ଦିନେ ଦେବୀ ରେଣୁକା ଏକାନ୍ତରେ ବସି ସ୍ୱାମୀଙ୍କର ଅତୀତକୁ ମନେ ପକାଇ ଜାଣି ପାରିଲେ ଯେ ସେ ଯଦି ଆଜି ମହର୍ଷି ହୋଇ ପାରିଥାଆନ୍ତି, ତାହା କେବଳ ତାଙ୍କର ମାତୁଳ ବିଶ୍ୱାମିତ୍ରଙ୍କର ଅଶେଷ ଆଶୀର୍ବାଦ ଫଳରେ ହିଁ ସମ୍ଭବ ହୋଇଛି । କାରଣ ବିଶ୍ୱାମିତ୍ର ଥିଲେ ଋଷି ଆଉ ରାଜ କାର୍ଯ୍ୟରେ ନିପୁଣ । ଏହାପରେ ସେ ବ୍ରହ୍ମର୍ଷିରେ ପରିଚିତ । ତାଙ୍କ ପାଇଁ ସ୍ୱାମୀ ଜମିଦଗ୍ନି ଏବେ ଜଣେ ଆଗୁଆ ପଣ୍ଡିତ । ତେଣୁ ରାମ ତା’ର ପିତାଙ୍କ ପାଖରୁ ଶିକ୍ଷାଗ୍ରହଣ କଲେ କୌଣସି ବି ଅସୁବିଧା ହେବ ନାହିଁ ।
ଏମିତି ବିଭିନ୍ନ ବିଷୟକୁ ଚିନ୍ତା କରି ଦିନେ ଦେବୀ ରେଣୁକା ଏକାନ୍ତରେ ରାମକୁ ଡାକି ଅତି ଆଦରରେ ଆପଣାର କୋଳକୁ ଟାଣି ନେଇ ସ୍ନେହ ଶ୍ରଦ୍ଧା ଭିତରେ ତା’ର ପାଠପଢା ସମ୍ପର୍କରେ ତାକୁ ବୁଝାଇବାକୁ ଲାଗିଲେ । ସେହି କଥାରେ ରାମ କହିଲେ, ‘ମାଆ ! ପିତା ତ ଜଣେ ଋଷି । ସାଧନା ତଥା ବିଦ୍ୟା ଶିକ୍ଷା ଦେଇ ପାରିଲେ ବି ସେ କଅଣ ମୋତେ ଯୁଦ୍ଧ ବିଦ୍ୟା ଶିକ୍ଷା ଦେଇ ପାରିବେ? ଆଉ ତାହା ଯଦି ସମ୍ଭବ ନ ହୁଏ, ତେବେ ମୁଁ କ’ଣ ଶିକ୍ଷା କ୍ଷେତ୍ରରେ ଅସମ୍ପୂର୍ଣ୍ଣ ହୋଇ ରହି ଯିବି ନାହିଁ କି?’
ଏଥିରେ ମାତା ରେଣୁକା ଦେବୀ ତାଙ୍କ ପୁତ୍ରକୁ ବୁଝାଇ କହିଲେ, ‘ଧନରେ ! ତୋର ପିତା କେବଳ ବିଦ୍ୟା କିମ୍ବା ସାଧନାରେ ନୁହେଁ, ବରଂ ସେ ଯୁଦ୍ଧ ବିଦ୍ୟାରେ ମଧ୍ୟ ନିପୁଣ ।’ ଏ କଥା ଶୁଣିବା ପରେ ରାମ ଆଉ ତାଙ୍କ ମାଆଙ୍କୁ କୌଣସି କଥା କହିଲେ ନାହିଁ । ତେଣୁ ସେ ମାଆଙ୍କ କଥାନୁସାରେ ପିତାଙ୍କ ପାଖରୁ ଶିକ୍ଷା ଗ୍ରହଣ କରିବେ ବୋଲି ନିଜର ସମ୍ମତି ଜଣାଇ ଦେଲେ ଏବଂ ମାଆଙ୍କ କଥାରେ ନିଜ ପିତାଙ୍କୁ ସେ ଗୁରୁ ରୂପେ ଗ୍ରହଣ କରିନେଲେ ।
ରାମକ୍ରମେ ପିତାଙ୍କ ପାଖରୁ ସମସ୍ତ ବିଦ୍ୟା ଶିକ୍ଷା ଲାଭ କରିବାକୁ ଲାଗିଲେ । ଯେତେବେଳେ ତାଙ୍କର ବୟସ ପନ୍ଦର ବର୍ଷ, ସେତେବେଳେ ସେ ତାଙ୍କ ପିତାଙ୍କ ପାଖରୁ ସମସ୍ତ ବିଦ୍ୟାକୁ ଆୟତ୍ତ କରି ନେଇଥିଲେ । କ୍ରମେ ସେ ବେଦ, ଶାସ୍ତ୍ରରେ ପାଣ୍ଡିତ୍ୟ ଲାଭ କରିବାକୁ ଲାଗିଲେ । ମାତ୍ର ପିତା ଜମଦଗ୍ନି ପୁତ୍ର ରାମର ଆସୁ ବୁଦ୍ଧି ତଥା ଯୁଦ୍ଧ ବିଦ୍ୟାରେ ନିପୁଣ ହୋଇ ଉଠୁଥିବା ହେତୁ ସେ ଖୁବ୍ ଚିନ୍ତିତ ହେବାକୁ ଲାଗିଲେ । କାରଣ ସେ ଜାଣି ପାରୁଥିଲେ ଯେ, ତାଙ୍କୁ ଜଣାଥିବା ସମସ୍ତ ବିଦ୍ୟା ସେ ନିଜ ପୁତ୍ରକୁ ଶିକ୍ଷା ଦେବେ । କିନ୍ତୁ; ତା’ ପରେ …?