କାଇରୋ ନଗରରେ ଜଣେ ବିଦୂଷକ ଥା’ନ୍ତି, ତାଙ୍କ ନାମ ଗୋହୋ । ଥରେ ସେ ଭାବିଲେ ତାଙ୍କର ବଳକା ସମୟକୁ ବଗିଚା ତିଆରି କରିବାରେ ସେ ଲଗାଇବେ । ତା’ପରେ ସେ ଭଲ ମାଟି ଅଣାଇ ଏକ ବିସ୍ତୃତ ସ୍ଥାନ ଉପରେ ବଗିଚା ବନାଇଲେ । ସେ ନିଜେହିଁ ସବୁ ଦେଖାଶୁଣା କରୁଥା’ନ୍ତି । ନାନା ସ୍ଥାନରୁ ନାନା ପ୍ରକାରର ଫଳ ଓ ଫୁଲ ଗଛ ସବୁ ଅଣାଇ ସେ ଏକ ସୁନ୍ଦର ବଗିଚା ବନାଇଲେ । ଯିବା ଆସିବା ଲୋକେ ବଗିଚାଟି ଦେଖି ଖୁବ୍ ଆନନ୍ଦିତ ହେଉଥା’ନ୍ତି ।
ଥରେ ଜଣେ ଅମୀର, ଗୋହୋଙ୍କ ସହିତ ଦେଖା କରିବାକୁ ଆସିଲେ । ସେ ଦେଖିଲେ ଗୋହୋ ବଗିଚାରେ ଘାସ ବାଛିବାରେ ବ୍ୟସ୍ତ । ସେ ଟିକିଏ ଥଟ୍ଟା କରି କହିଲେ, “ଆରେ ଭାଇ, ତମେ ତ କ’ଣ ଜଣେ ବଡ ମାଳୀ ହୋଇଗଲଣି? ଆଉ ନୂଆ ନୂଆ ଗଛ ସବୁ କାହିଁକି କରୁନାହଁ?”
ଗୋହୋ କହିଲେ, “ଯେତିକି ନୂଆ ଗଛ ଓ ନୂଆ ପ୍ରକାରର ମଞ୍ଜି ମିଳିଛି ମୁଁ ସେସବୁ ସଂଗ୍ରହ କରି ଲଗାଇଛି । କାହିଁକି, ଆପଣ କିଛି ନୂଆ ମଞ୍ଜି ଦେଇପାରିବେ କି?”
ଅମୀର କହିଲେ “ହଁ, ହଁ, ଦେଇପାରିବି ନାହିଁ କାହିଁକି? ସେଇ କଥା ତ ମୁଁ କହୁଛି । ମୁଁ ଦେଇ ପାରିବି ଯେ ତୁମେ ସେ ମଞ୍ଜିରୁ ଗଛ ତିଆରି କରିପାରିଲେ ହେଲା ।”
ଗୋହୋ କହିଲେ, “ଆପଣ ମନରେ କୌଣସି ସନ୍ଦେହ ନ ରଖି ମୋତେ ମଞ୍ଜି ଦିଅନ୍ତୁ ନା; ମୁଁ ଠିକ୍ ଗଛ କରିଦେବି ।”
ଅମୀର କହିଲେ “ଆଚ୍ଛା ଏପରି କଥା! ତେବେ ତ ଆଜିହିଁ ମୁଁ ମୋ ଚାକର ହାତରେ ପଠାଇ ଦେବି ।”
ଅମୀର ଚାଲିଗଲେ । ପରଦିନ ସତକୁ ସତ ଅମୀରଙ୍କ ଚାକର ଗୋଟିଏ ପୁଟୁଳା ଆଣି ଗୋହୋଙ୍କ ହାତରେ ଦେଲା ।
