ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାଧ ମହାନ୍ତିଙ୍କ କନ୍ୟାସୁନା

ବର ମାମୁ- ହାତଗଣ୍ଠି ପଡିଗଲା, ବିଭା ହୋଇଗଲା, ଆଉ ବିଭା କ’ଣ?

ମହାନ୍ତି- କନ ।ସୁନା ଟଙ୍କା?

ବର ମାମୁ- ଟଙ୍କା ଗଣିନେଲେ ପରା?

ଏପରି କଥା ଶୁଣି ସେ ମହାନ୍ତିଙ୍କ ମୁଣ୍ଡ ଯେପରି ଫାଟି ପୋଡୁଥିଲା; ତା’ ଉପରେ ଜଳନ୍ତା ଅଙ୍ଗାର ପାଛିଆଏ କିଏ ଅଜାଡିଦେଲା । “ଏଁ କ’ଣ ଡକାଇତି! ବଦମାଏସ ଚୋର କେଉଁଠିକାର ।” ତା’ପରେ ଲାଗିଗଲା ସେମାନଙ୍କ ମଧ୍ୟରେ ତୋଖଡ ମୋକଡ । ଏଣେ ମହାନ୍ତିଏ ଏକା- ତେଣେ ଚାଳିଶ ପଚାଶ ଲୋକ । ମହାନ୍ତିଏ କ୍ରୋଧରେ ଅଜ୍ଞାନ, ମୁହଁ ଚଳୁ ଚଳୁ ହାତ ଚଳିବା ଭଳି ହେଲାଣି । ହେଲେ ବରପକ୍ଷରେ କ୍ରୋଧ ନାହିଁ, ଭଲକରି ଅନାଅ, ସମସ୍ତଙ୍କ ମୁହଁରେ ମୁରୁକି ହସ, ସମସ୍ତେ ଦେହ ଟିପାଟିପି ହେଉଛନ୍ତି । ଏତିକିବେଳେ ଆଠଦଶଟା ଢୋଲିଆ ମହାନ୍ତିଙ୍କୁ ବେଢିଯାଇ ଅର୍ଦାଳିଆ ଢୋଲ ପିଟୁଛନ୍ତି, ମହାନ୍ତି ସାଆନ୍ତଙ୍କ ବଲବଲା ହେ- ଜଲ ଜଲାହେ- ଆପଣଙ୍କ ଝିଅ ବାହାଘର ହୋଇଗଲା, ଆମକୁ ଦାରୁପିଆ ପଇସା ମିଳିଯାଉ । ମହୁରିଆଟା ବେଳେବେଳେ ମହାନ୍ତିଙ୍କ ଇଚ୍ଛା ପାଖରେ ଫେଁ ଫେଁ କରି ମହୁରିଟା ବଜାଇ ଦେଉଛି । ଗାଁ ମଙ୍ଗଳା ପୂଜାବେଳେ ବାଜା ମଧ୍ୟରେ କାଳେଶି ଯିମିତି ନାଚେ, ମହାନ୍ତିଏ ସେହିପରି ନାଚି ନାଚି ଅଥୟ ହେଲେଣି । ମହାନ୍ତିଏ ରଡିଛାଡି କ’ଣ କହୁଛନ୍ତି, ହେଲେ ବାଜାରେ କ’ଣ ଲୋକଙ୍କୁ ସେକଥା ଶୁଭୁଛି? ମହାନ୍ତିଙ୍କୁ ହାଲିଆ କରି ପକାଇବାର ଏ ଗୋଟାଏ ଫିକର । ଏତିକିବେଳେ କିଏ ଗୋଟାଏ ଦୁଷ୍ଟଲୋକ ମହାନ୍ତିଙ୍କ ପଛଆଡେ ଗୋଟାଏ ଜଳନ୍ତା ଭୂଇଁଚମ୍ପା ବସାଇଦେଲା, ଫଳରେ ତାଙ୍କ ପିଠିରେ ନିଆଁ ପଡି ସାନ ବଡ ଢେର୍ଗୁଡାଏ ଫୁଟୁକା ହୋଇ ଜଳୁଛି ।

