ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାଧ ମହାନ୍ତିଙ୍କ କନ୍ୟାସୁନା

ଜାତିର ମୁଖ୍ୟା ବଳରାମ ନାୟକେ ହାତଯୋଡି କହିଲେ, “ଆଜ୍ଞା, ଆପଣ ଆମ ରଜା, ସହଜରେ ହାକିମ, ଆମମାନଙ୍କ ଦୁଃଖ ହାଲ୍ ସବୁ ବୁଝିବେ, ହେଲେ ଜାତିଆଣ କାମଟା ଜାତି ବୁଝିବେ, ଏଥିରେ ହାକିମଙ୍କର କିଛି ବି ଅକ୍ତିଆର ନାହିଁ । ବୁଝିବା ହୁଅନ୍ତୁ ଆଜ୍ଞା, ମାଧ ମହାନ୍ତି ମଙ୍ଗୁଳା ଝିଅଟାକୁ ବିଭା ନ ଦେଇ ଘରେ ରଖିଛି, ଆଜି ସୂର୍ଯ୍ୟ ବୁଡିବାଯାଏଁ ସେ ଯଦି ତା’ ଝିଅକୁ ବିଭା ନ ଦିଏ, ତେବେ ସେ ଏକଘରିଆ ହେବ, ତାକୁ ନିଆଁପାଣି ଧୋବା ଭଣ୍ଡାରି ସବୁ ବାସନ୍ଦ, ତାଛଡା ସେ ଝିଅଟାକୁ ବି ଆଉ କେହି ମଧ୍ୟ ବିଭା ହେବ ନାହିଁ ।”

ଏକଥା ଶୁଣି ମହନ୍ତେ କହିଲେ, “ମହାନ୍ତିଏ ହେଲେ ହେଲେବା ଏକଘରିଆ, ନିଆଁ ବଡିଆଟିରେ ଘରେ ନିଆଁ ରଖିଦେବେ, ଚାରିମାଠିଆ ପାଣି ଘରେ ଥୋଇ ଦେଇଥିବେ, କ୍ୟାଁ କାହାକୁ ସେ କିଛି ମାଗିଯିବେ ।”

ବଳରାମ ନାୟକେ କହିଲେ, “ଆଜ୍ଞା ସେପରି କ’ଣ? ମହାନ୍ତି ଘର ମାଠିଆ ଯେଉଁ ପୋଖରୀରେ ବୁଡିବ, ସେ ପୋଖରୀ ଅପ୍ରତିଷ୍ଠା ହେବ, ଦଶଟଙ୍କା ଖରଚ କରି ପ୍ରତିଷ୍ଠା କରିଦେବାକୁ ହେବ । ଏହିପରି ଯେତେ ମାଠିଆ ପାଣି ସେ ଆଣିବେ ସେତେ ଦଶଟଙ୍କା ଖରଚ ଲାଗିବ । ଆଉ ଗୋଟିଏ କଥା, ଗୋହିରିରେ ଚାଲିଗଲେ ଦାଣ୍ଡ ଅପ୍ରତିଷ୍ଠା ହେବ, ତେଣୁ ଜଣେ ପାଣ ହାଣ୍ଡିଏ ଗୋବରପାଣି ଧରି ତାଙ୍କ ପଛେ ପଛେ ଛିଂଚି ଛିଂଚି ଚାଲୁଥିବ ।”

ମହନ୍ତେ କହିଲେ, “ନାହିଁ, ନାହିଁ, ସେ ପରା ବୁଢା ହୋଇଗଲେଣି, ଭଲମନ୍ଦ ବେଳକୁ ତମେମାନେ ସାହା ହେବ, ଏକା ।”

ମଦନ ନାୟକେ – “ଆଜ୍ଞା, ଗୋଳମାଳିଆ କଥା କ୍ୟାଁ – ସଫା କଥା, ସେ ମରିଗଲେ ଆମ୍ଭେମାନେ କ’ଣ ତାଙ୍କୁ ଛୁଇଁବୁ? ହାଡି ଘୋଷାରି ନେବେ । ଏଇ ମରେଇମାନଙ୍କରେ ଯେତେ ଧାନ ଅଛି, ଯେତେ ଦ୍ରବ୍ୟ ଅଛି, ସେସବୁ ତ ହାଡିଏ ହିଁ ନେବେ, ସେ ମାରୁ ଜିନିଷ ଆଉ କ’ଣ କେହି ଛୁଇଁବ?”