ମାଳୀମାନଙ୍କ ଅଭ୍ୟାସ ହେଉଛି ନୂଆ ମଞ୍ଜି ପାଇଲେ ଗୋଟିଏ ପାଟିରେ ପକାଇ ତାକୁ ଚାଖନ୍ତି । ଗୋହୋ ସେପରି କରି ଜାଣି ପାରିଲେ ଯେ ଅମୀର ସାହେବ ତାଙ୍କ ସହିତ ଫାଜିଲାମି ଖେଳୁଛନ୍ତି । ସେ ଯେଉଁଗୁଡିକ ପଠାଇଥିଲେ ତାହା ମଞ୍ଜି ଯେ, କିନ୍ତୁ ସେଗୁଡିକ କୌଣସି ଫଳ ବା ଫୁଲର ମଞ୍ଜି ନୁହେଁ, ଶୁଖିଲା ମାଛ ମଞ୍ଜି ।
ଦୁଇ ସପ୍ତାହ ପରେ ଦିନେ ଗୋହୋଙ୍କ ସହିତ ଅମୀରଙ୍କର ବଜାରରେ ଦେଖା ହେଲା । ଦେଖିବା ମାତ୍ରେ ଅମୀର ଗୋହୋଙ୍କୁ ପଚାରିଲେ, “କ’ଣ ଭାଇ, ତୁମ ବଗିଚା କିପରି ଅଛି? ଗୋଲାପ ସବୁ ଫୁଟୁଛି ତ?”
ଗୋହୋ କହିଲେ, “ହଁ, ହଁ, ଆପଣଙ୍କ କୃପାରୁ ଏତେ ଫୁଲ ଫୁଟୁଛି ଯେ ପତ୍ର ସୁଦ୍ଧା ବି ଦେଖାଯାଉନାହିଁ ।”
ଅମୀର ଅଳ୍ପ ହସି ପଚାରିଲେ “ଆଚ୍ଛା, ଖୁବ୍ ଭଲ କଥା । ଆରେ ହଁ, ମୁଁ ଯେଉଁ ମଞ୍ଜି ପଠାଇଥିଲି ତୁମେ ତାକୁ ବୁଣିଲ ତ?”
ଗୋହୋ କହିଲେ – “ହଁ, ହଁ, ମୁଁ ତ ସେହିଦିନହିଁ ମଞ୍ଜିଗୁଡିକ ବୁଣିଦେଲି ।”
ଅମୀର ମନେ ମନେ ହସି କହିଲେ, “ହଁ ବୁଣି ତ ଦେଲ; ଗଜା ଉଠିଲା କି? ମୋ ଜୁଆଇଁ କହୁଥିଲେ, ସାଧାରଣ ମାଳୀଙ୍କ ହାତରେ ସେ ମଞ୍ଜି ଗଜା ହେବ ନାହିଁ ।”
ଗୋହୋ କହିଲେ “ଏକବାରେ ସତ କଥା । ମୁଁ ଯେହେତୁ ଜଣେ ସାଧାରଣ ମାଳୀ ନୁହେଁ ତେଣୁ ମଞ୍ଜିରୁ ଗଜା ଉଠିଛି । ସେଥିରେ ଖରା ନ ଲାଗିବାକୁ ମୁଁ ପତର ଠୋଲା ସବୁ ଘୋଡାଇ ରଖିଛି । ଗଜାରୁ ଛୋଟ ଛୋଟ ଗଛ ହେଲାଣି । କାଲି ଆସନ୍ତୁ ନା, ଆମ ବଗିଚାକୁ ଦେଖିଯିବେ!”
