ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାଧ ମହାନ୍ତିଙ୍କ କନ୍ୟାସୁନା

ମାଧ ମହାନ୍ତିଙ୍କ ଘର ମଧୁପୁର । ଜାତିରେ ସେ ବଳରାମ ଗୋତ୍ରୀ । ବୟସ ତାଙ୍କର ସତୁରିକ ଭିତରେ । ତାଙ୍କ ଘରେ ଖାଇବାକୁ କୁଟୁମ୍ବ ବୋଇଲେ ଊଣା ପୂରା ପନ୍ଦର ବର୍ଷର ଝିଅଟିଏ, ନାମ ତାର ମାଳତୀ । ମହାନ୍ତିଏ ଷାଠିଏ ବର୍ଷ ବୟସରୁ ରାଣ୍ଡୁରା ହୋଇ ବସିଛନ୍ତି । ବୁଢୀ ଚାଲିଯିବାବେଳେ ଆଉ ଗୋଟିଏ ହାତଛନ୍ଦା କରିବାକୁ ତାଙ୍କର ବୟସ ଥିଲା ବୋଲି ମହାନ୍ତିଙ୍କ ମୁହଁରୁ ଥରେ ଦି’ଥର ଏହି କଥା  ଶୁଣାଯାଇଥିଲା; ତାଙ୍କ ଦରଦୀ ଲୋକେ ମଧ୍ୟ କହି ବୁଲୁଥିଲେ । ଦୁଇ ତିନି ବର୍ଷଯାଏଁ ତାଙ୍କ ମନ ବିବାହ ହେବା ଲାଗି ସକସକ ହୋଇଥିଲା, କେବଳ କନ୍ୟାସୁନା ବାଡଟା ବଡ ଟାଣ ପଡିବାରୁ ସେ ପଛଘୁଂଚା ଦେଲେ । ଦୁଇ ତିନି ବର୍ଷଯାଏଁ ସେ ଖାଲି କହି ବୁଲିଲେ, “ନାହିଁରେ ବାପା ନାହିଁ, କାହୁଁ ଗୋଟାଏ ଆସି ମୋ ଛୁଆକୁ ହେଟାଦର କରିବ, ମା’ ଛେଉଣ୍ଡଟି କାନ୍ଦିବ, ତା ବିକଳ ମୁଁ ତ କଦାପି ସହିପାରିବି ନାହିଁ ।” ମା’ ମଲା ଦିନରୁ ସେଇ ସାତବର୍ଷର ଝିଅ ମାଳତୀ- ବାପଝିଅ ଦୁଇଜଣଙ୍କର ଭାତ ରାନ୍ଧେ, ଶଙ୍ଖୁଡି ବାସନ ମାଜେ । ଘରର ଆଉ ଆଉ ପାଇଟି ବି ତା’ ଜିମା ।

                ମହାନ୍ତିଙ୍କର ଆଉ ଗୋଟିଏ ଝିଅ ଥିଲା, ତାର ନାମ ମାଧବୀ । ବୁଢୀ ମରିବା ଚାରିମାସ ଆଗେ ମହାନ୍ତିଏ ସାତଶହ ଟଙ୍କା କନ୍ୟାସୁନାରେ ଷାଠିଏ ବର୍ଷର ଗୋଟିଏ ବୁଢା ବରକୁ ସାଢେ ଆଠବରଷର କନ୍ୟା ଟେକି ଦେଇ ଗୌରୀଦାନର ଫଳ ଷୋଳପଣି ଅର୍ଜିଥିଲେ । ସେ କନ୍ୟାଟି ଏଗାର ବର୍ଷ ବୟସରୁ ବିଧବା । ଯେ ବିଭା ହୋଇଯାଇଛି, ବାପ-ଘରମୁହାଁ କେବେବି ସେ ହୋଇ ନାହିଁ ।

