ମହାନ୍ତି- ଆଚ୍ଛା, ତୁ ମାଣେ ଧାନ ଧରି ଯା, ହଳଦୀ ତେଲ ଶମ୍ଭୁଆ ଦୋକାନରୁ କିଣି ଆଣ । ଧାନ ଦର ଚଢିଛି, ମାଣେ ଧାନର ଦାମ୍ ଦେଢପଇସା । ପଇସାଏ ଦେଲେ ଭାରି ଭଲ ହୁଅନ୍ତା- କ’ଣ କରିବି ଲୋ, ହାତରେ ପରା ପଇସା ନାହିଁ ।
ପଦୀ- ଟଙ୍କାଟାଏ ଦିଅନ୍ତୁ ଭଙ୍ଗାଇ ଆଣେ ।
ମହାନ୍ତିଏ- ନାହିଁ ଲୋ ବାପା! ଟଙ୍କା ଭଙ୍ଗେଇଲେ ତ ଉଡିଲା, ଆଉ ତାକୁ ପାଇବ ନାହିଁ ।
ପଦୀ- ଏ ସାଆନ୍ତ! ଗାଁରୁ ପାଂଚଜଣ ଅହିଅ ମାଇକିନିଆ ଆସିବେ, ସେମାନେ ବି ହଳଦୀ ତେଲ ଲଗାଇବେ, ସେଥିଲାଗି ଢେର୍ ହଳଦୀ ଯେ ଲୋଡା ।
ମହାନ୍ତି- ନାହିଁ ନାହିଁ, ପାଂଚଜଣ ଅହିଅ ମାଇକିନିଆ କ’ଣ କରିବେ? ତୁ ଏକା ଝିଅକୁ ହଳଦୀ ଲଗାଇଦେ । ଆଉ ଜାଣୁ । ପାଂଚଟା ମାଇକିନିଆ ଆସିଲେ କହିବେ, ଜଳପାନ ଖାଇବାକୁ ଦେ ।
ପଦୀ ସକାଳୁ ଆଟିକାଏ ବଟା ହଳଦୀ, ଆଟିକାଏ ତେଲ, ପାଛିଆଏ ଭୁଜା, ପାଛିଆଏ ଉଖୁଡା ଆଣି ମାଳତୀ ଘରେ ଥୋଇଦେଇଥିଲା, ସବୁ ବାହାର କରି ମହାନ୍ତିଙ୍କ ଆଗରେ ସେ ଥୋଇଦେଲା ।
ମହାନ୍ତି ଏସବୁ ପଦାର୍ଥ ଦେଖି କାବା ହୋଇ ଛିଡା ହୋଇଛନ୍ତି, ପାଟିରୁ ତାଙ୍କର କିଛିବି କଥା ବାହାରୁ ନାହିଁ । ଦଣ୍ଡକ ବାଦେ ସେ କହିଲେ- “ଏଁ-ଏଁ-ପଦୀ-ପଦୀ! ଏ ସବୁ କ’ଣ? ଏସବୁ କାହୁଁ ଅଇଲା?”
ପଦୀ ପଣତ କାନିଟା ମୁହଁରେ ଦେଇ ଟିକିଏ ସକ୍ସକ୍ କରି କାନ୍ଦିଲା । ମୁହଁ ପୋଛି ପୋଛି ଦେଇ ସେ କହିଲା- “ବୁଝିବା ହେଲେ ସାଆନ୍ତ! ମୋ ହାତରେ କିଛି ବିତ ଅଛି- ମୋର କିଏ ଅଛି, କିଏ ଖାଇବ? ଆପଣ ସେଦିନ କହିଲେ ମାଳତୀ ମୋ ଝିଅ । ଏଇ ଝିଅ ବିଭାଘରେ ସବୁ ସାରିବି ମନରେ କରିଛି ।”
ମହାନ୍ତି- ହଁ- ହଁ ଭଲ କଥା, ଭଲ କଥା ପାଂଚିଛୁ । ତୋର ମୁଲକଯାକ ଖୁବ୍ ପ୍ରଶଂସା ହେବ, ଢେର୍ ଧର୍ମ ବି ହେବ । ଆଲୋ ମାଳତୀ! ନେ ନେ, ତୋ ମା’ ଦେଇଛି, ଏସବୁ ପଦାର୍ଥ ଉଠାଇ ନେ, ସାଇତି ରଖ, ବୁଝି ଖବରଦାର! ପକାଡୋଳା କରିବୁ ନାହିଁ ।
ପଦୀ- ଝିଅ ଲାଗି ବିଭାପାଂଚି ଶାଢି ଆଣିଛନ୍ତି ତ? ଏଇଲାଗେ ଯେ କୋଇଲିବୁଡ ପାରି ପିନ୍ଧିବ?
