ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାଧ ମହାନ୍ତିଙ୍କ କନ୍ୟାସୁନା

                ମଫସଲ ଗାଁରେ ଯାହାକୁ ଥିଲାବାଲା ଲୋକ କହନ୍ତି, ମାଧ ମହାନ୍ତି ବି ସେହିଭଳିଆ ଜଣେ । ସରବରି ଦୁଇବାଟିଯାଏ ହାତଚାଷ, ଭାଗରେ ବି ବାଟିଏ ଖଣ୍ଡେ ସେ ଦେଇଛନ୍ତି । ତାଙ୍କର ଛଅଟା ହଳ, ମାଈଗୋରୁ ବି ଚାରି ବୋଡି ସେତିକି । ଗାଈ ଦୁହାଁଳ ହେଲେ ଦୁଧଯାକ ଗଉଡ କାଟରେ ଘେନିଯାଏ ।

                ମହାନ୍ତିଙ୍କର ଖରଚ ବୋଇଲେ, ଧାନ ବିକି ଖଜଣା ଗଣ୍ଡାକ ଚଳାଇ ଦିଅନ୍ତି । ଆଉ ପଇସା କଉଡିର ବି ଖରଚ ନାହିଁ । ବାଡିରେ ଖଣ୍ଡେ କପା କରିଛନ୍ତି, ସେଇଥିରେ ସେ ବାପ ଝିଅଙ୍କର ଲୁଗାବାଡଟା ଚଳିଯାଏ । ବେଜାୟ ଖରଚ ମଧ୍ୟରେ ପିଲାଦିନରୁ ପିକାଟଣାଟା ତାଙ୍କର ଏକ ଅଭ୍ୟାସ, ଛାଡିପାରୁ ନାହାଁନ୍ତି । ରୋଜିନା ଅଧସେର ଧାନରେ ଧୂଆଁପତ୍ର ଗୋପିଆ ଦୋକାନୀ ପାଖରୁ ଆସେ । ସବୁବେଳେ ପିକାଟା ତାଙ୍କ ମୁହଁରେ ଲାଗିଥାଏ । ଗୋଟାଏ ଲମ୍ବ ମୋଟା ନିଆଁ ବଡିଆ ସର୍ବଦା ତାଙ୍କ ପାଖରେ ପଡିଥାଏ । କୁଆଡକୁ ଗଲେ ସେହି ବଡିଆଟି କାଖେଇ ସେ ବାହାରନ୍ତି । ମାଳତୀଟି ଏବେ ବଳେଇଲାଣି । ଏଣିକି ବିଭା ନ ଦେଲେ ନଚଳେ । ପାଂଚଜାଗାରୁ ଜବାବ ଆସିଲାଣି, ହେଲେ ଦର ପଟୁ ନାହିଁ! ତିନିଶ ଟଙ୍କାରୁ ଉପରକୁ କେହି ବି ଯିବାକୁ ନାହିଁ । ମହାନ୍ତିଏ ତ ବଡ ସତ୍ୟବନ୍ତ ଲୋକ, ଏକା ରା ଧରିଛନ୍ତି, ସାତଶହରୁ ପଇସାଟିଏ ବି ଊଣା ହେବ ନାହିଁ । ନ’ ବର୍ଷର ବଡ ଝିଅଟା ହେଲା ସାତଶହ, ପନ୍ଦର ବର୍ଷର ଝିଅ- ଦେଖ ତ ସେ କେଡେ ସୁନ୍ଦରୀ, କେମିତି ପାଇଟିକୁ ଯୋଗା । ଦେଖି ଚାହିଁ ବୁଝି ସମଝି କଥା କହିଲେ ସିନା ହେବ? ଯେଉଁମାନେ ବିଭା ପ୍ରସଙ୍ଗରେ ଆସନ୍ତି, ସେମାନଙ୍କୁ ବି ଏହି ଏକା ଜବାବ୍ ।

