ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାଧ ମହାନ୍ତିଙ୍କ କନ୍ୟାସୁନା

ମାଳତୀ- ଡାକି ଆଣିବେ, ହଁ! ସେ ଓଷା ବରତ କରିବ ବୋଲି ଯୋଡାଏ ପଇସା ମାଗି ପଠାଇଥିଲା, ଯେ ମାଗି ଆସିଥିଲା ଦୂର୍ ଦୂର୍ କରି ବାପା ତାକୁ ତଡିଦେଲା । ଆଉ ଥରେ ବାପା ବାଧିକି ପଡିଥିଲା, ଅପା ଦେଖିବାକୁ କହିପଠାଇଲା । ବାପା କହିଲା ମୋର ଜର ଛାଡି ଯାଉ ନାହିଁ କି, ସେ ଦେଖିବ କଣ? ଆରେ ରେ, ଆସିବ ତ ଆଠ ଦଶ ଦିନଯାଏଁ ଘରୁ ବାହାରିବ ନାହିଁ! ବସି ବସି ତୁଚ୍ଛାଟାରେ ପେଟେ ପେଟେ ସେ ଠୁଙ୍କିବ । ମା’! ମୋ ଅପାଟି ବଡ ଦୁଃଖରେ ଅଛି । କୁଟୁମ୍ବଦାରିଆ ଘର ଛୁଆପିଲା ପଲେ ସବୁ ଛୁଆଙ୍କର ଗୁହକନା, ମୂତକନା ସେ କାଚିବ, ଘରର ସବୁ ସଙ୍କୁଡି ବାସନ ସେ ମାଜିବ । ବାଧିକାରେ ଛ’ଦିନ ପଡିଥିଲେ ବି ତା’ ମୁହଁରେ ଟୋପାଏ କେହି ପାଣି ଦେବାକୁ ନାହିଁ । ଆହା! ସେଇଟା କେମିତି ଶୁଖିଲାଟା ହୋଇଗଲାଣି, ଆଉ ବଂଚିବ ନାହିଁ । ମୁଁ ବି ତାକୁ ଆଉ ଦେଖିପାରିବି ନାହିଁ ।

ମାଳତୀ ତା’ଅପା ପାଇଁ ଢେର୍ କାନ୍ଦିଲା । ପଦୀ ତାକୁ ତୁନି କରାଇ କହିଲା, “ଆଚ୍ଛା, ଆଚ୍ଛା ମାଧୀ ସାଙ୍ଗରେ ମୁଁ ତୋର ଭେଟ କରାଇଦେବି ।”

ଦିନ ଦୁଇପହରିଆ, ଖିଆପିଆ ବେଳ ଟିକିଏ ଗଡିଯାଇଛି, ପଦୀ ମହାନ୍ତିଙ୍କ ଦାଣ୍ଡଦୁଆର କବାଟରେ ଧଡଧଡ ଚାପୁଡା ମାରି ଡାକୁଛି- “ଏ ସାଆନ୍ତେ– ଏ ମହାନ୍ତି ସାଆନ୍ତେ, ଘରେ ଅଛନ୍ତି? ଏ ମାଧୀବାପା! ଘରେ ଅଛନ୍ତି? କବାଟ ଫିଟାନ୍ତୁ ।”

ପଦୀ ରୋଜିନା ଉପରଓଳି ଆସି କବାଟରେ ଟିକିଏ ଠୁକ୍ ଠୁକ୍ ଟିପ ମାରିଦେଲେ ଧୀରେ ଧୀରେ ସେ କବାଟ ଉଦୁଆ ହୋଇଯାଏ । ଆଜି ସେ ଏତେ ପାଟି କରୁଛି, ହେଲେ କବାଟ ଫିଟୁ ନାହିଁ ।

