ଦେବକାନ୍ତାକୁ ସାଥିରେ ନେଇ ମହାରାଜାଙ୍କୁ ଭେଟିଲା ଏବଂ ନିଜର ମନକଥା ଜଣାଇଲା । ମହାରାଜତ ତାକୁ କେବେ ଭିନ୍ନ ଦୃଷ୍ଟିରେ ଦେଖି ନ ଥିଲେ ତେଣୁ କହିଲେ, “ତମେ ଆଦୌ ଚିନ୍ତା କରନି । ଦେବକାନ୍ତା ମୋର ସୁନା ଭଉଣୀ । ତା’ର ବିବାହ ଦାୟିତ୍ୱ ମୋର । ଯଦି କେହି ଭଲପାତ୍ର ଥାଏତ ମୋତେ କୁହ ।”
ଦେବକାନ୍ତ କହିଲା, “ଉଦୟଗିରିର ରାଜକୁମାର ଉଦୟନ ଥରେ ମୋତେ ପ୍ରସ୍ତାବ ଦେଇଥିଲେ ଦେବକାନ୍ତାକୁ ବିବାହ କରିବା ପାଇଁ । କିନ୍ତୁ ଜଣେ ରାଜକୁମାରଙ୍କୁ ଭଉଣୀକୁ ଟେକି ଦେବାର ସ୍ଥିତି ମୋର ନ ଥିଲା । ଏଣୁ ସେ ମନା କରିଦେଲେ । ସେ ଏବେ ମଧ୍ୟ ଅବିବାହିତ । ଆପଣ ଚାହିଁଲେ ତାଙ୍କୁ ଦେବକାନ୍ତାଙ୍କୁ ସମର୍ପଣ କରି ପାରିବେ ।
ମହାରାଜ ଜଣେ ପୁରୋହିତଙ୍କୁ ଧନରତ୍ନ ଉପହାରଆଦି ଦେଇ ଉଦୟଗିରି ରାଜ୍ୟକୁ ପଠାଇଲେ ଏବଂ କହିଲେ ସେ ଯାଇ ସେଠାରେ ଘୋଷଣା କରିବ ଯେ ମହାରାଜ ବିକ୍ରମାଦିତ୍ୟ ତାଙ୍କ ଭଉଣୀକୁ ରାଜକୁମାର ଉଦୟନଙ୍କ ସହିତ ବିବାହ ଦେବାକୁ ଚାହାଁନ୍ତି । ମାତ୍ର ପୁରୋହିତ ସନ୍ଧ୍ୟାରେ ବିଷର୍ଣ୍ଣମନରେ ଫେରି ଆସିଲା । ପଚାରିବାରୁ କହିଲା ଯେ ଜଙ୍ଗଲ ପାଖରେ ଦଳେ ଡକାୟତ ତାଙ୍କଠାରୁ ସବୁକିଛି ଛଡାଇ ନେଲେ । ପରଦିନ ମହାରାଜ ଘୋଡାଦେଇ ପୁରୋହିତଙ୍କୁ ଉଦୟଗିରି ପଠାଇଲେ । ନିଜେ ଛଦ୍ମବେଶରେ ସେଇ ସ୍ଥାନକୁ ଗଲେ ଯୋଉଠି ଡକାୟତମାନେ ଲୁଣ୍ଠନ କରୁଥାନ୍ତି ଯାତ୍ରୀମାନଙ୍କୁ । ସେ ଯାଇ ଦେଖିଲେ ଯେ ଏକ ନିର୍ଜନ ସ୍ଥାନରେ ଚାରିଜଣ ବସି କଥା ହେଉଛନ୍ତି । ମହାରାଜ ସେମାନଙ୍କ ଆଗରେ ଛିଡା ହୋଇଗଲେ । ସେମାନେ ତାଙ୍କୁ ରାଜାଙ୍କ ଗପ୍ତଚର ବୋଲି ଭାବିଲେ । ମହାରାଜ କହିଲେ, “ଭୟ କର ନାହିଁ । ମୁଁ ତମମାନଙ୍କର କିଛି କ୍ଷତି କରିବିନି । କାରଣ ମୁଁ ବି ଜଣେ ଚୋର” ।
ସେମାନେ ତାଙ୍କୁ ନିଜର ସାଥୀରୂପେ ଗ୍ରହଣ କରିନେଲେ । ମୁଖିଆ ଜଣକ କହିଲା, “ଆମ ସମସ୍ତଙ୍କ ଭିତରେ କିଛି ନା କିଛି ବିଶେଷ ଗୁଣ ଅଛି । ତମ ଭିତରେ କ’ଣ ବିଶେଷ ଗୁଣ ଅଛି କହିଲେ ଯାଇ ଆମେ ତମକୁ ଦଳରେ ମିଶାଇବୁ” ।
