ମହାନ୍ତିଏ- ଏ ପଦୀ! କାଲି ରାତିରୁ ତୁ ଲାଗିଯା- କାଲି ସକାଳେ ତୁ ଖାଇପିଇ ଆସି ଘର ଲିପାପୋଛା ଝୋଟିଦିଆ ସବୁ ନିବାଡି ଦେ ।
ପଦୀ- ଏ ସାଆନ୍ତ! ତୁମ ବନ୍ଧୁବାନ୍ଧବ ଘରେ ନିମତା ଦେଇଆସିବି ନା?
ମହାନ୍ତିଏ- ନା-ନା-ନା-ନା, ସେ ପାଜିଙ୍କ ମୁହଁ ପୋଡିଦେ । ଯେ ଆସିବ, ଆଗେ କହିବସିବ ଖାଇବାକୁ ଦେ, ପିଠା ଖଜା ଦେ । କ୍ୟାଁରେ ବାବୁ! ମୁଁ ଝିଅକୁ ଖୁଆଇ ପିଆଇ ବଢାଇଛି; ଯେ କନ୍ୟାସୁନା ଯୋଡାଏ ଟଙ୍କା ମିଳିବ, ମୁଁ ନେବି, ତୁମକୁ ଖୁଆଇବି କ୍ୟାଁ?
ପଦୀ ମହାନ୍ତିଙ୍କ ଘରୁ ବାହାରି ସେ ଗାଁରେ ଯେତେ ବଳରାମଗୋତ୍ରୀ ଘର ଅଛି, ସେସମସ୍ତଙ୍କ ଦୁଆର ଦୁଆର ସେ ବୁଲିଲା ।
ଗାଁଟା ଖୁବ୍ ବଡ, ଶ’କଡା ଘର, ସେଥିରୁ ଅଧାଅଧି ବଳରାମ ଗୋତ୍ରୀ । ମହାନ୍ତିଙ୍କ କହିଥିବା କଥା ପଦୀ ଜଣ ଜଣ କରି ତୁନି ତୁନି ସବୁ ସେ କହିଲା । ଆହୁରି ବି କିଛି ଲଗେଇଦେଇ ସେ କହିଲା- ମହାନ୍ତି କହିଛି, ଝିଅ ବାହାଘର ଦିନ ଜାତି ଲୋକ ଯେ ଦାଣ୍ଡ ଆଗ ଦେଇ ଚାଲିଯିବ, ସେ ସମସ୍ତଙ୍କ ପିଠିରେ ସେ ଯୋଡାଏ ପାଣ୍ଡୋଇ ବାଡେଇବ । ତେଣୁ ମୂଲିଆ ଯୋଡାଏ ପାଣ୍ଡୋଇ ଧରି ବସିଥିବେ ।
ଜାତିଭାଇ ସମସ୍ତେ ଏକଥା ଶୁଣି ନିଆଁବାଣ ହୋଇଗଲେଣି । କଥାଟା ସତ କି ମିଛ, କେହି ବୁଝିବାକୁ ନାହିଁ । ବଡଝିଅ ମାଧୀର ବିଭାଘରବେଳେ ମାଧ ମହାନ୍ତି ଜାତିଭାଇଙ୍କୁ ଶଙ୍ଖୁଳି ନାହିଁ, ବଡ ହେଟାଦର ସେ କରିଛି, ସେହି ରାଗଟା ସମସ୍ତଙ୍କ ମନରେ ଥିଲା । ସମସ୍ତେ କମ୍ପୁଛନ୍ତି । ମହାନ୍ତିଙ୍କୁ ହାବୁଡରେ ପାଇଲେ ରସାତଳ ଦେବେ ।