ମାଧ ମହାନ୍ତି ପଡି ପଡି ସବୁ ଶୁଣିଲେ । ବିଚାର କଲେ, ଦେଶ ମେଳି ହେଲାଣି, ମହନ୍ତ ବି ସେମାନଙ୍କ ପଟରେ, ମୋର ତ ଏହି ହାଲ୍, ଉଛୁଣିକା ଯେବେ ସବୁ ବିତ ଖୋଳାଖୋଳି କରି ସେମାନେ ଘେନିଯିବେ, ମୁଁ କଅଣ କରିବି? କାହିଁ ମାମଲା କରିବି- ଗୁହା କିଏ ହେବ? ବଳରାମ ନାୟକଙ୍କୁ ପାଖକୁ ଡାକି ସେ ତାଙ୍କ ହାତଯୋଡିକ ଧଇଲେ । କହିଲେ, “ତୁମେ ତ ଆମ ଜାତିର ମଉଡମଣି, ମୁଁ ତୁମ ହାତ ଧରୁଛି, ସମସ୍ତଙ୍କ ଗୋଡତଳେ ପଡୁଛି, ମୋର ସବୁ ଦୋଷ କ୍ଷମା କର, ମୋ ଝିଅଟିକୁ ବିଭା କରେଇ ଦିଅ । ମୋ ହାଲ୍ ତ ଦେଖୁଛ, ତା ମାମୁ କନ୍ୟା ସମର୍ପି ଦେବ ।”

ମହାନ୍ତି ମୁହଁରୁ ଯିମିତି ଏହି ପଦକ ବାହାରିଛି, ମହନ୍ତ କଣ ଆଖି ଟିପିଦେଲେ, ପଦୀ କନ୍ୟାକୁ ଘେନି ବର ପାଖରେ ଉପସ୍ଥିତ । ବ୍ରାହ୍ମଣ ଭଣ୍ଡାରି ହାଜର ଥିଲେ, ସାଙ୍ଗେ ସାଙ୍ଗେ ମନ୍ତ୍ରପାଠ, ବିଭା ଆରମ୍ଭ, ମାମୁ ସପନି ପାତ୍ରେ କନ୍ୟା ସମର୍ପି ଦେଲେ, ଘଂଟାକ ମଧ୍ୟରେ ବିଭା ସମାପ୍ତ ।

ବରକନ୍ୟା ମେଲାଣି ହେବେ – ମାଳତୀ ବାପା ଗୋଡ ଧରି ବାହୁନି ବସିଲା, ମାତ୍ର ମହାନ୍ତିଏ ରାଗରେ ଗୋଡ ଛାଟିଦେଲେ ଯେ, କନ୍ୟା ଦୁଲ୍ କରି ପଡିଗଲା । ହେଲେ ମାଳତୀର ସେଥିକି ଆଦୌ ଚିନ୍ତା ନାହିଁ, ପୁଣି ସେ ତା ବାପା ଗୋଡ ଧରି କହିଲା- “ବାପା ତୁ ଉଛୁଣିକା ବାଧିକା ପଡିଛୁ, ମୁଁ ତୋ ପାଖରେ ରହି ସେବା କରିବି, ତୁ ଭଲ ହେଲେ ଯାଇ ମୁଁ ଏଠାରୁ ଯିବି ।”

ମାଧ ମହାନ୍ତି – “ଦୂର! ଦୂର! ଦୂର! ଦୂର । ପନ୍ଦର ବରଷକାଳ ବସି ଖୁଆଇଥିଲି, ଏବେ ଜଣକୁ ଦି’ଜଣ ବସି ଖାଇବ ପରା!”

