ଯାଉ ଯାଉ ରାସ୍ତାରେ ଜଙ୍ଗଲ ପଡିଲା । ସେ ଦେଖିଲା ଜଣେ କାଠୁରିଆ, କାଠକାଟି ସେଗୁଡିକୁ ବାନ୍ଧି ନେଉଛି । ସେ ଦୌଡିଯାଇ କହିଲା, “ଅଜା, ତୁମେ ତ ବୁଢା ଲୋକ ଏତେଗୁଡାଏ କାଠ କ’ଣ ଏକେଲା ଉଠାଇ ପାରିବ? ଚାଲ ମୁଁ ଉଠାଇ, ତୁମ ଘରେ ନେଇ ଏହାକୁ ଛାଡି ଆସିବି ।” ଏକଥା ଶୁଣି ସେ ବୁଢା ଖୁବ୍ ଖୁସି ହୋଇଗଲା । ବାଟରେ ଯାଉ ଯାଉ ସେ କୁମାର ନିଜର ସମସ୍ତ ଦୁଃଖ କାହାଣୀ ବୁଢାକୁ ଶୁଣାଇଲା । ସବୁକଥା ଶୁଣି ସେ ବୁଢା କହିଲା, “ମୋ ପାଖରେ ବର୍ଷକ ପାଇଁ ରହ । ବର୍ଷ ପୁରିଲେ ମୁଁ ତୋତେ କିଛି ଧନ ଦେଇ ଏଠାରୁ ବିଦା କରିବି । କୁମାର ସେଠାରେ ବର୍ଷେକାଳ ମନଧ୍ୟାନ ଦେଇ ତାଙ୍କର ସବୁ କାମ କଲା । ଠିକ୍ ବର୍ଷକ ପରେ କୁମାର’ର ଘରକୁ ଫେରି ଯିବାର ସମୟ ହେବାରୁ ସେ ବଢେଇ ବୁଢା କୁମାରକୁ ତମ୍ବାର ଥାଳୀଟିଏ ଦେଇ କହିଲା, “ଏହା ଏକ ସାଧାରଣ ଥାଳୀ ନୁହେଁ । ତାକୁ କେବଳ ତୁ ଏତିକି କହିବୁ “ଥାଳୀ ମୋତେ କିଛି ଖାଦ୍ୟ ଖୁଆଅ ।” ତେବେ ତୁ ଦେଖିବୁ ସେ ତୋତେ ନାନା ପ୍ରକାର ଖାଦ୍ୟ ଖାଇବାକୁ ଦେବ । ଫଳରେ ତୋର ଆଉ ପେଟ ପାଇଁ କୌଣସି ଚିନ୍ତା ରହିବ ନାହିଁ ।
ଥାଳୀ ଆଗରେ କୁମାର ବସି ପଡି କହିଲା, “ଥାଳୀ କିଛି ସୁସ୍ୱାଦୁ ଖାଦ୍ୟ ମୋତେ ଖୁଆଅତ ।” ଦେଖୁ ଦେଖୁ ସେ ଥାଳୀଟି ନାନା ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟରେ ଭରିଗଲା । ସେ ଖୁସିରେ ପେଟ ଭରି ଖାଇଲା ଓ ବଢେଇକୁ ପ୍ରଣାମ କରି ସେ ଥାଳୀଟି ଧରି ସେଠାରୁ ବିଦାୟ ନେଇ ଗଲା ।
ଏଥର ମଧ୍ୟ ପ୍ରଥମ ଥର ପରି ସେହି ବୁଢୀଘରେ ଯାଇ ପହଁଚି କୁମାର କହିଲା, “ଆଜି ରାତିଟା ମୁଁ ଏଇଠି ଶୋଇଯିବି, କାଲି ସକାଳୁ ଉଠି ମୁଁ ଏଠାରୁ ଚାଲିଯିବି ।”
ବୁଢୀ କହିଲା “କାହିଁକି? କିଛି ଖାଇବ ନାହିଁକି? ଆଗରୁ ଟିକିଏ ଆସିଲ ନାହିଁ, ଖାଇବା ତ ସରିଗଲା ।”