ମହାନ୍ତିଏ କହିଲେ- ହଁ ହଁ ପଦୀ, ସେଇ କଥା କହୁଛି ପରା, ବାହା ଲୁଗାଗୁଡାକ ଏଡେ ଦାମ୍! ଖଣ୍ଡେ ନ’ହାତି ବାହାପାଂଚି ଶାଢିର ଦାମ୍ ଦୋକାନୀ ଧରିଛି ସାଢେ ଆଠଅଣା । ମୁଁ ପାଂଚଅଣାରୁ ଉଠି ଆଠଅଣାଯାଏଁ ଗଣିଲି, ତେବେ ବି ନା, ସେଇ ସାଢେ ଆଠଅଣା । ତା ପୁଣି କାଳି ବାସି ରଖିବ ନାହିଁ, ନଗଦ୍ ରୋକ୍ଠୋକ୍ । ଯାଏଁ, ଯିମିତି ହେଉ ଆଉ ଅଧଲାଏ ଖଣ୍ଡେ ଦାମ୍ ଚଢେଇ ଆଣିବାକୁ ହେବ, ନ ହେଲେ ତ ନଚଳେ ।
ପଦୀ- ନା ନା ସାଆନ୍ତ! ପନ୍ଦର ବରଷର ଝିଅକୁ ନଅହାତି ଶାଢି ବି ପାଇବ ନାହିଁ । ଆଚ୍ଛା ସାଆନ୍ତ! ମୁଁ ତ ମୋ ଝିଅକୁ ମଙ୍ଗଳଲତା ପିନ୍ଧାନ୍ତି, ସେହି ଶାଢି ଖଣ୍ଡ ପାଂଚି ଶାଢି ହେଉ । ମହାନ୍ତିଏ ଭାରି ଖୁସିଟାଏ ହୋଇ କହିଲେ, ହଁ ହଁ ପଦୀ, ଭଲ କହିଲୁ । ଦଶ ଲୋକରେ ତୋ ନାଁ ପଡିବ, ତୋର ଢେର୍ ପୁଣ୍ୟ ହେବ । ଯା, ଯା, ଭଲ ଦେଖି ଖଣ୍ଡିଏ ବାରହାତି ଶାଢି କିଣିଆଣ । ଆଉ ଗୋଟିଏ କଥା ପଦୀ, ବେଦୀ ଉପରେ କନ୍ୟା ସମର୍ପିବାବେଳେ ମୋତେ ନୂଆ ଲୁଗା ପିନ୍ଧିବାକୁ ହେବ ପରା? ତୁ ତ ଯାଉଛୁ, ମୁଁ ଆଉ ଯିବି କ୍ୟାଁ? ମୋ ପାଇଁ ଯୋଡାଏ ଭଲ ଦେଖି ଲୁଗା କାଳିକରି ଆଣିବୁ, ତୋ ନାମରେ କାଳି ଆଣିବୁ, ବାହାଘର ବାଦେ ମୁଁ ଦାମ୍ ଦେବି ଯେ, ସେତେବେଳେ କଡା ଗଣ୍ଡା ତୁ ଛିଡାଇଦେବୁ ।
ପଦୀ ଲୁଗା କିଣିବାପାଇଁ ବାହାରିଗଲା, ମହାନ୍ତିଏ ତାଙ୍କ ଝିଅକୁ ଡାକିଦେଇ କହିଲେ, ଆଲୋ ମାଳତୀ! ଯା, ଯା, ଚଂଚଳ କବାଟ କିଳିଦେଇ ଆ । ଖବରଦାର । ସବୁବେଳେ କବାଟଟି କିଳି ଦେଇଥିବୁ । ଆଉ ଶୁଣ, ପଦୀ ଯେ ତେଲ ଜଳପାନ ଆଣିଛି, ସେଥିରୁ ଅଳ୍ପ ବାହାରେ ରଖ, ଆଉ ସବୁ ଆଣ, ମୁଁ କଂଚି ଘରେ ରଖିଦିଏଁ । ଆଉ ଗୋଟାଏ କଥା ଶୁଣ, ଯେଉଁ ଅହିଅ ମାଇକିନିଆମାନେ କୋଇଲିବୁଡପାରି ଦେଖିବାକୁ ଆସିବେ, ସେ ସମସ୍ତଙ୍କୁ ଜଳଖିଆ କରିବାକୁ କହିବୁ, ଚଂଚଳ ଦେବୁ ନାହିଁ । ଭାତରନ୍ଧା ବେଳ ମଠ ଦେଖିଲେ ସବୁଗୁଡା ଆପେ ଆପେ ପଳାଇଯିବେ । ଖାଲି ପଦୀକୁ ମୁଠାଏ ଖାଇବାକୁ ଦେବୁ ।