                ଗାଁ ଗୋଟାକର ପିଲାଠାରୁ ବୁଢାଯାଏଁ ବିଲକୁଲ ଢେର୍ ଲୋକ ଜମା ହୋଇଗଲେଣି । ଯେପରିକି ମହାନ୍ତି ଦୁଆରରେ ବିରି ମୁଠାଏ କେହି ବୁଣିଦେଲେ ସେସବୁ ମଣିଷ ମୁଣ୍ଡରେ ଅଟକିଯିବ, ହେଲେ ତାହା ତଳେ ପଡିବ ନାହିଁ ।

                ମହାନ୍ତି ଦେଖିଲେ ତାଙ୍କ ମୁଖାଳାପ ଲୋକେ ବେଢିଯାଇ ଠୋ ଠୋ ହସୁଛନ୍ତି । ଏତିକିବେଳେ ଗୁଡାଏ ନିହାତି ଦୁଷ୍ଟପିଲା-

                                                “କନ୍ୟାସୁନାର ବଡ ମଜା

                                                ମହାନ୍ତି ଖାଇବେ ନବାବ ଖଜା ।”

                ଗୀତ ଗାଇ ତାଳିମାରି ନାଚୁଛନ୍ତି ।

                ମହାନ୍ତି ଦେଖିଲେ, ଆଉ ସମ୍ଭାଳି ହେବ ନାହିଁ । ସମସ୍ତେ ଗୋଟାଏ ବାଡେ, କାହାକୁ ସେ କ’ଣ ବା କହିବେ, କହିଲେ ବା ତାଙ୍କ କଥା ଶୁଣୁଛି କିଏ? କୌଣସିରୂପେ ଗୋଳମାଳ ଠେଲି ମଠ ଭିତରକୁ ସେ ପଳାଇଲେ । ମହନ୍ତେ ଏଇଲାଗେ ଶେଯରୁ ଉଠି ବିଜେ ହୋଇଛନ୍ତି । ମହାନ୍ତିଙ୍କୁ ଆସିବାର ଦେଖି ମହନ୍ତ ଗୋଟାଏ ପାଟିକରି କହିଲେ, “ସକାଳଟାରେ ଦାଣ୍ଡରେ କିଏ ପାଟିକରୁଛି ବୁଝିଆସ ତ?” ମହାନ୍ତି ଯାଇ ମହନ୍ତଙ୍କ ଗୋଡତଳେ ଧଡାସ କରି ପଡି ରଡି ଛାଡିଛନ୍ତି । ମହନ୍ତ କହିଲେ, “ଉଠ ଉଠ ମହାନ୍ତିଏ, କ’ଣ କଥା କ’ଣ ବୋଲ ।” ମହାନ୍ତିଙ୍କ ମୁହଁରୁ ତାଡିଠେକି ମୁହଁ ପରି ଫେଣ ଗାଜୁଛି । ସେ ଆଉ କିଛି କଥା କହିପାରୁ ନାହାଁନ୍ତି କି କାନ୍ଦି ବି ପାରୁ ନାହାଁନ୍ତି । ଖାଲି ହାତରେ ଠାରିଦେଲେ- ପାଣି । ମୁହଁ ଅଧୁଆ, ଦାନ୍ତ ଅଘଷା, ଢକଢକ କରି ଢାଳେ ପାଣି ପିଇଦେଇ ଟିକିଏ ସାଷ୍ଟମ ହୋଇ ସେ ବସିଲେ । ମହନ୍ତ ବଡ ଦୟାବନ୍ତ, ବହୁତ ଆଶ୍ୱାସନା କରି ମହାନ୍ତିଙ୍କ ପିଠିରେ ସେ ହାତ ବୁଲାଇଲେ । ଏତିକିବେଳେ ବର-ମାମୁ ପରି ପରିଡା ଆଉ ଚାରିଜଣଙ୍କୁ ସାଙ୍ଗରେ ଧରି ମହନ୍ତଙ୍କ ଗୋଡତଳେ ଲମ୍ବ ହୋଇ ପଡିଗଲା ।

                ମହନ୍ତ ଆଜ୍ଞା କଲେ- ଆରେ କ’ଣ ତୁମ କଥା କହ, ଉଠ ଉଠ- ବୋଲ ବୋଲ କଥା କ’ଣ?