ମୁଁ ଖାଇବା କଥା ତ କହୁ ନାହିଁ । ଆଈ ମୋ ଖାଇବା ମୁଁ ନିଜେ ଖାଇନେବି । ଦେଖିବ ଆସ ।” ଏତିକି କହି ସେ ଥାଳୀଟି ବାହାର କରି କହିଲା, “ଥାଳୀ, ମୋତେ ଖାଇବାକୁ ଦିଅ ତ ।” ଚାହୁଁ ଚାହୁଁ ସେ ଥାଳୀଟି ନାନା ପ୍ରକାର ସୁଖାଦ୍ୟରେ ଭରିଗଲା । ସେଥିରେ ଏତେ ଖାଦ୍ୟ ଥିଲା ଯେ କୁମାର ଖାଇ, ସେ ବୁଢୀ ଓ ତା’ ପୁଅ ଖାଇ ଆହୁରି ବଳିଗଲା
ରାତିରେ କୁମାର ନିଘୋଡ ନିଦରେ ଶୋଇଯିବା ପରେ ବୁଢୀର ପୁଅ ସେ ଥାଳୀଟି ଚୋରାଇ ଦେଲା ଓ ସେହି ସ୍ଥାନରେ ଆଉ ଗୋଟିଏ ସାଧାରଣ ଥାଳୀ ରଖିଦେଲା । କୁମାର ସକାଳୁ ଉଠି ସେହି ଥାଳୀଟି ଧରି ନିଜ ଘରେ ଯାଇ ପହଁଚି ବାପାଙ୍କୁ ସବୁକଥା କହିଲା । ତା’ପରେ ସେହି ଥାଳୀକୁ ସେ ଯେତେ ଚିତ୍କାର କରି ଖାଇବା ମାଗୁଛି କିନ୍ତୁ ସେ ଥାଳୀ ଖାଦ୍ୟ ଦେଲା ନାହିଁ । ତେଣୁ ଏଥର ମଧ୍ୟ ତା’ର ବାପା ତାକୁ ଗାଳି ଦେଇ ଘରୁ ବାହାର କରି ଦେଲା ।
ମନଦୁଃଖରେ ଯାଉ ଯାଉ ରାସ୍ତାରେ ସେ ଗୋଟିଏ ନାଳ ଦେଖିଲା । ତା’ପାଖରେ ଗୋଟିଏ ଗଛ ଢଳି ପଡିଛି ଓ ବୁଢାଟିଏ କୁରାଢି ଧରି ସେ ଗଛ କାଟୁଛି ।
କୁମାର ପଚାରିଲା, “କାହିଁକି ଗଛଟିକୁ କାଟୁଛ?”
ବୁଢା କହିଲା “ଏହି ନାଳକୁ ପାରି ଦେବା ପାଇଁ ଏହି ଗଛଟି ପୋଲର କାମ ଦେବ ସେଥିପାଇଁ କାଟୁଛି, ଯାହାଦ୍ୱାରା କି ଏହି ନାଳର ଏପଟୁ ସେପଟକୁ ଯିବା ଆସିବା କରିବାକୁ ସୁବିଧା ହେବ ।”
“ମୋତେ କୁରାଢି ଦିଅ । ମୁଁ କାଟିଦେବି । ତମେ ଏହି ବୟସରେ ଏତେ ଆଉ କଷ୍ଟ କରନାହିଁ । ଏତିକି କହି ସେ କୁମାର ଗଛଟି କାଟି ତାକୁ ନାଳ ଉପରେ ପୋଲ ପରି ପକାଇ ଦେଲା ।”
“ତୁମେ ମୋତେ ବହୁତ ସାହାଯ୍ୟ କଲ । ଏଥିଲାଗି ମୁଁ ତୁମକୁ ପୁରସ୍କାରଟିଏ ଦେବି ।” ବୁଢା ଏହା କହି ସେ ଗଛଡାଳରେ ବାଡିଟିଏ ତିଆରି କରି ଉକ୍ତ ବାଡିଟି ଧରି ଗୁଣୁଗୁଣୁ ହୋଇ କିଛି ମନ୍ତ୍ର ପଢିବା ପରେ କୁମାରକୁ ସେହି ବାଡିଟି ଉପହାର ସ୍ୱରୂପ ସେ ଦେଲା । ତା’ପରେ ସେ ବୁଢା କହିଲା, “ପୁଅ ଇଏ ସାଧାରଣ ବାଡି ନୁହେଁ । ମୁଁ ତାକୁ ଅଭିମନ୍ତ୍ରିତ କରିଛି । ତୁ କହିବା ମାତ୍ରେ ତୋର ଯାହାକୁ ଇଚ୍ଛା ସେ ପିଟିବ । ଏଇଟି ତୋର ବହୁତ ବହୁତ କାମରେ ଲାଗିବ ।”