ପଦୀ ପାଖରେ ଛିଡାହୋଇ ସବୁ ଶୁଣୁଥିଲା, ମାଳତୀକୁ କୁଣ୍ଡେଇ ଉଠାଇ ନେଇ ପାଲିଙ୍କିରେ ସେ ବସାଇଦେଲା । ବର ତ ଆଗରୁ ଯାଇ ସାରିଥିଲା, ଉଠାଅ ପାଲିଙ୍କି । ବାଜାବାଲା ଆଉ ବରଯାତ୍ରୀଏ ସଜବାଜ ହେଉଁ ହେଉଁ ‘ହୁଁ ମେରି ଭାଇରେ’ ଡାକ ଛାଡି ପାଲିଙ୍କି ଗାଁ ବାହାର ଗହୀର ବିଲରେ ଦାଖଲ ।

ପାଂଚ, ଛ’ଦିନ ଉତାରେ ସେ ମହନ୍ତ ଦିନେ ପାଖ ଲୋକଙ୍କୁ ଡାକି କହିଲେ, “ହୋଇରେ! ବିଭାଘର ଗଲାଠାରୁ ମାଧ ମହାନ୍ତି ତ ଦାଣ୍ଡରେ କାହିଁ ଆଉ ଦିଶୁ ନାହିଁ । ତାକୁ ପରା ଜ୍ୱର ହୋଇଥିଲା, ବୁଝ ତ କ’ଣ ହେଲା?” ଯୋଡାଏ ପାଖ ଲୋକ ଧାଇଁଲେ, ଦାଣ୍ଡ ଦୁଆରେ, ବାଡି ଦୁଆରେ ଢେର୍ ଡାକିଲେ, କବାଟରେ ଧଡ ଧଡ କରି ମାରିଲେ ମାତ୍ର ତାଙ୍କ ଡାକ କେହି ବି ଶୁଣିବାକୁ ନାହିଁ । ସେମାନେ କ’ଣ କଲେ କି, ଗୋଟାଏ ନିଶୁଣି ପାଚିରିରେ ଲଗାଇ ଦେଇ ଭିତରକୁ ଡେଇଁପଡିଲେ, ସଦର କବାଟ ଫିଟାଇଦେଲେ । ଭିତର କାଣ୍ଡ ଦେଖି ସେମାନେ କାବା ହୋଇଗଲେଣି । ମହାନ୍ତି ଘର ଭିତରଆଡକୁ ମୁଣ୍ଡ ଦେଇ ବାହାରକୁ ଗୋଟାଯାକ ଗୋଟାଏ ବଡ ମୋଟା ଢୋଲ ପରି ଦୁଆରବନ୍ଧ ପାଖରେ ପଡିଛି । ଅଧା ଲଙ୍ଗଳ:- ମୁଣ୍ଡ ଘାଆଟା ମୁହଁର ଅଧାଅଧି ମାଡିଗଲାଣି । ପଣ ପଣ ମାଛି ଭଣ ଭଣ କରୁଛନ୍ତି । ମେଂଚାକୁ ମେଂଚା ପୋକ ସେ ଘାଆରୁ ଝଡିପଡୁଛନ୍ତି । ଜଣାଯାଏ ବର ବିଦା ବାଦେ ମହାନ୍ତି ବାହାର ସବୁ କବାଟ ଭଲକରି କିଳି ଦେଇ ଘରକୁ ଶୋଇବାକୁ ଯାଉଥିଲା, ଆଉ ଯାଇପାରି ନାହିଁ ଦୁଆରବନ୍ଧ ପାଖରେ ପଡିଯାଇଛି । ଟଙ୍କା ଥଳିଟା ଯାହା ସେ ସିଇଁ ରଖିଥିଲା ତାହା ତା ପାଖରେ ପଡିଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