ମହନ୍ତ- ଦେଖ, ଏମାନେ ବିଦେଶୀ ମଣିଷ, ଦେଶରେ ଯାଇ ପାଟି କରିବେ; ଏ ଗାଁରେ ନ୍ୟାୟ ବିଚାର ନାହିଁ । ଦୁଇ ପକ୍ଷରୁ ପ୍ରମାଣ ନେଇ କଥାଟା ବିଚାର କରିବାକୁ ହେବ । ହୋଇ ହେ ପରିଡା! ତୁମେ ଯେ ମାଧ ମହାନ୍ତିଙ୍କୁ ସାତଶହ ଟଙ୍କା ଗଣିଦେଲ, କେହି ଗୁହା ଅଛି?
ପରି ପରିଡା ହାତଯୋଡି ଛିଡା ହୋଇ କହିଲା, “ଆଜ୍ଞା ମହାପ୍ରଭୁ, ଶହେ ଜଣ ଗୁହା । ଆସ ତ ରେ ଭୀମା, ନକୁଳା, ମକ୍ରା, ଶଙ୍କରା, ବଜ୍ରା, ମଧୁ ମହାନ୍ତି, ସାଧୁ ଧଳ, ଧର୍ମୁ ପାତ୍ର ।” ମହନ୍ତେ ଜଣ ଜଣ କରି ସେ ସବୁ ଗୁହାଙ୍କର ଜବାନବନ୍ଦି ଶୁଣିଲେ, ଢେର୍ ଜେରା ବି କଲେ, ସାଫ ସାବିତ ସାତଶହ ଟଙ୍କା ଗଣିଦେବା, ମହାନ୍ତିଙ୍କ କାଖରେ ଥିବା ଏହି ଥଳିରେ ଟଙ୍କା ପୂରାଇ ନେଇ ଘରେ ଥୋଇଆସିବା ସବୁ ଠିକ୍ । ସତକୁ ସତ ମାଧ ମହାନ୍ତିଙ୍କ କାଖରେ ଟଙ୍କା ଥଳିଟି ଥିବାର ଦେଖାଗଲା । କିନ୍ତୁ ମାଧ ମହାନ୍ତିଏ ଗୋଟାଏ କଥାରେ କାଟିଦେଲେ- ଏଗୁଡାକ ସବୁ ଡକାଏତ ।
ମହନ୍ତେ- ଆଚ୍ଛା, ଏ ଗାଁର କେହି ଗୁହା ଅଛି?
କେହି ନ ଡାକୁଣୁ ମହାନ୍ତିଙ୍କ ଜାତିଭାଇ ସେ ଗାଁର ଦଶଜଣ ସାକ୍ଷ୍ୟ ଦେବା ଲାଗି ଛିଡା ହୋଇଗଲେ । ମହାନ୍ତିଏ ସେମାନଙ୍କ ମୁହଁକୁ ଅନାଇ ଦେଇ କହିଲେ, “ଆଜ୍ଞା, ଏଗୁଡାକ ମୋ ମୁଖାଳାପ ଲୋକ, ଏମାନଙ୍କ କଥା ନାମଞ୍ଜୁର ।” ମହନ୍ତେ କହିଲେ, “ଗୁହା କଥା ଛାଡିଦିଅ, ଆମେ ନିଜେ ଯାଇ ମହାନ୍ତିଙ୍କ ଘର ଭିତରେ ଦେଖିବୁଁ । ଗଲା ରାତିରେ ବିଭା ହୋଇଯାଇଥିଲେ ସେଥିର କିଛି ଚିହ୍ନ ତ ଥିବ!” କିନ୍ତୁ ବରପକ୍ଷ ମହନ୍ତଙ୍କ କଥାରେ ନିତାନ୍ତ ନାରାଜ । ସେମାନେ କହିଲେ “ଆଜ୍ଞା! ଅଧରାତିରୁ ତ ବିଭା ଛିଡିଲାଣି, ତା’ର ଆଉ କ’ଣ ଚିହ୍ନ ଥିବ? ଆପଣ ସରଜମିନକୁ ଯିବେ ନାହିଁ ।”
ଏଣେ ମାଧ ମହାନ୍ତି ଭାରି ଆନନ୍ଦରେ ଭାରି ଉତ୍ସାହରେ ମହନ୍ତଙ୍କ ଗୋଡଧରି ଟାଣୁଛନ୍ତି । “ଆସି ଆଜ୍ଞା ହେଉ, ମୋ ଘର ଦେଖି ଆଜ୍ଞା ହେଉ ।”
ବରପକ୍ଷ ମୁହଁ ଶୁଖାଇ କହିଲେ, “ଆଜ୍ଞା ନା, ଆପଣ ସେ ଜାଗାକୁ କଦାପି ବି ବିଜେ ହେବେ ନାହିଁ ।”
ମହନ୍ତ କହିଲେ, “ନାହିଁ, ନାହିଁ ସେ କଥା ହେବ ନାହିଁ, ମହାନ୍ତିଙ୍କ କଥା ଶୁଣିବାକୁ ହେବ ।”
ମହନ୍ତ ଦୁଇପକ୍ଷ ଧରି ସରଜମିନ ତଦାରଖ କରିବାକୁ ବାହାରିଲେ ।
ପ୍ରଥମ ପିଣ୍ଡା ଉପରେ ବରକୁ ଦେଖାଗଲା- ହାତରେ ତାର କଉତୁକ ସୂତ୍ର, ଦୂବ ବରକୋଳିପତ୍ର ବନ୍ଧା, ମୁଣ୍ଡରେ ମୁକୁଟ, ହାତରେ ଗୁଆକାତି, ଆଉ ବେଦୀ ଉପରେ ନଡିଆ ଗୋଟିଏ ।
ପରି ପରିଡା ହାତଯୋଡି ମହନ୍ତଙ୍କୁ କହିଲେ, “ଆଜ୍ଞା ଦେଖି ଆଜ୍ଞା ହେଉ, ବାହାହେଲା ବର କି ନାହିଁ?”