“ବେଶ୍ ଭଲ କଥା । ଆଗ ତମେ ମୋତେ ନିଜ ନିଜର ବିଶେଷ ଗୁଣ ସମ୍ପର୍କରେ କୁହ । ତା’ପରେ ମୁଁ କହିବି ମୁଁ କ’ଣ ନୂଆ କଥା ଜାଣିଛି । ସେଥିରୁ ତମେ ଅନୁମାନ କରି ପାରିବ । ମୋର ଗୁରୁତ୍ୱ କେତେ ।”
ମହାରାଜଙ୍କ କଥା ଶୁଣି ପ୍ରଥମ ଡକାୟତ କହିଲା, “ମୁଁ ଏଭଳି ଶୁଭ ମୁହୂର୍ତ ବାହାର କରେ ଯେତେବେଳେ ଅନୁକୂଳ କରି ବାହାରିଲେ ଆମେ ଖାଲି ହାତରେ ଫେରୁ ନାହୁଁ ।”
ଦ୍ୱିତୀୟ ଜଣକ କହିଲା, “ମୁଁ ପଶୁପକ୍ଷୀଙ୍କ କଥା ବୁଝିପାରେ ।” ତୃତୀୟ ଜଣକ କହିଲା ।
“ମୁଁ ଏମିତି ଗୁଣ ଜାଣିଛି ଯାହା ଫଳରେ ଆମେ ଚୋରି କଲାବେଳେ କେହି ଆମକୁ ଦେଖି ପାରନ୍ତି ନାହିଁ ।” ଚତୁର୍ଥ ଜଣକ କହିଲା, “ମୁଁ ଏମିତି ମନ୍ତ୍ର ଜାଣିଛି ଯାହା ଫଳରେ ଧରାପଡି ମାଡ ଖାଇଲେ ମଧ୍ୟ ଆମକୁ କାଟେ ନାହିଁ । ମାରିବା ଲୋକ ମାରିମାରି ହାଲିଆ ହୋଇ ଯାଆନ୍ତି ।”
ମହାରାଜ କହିଲେ, “ମୁଁ କୌଣସି ସ୍ଥାନକୁ ଚାହିଁଲେ କହିପାରିବି କେଉଁଠି ଧନରତ୍ନ ଲୁଚାଇ ରଖାଯାଇଛି ।” ସେମାନେ ତାଙ୍କୁ ଦଳରେ ମିଶାଇ ନେବା ପରେ ସେ ସମସ୍ତଙ୍କୁ ଧରି ରାଜମହଲକୁ ଆସିଲେ । ଖଜଣାଖାନାରେ ଥିବା ଧନ ଦେଖାଇଦେଲେ । ସେମାନେ ଚୋରି କରି ପଳାଇବା ସମୟରେ ଧରା ପଡିଲେ । କଟୁଆଳ ଏବଂ ସୈନ୍ୟମାନେ ସେମାନଙ୍କୁ ମହାରାଜଙ୍କ ଆଗରେ ପେଶ୍ କଲେ । ନିଜର ସାଥୀଙ୍କୁ ମହାରାଜ ପଦରେ ଦେଖି ସେମାନେ ଭୟରେ ଥରିଲେ । କ୍ଷମା ମାଗିଲେ, ଆଉ ଚୋରି କରିବେ ନାହିଁ ବୋଲି ଶପଥ କଲେ । ମହାରାଜ ସେମାନଙ୍କୁ ଚାକିରୀ ଦେଲେ । ଦେବକାନ୍ତାକୁ ଉଦୟନଙ୍କ ସହିତ ବିବାହ ଦେଇ ନିଜର କର୍ତ୍ତବ୍ୟ ପାଳନ କଲେ ।
କାହାଣୀ ଶୁଣାଇ ପୁତ୍ତଳିକା କହିଲା, “ଏବେ ବିଚାର କରନ୍ତୁ ଆପଣ ବିକ୍ରମାଦିତ୍ୟଙ୍କ ସହିତ କେତେଦୂର ସମକକ୍ଷ?”
ଭୋଜରାଜ ନିଜ ଉଆସକୁ ଫେରିଲେ ।