ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାଧ ମହାନ୍ତିଙ୍କ କନ୍ୟାସୁନା

ଭଲଲୋକ ଅନାଇ ଦେଖିଲେ, କବାଟ ଫାଙ୍କ ଭିତରକୁ ଯୋଡିଏ ପାଦ ସ୍ଥିର ହୋଇ ରହିଛି । ସେ ପାଦ ଯୋଡିକର ଉପର ପାପୁଲି ଚମ୍ପାକଢି ପରି ଗୌରବର୍ଣ୍ଣ, ଦଶଟି ଆଙ୍ଗୁଳି ସେ ଦିଶୁଛି ।

ଭଲଲୋକ ଟିକିଏ ବଡ ପାଟିକରି କହିଲେ- ବୁଝିବା ହେଲେ ମହାନ୍ତିଏ ଆମେ ତ କନ୍ୟା ରୂପ-ଗୁଣ କଥା ସବୁ ବୁଝିଗଲୁଁ, ଗାଁରେ ଯାଇ କହିବୁଁ । ହେଲେ ଆପଣ ତ କାହିଁ ବରଙ୍କ କଥା କିଛିବି ଶୁଣିଲେ ନାହିଁ? ମାତ୍ର  ଆମର କହିଦେବା ଉଚିତ ହେଉଛି । ବରଙ୍କର ପ୍ରଥମ ଦୁଇ ବିଭା ସ୍ତିରୀ ମରିଛନ୍ତି, ଏଇଟା ହେବ ତାଙ୍କର ତେହଲି ବିଭା । ବରଙ୍କର ବୟସ ଏହି ମାଘରେ ପଂଚଷଠି ପଶିବ ।

ଭଲଲୋକ ସେ କବାଟ ପଛରୁ ଫଁ-କରି ନିଶ୍ୱାସ ଶବ୍ଦ ଶୁଣିଲେ- ପାଦଯୋଡିକ ଆଉ ଦିଶିଲା ନାହିଁ ।

ମାଧ ମହାନ୍ତିଏ କହିଲେ– “ଏତେ କଥା କିଏ ପଚାରୁଛି ହେ? ପୁରୁଷପୁଅର ବୟସ କ’ଣ ଧରୋଟ ଭିତରେ? ଅଶୀ ବର୍ଷର ପୁରୁଷ ବି ବିଭା ହୋଇପାରେ । ମୂଳ କଥାଟା ବୋଲନ୍ତୁ- ମୁଁ ଏବେ ଆପଣଙ୍କ କଥାରେ ଖାତରଜମା ହୋଇ ରହିଲିଟି?”

ମଧ୍ୟସ୍ଥ- ମହାନ୍ତିଏ, ଆପଣ ଏଡେ ମାମଲତକାର ବୁଦ୍ଧିମନ୍ତ ଲୋକ ହୋଇ କେମନ୍ତ ଗୋଟାଏ ଅଖାଡୁଆ କଥା ବୋଲି ବସିଲେଟି! ଆମ ଜମିଦାର ଘରେ କ’ଣ ଜାଗା ନ ଥିଲା ଯେ ତୁମ ଆଗରେ ଆମେ ଟଙ୍କାଗୁଡାଏ ଓଜାଡି ଦେଇଗଲୁଁ?

ମହାନ୍ତିଏ ଟିକିଏ ସଟପଟି ଯାଇ କହିଲେ, “ନାହିଁ ନାହିଁ, ମୁଁ କ’ଣ କହୁଥିଲି କି, ବିଭାଦିନ ଟିକିଏ ଚଂଚଳ ବରଙ୍କୁ ଅନୁକୂଳ କରାଇଦେବେ, ଯେମନ୍ତ, ଠିକ୍ ଲଗ୍ନ ବେଳେ ହିଁ ହାତଗଣ୍ଠି ପଡିବ ।”

ଏହାପରେ ସେ ଭଲଲୋକ ଦୁହେଁ ଭାରି ଭକ୍ତିରେ ଯୋଡିଏ ଦଣ୍ଡବତ କରି ସେଠାରୁ ଚାଲିଗଲେ ।

ଆଜି ସେ ମାଳତୀର ଆଦର ଆଉ ଦେଖେ କିଏ! ତୁଚ୍ଛାଟାରେ ହେଲେ ‘ଆରେ ମା, ଯାରେ ମା’ କହି ମହାନ୍ତିଏ ଦଶଥର ଝିଅଙ୍କୁ ଆଦର କରି ଡାକୁଛନ୍ତି । ମହାନ୍ତିଙ୍କର ଷୋଳପଣି ବିଶ୍ୱାସ, ପୂରା ହଜାରେ ଟଙ୍କା ତାଙ୍କ ଘରେ ପଶିବ । ମହାନ୍ତିଏ ଯେତେ ଆଦର କରି ଡାକୁଛନ୍ତି ମାଳତୀ ମନରେ ସେତେ କୋହ ଉଠୁଛି । ମହାନ୍ତିଏ ଖୁବ୍ ମନଫୁଲାଣରେ ଖଣ୍ଡେ ସାନ ଅଖା, ଡାମ୍ଫଣ, ଛଣିସୂତା ଘେନି ବିଲକୁ ବାହାରିଲେ । ହିଡ ଉପରେ ବସି ମୂଲିଆମାନଙ୍କ କାମ ତନଖି କରିବେ, ଆଉ ଟଙ୍କାରଖା ମୁଣିଟିଏ ସିଇଁବେ ।

