ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ମାନବର ସହନଶୀଳତା ବଡ ଗୁଣ

                ଗୁରୁଙ୍କ ଆଦେଶାନୁସାରେ ଶିଷ୍ୟମାନେ ତାହାହିଁ କଲେ । ହେଲେ ସେ ଅତିଥିମାନଙ୍କ ଭିତରୁ ଜଣେ ଦୁଷ୍ଟବୁଦ୍ଧି ବ୍ୟକ୍ତି ଥିଲେ । ସେ କୌଣସି ଶିଷ୍ୟ ସହିତ ନ ଯାଇ ମହମ୍ମଦଙ୍କ ପାଖରେ ରହିବାକୁ ଖୁବ୍ ମନ କଲେ । କାହିଁକିନା ସେ ଚାହୁଁଥିଲେ ମହମ୍ମଦଙ୍କ ସୁଖ୍ୟାତିକୁ କିଭଳି କ୍ଷୁର୍ଣ୍ଣ କରିବେ । ଲୋକଟି ଜିଦ୍ ଧରିବାରୁ ମହମ୍ମଦ ତାକୁ ନିଜ ଘରେ ରଖିଲେ ।

                ସେଦିନ ଘରେ କେହି ବି ଖାଇବା ପୂର୍ବରୁ ମହମ୍ମଦ ଆଗ ସେହି ଲୋକଟିକୁ ଖାଇବାକୁ ଦେଲେ । ହେଲେ ସେହି ଲୋକଟି ସେଠାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କଲେ । ସେଦିନ ସେ ଘରେ ଯେପରି ସବୁ ଲୋକ ଭୋକିଲା ରହିବେ ସେଥିପାଇଁ ସବୁଯାକ ରନ୍ଧା ଖାଦ୍ୟ ଖାଇବେ ବୋଲି ସେ ମାଗି ଯେତିକି ଖାଇବା କଥା ଖାଇଲେ, ଓ ଅବଶିଷ୍ଟକୁ କୁକୁର, ବିରାଡିକୁ ଖାଇବାକୁ ଦେଇ ନଷ୍ଟ କରିଦେଲେ ।

ଖାଇସାରିବା ପରେ ସେ ଲୋକଟିର ଏଭଳି ଆଚରଣରେ ମହମ୍ମଦ ଆଦୌ ବିଚଳିତ ହେଲେ ନାହିଁ । ତା’ପାଇଁ ଏକ ସ୍ୱତନ୍ତ୍ର କୋଠରିରେ ବଢିଆ ବିଛଣା ବିଛେଇ ଦେଇ ଶୋଇବାର ବ୍ୟବସ୍ଥା କରିଦେଲେ । ମାତ୍ର ଅତ୍ୟଧିକ ଖାଇଥିବାରୁ ସେ ଲୋକଟିର ପେଟ ହଠାତ୍ ଖରାପ ହୋଇଗଲା । ଫଳରେ ଅଜୀର୍ଣ୍ଣ ଝାଡା ଆରମ୍ଭ ହୋଇଗଲା । ସେ ଝାଡା ପରିସ୍ରା ଯାଇ ଯାଇ ଏତେ ହାଲିଆ ହୋଇଗଲା ଯେ, ଶେଷକୁ ସେଇ ସୁନ୍ଦର ବିଛଣା ଉପରେ ବି ସେ ମଳମୂତ୍ର ତ୍ୟାଗ କରିଦେଲା । ଆଉ ବଡିସକାଳୁ ଉଠି ସେଠାରୁ ସେ କୁଆଡେ ଚାଲିଗଲା ।

ପରଦିନ ସକାଳେ ମହମ୍ମଦ ଉଠି ଦେଖିଲା ବେଳକୁ ସେ ଲୋକଟି ଆଉ ନ ଥିଲା । ବିଛଣାର ଏଭଳି ଅବସ୍ଥା ଦେଖି ମହମ୍ମଦ ଠଉରେଇ ନେଲେ ଯେ, ଲୋକଟି ଅସୁସ୍ଥ ହୋଇ କୁଆଡେ ଚାଲିଯାଇଛି । ମନେମନେ ଭାବିଲେ ବଡ ଅପରାଧ ହୋଇଯାଇଛି । ଲୋକଟି ମୋ’ ଘରର ଖାଦ୍ୟ ଖାଇ ଅସୁସ୍ଥ ହୋଇଗଲା, ଅଥଚ ମୁଁ ତାଙ୍କର ସେବାଯତ୍ନ କରିପାରିଲି ନାହିଁ ।

