ଜାତିଭାଇମାନେ, ପୁରୋହିତ ସମସ୍ତେ ମଠରେ ମହନ୍ତଙ୍କ ପାଖରେ ବସିଛନ୍ତି । ସତ୍କାରର ବିଚାର ଲାଗିଛି । ମାତ୍ର ଗୋଟାଏ କଥା ଉଠିଲା, ମାଛିଆ ପାତକ ହୋଇଛି, ତାକୁ ପୁଣି ଛୁଇଁବ କିଏ? ଯେ ଛୁଇଁବ ସେ ପ୍ରାୟଶ୍ଚିତ କରିବ । ଢେର୍ ତର୍କବିତର୍କ ଉତାରେ ସ୍ଥିର ହେଲା, ପ୍ରାୟଶ୍ଚିତ ଖର୍ଚ୍ଚ ସକାଶେ ମହନ୍ତଙ୍କ ଲୋକ ମହାନ୍ତି ମୁରେଇରୁ ଦୁଇ ପୌଟି ଧାନ କାଢିଦେବ, ପୁରୋହିତେ ମହାବିଷ୍ଣୁ ପଦୋତକ ମନ୍ତ୍ର ଦେବେ, ସେହି ପବିତ୍ର ପାଣି ଛିଂଚିଦେଲେ ମଡା ଉପରୁ ସବୁ ପାପ ଧୋଇଯିବ । ମହନ୍ତେ ପୁରୋହିତେ ବିଶୁ ରଥଙ୍କୁ ପଚାରିଲେ, “ହୋଇ ହୋ ମହାନ୍ତିଙ୍କୁ ମାଛିଆ ପାତକ ଲାଗିଲା କିଆଁ?” ରଥେ କହିଲେ, ଆଜ୍ଞା ପୁରାଣ ଶାସ୍ତ୍ରରେ ପରା ଲେଖାଅଛି-
“ବୁଢା ବରେ ଝିଅ ବିକେ ଯେ ଲୋକ
ସେ ଲୋକ ମୁଣ୍ଡରେ ପଡଇ ପୋକ ।”
ଆଜ୍ଞା ପ୍ରମାଣ ଦେଖନ୍ତୁ- ଠିକ୍ ମୁଣ୍ଡରେ ମାଛିଆ ପାତକ, ଗୋଡରେ ନୁହେଁ, ହାତରେ ନୁହେଁ କି ପିଠିରେ ବି ନୁହେଁ- ଠିକ୍ ମୁଣ୍ଡରେ, ଶାସ୍ତ୍ର କଥା କ’ଣ କେବେ ଅନ୍ୟଥା ହେବ?
ଆଠଜଣ ଜାତିପୁଅ ନାକରେ ଲୁଗାଗୁଡାଇ ସେ ଘର ଭିତରକୁ ଗଲେ । କାଳେ ମଡା ଦେହରେ ଆଉ କିଛି ପାତକ ଲାଗି ରହିଥିବ, ସେ ପାପ ଧୋଇଯିବା ଲାଗି ହାଣ୍ଡିଏ ଗୋବରପାଣି ମଡା ମୁଣ୍ଡଠାରୁ ଗୋଡଯାଏଁ ଛିଂଚିଦେଲେ ।
ଗାଁ ଗୋହିରି ମଝିରେ ‘ହରିବୋଲ! ଋାମନାମ ସତ୍ୟ ହେ’ର ଗୋଟାଏ ଉତ୍କଟ ରଡି ସମସ୍ତେ ଶୁଣିଲେ । ସବୁ ଶେଷ! ଏତେ ପଚାମଡା ପୋଡୁଛି ଆଉ କିଏ? ମଶାଣି କିଆବାଡ ତଳେ ଥୋଇଦେଇ ସେମାନେ ଆସିଲେ ।
ଝୁଅ-ଜୁଆଇଁ ଆସି ବୁଢାର କ୍ରିୟାଟା ଭଲକରି କଲେ । ଗାଁ ଜାତି ଅଜାତି ମମସ୍ତଙ୍କୁ ନିମନ୍ତ୍ରଣ ଦେଇ ଖଜା, କାକରା, ପିଠା, ପାଳୁଅ, ତସ୍ମିକରି ଦୁଇ ତିନିଥର ଖୁଆଇଲେ । ଗାଁରେ ଝିଅ-ଜୁଆଇଁଙ୍କର ଖୁବ୍ ପ୍ରଶଂସା ଉଠିଲା ।
ମଠ ସରଘରିଆ ବିନୋଦିଆର ନାମ ଏବେ ଜମିଦାର ବାବୁ ବିନୋଦବିହାରୀ ମହାନ୍ତି । ଗୋପାଳର ତାଲୁକା ଜମିଦାରୀଟା ସେ କିଣିଲାଣି । ସଦର ଗୁମାସ୍ତା ଯୋଡିଏ, ସଦର ପାଇକ ଆଠ ଦଶଟା, ଚାରିଖଞ୍ଜା ଧୂଳିଆ ଘର ବନାଇ ପକାଇଲାଣି । ବାହାରୁ ଦେଖିଲେ ଗୋଟାଏ ବଡ ଜମିଦାର ଘର ବୋଲି କିଏ ବା ନ କହିବ?
ବାହାର ଲୋକେ ଅନୁମାନ କରନ୍ତି, ମାଧ ମହାନ୍ତି ଘରେ ଟଙ୍କା ଦୁଇଲକ୍ଷ ପୋତା ଥିଲା ।
“ଅରଜି ଛଂଚି କୃପଣ ମରେ,
ଗୁଡମାଠିଆ ମାହ୍ଲୁଆ ମାରେ ।”
ଗାଳ୍ପିକ – ଫକୀରମୋହନ ସେନାପତି