ଆଜି ମାଳତୀର ଆଉ ଘରପାଇଟିରେ ମନ ନାହିଁ । ଦାଣ୍ଡଦୁଆର କିଳିଦେଇ କବାଟ ମୂଳରେ ତୁନିହୋଇ ବସି ସେ ଖାଲି କାନ୍ଦୁଛି । କବାଟ ବାହାରୁ ଠୁକ୍ ଠୁକ୍ ଶବ୍ଦ ହେଲା, ହାତ ବାରି ମାଳତୀ କବାଟ ଫିଟାଇଦେଲା । ପଦୀ ଯେମିତି ସେ ଘର ଭିତରେ ପାଦ ଦେଇଛି, ମାଳତୀ ତା’ ଦୁଇଗୋଡ ଧରି ଡକାପାରୁଛି, କାନ୍ଦି କାନ୍ଦି ଅଥୟ ହୋଇଗଲାଣି । ପଦୀ ତାକୁ ଯେତେ ତୁନି କରାଉଛି, ହେଲେ ତା’କଥା ଶୁଣୁଛି କିଏ?

କଥାରେ ପରା ଅଛି ହାମଦରଦୀ ଲୋକ ପାଖରେ କାନ୍ଦି ନିଜ ମନକଥା କହିଲେ ମନ କଷ୍ଟ ଟିକିଏ ଊଣା ପଡେ । ମାଳତୀ ଯିମିତି ଟିକିଏ ଧୈର୍ଯ୍ୟ ଧରିଛି, ପଦୀ କହିଲା, “ଆରେ ବାୟାଣୀ । କଥା ନ ବୁଝି ତୁ କ୍ୟାଁ ଏତେ ଡକାପାରୁଛୁ? ଆଜି ଭଲଲୋକ ଆସିବା- ଯେଉଁ ସବୁ କଥା ହେଲା, ମୁଁ ସେସବୁ ଜାଣେ । ସେସବୁ କଥା ଗୋଡରେ ଘଷିଦେବ, ସବୁ ମିଛ, ତୁଚ୍ଛା ମିଛ । ମୁଁ ଯାହା କହୁଛି, ଶୁଣିଯା । ଆଜିକି ସାତଦିନ ହେଲା ମୁଁ ଠାକୁରଙ୍କ ପାଖରେ ତୋଲାଗି ଅଧ୍ୟା ପଡିଥିଲି । ମହନ୍ତ ପୂଜା କରୁଥିଲେ, କାଲି ଅଧରାତିରେ ମହାପ୍ରଭୁଙ୍କ ପାଖରୁ ତାଙ୍କୁ ବର ମିଳିଲା । ମହାପ୍ରଭୁ ମହନ୍ତଙ୍କୁ ସ୍ୱପ୍ନରେ କହିଲେ, ‘ତୁ ମଠ ସରଘରିଆ ବିନୋଦକୁ ବିଭା ହେବୁ ।’ ତୁ ତ ଜାଣୁ ପୃଥିବୀ ଟଳିଯିବ ପଛେ, ହେଲେ ଠାକୁରଙ୍କ ହୁକୁମ କେବେବି ଅନ୍ୟଥା ହେବ ନାହିଁ । ତେଣୁ ତୁ ନିଶ୍ଚିନ୍ତରେ ଥା ।”

“ଆଁ- ଆଁ” କହି ମାଳତୀ ପଦୀ ମୁହଁକୁ କଟାଶଟି ପରି ଅନାଇଛି, ତା’ ମୁହଁରୁ ତ ଆଉ କିଛିବି କଥା ବାହାରୁ ନାହିଁ । ଶେଷରେ ଧୈର୍ଯ୍ୟଧରି ସେ କହିଲା, “ମା’ ଜାଣିଥା- ସେ ବର ଆସିଲେ ମୁଁ ଦଉଡି ଦେବି ।”

“ମା! ଆଉ ଗୋଟାଏ କଥା, ମୋ’ ଆତ୍ମାଟା କିମିତିକା ଗୋଟେ ଗୋଳେଇ ଘାଂଟି ହେଉଛି, ଥରେ ମାଧୀଅପାକୁ ଦେଖନ୍ତି!”

ପଦୀ- ତୋ ବାପାକୁ କହ; ସେ ତାକୁ ଡାକିଆଣନ୍ତୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