                ପରି ପରିଡା ହାତଯୋଡି କହିଲା- ଆଜ୍ଞା- ଆମେମାନେ ହେଲୁ ବିଦେଶୀ ଲୋକ, ଆମ ଉପରେ ଅନ୍ୟାୟ ହୋଇଛି । ଶ୍ରୀମହାପ୍ରଭୁ ଏ ଗାଁ ହାକିମ, ଆମ ମାମଲା ନ୍ୟାୟ ବିଚାର ହେଉ । ଏଇ ଯେ ବସିଛନ୍ତି ମାଧ ମହାନ୍ତିଏ, ଏ ଆମ ସମୁଧି । ଏକଥା ଶୁଣି ମାଧ ମହାନ୍ତିଏ ଅତ୍ୟନ୍ତ କ୍ରୋଧରେ କହିଲେ, “ତୋର କି ସମୁଧି ବେ- ଡକାଇତ ଜୁଆଚୋର ।” ମହନ୍ତ କହିଲେ “ରୁହ ରୁହ ମହାନ୍ତିଏ । ସେ କ’ଣ କହୁଛି କହିଯାଉ, ତା’ ବାଦେ ଆମେ ତୁମ କଥା ଶୁଣିବୁଁ ।”

                ପରି ପରିଡା- ଆଜ୍ଞା, ଏହି ମହାନ୍ତିଏ ମୋ ପାଖରୁ କନ୍ୟାସୁନା ସାତଶହ ଟଙ୍କା ନେଇ ତାଙ୍କ ଝିଅ ମାଳତୀକୁ ମୋ ଭଣଜାକୁ ବାହାଦେଲେ; ହାତଗଣ୍ଠି ବି ପଡିଗଲା, ବାହା ବାଦେ କହିଲେ, ଆଉ ତିନିଶ ଟଙ୍କା ଲଗୁତି ଦେ । ମୁଁ ଆଉ କ୍ୟାଁ ଦେବିଟି? ଏବେ ସେ ଜୁଆଚୋରି କରି କନ୍ୟାକୁ ଛାଡୁ ନାହାଁନ୍ତି ।

ମହନ୍ତ- ଆଚ୍ଛା, ଠାକୁର ମନ୍ଦିରରେ ସତ ବୋଲି ଏକ ଦୁଇ କରି ଟଙ୍କା ଗଣି ଦେଇଛ ତ?

ପରି ପରିଡା- ଆଜ୍ଞା ସତ କହିବି, କୋଡି କୋଡି ଟଙ୍କା ଥୋକ ଗଣିଦେଇଛି ।

ମହନ୍ତ- ଏ କଥା ତ ମୋର କାହିଁ ବିଶ୍ୱାସ ହେଉ ନାହିଁ । ମହାନ୍ତି କିଛି ପିଲାପିଚିକା ନୁହଁନ୍ତି, ବୁଢା ପୁରୁଖା, ଟଙ୍କା ନେଇ ମାନିବେ ନାହିଁ, ଏ କି କଥା?

ମାଧ ମହାନ୍ତି ମହନ୍ତଙ୍କ ଗୋଡତଳେ ପଡି କହିଲେ, “ଆଜ୍ଞା ଧର୍ମ ଅବତାର ନ୍ୟାୟବିଚାର, ନ୍ୟାୟବିଚାର । ଏ ଡକାଏତମାନଙ୍କୁ ଲୋକ ଲଗାଇ ଏଠାରୁ ତଡିଦିଅନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