ତେଣୁ ସେ ବାବାଜୀ ଦେହରୁ ଗମ୍ଗମ୍ ହୋଇ ଝାଳ ନିଗିଡି ପଡୁଥାଏ । ନିଦ ମଧ୍ୟ ଲାଗୁଥାଏ ସେ ବାବାଜୀକୁ । କିନ୍ତୁ ବାବାଜୀକୁ ଏସବୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଲାଗୁଥାଏ । କାହିଁକିନା ସେ ତ କ୍ଳାନ୍ତ ହୋଇ ପଡିଲାଣି । ଏତେ ପରିଶ୍ରମ ହେବା ସତ୍ୱେ ମଧ୍ୟ କୁଳିଆ ବିଶ୍ରାମ ନେବାକୁ ଆଦୌ ଚାହୁଁନି । ସେ ଭୂତ ବା କାହିଁକି ଥକି ପଡିଲାଣି ବୋଲି କହିବ । ପାଣି ବୁହା ଚାଲିଛି ତ ଚାଲିଥାଉ । ମନେ ମନେ ଏହା ଭାବି ବାବାଜୀ ବି ସେ ଭୂତ ସାଙ୍ଗରେ ପାଣି ବୋହି ଚାଲିଥାଏ । ଏଣେ ବାବାଜୀ ଥକି ନ ପଡିବାର ଦେଖି ସେ ଭୂତଟିକୁ ମଧ୍ୟ ଆଦୌ ଭଲ ଲାଗୁନଥାଏ । ତେଣେ ରାତି ବି ସରି ସରି ଆସୁଥାଏ । ସେପଟେ କ’ଣ ହେଇଛି ନା ପ୍ରକୃତ କୁଳିଆ ବାବାଜୀକୁ ଡାକିବାରୁ ବାବାଜୀ ‘ସ୍ତ୍ରୀ’ କହିଲା, ତମେ ପରା କେତେବେଳୁ ତୁମ ଭାଇକୁ ମାଛ ଧରିବାକୁ ଡାକି ନେଇଛ । ତେଣୁ ତୁମ ଭାଇ ତ ଏବେ ଘରେ ନାହାଁନ୍ତି । କୁଳିଆ ତ ତା ଭାଉଜଠାରୁ ଏହା ଶୁଣି ଏକାବେଳେ ଆଶ୍ଚର୍ଯ୍ୟ । ତାପରେ ସେ ଭାବିଲା, ଏହା ନିଶ୍ଚୟ ଭୂତର କାମ । ତହୁଁ ସେ କୁଳିଆ କହିଲା ନାହିଁ ଭାଉଜ, ମୁଁ ତ ଏଇ ସାଙ୍ଗେ ସାଙ୍ଗେ ନିଦରୁ ଉଠିଲି । ମୁଁ ମାଛ ଧରିବାକୁ ଭାଇଙ୍କୁ ମୋଟେ ଡାକି ନାହିଁ, ଏହା ନିଶ୍ଚୟ ଭୂତର କାମ । ତାହେଲେ ମୁଁ ଆସୁଛି । ତୁମେ ଘରେ କବାଟ ବନ୍ଦକରି ରହିଥାଅ । ଏହା କହି ସେ କୁଳିଆ ସିଧା ନଣ୍ଡା ବରଗଛ ବାଟକୁ ଦୌଡିଲା ।
ଭାଇ ଭାଇ ଖୁବ୍ ସ୍ୱରରେ ଡାକୁଥାଏ କୁଳିଆ । ରାତି ଚାରିଟା, ତେଣେ ରାତି ବି ସରି ସରି ଆସୁଥାଏ । ରାତି ପାହିଲେ ଜାଣ କଥା ସରେ । ନଣ୍ଡା ବରଗଛରେ ଭୂତ ଏଥର ତା’ ନିଜର ଭୀଷଣତା ଭୟଙ୍କର ରୂପକୁ ଦେଖାଇବାକୁ ଇଚ୍ଛା କଲା । ଠିକ୍ ସେହି ସମୟରେ କୁଳିଆ, ତଥା ସେ ପ୍ରକୃତ ବାବାଜୀ ଭାଇର କଣ୍ଠସ୍ୱର ଶୁଣାଗଲା । ବାବାଜୀ ଭାଇ, ବାବାଜୀ ଭାଇ । ଏଣେ ବାବାଜୀ ବି ତା’ ଭାଇର ଡାକଶୁଣି ଏ ଭୂତରୂପୀ କୁଳିଆକୁ କହିଲା – କୁଳିଆ କିଏ ମତେ ଡାକୁଛି? ବାବାଜୀ ଭାଇ, ବାବାଜୀ ଭାଇ ଏ ତ ତୋ କଣ୍ଠସ୍ୱର ଭଳି ଶୁଭୁଛି । ବାବାଜୀଠାରୁ ଏତକ ଶୁଣି ଏଥର ସେ ଭୂତରୂପୀ କୁଳିଆ ହଠାତ୍ ସେଣାଟିକୁ ଛାଡିଦେଇ କହିଲା – ବାବାଜୀ ମୁଁ ତୋ ଭାଇ ନୁହେଁ ଏ ନଣ୍ଡା ବରଗଛର ମାଛଖିଆ ଭୂତ । ଯା-ଯା ତୋ ବେଳ ଭଲ, ତେଣୁ ଅଳ୍ପକେ ବଂଚିଗଲୁ । ଏତିକି କହି ସେ ଭୂତଟି ଧଳା ବାଦଲଖଣ୍ଡ ଭଳି କୁଳିଆ ମୁଣ୍ଡ ଉପରେ ଭାସି ଭାସି ଖାଲ ଉପରେ ଥିବା ସେ ନଣ୍ଡା ବରଗଛରେ ମିଶିଗଲା ।