ସେ ମହନ୍ତଙ୍କର ଗୋଟିଏ କୋଠଚାକର ଅଛି, ତା’ର ନାମ ବିନୋଦିଆ- ବୟସ ବାଇଶ କି ତେଇଶ । ଦେଖିବାକୁ ସେ ବେଶ୍ ଡଉଲଡାଉଲ । ବିନୋଦିଆ ମହନ୍ତଙ୍କର ଭାରି ବିଶ୍ୱାସୀ ଚାକର । ମହନ୍ତଙ୍କ ନିଜ କୋଠାଘର କଂଚି, ମନ୍ଦିର ସରଘର, ଗନ୍ତାଘର, କାରବାରୀ ଘର ସବୁଘର କଂଚି ତା’ ହାତରେ । ଏହି କାରଣରୁ ଗୋଟାଏ ସରୁ ଲୁହା ଶିକୁଳିରେ ଗୁନ୍ଥା ବେଜାଏ କଂଚି ସବୁବେଳେ ତା’ ଅଂଟାରେ ଝୁଲୁଥାଏ! ସବୁ ବିଷୟରେ ମହନ୍ତଙ୍କର ବିନୋଦିଆ ଉପରେ ଷୋଳପଣି ବିଶ୍ୱାସ । ଯେଉଁପରି ମାଲିମାମଲା ହେଉନା କାହିଁକି, ବିନୋଦିଆକୁ ନ ଧରିଲେ କେହି ମହନ୍ତଙ୍କଠାରୁ ବେଗି ବେଗି କାମ ହାସଲ କରିପାରେ ନାହିଁ । ଶ୍ରୀଜୀଉଙ୍କ ଅଳଙ୍କାର, ନଗଦାତ ଟଙ୍କା, ଟିପ ତମସୁକ, ମହନ୍ତଙ୍କର ନିଜ ତହବିଲ, ସବୁ ସବୁରକମରେ ବିନୋଦିଆ ଜିମାରେ ଲକ୍ଷାବଧି ଟଙ୍କା । ନେଇ ବସିଲେ ମାଲିମାମଲାରୁ ସେ ବି ଢେର୍ ଢେର୍ ଟଙ୍କା ପାଆନ୍ତା । ମାତ୍ର ତାହାର ଦରମା ମାସକୁ ଯୋଡାଏ ଟଙ୍କା ଛାଡି ଆଉ ଯୋଡାଏ ପଇସାରେ ବି ସେ ହାତ ଦିଏ ନାହିଁ । ଏଣେ ସେ ମହନ୍ତଙ୍କର ଯେପରି ଅକାରଣ ପଇସା ନଷ୍ଟ ନ ହେବ, ତେଣୁ ସେ ଖୁବ୍ ଜଗିଥାଏ । ପ୍ରଜା ବା ଖାତକ ଉପରେ ହକ ପାଉଣା ପଇସାଏ ଛାଡିବ ନାହିଁ, ମହନ୍ତ ହୁକୁମ କଲେ ବି, ନା । ବିନୋଦିଆ ଘର ହାଟଗାଁ, ମନ୍ଦିରଠାରୁ ଚାରିକୋଶ ଦୂର । ସେ ଗାଁଟା ବି ମହନ୍ତଙ୍କର ଦେବୋତର ବାହେଲ । ମା’ ବାଧିକା ପଡିଛି ଶୁଣି ବିନୋଦିଆ ମହନ୍ତ ମହାରାଜାଙ୍କଠାରୁ ଚାରିଦିନ ଛୁଟି ନେଇ ଘରକୁ ଯାଇଥିଲା । ଆଜି ସକାଳୁ ଘରୁ ଆସି ସେ ତୁନିଟି ହୋଇ ବସିଛି, କାମ ପାଇଟିରେ ସେ ଆଦୌ ମନ ଦେଉ ନାହିଁ । ଏସବୁ ଦେଖି ସେ ମହନ୍ତ ପଚାରିଲେ, “କି ରେ ବିନୋଦିଆ, ଇମିତି ହୁଙ୍କାଟା ପରି ବସିଛୁ କ୍ୟାଁ? ଯା, ଯା, ତୋଟାଳିଆ ସବୁ ଆସି କାମରେ ଲାଗିଗଲେଣି କି ନା, ଦେଖେ ଯା ।”
ଏହା ଶୁଣି ବିନୋଦିଆ ମହନ୍ତଙ୍କ ଗୋଡ ଯୋଡିକ କୁଣ୍ଢେଇ ଧରି ଭୋ ଭୋ କରି ଖାଲି ରଡି ଛାଡିଲା, କଥା କହିପାରୁ ନାହିଁ ।
ମହନ୍ତ- ଆରେ କଥା କ’ଣ କହ, ଇମିତିକାଟା କାନ୍ଦୁଛୁ କ୍ୟାଁ?
ବିନୋଦିଆ- ଆଜ୍ଞା! ମୁଁ ଆଉ ଚାକିରି କରିବି ନାହିଁ । ଆମ ଗାଁର ଢେର୍ ଭେଣ୍ଡିଆ ରେଳବାଇରେ କାମ କରି ଢେର୍ ଟଙ୍କା ଆଣୁଛନ୍ତି । ମା’ କହିଲା, ମୁଁ ବି ସେହିପରି କାମ କରି ଟଙ୍କା ଆଣି ବାହାହେବି । ମା କହିଲା, ସେ ବାଧିକା ପଡିଲାଣି, ମରିଯିବ- ବୋହୂ ଦେଖିବ ।
ମହନ୍ତ- ହୋଃ ହୋଃ ହୋଃ- ଏଇ କଥା! ଆଚ୍ଛା ମୁଁ ତୋତେ ବାହା କରେଇଦେବି । ଖୁବ୍ ଭଲ କନ୍ୟାଟିଏ ବାହା କରେଇଦେଲେ ତ ହେଲା?
ବିନୋଦିଆ- ଆମ ଜାତିରେ କନ୍ୟାସୁନା ଢେର୍ ଟଙ୍କା ପଡେ, ମୁଁ ଏତେ ଟଙ୍କା କାହୁଁ ଆଣିବି?
ମହନ୍ତ- ଆରେ ବାୟା! ତୁ ତ ବାହା ହେବୁ ଗଲା, ଟଙ୍କାରେ କ’ଣ ଅଛି? ଆଚ୍ଛା, ଯେତେ ଟଙ୍କା ଲାଗିବ, ମୁଁ ଦେବି ।
ଏହାଶୁଣି ସେ ବିନୋଦିଆ ଭାରି ଖୁସିଟାଏ ହୋଇ ଆପଣା କାମରେ ଲାଗିଗଲା ।