ଆଉ ପୁଣି ସେହି ବସା ଭିତରେ ମୋର ଦୁଇଟି ଅଣ୍ଡା ଅଛି । ତୁମେ ଯେମିତି ଏ ଡାଳରୁ ସେ ଡାଳକୁ ଡେଉଁଛ ମତେ ଭାରି ଡର ମାଡୁଛି । କେତେବେଳେ ମୋ ଅଣ୍ଡା ଦୁଇଟା ଖସି ପଡି ମାଟିରେ ମିଶିଯିବ ।” ଏହା ଶୁଣି ସେ ମାଙ୍କଡ କହିଲା, “ତୁ ଅଣ୍ଡା ଦେଇଛୁ ବୋଲି କ’ଣ ମୁଁ ତେନ୍ତୁଳି ଗଛକୁ ଯିବି ନାହିଁ । ନାଚ କୁଦ କରିବି ନାହିଁ? ତୋ ଅଣ୍ଡା ଭାଙ୍ଗିଲେ କେତେ ରହିଲେ କେତେ, ମୋର ସେଥିରେ କିଛି ବି ଯାଏ ଆସେ ନାହିଁ ।” ମାଙ୍କଡର ତୋଡ ଦେଖି କୁଆ ବିଚରା ଚୁପ୍ ହୋଇଗଲା ।
ତହିଁ ଆର ଦିନ କୁଆ ଅତ୍ୟନ୍ତ ମନ ଦୁଃଖରେ ତେନ୍ତୁଳି ଡାଳରେ ବସିଥାଏ । ଏହି ସମୟରେ ଗୁଣ୍ଡୁଚିମୂଷା ତାକୁ କହିଲା କୁଆ ଭାଇ ତମ ମନରେ କାହିଁକି ସୁଖ ନାହିଁ କ’ଣ ହୋଇଛି ତୁମର?
କୁଆ କହିଲା, “ମୋ ଅଣ୍ଡାମାନଙ୍କ ପାଇଁ ଭାରି ବିପଦ ପଡିଛି । ପ୍ରତିଦିନ ଗୋଟାଏ ହନୁମାଙ୍କଡ ଆସି ଏଇ ତେନ୍ତୁଳି ଗଛରେ ନାଚ କୁଦ କରୁଛି । ତେଣୁ ମୋ ବସା ଦୋହଲୁଛି । ଯେତେ କହିଲେ ବି ସେ ମୋ କଥା ଆଦୌ ଶୁଣୁ ନାହିଁ ।” ସବୁକଥା ଶୁଣି ଗୁଣ୍ଡୁଚିମୂଷା କହିଲା “ଏଇଥିପାଇଁ ଏତେ ଚିନ୍ତା । ଶୁଣ ଯିଏ ଦୁଷ୍ଟ ହେବ ତାକୁ ଦଣ୍ଡ ନ ଦେଲେ ସେ ମୋଟେ ସୁଧୁରିବ ନାହିଁ । ମାଙ୍କଡକୁ ତ ତୁମେ କେତେଥର କହିଲଣି ହେଲେ ସେ ତୁମ କଥା ଯମା ଶୁଣୁନାହିଁ । ଏବେ ତୁମେ ତୁମ ଜାତିଭାଇ ଚାରି ପାଂଚଜଣକୁ ଡାକି ଆଣ । ମାଙ୍କଡ ଯେତେବେଳେ ତେନ୍ତୁଳି ଗଛକୁ ଆସିବ ସେତେବେଳେ ସମସ୍ତେ ତା ମୁଣ୍ଡକୁ ଖୁମ୍ପିବା ଆରମ୍ଭ କରିବ ଦେଖିବ ସେ କେମିତି ଡହଳ ବିକଳ ହୋଇ ଏଠାରୁ ପଳାଇଯିବ ।”
ତା’ପରେ ସେ କୁଆ ଉଡିଯାଇ ନଈକୂଳରୁ ଆଉ ପାଂଚଟି କୁଆକୁ ଡାକିଆଣିଲା । ଯେତେବେଳେ ମାଙ୍କଡଟି ତେନ୍ତୁଳି ଗଛକୁ ଆସିଲା, ସେତେବେଳେ ସମସ୍ତେ ଆକାଶରେ ଉଡି ଉଡି ସେ ମାଙ୍କଡର ମୁଣ୍ଡକୁ ଖାଲି ଖୁମ୍ପିବାକୁ ଲାଗିଲେ । ମାଙ୍କଡ ଡହଳ ବିକଳ ହୋଇ ଏ ଡାଳରୁ ସେଡାଳ ଏଗଛରୁ ସେଗଛ ଡେଇଁବାକୁ ଲାଗିଲା । ମାତ୍ର କୁଆମାନେ ତାକୁ ମୋଟେ ଛାଡିଲେ ନାହିଁ ବରଂ ତାକୁ ଗୋଡେଇ ଗୋଡେଇ ଖୁମ୍ପିଲେ । ଶେଷରେ ସେ ମାଙ୍କଡଟି ନଈକୂଳ ଛାଡି ବଣ ଆଡକୁ କୁଦି କୁଦି ପଳାଇଗଲା । କୁଆଟି ସେଇ ଦିନରୁ ଖୁବ୍ ଶାନ୍ତିରେ ରହିଲା । ତଥା ଅଣ୍ଡା ଫୁଟେଇ ଛୁଆ ଜନ୍ମକଲା ।
ତାଳ ଗଛରେ ଥାଇ ଗୁଣ୍ଡୁଚି ମୂଷା କହିଲା, କୁଆଭାଇ ଦେଖିଲ ତ ଦୁଷ୍ଟଲୋକଙ୍କୁ ଦୁଷ୍ଟ ବୁଦ୍ଧିଦ୍ୱାରା କିପରି ସାବାଡ କରାଗଲା ।