ପଦୀ ବାହାରିଗଲା ବାଦେ ମାଧ ମହାନ୍ତିଏ ଝିଅକୁ କହିଲେ, “ଆଲୋ ମାଳତୀ! କାଲି ଭଣ୍ଡାରୁଣୀ ଆସିଲେ ତା ହାତରେ ଘରଦ୍ୱାର ସବୁ ଭଲକରି ଲିପାପୋଛା କରାଇ ନେବୁ । ଅନା, ଏହି ଯେ କାନ୍ଥ ଝଡିପଡିଛି, ତା ହାତରେ କାଦୁଅ ଛଟାଇ ନେବୁ । ଶୁଣ, ଖବରଦାର! ସକାଳୁ ତାକୁ ପାଇଟିରେ ଲଗାଇବୁ ନାହିଁ । ଗାଧୁଆବେଳ ହେଲା ତ ଗାଧୋଇ ପଡି କହିବ, ଦେଲୁ ଭାତ ଖାଇବାକୁ । ଏ ଗାଁ ଲୋକଗୁଡାକଙ୍କ କଥା ଦେଖିଲେ ବଡ ଚଳ ମାଡେ । ଟିକିଏ କିଛି କାମ କରିଦେଲେ ତ, କହିବସିବେ, ଦେଲୁ ମାଣେ ଧାନ ।”
ଆଜିକାଲି ମହନ୍ତ ବାହାରକୁ ଆଉ ବାହାରନ୍ତି ନାହିଁ । ସାଙ୍ଗ ଲୋକଗୁଡିଙ୍କୁ ଘେନି ସବୁବେଳେ ଖାଲି ସେ ତୋଟାରେ ବସିଥାନ୍ତି । ଯେଡେ ଲୋକ ହେଉ, ଯେତେ କାମ ଥାଉ ପଛକେ ତୋଟା ଭିତରକୁ ଯିବା ତାଙ୍କର ଭାରି ବାସନ୍ଦ । ଆଜିକାଲି ରାତିରେ ଆଖଡା ବି ବନ୍ଦ । କେବଳ ପଦୀ ଭଣ୍ଡାରୁଣୀ ସଞ୍ଜ ସକାଳ ସବୁବେଳେ ତୋଟା ଭିତରକୁ ଯାଏ ।
ମାଧ ମହାନ୍ତିଏ ରୋଜିନା ପରି ସକାଳୁ ଉଠି ପଦାଆଡେ ଯାଇଥିଲେ, ସେଠାରୁ ଫେରିଆସି ସେ ଦେଖିଲେ, ପଦୀ ପିଣ୍ଡାରେ ବସିଛି । ତହୁଁ ସେ କହିଲେ, “କି ଲୋ ପଦି! ତୁ ଏଡେ ସକାଳୁ ଆସି ବସିଲୁଣି ଯେ?”
ପଦୀ- ମଲା ଯା!
“ଯାହାର ବାହା ସେ ଖେଳୁଛି ପଶା
ଧାଇଁ- ବୁଲୁଛନ୍ତି ସାଇପଡିଶା ।”
ପିଛିଲା ରାତି ଘଡିଏ ଥିଲା, ମୁଁ ଉଠିପଡି ଘରେ ବାସିପାଇଟି ଚଂଚଳ ସାରିଦେଇ ଧାଇଁଛି । ଆଜି ଯେ ସାଆନ୍ତ ଅବହେଡା ମଙ୍ଗୁଳା, କନ୍ୟା ଦେହରେ ହଳଦୀ ପଡିବ ।
ମାଧ ମହାନ୍ତି- ନାହିଁ ନାହିଁ ପଦୀ, ଯାହା ଯାହା ହେବାର କଥା, ସେଇ ବାହାଘର ଦିନ ହିଁ ସବୁ ହେବ ।
ପଦୀ- ନାହିଁ ସାଆନ୍ତ! ମୁଲକର ଇମିତିକା ହୁଏ ନାହିଁ । ଶୁଣିଛି, ବରଘର ବାହାଲଗୁତି ଆପଣଙ୍କୁ ତିନିଶ ଟଙ୍କା ଦେବ, ଆପଣ ଇମିତିକା ଅଶାସ୍ତର କାମ କଲେ, ସେ ଲଗୁତି ଟଙ୍କା ଊଣା କରିଦେବ ।