ମଧୁପୁର ଗାଁ ଗୋଟାକରେ ଚହଳ ପଡିଯାଇଛି, ଆଜି ମାଧ ମହାନ୍ତି ଝିଅ ମାଳତୀର ବିଭା । ମାତ୍ର ମହାନ୍ତିଙ୍କ ଦୁଆରକୁ ଅନାଅ, ବିଭାଘରର ଚିହ୍ନବର୍ଣ୍ଣ କିଛି ବି ନାହିଁ, ସବୁଦିନ ପରି ଆଜି ବି ତାଙ୍କ କବାଟ କିଳା । ପିଲାଠାରୁ ବୁଢାଯାଏଁ ମହାନ୍ତିଙ୍କ ଦୁଆରକୁ କେବେବି କେହି ଯାଏ ନାହିଁ । ଭୁଲଭଟକାରେ କେହି ଗଲେ ମହାନ୍ତିଏ ତା ପିଛା ଧରି ଚାଲିଥିବେ, କିଛି ଗୋଟିଏ ଘେନି ପଳାଇବ ପରା । ଦୁଆର ତ ବନ୍ଦ, ଭାଟ ଭିକାରି ବା କିଏ ସେଠାକୁ ଯାଉଛି?
ସଞ୍ଜ ବାଜିଗଲାଣି, ମହାନ୍ତିଏ ସକାଳ ସିଆଁ ଟଙ୍କାଥଳିଟି ସଜ କରି ରଖିଦେଲେ, ସେତେବେଳେ ଚଂଚଳରେ କାଳେ ହାତରେ ନ ପଡେ । ଝିଅ ମୋଟା ବଳିତା କରି ଗୁଡାଏ ତେଲ ଢାଳିଦେବ ବୋଲି ଆପେ ଗୋଟାଏ ସବୁବଳିତାରେ କେତେ ଟୋପା ତେଲ ପକାଇ ବେଦୀ ଉପରେ ଦୀପଟିଏ ବସାଇଦେଲେ । ମହାନ୍ତିଙ୍କ ଘରେ ତ କେବେବି ଦୀପ ଜଳେ ନାହିଁ, ଦିନ ଥାଉଁ ଥାଉଁ ଖିଆପିଆ ପାଇଟି ଛିଡିଥାଏ ।
ପଦୀ ମାଳତୀକୁ ଗୋଟିଏ ଘରେ ବସାଇ କନ୍ୟାବେଶ କରାଇ ଦେଉଛି, ଦୁଇଜଣ କ’ଣ ଫୁସୁରୁଫାସର କଥା ହେଉଛନ୍ତି । ମାଳତୀ ବେଳେବେଳେ କାନ୍ଦିପକାଇଲା ପରି ଆକୁଳରେ ପଚାରୁଛି, “ମା’ କ’ଣ ହେବ?” ପଦୀ କହିଲା, “ତୁନିହୋଇ ବସିଥା, ଝିଅ । ଖବରଦାର! ମୋ’ କଥାରୁ ଟିକିଏ ଆଡ ଅନ୍ତର ହେବୁ ନାହିଁ, ନହେଲେ ସବୁ ଭଣ୍ଡୁର ହେବଟି? ସବୁବେଳେ ଠାକୁରଙ୍କୁ ଡାକୁଥା ।” ମାଳତୀ ଠାକୁରଙ୍କ ଆଡକୁ ଅନାଇ ହାତଯୋଡି ଦଣ୍ଡବତଟାଏ କଲା ।