ମାଧ ମହାନ୍ତିଏ ଏଇଲାଗେ ଭାତ ଚାରିଟା ସାରି ପଲାଣଶିଆଁ ଛଣି ତାଗପାଇଁ ବସି ବାଟିଆ କାଟୁଛନ୍ତି । ମହାନ୍ତିଏ ତ ବଡ ବୁଦ୍ଧିମନ୍ତ ଲୋକ- ତାଙ୍କର ମୂଲିଆପାନିଆ ଢେର୍, ହେଲେ ସେ ଆପେ ବାଟିଆ କାଟନ୍ତି । ମୂଲିଆ ହାତକୁ ଦେଲେ କାଳେ ସେମାନେ ମେଂଚାଏ ଛଣି ଅଂଟିରେ ଗୁଞ୍ଜିଦେବେ, ସେଥିଲାଗି କାହାରି ହାତକୁ ସେ ମୋଟେ ଦିଅନ୍ତି ନାହିଁ ।

ପଦୀ ମହାନ୍ତିଙ୍କ ଗୋଡ ପାଖରେ ଢପ୍କରି ମୁଣ୍ଡିଆଟା ମାରିଦେଇ ବସିପଡି କହିଲା, “ଏ ସାଆନ୍ତେ! ଗାଁଯାକ ଚହଳ ପଡିଛି, ସାନଝିଅ ମାଳତୀର ବାହାଘର- କାହିଁ ମତେ ଖବର ଦେଇ ନାହଁ ତ? ଘରଲିପା, ଛୁଂଚଦିଆ, ଝୋଟିଦିଆ ଗାଁଯାକ ସବୁ ମୁଁ କରେ । ହେଉ ହେଉ, କାଲି ସକାଳେ ଆସି କରି ଦେଇଯିବି ।”

ମହାନ୍ତିଏ ସେହିପରି ବାଟିଆ କାଟୁ କାଟୁ କହିଲେ, “ନାହିଁ ନାହିଁ, କ’ଣ କେତେ ବା ଛୁଂଚଦିଆ, ଝିଅଟା ଆପେ କରି ପକାଇବ ଯେ! ତୋର ଆସିବା ଲୋଡା ନାହିଁ ।”

ପଦୀ ସେକଥା ଶୁଣି ନ ଶୁଣିଲା ପରି କଥା କହିଯାଉଛି- “ଏ ସାଆନ୍ତ! ଗାଁ ଯାକ ଲୋକେ କହୁଛନ୍ତି, ଆପଣଙ୍କର ବଡ କପାଳ, ଭଲ ମାନମାଫିକେ ବନ୍ଧୁଟିଏ ପାଇଗଲେ । ଏଣେ ଜମିଦାରୀ- ଘରେ ଟଙ୍କା ସୁନା ଭରତି, ମରେଇକୁ ମରେଇ ଧାନ ବସିଛି, ଦଶବାଟି ଚାଷ । ଆପଣ ଉଛୁଣିକା କ’ଣ ପାଇବେ କି! ଜୁଆଇଁଟି ଯେମନ୍ତ ଦେବା-ନେବାକୁ ଷଣ୍ଢ । ଆପଣ ଝିଅଟିକୁ ଶଙ୍ଖୁଳି ଗଲେ ବାଟଖରଚ କ’ଣ ବୋଲି କ’ଣ ଦି’ଶହ ପାଂଚଶହ ବାନ୍ଧି ନ ଆଣିବେ?”

ପଦୀ କଥା ଶୁଣି ମହାନ୍ତିଏ ବାଟିଆଟା ଥୋଇଦେଇ ହସି ହସି ପଚାରିଲେ, “ସତ ନା ଲୋ ପଦୀ, ସତ ନା?”

ପଦୀ- ସବୁବେଳେ ଗାଁ ଲୋକ ଦେଖିଆସି କହୁଛନ୍ତି ପରା! ବାହାଘର କଥା ସେଠି ଧୁମ୍ ପଡିଛି, କନ୍ୟାସୁନା ଟଙ୍କା ପରା ଗଣାପୋଛା ହୋଇ ଥୁଆଗଲାଣି । ଏଡେ ଲୋକ ସାଙ୍ଗରେ ବନ୍ଧୁପଣ- ଆପଣଙ୍କର ନାମ ଚର୍ଚ୍ଚା ନାହିଁ!


ଗପ ସାରଣୀ

ତାଲିକାଭୁକ୍ତ ଗପ