ରାତି ପାହି ସକାଳ ହେଲା । ସବୁ ଶଗଡିଆ ଭାଇମାନେ ଉଠିଲେ, ନିଜର ନିତ୍ୟକର୍ମ ବି ସାରିଲେ । କିନ୍ତୁ ଚନ୍ଦ୍ରମଣିର ନିଦ ସେ ପର୍ଯ୍ୟନ୍ତ ବି ଭାଙ୍ଗି ନାହିଁ । ସମସ୍ତେ ଆଶ୍ଚର୍ଯ୍ୟ, ସମସ୍ତେ ଚନ୍ଦ୍ରମଣି, ଚନ୍ଦ୍ରମଣି ବୋଲି ଯେତେ ଡାକିଲେ ଚନ୍ଦ୍ରମଣି କିନ୍ତୁ ଆଦୌ ଉଠିଲା ନାହିଁ । ସମସ୍ତେ ଅନୁମାନ କଲେ ଚନ୍ଦ୍ରମଣି ବୋଧେ ମରି ଯାଇଛି । ହଠାତ୍ ଏଭଳି ଅଘଟଣ କିପରି ଘଟିଲା ସମସ୍ତଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଭାଳେଣି ପଡିଗଲା । ସମସ୍ତେ କହିଲେ ଚନ୍ଦ୍ରମଣି ତ କହୁଥିଲା ତା’ର ଖାଇବାକୁ ଇଚ୍ଛା ନାହିଁ, ତେଣୁ ସେ ବି କାଲି ରାତିରେ କିଛି ଖାଇନାହିଁ । ଗାଁର ଜମିଦାରଙ୍କ ଘରକୁ ତ ନିଆଁ ପାଇଁ ସେ ଯାଇଥିଲା, ସେଇଠି କିଛି ଖାଇ ଦେଲାକି କ’ଣ ହେଲା । ଚାଲ ସମସ୍ତେ ଜମିଦାର ଘରକୁ ଯିବା । ସବୁ କଥାଶୁଣି ସେ ଜମିଦାର ବୁଢା କହିଲା, ଶଗଡିଆମାନେ, କାଲି ତୁମ ଲୋକ ଆମ ଘରକୁ ନିଆଁ ପାଇଁ ଆସିଥିଲା । ମୋ ସାନ ବୋହୂ ତ ସେତେବେଳେ ମାଛ ଭାଜୁଥିଲା, ସେ ନିଆଁ ନେଇଗଲା, ତା’ପରେ ତା’ର କ’ଣ ଏଭଳି ଅଘଟଣ ଘଟିଗଲା ବୋଲି କହୁଛ, ମୁଁ ତ ଏଥିରୁ କାହିଁ କିଛି ବି ବୁଝିପାରୁ ନାହିଁ ।
ଶଗଡିଆମାନେ କହିଲେ ଆମ ଶଗଡିଆ ଭାଇ ଚନ୍ଦ୍ରମଣି ମୃତ ବୋଲି ଜଣା ପଡୁନଥିଲେ ବି ଯେତେ ଡାକିଲେ ସେ ତ କାହିଁ ଉଠୁ ନାହିଁ । ଏହା ଶୁଣି ସେ ଜମିଦାର ବୁଢା କହିଲେ, ତମେ ମୋ ସାନ ବୋହୂକୁ ପଚାରିଲ କ’ଣ ହୋଇଛି । ତାପରେ ସବୁ ଶଗଡିଆମାନେ ଜମିଦାରଙ୍କ ସାନବୋହୂଙ୍କୁ ପଚାରିଲେ, ମାଆ କାଲି ଆମ ଶଗଡିଆ ଭାଇ ନିଆଁ ପାଇଁ ଆସିଥିଲା । ଏକଥା ଶୁଣି ଜମିଦାରଙ୍କର ସାନବୋହୂ କହିଲା ହଁ । ମୁଁ ତ ସେତେବେଳେ ମାଛ ଭାଜୁଥିଲି । ସେ ନିଆଁ ମାଗିଲେ । ମୁଁ ବି ତାଙ୍କୁ ନିଆଁ ଦେଲି, ସେ ତ ନିଆଁ ନେଇ ଗଲେ । ହଠାତ୍ ଶିକାରେ ଥିବା ମାଛ କଡେଇ ଖଡ ଖଡ ଧଡ ଧଡ ହେଲା । ଜମିଦାରଙ୍କର ସାନବୋହୂ ଶିକାରୁ ମାଛ କଡେଇ ଓହ୍ଲେଇ ଆଣି ସେ କଡେଇରୁ ଥାଳିଟିକୁ ବାହାର କରିଦେଲେ ।
ସେ ଜମିଦାରଙ୍କର ସାନବୋହୂ ତ ଭାରି ବୁଦ୍ଧିମତି । ସେ ଶଗଡିଆମାନଙ୍କୁ କହିଲା, ଶଗଡିଆ ଭାଇମାନେ ଦେଖିଲେ ସେ ମାଛ କଡେଇଟା କିପରି ଆପଣା ଇଚ୍ଛାରେ ଖଡ୍ ଖଡ୍ ଧଡ୍ ଧଡ୍ ହେଲା । ଆମ ଗାଆଁରେ ଜଣେ ଲୋକର ଆଶା ଜଣକ ପିଠା ହାଣ୍ଡିରେ ପଶି ଯାଇଥିଲା । ପିଠା ହାଣ୍ଡିର ଘୋଡଣୀ କାଢି ଦେବା ପରେ ସେ ଲୋକ ତା’ ଚେତା ଫେରି ପାଇଲା । ପିଠା ହାଣ୍ଡିରେ ସେ ଲୋକର ଆଶା ପ୍ରବେଶ କରିଥିବାରୁ ସେ ଲୋକର ଚେତା ଚାଲି ଯାଇଥିଲା । ଆଜି ମୁଁ କିନ୍ତୁ ଠିକ୍ ଅନୁମାନ କରୁଛି, ତୁମ ଶଗଡିଆ ଭାଇର ଆଶା ମୋ ମାଛ କଡେଇରେ ପ୍ରବେଶ କରିଛି । ତମେମାନେ ମୋଠାରୁ ଖଣ୍ଡେ ଭଜା ମାଛ ନେଇଯାଅ । ତାପରେ ସେ ଶଗଡିଆ ଭାଇକୁ ମାଛ ଆଣିଛୁ କହି ଉଠାଇବ, ଦେଖିବେ ଏଥର ସେ ନିଶ୍ଚୟ ଚେତା ଫେରି ପାଇବେ ।