ଯେତେବେଳେ ରାଜା ବ୍ରହ୍ମଦତ କାଶୀରେ ରାଜୁତି କରୁଥିଲେ, ସେତେବେଳେ ବୋଧିସତ୍ତ୍ଵ ଗୋଟିଏ ଶ୍ୟାମଳ ରଙ୍ଗର ବାଛୁରୀ ରୂପରେ ଜନ୍ମ ଗ୍ରହଣ କରିଥିଲେ । ସେହି ବାଛୁରୀଟି ଦେଖିବାକୁ ଏଡେ ଡଉଲଡାଉଲ ଓ ସୁନ୍ଦର ହୋଇଥାଏ ଯେ ତା’ ଆଡକୁ ଥରେ ଅନାଇଲେ ଆଖି ଫେରାଇ ଆଣିବା ଏତେ ସହଜ ହେଉ ନଥାଏ । ସମସ୍ତେ ତା’କୁ ମୁଗ୍ଧ ହୋଇ ଦେଖୁଥାନ୍ତି ।
ସେ ବାଛୁରୀର ଯିଏ ମାଲିକ କୌଣସି କାରଣରୁ ତା’କୁ ସେ ଗାଁ ଛାଡି ଚାଲିଯିବାକୁ ପଡିଲା । ଜଣେ ବୁଢୀଠାରୁ ସେ କିଛି କରଜ କରିଥାଏ । ଯିବାବେଳେ କରଜ ବାବଦରେ ଲୋକଟି ବୁଢୀକୁ ସେ ବାଛୁରୀକୁ ସମର୍ପି ଦେଇଗଲା । ଯତ୍ନ ଯୋଗୁଁ ବାଛୁରୀ ନିଜ ମାଆଠୁଁ ବିଚ୍ଛିନ୍ନ ହେବାର ଦୁଃଖ ପାଶୋରି ଦେଲା । ସେ ବୁଢୀକୁହିଁ ନିଜର ମାଆ ଭଳି ଦେଖୁ ଥାଏ ।
ବାଛୁରୀ କ୍ରମେ ବଢିବାକୁ ଲାଗିଲା । ତା’ ଉପରେ ବୁଢୀର ଏଡେ ବିଶ୍ୱାସ ଥାଏ ଯେ ସେ ତାକୁ କେତେବେଳେ ହେଲେ ବି ବାନ୍ଧୁ ନ ଥାଏ । ଏଣେ ତେଣେ ସ୍ୱେଚ୍ଛାକ୍ରମେ ବୁଲାବୁଲି କରି ସେ ଯଥା ସମୟରେ ଘରକୁ ଫେରୁଥାଏ ।
ଗାଁ ପିଲାମାନେ ତାକୁ ବହୁତ ଶ୍ରଦ୍ଧା କରୁଥାନ୍ତି । କିଏ ତା’ ଗଳା ଧରି ଓହଳି ପଡୁଥାଏ ତ ଆଉ କିଏ ବା ତା’ ପିଠିରେ ବସି ଯାଉଥାଏ । କିନ୍ତୁ କେହି କେବେବି ତାକୁ ହଇରାଣ କରୁ ନଥାନ୍ତି ।
ବାଛୁରୀ ଯେତେବେଳେ ଦାମୁଡିରେ ପରିଣତ ହେଲା, ସେତେବେଳେ ସେ ଭାବିଲା, “ମୋର ପାଳିକା ମା’ ମୋର କେତେ ଯତ୍ନ ନେଉଛି । ସେ ମୋତେ ଖାଇବାକୁ ନ ଦେଇ ନିଜେ ଖାଏ ନାହିଁ । ନିଜେ ବିଚରା ବହୁତ ଗରୀବ । ମୁଁ ଯଦି ତାକୁ କିଛି ସାହାଯ୍ୟ କରିପାରନ୍ତି, ତେବେ ସେ ବହୁତ ସନ୍ତୋଷ ପାଆନ୍ତା ।”
ମନେ ମନେ ଏହାଭାବି ଦାମୁଡି ଗୋଟିକ ସୁଯୋଗର ଅପେକ୍ଷାରେ ଥାଏ ।
ଅନେକ ଲୋକ ତା’ ଚେହେରା ଓ ଚାଲିଚଳନରେ ମୁଗ୍ଧ ହୋଇ ତାକୁ କିଣି ନେବାକୁ ପ୍ରସ୍ତାବ ଦେଉଥାନ୍ତି । କିନ୍ତୁ ବୁଢୀ ବିକିବ ନାହିଁ ବୋଲି ସ୍ପଷ୍ଟ କହିଦିଏ । କେହି ବେଶି ଜିଗର୍ ଲଗାଇଲେ ସେ କହେ, “ବାବୁ, ନିଜ ପିଲାକୁ କ’ଣ କେବେ କେହି ବିକ୍ରି କରିଦିଏ?”
ଦିନେ ଜଣେ ବିଶିଷ୍ଟ ବଣିକ ସେହି ଗାଁ ଦେଇ ଯାଉଥାନ୍ତି । ତାଙ୍କର ପଣ୍ୟଦ୍ରବ୍ୟ ପାଂଚଶହ ଗୋଟି ଶଗଡରେ ବୋଝେଇ ହୋଇଥାଏ । ସେ ଗାଁ ପାଖରେ ନଦୀଟିଏ ଥାଏ । ସେ ନଦୀ ଶଯ୍ୟା ଭିତର ଦେଇ ଶଗଡ ଟାଣି ନେଇଯିବା ଭଳି ତାକତ୍ ତାଙ୍କ ବଳଦମାନଙ୍କର ନ ଥିଲା । ବଣିକ ଗାଁ ଭିତରୁ କେତେକ ବଳଦ ସଂଗ୍ରହ କରିବାକୁ ଚେଷ୍ଟା କଲେ । କିନ୍ତୁ ଶଗଡ ଟାଣିଲା ଭଳି ଉପଯୁକ୍ତ ବଳଦ ସେ ଗାଁରେ ନଥିଲେ ।