ତହୁଁ ମହମ୍ମଦ ସେ ଲୋକଟିର ଅନୁସନ୍ଧାନ ନେବାପାଇଁ ବାହାରିଲେ । ହେଲେ ତାକୁ ନପାଇ ମନଦୁଃଖରେ ଘରକୁ ଶେଷରେ ସେ ଫେରି ଆସିଲେ । ଘରେ ଅପରିଷ୍କାର ହୋଇ ପଡିଥିବା ବିଛଣାକୁ ନିଜେ ସଫା କରିବା ପାଇଁ ନେଇଗଲେ । ସେତେବେଳକୁ ଶିଷ୍ୟମାନେ ମହମ୍ମଦଙ୍କ ପାଖରେ ପହଁଚି ଯାଇଥିଲେ । ଏସବୁ ଘଟଣା ଶୁଣି ସେ ଶିଷ୍ୟମାନେ ଲୋକଟି ଉପରେ ଭୀଷଣ ରାଗିଗଲେ । ହେଲେ ମହମ୍ମଦ ତାଙ୍କ ଶିଷ୍ୟମାନଙ୍କୁ ସାନ୍ତ୍ୱନା ଦେଇ ରାଗିବାକୁ ବାରଣ କଲେ ଓ ଧୈର୍ଯ୍ୟ ମଧ୍ୟ ଧରିବାକୁ କହିଲେ ।

ସେହି ଲୋକଟି ଗୋଟିଏ ମୂଲ୍ୟବାନ ଖଣ୍ଡା ସେହି କୋଠରିରେ ଛାଡିଯାଇଥିଲା । ବାଟରେ ଏକଥା ତାର ମନେ ପଡିବାରୁ ସେ ଏହାକୁ ନେବାପାଇଁ ପୁଣି ଫେରିଆସିଲା । ହେଲେ ସେ ଫେରିଆସି ଦେଖିଲା, ତା’ର ଝାଡା, ପରିସ୍ରା ଲୁଗା ମହମ୍ମଦ ନିଜ ହାତରେ ସଫା କରୁଛନ୍ତି ଓ ଏହି ଘଟଣାରେ ଆଦୌ ବିରକ୍ତ ନ ହେବାକୁ ସେ ତାଙ୍କ ଶିଷ୍ୟମାନଙ୍କୁ ମଧ୍ୟ ପରାମର୍ଶ ଦେଉଛନ୍ତି ।

ମହାପୁରୁଷ ମହମ୍ମଦ ସେହି ଲୋକଟିକୁ ଦେଖି କିଛି ବି ଆଉ କହିଲେ ନାହିଁ । ବରଂ ସେ ଲୋକଟିର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ବୋଲି ପଚାରିବୁଝି ଅତ୍ୟନ୍ତ ଖୁସି ହେଲେ । ଆଉ ତା ଖଣ୍ଡାଟିକୁ ତାକୁ ଫେରାଇ ଦେଲେ ।

ଏହା ଦେଖି ସେ ଲୋକଟି ସମ୍ପୂର୍ଣ୍ଣ ରୂପେ ବଦଳିଗଲେ । ତା’ପରେ ସେ ନବୀ ମହମ୍ମଦଙ୍କ ପାଦତଳେ ପଡି କ୍ଷମା ପ୍ରାର୍ଥନା କଲେ । ଆଉ ମହମ୍ମଦଙ୍କର ଶିଷ୍ୟ ପାଲଟି ଗଲେ ।

ସୁତରାଂ କୁହାଯାଇଛି –

    “ତୁମ ପ୍ରତି କା’ର ଆଚରଣ କେବେ ହେଲେ ହେଉ ପଛେ ଖରାପ ଅତି

    ତୁମ ଆଚରଣ ଉତ୍ତମ ସରଳ ହେବାହିଁ ଉଚିତ ସେବ୍ୟକ୍ତି ପ୍ରତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