ୟେ ସେ ଗାଁର କେହି କେହି ଲୋକଙ୍କର ଚିଠିପତ୍ର ପଢିଦେଇ, ଲେଖିଦେଇ, ଦୁଇ ପଇସା ପାଏ । ଅନ୍ୟବେଳେ ଗାଁ ଦୋକାନୀ ପାଇଁ ସେ ସହରକୁ ଯାଇ ଜିନିଷପତ୍ର ଖରିଦ୍ କରି ଆଣେ । ଏକୁଟିଆ ଲୋକ ବୋଲି ସେ ଚଳିଯାଏ । ତାକୁ ଭଲ ବଂଶୀ ବଜାଇ ଆସୁଥାଏ । ପାଖ ଗାଁ ଯାତ୍ରାଦଳ କୁଆଡେ ଅଭିନୟ କରିବାକୁ ଗଲେ ସେମାନେ ତାକୁ ସେମାନଙ୍କ ସାଙ୍ଗରେ ନେଇଯାନ୍ତି । ସେ ବଂଶୀ ବଜାଇ ଦଳଠୁଁ କିଛି ପଇସା ପାଏ ।
ଗାଁର ନାରଣ ଦାସଙ୍କ ଝିଅ ଗୀତାକୁ ବାହାହେବା ନିମନ୍ତେ ପ୍ରଭାକର ଇଚ୍ଛା କରୁଥାଏ । କିନ୍ତୁ ଯାହାର କିଛି ନାହିଁ, ତାକୁ ଝିଅ ଦେବାକୁ କିଏ ବା ମନ ବଳାଇବ? ତେଣୁ ପ୍ରଭାକର ପ୍ରସ୍ତାବ ପକାଉ ନଥାଏ ।
ସେତିକିବେଳେ ଗୋଟିଏ ସୁସମ୍ବାଦ ପହଁଚିଲା । ସୁଖପାଳ ଗାଁଠୁ ଦଶକ୍ରୋଶ ଦୂରବର୍ତ୍ତୀ ଶ୍ରୀରାମପୁର ଗାଁରେ ପ୍ରଭାକରର ଜଣେ ଦୂର ସମ୍ପର୍କିୟ ମାମୁଁ ଥିଲେ । ଥରେ ସେ ବେମାର ପଡିଥିଲା ବେଳେ ପ୍ରଭାକର ତାଙ୍କ ପାଖରେ ରହି ତାଙ୍କର ସେବା ଶୁଶ୍ରୁଷା କରି ତାଙ୍କୁ ବଂଚାଇଥିଲା କହିଲେ ଚଳେ । ଭଦ୍ରଲୋକ ମରିବା ଆଗରୁ ଶ୍ରୀରାମପୁରର ଜମିଦାରଙ୍କ ପାଖରେ ପ୍ରଭାକର ନିମନ୍ତେ ପଚିଶ ହଜାର ଟଙ୍କା ରଖିଯାଇଥାନ୍ତି ।
ଏହି ଖବର ଶୁଣି ଗାଁ ଲୋକେ ପ୍ରଭାକରକୁ ଅନେକ ଅଭିନନ୍ଦନ ଜଣାଇଲେ । ପ୍ରଭାକର ଟଙ୍କା ଆଣିବା ପାଇଁ ଶ୍ରୀରାମପୁର ଗଲା । ତାକୁ ତା’ ଟଙ୍କା ଦେଇ ଜମିଦାର କହିଲେ, “ପ୍ରଭାକର, ତମ ଗାଁର ମାଗୁଣି ମହାନ୍ତିଙ୍କୁ କହିଦେବ, ତାଙ୍କ ଝିଅ ଆମ ମନକୁ ପାଇଛି । ସେ ଜ୍ୟୋତିଷ ସହ ପରାମର୍ଶ କରି ବାହାଘର ତାରିଖ ଠିକ୍ କରି ଆମକୁ ଖବର ଦେବେ ।”
“ହଉ ଆଜ୍ଞା,” ଏହା କହି ପ୍ରଭାକର ଟଙ୍କା ଧରି ସିଧା ସହରକୁ ଗଲା । ସେଠାରୁ ଦିନକ ପରେ ଗାଁକୁ ଲେଉଟି ଆସି ମାଗୁଣି ମହାନ୍ତିଙ୍କୁ ସେ ଭେଟିଲା । ମାଗୁଣି ମହାନ୍ତି ପଚାରିଲେ, “କିହୋ, ମୁହଁ କାହିଁକି ଶୁଖାଇଛ?”
ପ୍ରଭାକର କହିଲା “ବାବୁ, ସେକଥା ଆଉ ପଚାରନ୍ତୁ ନାହିଁ । ତେବେ ଆପଣଙ୍କ ନିମନ୍ତେ ସୁଖବର ଆଣିଛି । ଆପଣଙ୍କ ଝିଅ ଶ୍ରୀରାମପୁର ଜମିଦାରଙ୍କର ଭାରି ପସନ୍ଦ ହୋଇଛି । ସେ ବାହାଘର ତାରିଖ ଠିକ୍ କରିବାକୁ କହିଛନ୍ତି ।”
ମାଗୁଣି ମହାନ୍ତି ପଚାରିଲେ “ବାଃ, ତମେ ତ ସତରେ ସୁଖବର ଆଣିଛ । କିନ୍ତୁ ତମେ କାହିଁକି ମନ ଖରାପ କଲ? ତମେ ହଠାତ୍ ଟଙ୍କା ପାଇଛ । ତମେ ତ ବହୁତ ଖୁସି ଦେଖାଯିବା କଥା ।”