ମହନ୍ତ- ଆଚ୍ଛା ଆଚ୍ଛା, ଭିତରକୁ ଚାଲ, ଆଉ କିଛି ଚିହ୍ନବର୍ଣ୍ଣ ଅଛି କି ନାହିଁ, ଦେଖାଯାଉ ।
ପରି ପରିଡା ହାତଯୋଡି ମହନ୍ତଙ୍କୁ କହିଲେ, ଏଇ ଦେଖି ଆଜ୍ଞା ହେଉ ବେଦୀ ଉପର କଥା, ଏହି ଦେଖିବା ହେଉ, କନ୍ୟା ଆଠ କଳସ ମାଡିଛି, ଏହି ଦେଖନ୍ତୁ, ଲାଜାଞ୍ଜଳି ଖଇ ପଡିଛି, କଳସ ଉପରେ ପୁଷ୍ପାଞ୍ଜଳି ପଡିଛି । ଏଣେ ଦେଖି ଆଜ୍ଞା ହେଉ, ଏହିଠାରେ ବ୍ରାହ୍ମଣ ଭୋଜନ ହୋଇଥିଲା, ଦହିଗୁଡ ଉଚ୍ଛିଷ୍ଟ ଭୂଜା ପଡିଛି । ଏହି ଦେଖି ଆଜ୍ଞା ହେଉ, ଏହିଠାରେ ଆମେ ଜାତିଭାଇମାନେ ଭୋଜନ କରିଥିଲୁଁ । ସଙ୍ଖୁଡି ଉଠି ନାହିଁ, ସତକୁ ସତ ସବୁଆଡେ ଅଇଁଠାପତ୍ର ପଡିଛି ।”
ମାଧ ମହାନ୍ତି କୁନ୍ଥେଇ କୁନ୍ଥେଇ କହିଲେ, “ନାହିଁ ନାହିଁ, ମୋର ଘରେ କାଲି ତ ଚୁଲି ଲାଗି ନାହିଁ ।”
ମହନ୍ତେ ରୋଷେଇଶାଳ ପାଖକୁ ଚାଲିଯାଇ ହାତବାଡିରେ କବାଟରେ ଉଦୁଆଁ କରିଦେଲେ, ଚୁଲିରେ ରଡ ନିଆଁ ଗରଗର ହେଉଛି, ପୁଞ୍ଜାଏ ବଡ ବଡ ଭାତହାଣ୍ଡି, ଡାଲିହାଣ୍ଡି, ତିଅଣହାଣ୍ଡି ଗଡୁଛି, ଏସବୁ ଦେଖି ସେ ମାଧ ମହାନ୍ତିଙ୍କ ଜ୍ଞାନ ହଜିଗଲାଣି, ତାଙ୍କ ପିଠି ପୋଡୁଛି, ମୁଣ୍ଡ ପୋଡୁଛି, ମନ ବି ପୋଡୁଛି । ମନରେ କଲେ, ଏ କ’ଣ, ଏ! କ’ଣ ରାତିରେ ଭୂତ ଆସି ସବୁ କରିଗଲା? ଏମିତି କେତେ କଥା ଭାବି ବସିବା ଜାଗାରେ ସେ ଠାଁ ଢଳିପଡିଲେ । କିଛି କଥା ଶୁଭ ନାହିଁ, ଭାଲୁଜ୍ୱର ମାଡିବସିଲାଣି, କୁନ୍ଥୋଉଛନ୍ତି, କମ୍ପୁଛନ୍ତି ।
ମହନ୍ତ ପଚାରିଲେ, “ମହାନ୍ତିଏ ଏବେ ତୁମର ଜବାବ୍ କ’ଣ!”
ମାଧ ମହାନ୍ତି କହିଲେ, “ଆଜ୍ଞା, ମୋ କନ୍ୟା ତ ବିଭା ହୋଇ ନାହିଁ ।”