ଅମୀର ଭାବିପାରିଲେ ନାହିଁ ଯେ, ଏହା କିପରି ସମ୍ଭବ ହେଲା । ସେ କହିଲେ, “ଆଚ୍ଛା, ଠିକ୍ ଅଛି, କାଲି ମୁଁ ଆସିବି ।”
ଅମୀର ଯିବା ପରେ ଗୋହୋ ମାଛ ଦୋକାନରୁ କେତେଗୁଡିଏ ଛୋଟ ଛୋଟ ମାଛ କିଣି ଘରକୁ ଆସିଲେ । ତା’ପରେ ସେଗୁଡିକ ବଗିଚାକୁ ନେଇ ସେ ଓ ତାଙ୍କ ପୁଅ ଧାଡି ଧାଡି କରି ପୋତିଲେ । ଯେପରି ମାଛର ମୁହଁ ପାଖର ଅଧା ଉପରକୁ ରହିବ ଓ ଲାଞ୍ଜଟି ମାଟି ଭିତରେ ରହିବ । ତା’ ଉପରେ ପତର ଠୋଲା ଘୋଡାଇ ସୁନ୍ଦର କରି ସେ ରଖିଲେ ।
ପରଦିନ ଅମୀର ସକାଳୁ ଆସି ପହଁଚିଗଲେ । କାରଣ ମାଛମଞ୍ଜି ଗଜା ହେବା ଭଳି ଅଜବ କଥା ଶୁଣି ବୋଧେ ରାତିସାରା ସେ ଶୋଇପାରି ନାହାଁନ୍ତି । ଅମୀରଙ୍କୁ ଦେଖି ଗୋହୋ ଆଦର ସହକାରେ ପାଛୋଟି ନେଇ ବଗିଚାକୁ ନେଇଗଲେ । ସେଠାରେ ପହଁଚି ସେ କହିଲେ, “ଦେଖନ୍ତୁ ପତ୍ରଠୋଲା ଢଙ୍କା ହୋଇଥିବା ଗଛ ଗୁଡିକ ଆପଣ ପଠାଇଥିବା ମଞ୍ଜିରୁ ଉଠିଛି ।” ଏତିକି କହି ସେ ଢାଙ୍କୁଣୀ ଉଠାଇ ଦେଲେ । ଅମୀର ଦେଖିଲେ ମାଟି ଭିତରୁ ମାଛ ସବୁ ଉପରକୁ ମୁହଁ କରି ଉଠିଛନ୍ତି । ତାଙ୍କ ମୁଣ୍ଡ ଗୋଳମାଳ ହୋଇଗଲା । ସେ କହିଲେ, “ଏହା କି ଆଶ୍ଚର୍ଯ୍ୟ ଓ ଚମତ୍କାର କଥା! ମୁଁ ନିଜ ଆଖିରେ ନ ଦେଖିଥିଲେ କେବେ ମଧ୍ୟ ବିଶ୍ୱାସ କରି ନଥା’ନ୍ତି ।”
ଗୋହୋ କହିଲେ, “ମୋର ଦଶଏକର ଜମି ଥିଲେ ମୁଁ କେବେଠାରୁ ଏ ଫସଲ କରି ସାରନ୍ତିଣି ।”
“ମୋର ତ ଜମି ଅଛି; ଏ ଫସଲ ମୁହିଁ କରିବି ।” ଏତିକି କହି ଅମୀର ତାଙ୍କ ଚାକରଙ୍କୁ ଡାକି କହିଲେ, “ଏ ବର୍ଷ ମୋର ସବୁ ଜମିରେ ତମେମାନେ ମାଛଅଣ୍ଡା ବୁଣିବ ।” କିଛିଦିନ ମଧ୍ୟରେ ଏ ଖବର ସମସ୍ତେ ଜାଣିଗଲେ । ଅମୀରଙ୍କୁ ଦେଖିଲେହିଁ ସେମାନେ ହସିବାକୁ ଲାଗିଲେ । କ୍ରମେ ସେ ଜାଣିଗଲେ ପ୍ରକୃତ ସତ୍ୟ କ’ଣ? ଅନ୍ୟକୁ ଠକାଇବାକୁ ଯାଇ ସେ କିପରି ଦୟନୀୟ ଭାବରେ ଠକେଇ ହୋଇ ଯାଇଛନ୍ତି । ସେ କଥା ସେ ଅନେକ ଡେରିରେ ବୁଝିଲେ ।