                ମୁଲକର ଆଉ ଝିଅଙ୍କ ପରି ସେ ମାଳତୀଟି ବି ଦିନକୁଦିନ ବଢି ପନ୍ଦର ବର୍ଷରେ ଆସି ପାଦ ଦେଲାଣି । ରୂପରେ, ଗୁଣରେ ମାଳତୀର ସମକକ୍ଷ ଝିଅଟିଏ ମଧୁପୁର ତ ମଧୁପୁର, ତା’ଆଖପାଖ ଦଶଖଣ୍ଡ ଗାଁରେ ହେଲେ ବି ଗୋଟିଏ ଖୋଜି ପାଇବ ନାହିଁ । ଲୋକେ କହନ୍ତି, ଗୋବର ଗଡିଆରେ ପଦ୍ମଫୁଲ ଫୁଟିଛି । ମାଳତୀ ଗାଁ ଝିଅଙ୍କ ପରି ଆଉ ଆଉ ସମବୟସୀ ଝିଅଙ୍କ ସାଙ୍ଗରେ ହେଁ ହେଁ-ଫେଁ ଫେଁ ହେବାର କେହି କେବେବି ହେଲେ ଦେଖି ନାହିଁ । କବାଟଟି କିଳିଦେଇ ଘରେ ଆପଣା ପାଇଟିରେ ସେ ସଦା ସର୍ବଦା ଲାଗିଥାଏ । ପାଣି ଆଣିବା ପାଇଁ ପୋଖରୀକୁ ଯାହା ସେ ବାହାରେ । ମୁଣ୍ଡରେ ସାନ ଓଢଣାଟି ଟାଣିଦେଇ, ମାଠିଆଟି କାଖେଇ ଗାଁ ଗୋହିରୀ ଏକପାଖିଆ ଧୀରେ ଧୀରେ ସେ ଚାଲିଯାଏ । ଏସବୁ ଦେଖି ସେ ଗାଁର ପାଂଚ ମାଇପେ କହନ୍ତି, ମାଳତୀର ଚାଲିଟି କେଡେ ସୁନ୍ଦର । ପନ୍ଦର ବର୍ଷର ଅଭିଆଡୀ ଝିଅଟାକୁ ଘରେ ରଖିଛି । ଗାଁରେ ଜାତିରେ ମହାନ୍ତିଙ୍କୁ ବଡ ଧିକାରିଲେଣି । ଆଉ ଏଣିକି ମହାନ୍ତିଏ ସମ୍ଭାଳି ହୋଇ ପାରୁ ନାହାଁନ୍ତି । ଝିଅଟି ଯେ ଆଜିଯାଏଁ ବିଭା ହୋଇଯାଇ ନାହିଁ, ସେଥିର କାରଣ, ଝିଅ ବିଭା ହୋଇଗଲେ ଭାତ ଦି’ଟା ଫୁଟାଫୁଟି କରି ଦେବ କିଏ? ଆଉ ଏପରି ଗୁଣବତୀଟିଏ ବା ସେ କାହୁଁ ପାଇବେ? ମହାନ୍ତିଏ ସକାଳୁ ଉଠି ଦୁଇଜଣ ମାନିଆ ଚାଉଳ ମାଣର ଠିକ୍ କଂଟରେ ମାପି ଦେଇଯାନ୍ତି । ମାଳତୀ ଆପଣା ପେଟରୁ କାଟି ସେଥିରୁ ମୁଠିଏ ଚାଉଳରେ ବାପା ସଞ୍ଜବେଳେ ବିଲବାହୁଡା ଖାଇବ ବୋଲି ଗୋଟିଏ ସାନ ପୋଡାପିଠା, ନୋହିଲେ ପଖାଳ ମୁଠିଏ କରି ରଖିଦେଇଥାଏ । ମହାନ୍ତିଏ ଚାଉଳ ମାପିଦେବାବେଳେ ଗୋଟିଏ ଖୁବ୍ ସାନ ଶାମୁକାରେ ଲୁଣ ବି ମାପି ଦିଅନ୍ତି । ବାଡିର କୟାଁ ଗଛଟିରେ ବର୍ଷକ ତରକାରି ଚଳେ । କୟାଁ ପାଚିଲେ ମହାନ୍ତିଏ ନିଜେ ଗଛରୁ ପାରି, ସେଥିରୁ ଖୋଷା ଛଡାଇ, ତା’ର ପାରୁ କାଢି, ମାଠିଆ ପୂରାଇ କୋଲପଘରେ ସେସବୁ ରଖି ଦେଇଥା’ନ୍ତି । ସେଥିରୁ ବାପ ଝିଅଙ୍କ ପାଇଁ ଠିକ୍ ଦୁଇଫଡି କାଢି ଦିଅନ୍ତି । ମାଳତୀ ତ ବଡ ଦୟାବତୀ, ବାପକୁ ସେ ବଡ ଭଲପାଏ । ଏକା ବାପା କ୍ୟାଁ, ସମସ୍ତଙ୍କୁ ସେ ଭାରି ଭଲପାଏ । ତେଣୁ ଗୋଟିଏ ବିରାଡି ପିଲା ସେ ପୋଷିଛି, ସେଇଟି ତାହାର ନିର୍ଜନ ଘରେ ସଙ୍ଗିନୀ- ସବୁବେଳେ ଲାଞ୍ଜ ଟେକି ମ୍ୟାଉଁ ମ୍ୟାଉଁ କରି ଗୋଡରେ ସେ ଘଷି ହେଉଥାଏ । ମାଳତୀ ସେଟାକୁ ଆପଣା କଂସାରେ ଖୁଆଏ, ପାଖରେ ଶୁଆଏ । ବାପା କଂଚା ଲଙ୍କାମରିଚ ଭଲପାଏ । ତେଣୁ ଯୋଡିଏ ଲଙ୍କାମରିଚ ଗଛ ମୂଲିଆ ପଠାଇ ସେ କୁଆଡୁ ଅଣାଇ ମଝି ଅଗଣାରେ ପୋତିଛି । ଖରାଦିନେ ଗାଁ ମଝି ପୋଖରୀରୁ ପାଣି ଆଣି ସେ ଗଛମୂଳରେ ଢାଳେ । ମାଳତୀ ଉପରଓଳି ପାଣିପାଇଁ ଯାଇ ପୋଖରୀକୂଳରୁ ମଦରଙ୍ଗା, ସୁନୁସୁନିଆ, ହିଡିମିଚା, କଳମ୍ବ, ପିତାଶାଗ ଯେଉଁଦିନ ଯାହା ତା ହାତରେ ପଡେ ମୁଠାଏ ତୋଳି ଆଣେ, ଖାଲି ସେ ତା’ ବାପା ପାଇଁ ସିଝାସିଝି କରି ରଖେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