ମହାନ୍ତିଏ ଏଥର ଠିକ୍ ବୁଝିଲେଣି, ଏ ଦୋହଳି ତେହଳି ବେହି, ଖୁବ୍ ବୁଢା ବର ନ ହେଲେ ଦର ପଟିବ ନାହିଁ । କନ୍ୟା ପାଇଁ ଏହିପରି ଯୋଗାବର ସକାଶେ ସେ ଖାଲି ବାଟ ଚାହିଁ ବସିଛନ୍ତି ।

ମଧୁପୁର ଗାଁଟା ଗୋପାଳଜୀଉଙ୍କର ଦେବୋତର । ମଠଟି ଗାଁ ମଝିରେ । ଆଉଆଡେ ବି ଜମିଜମା ଅଛି । ସେସବୁ ଜମିର ଖଜଣା, ଫାଉ ଫୌଚାତ, ଶିଷ୍ୟ ସେବକ ସବୁ ସବୁ ରକମରୁ ବର୍ଷକୁ ଦଶହଜାର ଟଙ୍କା ସରିକି ଆୟ । ଏଟା ନିଅଙ୍ଗୀ ମଠ, ଗୋଟିଏ ମହନ୍ତ ନାରାୟଣ ପାଇଲେ ତାଙ୍କ ଚେଲା ଗାଦିରେ ବସନ୍ତି ।

ମହନ୍ତ ରଘୁବର ଦାସ ନାରାୟଣ ପାଇବାରୁ ତାଙ୍କ ଚେଲା ଲଛମନ ଦାସେ ବର୍ତ୍ତମାନ ସେ ଗାଦିର ମାଲିକ । ନୂଆ ମହନ୍ତ ଖୁବ୍ ଦାତା, ଦୟାଳୁ । ଆଗ ମହନ୍ତଙ୍କର ସବୁ ଭଲ ଗୁଣ ଅଛି । ତାଙ୍କ ଚରିତ୍ରଟି ବି ଖୁବ୍ ଭଲ । ହେଲେ ଟୋକାଳିଆ ବୁଦ୍ଧିଟା ତାଙ୍କର ଆଦୌ ଛାଡି ନାହିଁ । ଆଗ ପୋଷା ପାରା ଗୋବରା ଚଢେଇଗୁଡାକ ରହିଯାଇଛନ୍ତି । ମହନ୍ତ ସେ ମଠରେ ଗୋଟାଏ ଆଖଡା ଜାରି କରିଛନ୍ତି । ସଞ୍ଜ ବାଜିଲା ତ, ଗାଁର ଯେତେ ଭେଣ୍ଡିଆ ପିଲା ସେଠାରେ ଯାଇ ରୁଣ୍ଡ ହେବେ । କୃଷ୍ଣଲୀଳା, ରାମଲୀଳା ଯାତ୍ରା ସେଠାରେ ହୁଏ । ଆଖଡା ମଧ୍ୟରେ ବଛାବଛା ଦଶଜଣ ଭେଣ୍ଡିଆ ଅଛନ୍ତି । ରାତି ଛଅ ସରିକି ମହାପ୍ରଭୁଙ୍କ ଠା’ ଘଂଟା ବାଜେ, ଆଖଡା ଭାଙ୍ଗେ । ପ୍ରସାଦସେବା କରି ଯେ ଯାହା ଘରକୁ ଚାଲିଗଲା ବାଦ୍ ମହନ୍ତ ସେହି ବଛା ସାଙ୍ଗୀ ଦଶଜଣଙ୍କୁ ଧରି ମଠପଛ ବଗିଚା ମଝିରେ ଥିବା ପୋଖରୀ ଘାଟରେ ବସି ଅଧରାତିଯାଏଁ ତ୍ୱରିତାନନ୍ଦ ମୌଜ କରନ୍ତି, ସେଠାରେ କୋଡିଏ ମୁଲକର ହାଲଚାଲ କଥା ପଡେ ।

ମହନ୍ତ ହେଉଛନ୍ତି ସେ ଗାଁର ଜଜ୍, ମେଜେଷ୍ଟର, ମହାଜନ ସବୁ । ତେଣୁ ଏ ଗାଁରୁ ଗୋଟାଏ ବୋଲି ମାଲିମାମଲା ସରକାରକୁ ଯାଏ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