ବାଡିଟିକୁ ପରୀକ୍ଷା କରିନେଇ କୁମାର ଖୁସି ମନରେ ସେଇଠାରୁ ଫେରିଲା ଓ ପୁଣି ପୂର୍ବର ସେହି ବୁଢୀ ଘରକୁ ସେ ଆଉଥରେ ଗଲା । ଏଥର ସେ ଜାଣି ସାରିଥିଲା ଯେ ସେହି ବୁଢୀ ଘରେହିଁ ତା’ର ଗଧ ଓ ଥାଳୀ ବଦଳ ହୋଇଛି ସୁତରାଂ ସେଠାରେ ପହଁଚି ସେ କହିଲା, “କ’ଣ ଆଈ, ଭଲ ଅଛ ତ?” ଏହା ଶୁଣି ସେ ବୁଢୀ ହଠାତ୍ ଚମକି ପଡି କହିଲା, “ନାହିଁରେ ନାତି, ତୋତେ ତ ମୁଁ କାହିଁ ଆଗରୁ କେଉଁଠି ଦେଖିବା ଭଳି ମନେ ହେଉ ନାହିଁ ।” ଏହାପରେ ସେ ବୁଢୀ ଓ ତା’ପୁଅ ତାକୁ ଦେଖି ଟିକିଏ ଡରିଗଲେ । ବୁଢୀର ପୁଅ ମଧ୍ୟ ସେହିକଥା କହିଲା ।
କୁମାର ପ୍ରଶ୍ନକଲା “ମୋ ଗଧ ଓ ଥାଳୀ ତୁମେ ବଦଳ କରିଛ ନା? ସେକଥା ତୁମର ମନେ ପଡୁଛି ନା ନାହିଁ?”
ବୁଢୀ ଓ ତା’ ପୁଅ କହିଲେ “ତୁମେ ତ ଭାରି ଭଲ କଥା କହୁଛ । ଆମେ ତ ତୁମର କିଛି ବି ଜିନିଷ ଆଦୌ ଚୋରାଇ ନାହୁଁ ଆମେ ତ ତୁମକୁ ଏଇ ପ୍ରଥମ ଥର ପାଇଁ ଆମ ଘରେ ଦେଖୁଛୁ । ବୋଧହୁଏ ତୁମେ ଆଉ କାହା ଘରେ ରହି ସେଟା ଆମଘର ବୋଲି ଭାବି ଭୁଲ୍ କରୁଛ ।”
“ଆଚ୍ଛା ଦେଖୁଛି ।” କୁମାର ଏତିକି କହିଲା ଓ ପରେ ସେ ତା’ ବାଡିକୁ କହିଲା, “ଏ ଟୋକାକୁ ପିଟିତ ।” ଆଜ୍ଞା ପାଇ ସେ ବାଡି ତ ପିଟୁଥାଏ । ଶେଷକୁ ସେ ବୁଢୀ ଥାଳୀ ଓ ଗଧକୁ ଆଣି କୁମାରକୁ ଫେରାଇଲା । କୁମାର ଭଲକରି ପରୀକ୍ଷା କରି ଥାଳୀ ଓ ଗଧକୁ ନେଇ ବାଡିଟି ଧରି ଏଥର ସେ ତା’ ନିଜ ଘରକୁ ଗଲା । ବାପା ଏବେ କୁମାରର କରାମତି ଠିକ୍ ବୁଝିଲା ଓ ତା’ଉପରେ ସେ ବହୁତ ଖୁସି ହେଲା । ପରିଶେଷରେ କୁମାର କାନ୍ତାକୁ ବିବାହ କଲା । ତା’ର ପରିବାରଟି ଏହି ତିନୋଟି ଅଲୌକିକ ଜିନିଷ ନେଇ ଅତି ଆନନ୍ଦରେ ଦିନ ବିତାଇଲେ ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।